ଭୁବନେଶ୍ବର: ଯାହା ଆକଳନ କରାଯାଉଥିଲା ତାହା ସତ ହେଲା। ସଂତୃପ୍ତ ମିଶ୍ର ରାଜ୍ୟସଭା ପାଇଁ ଦଳୀୟ ପ୍ରାର୍ଥୀ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ତେବେ ଚତୁର୍ଥ ଆସନରେ ବିଶିଷ୍ଟ ଚିକିତ୍ସକ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାମ ନବୀନ ଘୋଷଣା କରିଛନ୍ତି। ହେଲେ ତାଙ୍କ ପ୍ରାର୍ଥିତ୍ବକୁ ନେଇ ନିଜେ ନବୀନ ଚତୁରତାର ସହ ଦ୍ବନ୍ଦ୍ବ ବଢ଼ାଇ ଦେଇଛନ୍ତି। ବିଜେଡି ଦତ୍ତେଶ୍ବରଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି ବୋଲି କହି ନବୀନ ତାଙ୍କୁ ଚତୁର୍ଥ ଆସନ ପାଇଁ ‘କମନ୍ ପ୍ରାର୍ଥୀ’ ବୋଲି ପୁଣି ଅଭିହିତ କରିଥିଲେ। ତେଣୁ ସେ ବିଜେଡି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବେ ନା ସ୍ବାଧୀନ ପ୍ରାର୍ଥୀ ହେବେ, ତାହା ସ୍ପଷ୍ଟ ହୋଇ ନାହିଁ। ଫଳରେ ଚତୁର୍ଥ ଆସନକୁ ନେଇ ରାଜ୍ୟ ରାଜନୀତିରେ ବଡ଼ଧରଣର ହଲ୍ଚଲ୍ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି।
Narendra Modi: ଆମ ସରକାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ
ସଂତୃପ୍ତ ମିଶ୍ରଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଆଗରୁ ସ୍ପଷ୍ଟ ଥିଲା। ତାଙ୍କର ରାଜନୈତିକ ଅଭିଜ୍ଞତା କମ୍ ଥିଲେ ମଧ୍ୟ ବିଜେଡି ସରକାର ସମୟରେ ସେ ବେଶ୍ ଗୁରୁତ୍ବ ପାଉଥିଲେ। ବିଜେଡିରେ ଯୋଗ ଦେବାର କମ୍ ଦିନ ମଧ୍ୟରେ ତାଙ୍କୁ କଟକ ପରି ଏକ ଗୁରୁତ୍ବପୂର୍ଣ୍ଣ ଲୋକସଭା ଆସନରେ ପ୍ରାର୍ଥୀ କରାଗଲା। ତେବେ ସେ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କଠାରୁ ପରାସ୍ତ ହୋଇଥିଲେ। ପରେ ସେ ଦଳର ସଭାପତିଙ୍କ ରାଜନୈତିକ ସଚିବ ଭାବେ କାର୍ଯ୍ୟ କରୁଥିଲେ।
ଦତ୍ତେଶ୍ବରଙ୍କୁ ସମର୍ଥନ ଦେବୁ: ଭକ୍ତ
ଆଜି ପୂର୍ବାହ୍ଣରେ ବିଜେଡି ବିଧାୟକମାନଙ୍କ ବୈଠକ ଡକାଯାଇଥିଲା। ସେହି ସମୟରେ ଡାକ୍ତର ଦତ୍ତେଶ୍ବର ହୋତା ନବୀନ ନିବାସରେ ପହଞ୍ଚିଥିଲେ। ସମସ୍ତଙ୍କ ନଜର ନବୀନ ନିବାସରେ ରହିଥିଲା। ବୈଠକ ପରେ ନବୀନ ଗଣମାଧ୍ୟମ ସାମନାରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ସେ କହିଥିଲେ, ବିଜେଡି ଦୁଇ ଜଣଙ୍କୁ ପ୍ରାର୍ଥୀ କରିବ। ତୃତୀୟ ଆସନ ପାଇଁ ଦଳୀୟ ପ୍ରାର୍ଥୀ ହେବେ ସଂତୃପ୍ତ ମିଶ୍ର। ଚତୁର୍ଥ ଆସନ ପାଇଁ ଦତ୍ତେଶ୍ବର ହୋତା କମନ୍ ପ୍ରାର୍ଥୀ ହେବେ। ସବୁ ଦଳ ତାଙ୍କୁ ସମର୍ଥନ କରିବାକୁ ସେ ଆହ୍ବାନ ଦେଇଥିଲେ। କିନ୍ତୁ କଂଗ୍ରେସର ସମର୍ଥନ ନେଇ ନବୀନ କୌଣସି ସୂଚନା ଦେଇ ନଥିଲେ। ଏହାର କିଛି ସମୟ ପରେ ନୂଆଦିଲ୍ଲୀ ଗସ୍ତରେ ଥିବା ପିସିସି ସଭାପତି ଭକ୍ତଚରଣ ଦାସ ମୁହଁ ଖୋଲିଥିଲେ। ନବୀନଙ୍କ ସହ ଆଲୋଚନା ହୋଇଛି ଏବଂ ଡାକ୍ତର ହୋତାଙ୍କୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବ ବୋଲି ସେ କହିଥିଲେ। ତେବେ ନବୀନଙ୍କ ସହ ସାକ୍ଷାତ ହୋଇ ପାରିନାହିଁ ବୋଲି ପୂର୍ବରୁ କହୁଥିବା ଶ୍ରୀ ଦାସ ହଠାତ୍ କହିଥିଲେ ଯେ ଗତ ସୋମବାର ଦିନ ତାଙ୍କର ନବୀନଙ୍କ ସହିତ ସାକ୍ଷାତ ଆଲୋଚନା ହୋଇଥିଲା। ଏହାକୁ ନେଇ ରାଜନୈତିକ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି।
