ଭୁବନେଶ୍ବର: ଜୟଦେବ ବିହାର-ନନ୍ଦନକାନନ ବାମ ପାର୍ଶ୍ବ ସମାନ୍ତରାଳ ରାସ୍ତା ନିର୍ମାଣ ପାଇଁ ସାଲିଆ ସାହିରେ ଜବରଦଖଲ ହଟାଇବାକୁ ସରକାରଙ୍କୁ ୧୦ ବର୍ଷ ଲାଗିଗଲା। ୫୫୬ ଘର ଭାଙ୍ଗି ୭ ଏକର ଜବରଦଖଲ ଜମି ମୁକ୍ତ କରିବାକୁ ସରକାର ଉଚ୍ଛେଦ ବାବଦରେ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କଲେ। ଦେଢ଼ଲକ୍ଷ ଟଙ୍କାରେ ଘର ଯୋଗାଇ ଦେବାକୁ ଯାଇ ସରକାର ପ୍ରାୟ ୫୦ କୋଟି ଟଙ୍କା ରାଜସ୍ବ ବରବାଦ୍‌ କଲେ। ସରକାରୀ ଜମି ଜବରଦଖଲ ଦଣ୍ଡନୀୟ ଅପରାଧ। ଯଦି ରାଜ୍ୟରେ ଓଡ଼ିଶା ଜମି ହଡ଼ପ (ନିଷେଧ) ଆଇନ ଲାଗୁ ହୋଇଥାନ୍ତା ତେବେ ସରକାର ଟଙ୍କାଟିଏ ଖର୍ଚ୍ଚ ନକରି ଜମି ଜବରଦଖଲକାରୀଙ୍କଠାରୁ ଜମିର ବଜାର ମୂଲ୍ୟ ଅନୁଯାୟୀ ଭଡ଼ା ଅର୍ଥ ଆଦାୟ କରିଥାନ୍ତେ। ଉଚ୍ଛେଦ ଖର୍ଚ୍ଚ ଆଦାୟ ହୋଇଥାନ୍ତା ଏବଂ ଜବରଦଖଲକାରୀଙ୍କୁ ବର୍ଷେରୁ ୭ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଦେଇପାରିଥାନ୍ତେ। କାରଣ ଏଠାରେ ଯେଉଁମାନେ ରହୁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ବରରେ ବାସହୀନ। ମାତ୍ର ନିଜ ଗାଁରେ ସେମାନଙ୍କର ଘରଦ୍ବାର, ଜମିବାଡ଼ି ଅଛି। ଆଉ କେତେକ ସରକାରୀ ଜମି ଜବରଦଖଲ କରି ବେଆଇନ ଭାବେ ଗରିବ ଲୋକଙ୍କୁ ବିକିଛନ୍ତି ଅଥବା ଘର କରି ଭଡ଼ା ଆଦାୟ କରୁଥିଲେ। କିଏ କିଏ ଜମି ଜବରଦଖଲ କରିଛନ୍ତି ସରକାର ଜାଣିକି ବି କାର୍ଯ୍ୟାନୁଷ୍ଠାନ ନେଇପାରିଲେନି। କାରଣ ଜମି ହଡ଼ପକାରୀଙ୍କୁ ଦଣ୍ଡ ଦେବା ପାଇଁ ଆଇନ ନାହିଁ। ଏହି ଗୋଟିଏ ଜାଗା ନୁହେଁ, ସାରା ରାଜ୍ୟରେ ସମାନ ଅବସ୍ଥା। ‌

Advertisment

ସରକାର ଭୂମିହୀନ ଓ ବାସହୀନଙ୍କୁ ଜମି, ଘର ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅଥଚ ଜବରଦଖଲକାରୀ ନିଜର ଘର ଥାଇ ବି ସରକାରଙ୍କଠାରୁ ସବୁ ସୁ‌େଯାଗ ଲୁଟି ଚାଲିଛନ୍ତି। ସରକାର ମଧ୍ୟ ଆଇନ ଅଭାବରୁ କାର୍ଯ୍ୟାନୁଷ୍ଠାନ ବଦଳରେ ସହାନୁଭୂତି ଦେଖାଇ ଚାଲିଛନ୍ତି। ଯେଉଁଥିପାଇଁ ରାଜ୍ୟରେ ହଜାର ହଜାର ଏକର ଜମି ଏବେ ଜବରଦଖଲକାରୀଙ୍କ କବଜାରେ। ଯେଉଁଠି ବଡ଼ ପ୍ରକଳ୍ପ କରିବାକୁ ଯୋଜନା କରାଯାଉଛି, ସେଠାରେ ଘରୋଇ ଜମି ଅଧିଗ୍ରହଣ କରିବା ଯେତିକି ସମସ୍ୟା ହେଉନି, ତା’ଠାରୁ ଅଧିକ ସମସ୍ୟା ହେଉଛି ଜବରଦଖଲକାରୀଙ୍କଠାରୁ ଜମି ମୁକୁଳାଇବା। ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ୍ ୧,୦୮,୭୭୩ ଏକର ସରକାରୀ ଜମି  ଜବରଦଖଲ ରହିଥିଲା। ଗତ କିଛି ବର୍ଷ ମଧ୍ୟରେ ୫୫,୨୯୩ ଏକର ଜମି ଜବରଦଖଲ ମୁକ୍ତ କରାଯାଇଛି। ଏବେବି ୫୩,୪୮୦ ଏକର ଜମି ଜବରଦଖଲ ଅଛି। ସେହିପରି ରାଜ୍ୟ‌ରେ ୧,୦୦,୨୦୦ ଏକର ଜଙ୍ଗଲ ଜମି ଜବରଦଖଲ ହୋଇଛି। ଏହି ସବୁ ଜମିରୁ ଜବରଦଖଲ ମୁକ୍ତ କରିବାକୁ ଯୋଜନା କରିବାବେଳେ ଉଚ୍ଛେଦ ପାଇଁ ଯେତିକି ଅର୍ଥ ଖର୍ଚ୍ଚ ହେବ ତାହା ବାଧୁନି। ଅଥଚ ଥଇଥାନ ପାଇଁ ଅର୍ଥ ଯୋଗାଡ଼ କରିବା ବାଧକ ସାଜୁଛି। ଯେଉଁଥିପାଇଁ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଲେ ବି ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। 