Protest: ଟ୍ରିବୁନାଲଙ୍କ ଗସ୍ତ ପ୍ରତିବାଦରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ସତ୍ୟାଗ୍ରହ
ଡାକ୍ତର ହୋତାଙ୍କ ପ୍ରାର୍ଥିତ୍ବକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେବାର ଯଥେଷ୍ଟ କାରଣ ରହିଛି। ଯଦି ସେ ସ୍ବାଧୀନ ପ୍ରାର୍ଥୀ ହେବେ, ତେବେ ନବୀନ କିପରି ନିଜ ଆଡ଼ୁ ଦଳୀୟ ବିଧାୟକଙ୍କ ଗହଣରେ ତାଙ୍କୁ ଠିଆ କରାଇ ନାମ ଘୋଷଣା କଲେ? ପୁଣି କଂଗ୍ରେସ ସହ ମିଳିତ ଭାବେ ବିଜେଡି ପ୍ରାର୍ଥୀ ଦେଉଛି ବୋଲି ସେ ସ୍ପଷ୍ଟ କରିନାହାନ୍ତି। ଯଦିଓ ପିସିସି ସଭାପତି ଉପରେ ପଡ଼ି ସମର୍ଥନ ଘୋଷଣା କରିଛନ୍ତି, ନବୀନ କିନ୍ତୁ କଂଗ୍ରେସ ନାଁ ଧରିନାହାନ୍ତି। ଓଲଟା ନବୀନ ସବୁ ଦଳକୁ ସମର୍ଥନ ନିବେଦନ କରିଛନ୍ତି। ଚାରିଟି ଆସନରେ ନିର୍ବାଚନ ହେଉଥିଲା ବେଳେ ତୃତୀୟ ଓ ଚତୁର୍ଥ ଆସନ ପାଇଁ ନବୀନ ନାମ ଘୋଷଣା କରିବାର ଅର୍ଥ କ’ଣ, ତାହା ବି ସଚେତନ ନାଗରିକମାନେ ବୁଝି ପାରୁନାହାନ୍ତି।
ବିଜେଡି ପାଖରେ ଏବେ ୪୮ ବିଧାୟକ ଅଛନ୍ତି। କଂଗ୍ରେସ ପାଖରେ ଅଛନ୍ତି ୧୪। ଜଣେ ପ୍ରାର୍ଥୀଙ୍କ ଜିତିବା ପାଇଁ ୩୦ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ୍ ଦରକାର। ସେହି ହିସାବ ଦେଖିଲେ ବିଜେଡି ଓ କଂଗ୍ରେସ ଭୋଟ୍ ପାଇ ଡାକ୍ତର ହୋତା ଜିତିଯିବେ। ଜଣେ ସିପିଆଇ(ଏମ୍) ବିଧାୟକଙ୍କ ସମର୍ଥନ ମଧ୍ୟ ତାଙ୍କୁ ମିଳିପାରେ। ତେବେ ବିଜେଡି ଓ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକଜୁଟ ରଖିଲେ ହିଁ ତାଙ୍କର ଜିତିବା ସହଜ ହେବ। କିନ୍ତୁ ଉଭୟ ଦଳର ସ୍ଥିତି ଯାହା, ସମସ୍ତଙ୍କୁ ଏକାଠି ରଖିବା ସହଜ ନୁହେଁ।
ଏବେ ବିଜେପିର ପ୍ରାର୍ଥୀ ଘୋଷଣା ଉପରେ ସମସ୍ତଙ୍କର ନଜର ରହିଛି। ସଂଖ୍ୟା ଦୃଷ୍ଟିରୁ ଦଳର ଦୁଇ ଜଣ ପ୍ରାର୍ଥୀ ସହଜରେ ଜିତିଯିବେ। ତୃତୀୟ ପ୍ରାର୍ଥୀଙ୍କ ପାଇଁ ଦଳ ପାଖରେ ସଂଖ୍ୟା ନାହିଁ। ବର୍ତ୍ତମାନ ବିଧାନସଭାରେ ବିଜେପିର ୭୯ ବିଧାୟକ ଥିଲା ବେଳେ ତିନି ସହଯୋଗୀ ସ୍ବାଧୀନ ବିଧାୟକ ଅଛନ୍ତି। ତେଣୁ ଦଳ ତୃତୀୟ ପ୍ରାର୍ଥୀ ଦେଲେ ଜିତିବା ସହଜ ହେବ ନାହିଁ। ଏପରିକି ବିଜେଡିରୁ ବହିଷ୍କୃତ ଦୁଇ ବିଧାୟକଙ୍କ ଭୋଟ୍ ପାଇଲେ ବି ଯଥେଷ୍ଟ ହେବ ନାହିଁ। ତେଣୁ ବିଜେଡି ଓ କଂଗ୍ରେସ ବିଧାୟକ ଦଳରେ ଫାଟ ସୃଷ୍ଟି ନ କଲେ, ବିଜେପି ତିନିଟି ଆସନ ଅକ୍ତିଆର କରିବା ସହଜ ହେବ ନାହିଁ। ଯଦି ଦଳ ତୃତୀୟ ପ୍ରାର୍ଥୀ ନ ଦିଏ, ତେବେ ବିଜେଡି ସହ ବୁଝାମଣା ହୋଇଥିବା ସ୍ପଷ୍ଟ ହେବ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଉଛି।
ଆରମ୍ଭରୁ ବିଜେଡିରେ ବିଦ୍ରୋହ, ତୁଣ୍ଡ ଖୋଲି ବହିଷ୍କୃତ ହେଲେ ପ୍ରଭାତ
Follow Us