ବାସହୀନ, ଘରଡିହ ଶୂନ୍ୟ ସଂଜ୍ଞାକୁ ନେଇ ବିବାଦରେ ଫସିଛି ଅଧ୍ୟାଦେଶ
ରାଷ୍ଟ୍ରପତି ଫେରାଇଥିଲେ, ଆଇନ ବିଭାଗରେ ପଡ଼ିଛି
ଜବରଦଖଲରେ ୫୦ ହଜାର ଏକର ସରକାରୀ ଜମି

Eucalyptus Cultivation Govt Land: ଜଙ୍ଗଲ କାଟି ସରକାରୀ ଜମିରେ ନୀଳଗିରି (ୟୁକାଲିପଟାସ) ଚାଷ

Drying Salandi: ନଦୀ ସଂସ୍କାର ଯୋଜନା ବାଟବଣା ଶୁଖିଯାଉଛି ସାଳନ୍ଦୀ

ସରକାରୀ ଜମି, ବିଭିନ୍ନ ଧର୍ମାନୁ‌ଷ୍ଠାନ, ୱକଫ୍ ବୋର୍ଡ ଆଦିର ଜମିକୁ ଯଦି କେହି ଜବରଦଖଲ କରିଥିବେ, ତେବେ ତାକୁ ଜବରଦଖଲମୁକ୍ତ କରି ଜବରଦଖଲକାରୀଙ୍କୁ ଦଣ୍ଡ ଦେବାକୁ ରାଜ୍ୟ ସରକାର ‌ମେ’ ୨୬, ୨୦୧୫ରେ ଓଡ଼ିଶା ଜମି ହଡ଼ପ (ନିଷେଧ) ଅଧ୍ୟାଦେଶ ଆଣିଥିଲେ। ଅଗଷ୍ଟ ୨୭, ୨୦୧୫ରେ ବିଧାନସଭାରେ ପାରିତ କରି ଆଇନରେ ପରିଣତ କରିବାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା। ହେଲେ ବିଲ୍‌ରେ ଅନେକ ତ୍ରୁଟି ଥିବା ଦର୍ଶାଇ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଫେରାଇ ଦେଇଥିଲେ।

ରାଜସ୍ବ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅଧ୍ୟାଦେଶକୁ ଆଲୋଚନାବେଳ ଠାରୁ ବିରୋଧୀ ଦଳର ବିଧାୟକମାନେ କଡ଼ା ବିରୋଧ କରିଥିଲେ। ହେଲେ ତରବରିଆ ଭାବେ ବିଲ୍ ଅନୁମୋଦନ ହୋଇଥିଲା। ବିଲ୍‌ ପାସ୍‌ କରିବାକୁ ତତ୍କାଳୀନ ରାଜ୍ୟ ସରକାର କେନ୍ଦ୍ର ସରକାର ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ବି ଯେଉଁ ଯେଉଁ ନିୟମ ଉପରେ ସ୍ପଷ୍ଟୀକରଣ ମାଗିଲେ ରାଜସ୍ବ ବିଭାଗ ତାହାକୁ ବୁଝାଇଲେ। ହେଲେ ଏଥିରେ ବାସହୀନ, ଘରଡିହ ଶୂନ୍ୟ ସଂଜ୍ଞାକୁ ନେଇ ରାଜ୍ୟ ସରକାର କିଛି ସ୍ପ‌ଷ୍ଟ କରିପାରିଲେନି। ବାସହୀନ, ଘରଡିହ ଶୂନ୍ୟକୁ ‌ନେଇ ରାଜ୍ୟ ସରକାରଙ୍କର ଯେଉଁ ନିୟମ ଅଛି ତାହାକୁ ଲାଗୁ ନକରି ସରକାର ଯାହାକୁ ବାସହୀନ ଓ ଘରଡିହ ଶୂନ୍ୟ ବିବେଚନା କରିବେ ସେମାନେ ଜବରଦଖଲ କରିଥିଲେ ଅଲଗା ନିୟମ ଏବଂ ଅନ୍ୟ ଜବରଦଖଲକାରୀଙ୍କ ପାଇଁ ଅନ୍ୟ ନିୟମ ଲାଗୁ କରିବାକୁ କହିଲେ। ସାରା ରାଜ୍ୟରେ ଗୋଟିଏ ଆଇନ ଲାଗୁ ହେଉଥିବାବେଳେ କିପରି ଜବରଦଖଲ ସଂଜ୍ଞା ଭିନ୍ନ ହେବ, ସେ ନେଇ ଦ୍ବନ୍ଦ୍ବ ଉପୁଜିବାରୁ ରାଷ୍ଟ୍ରପତି ବିଲ୍‌ଟିକୁ ଫେରାଇ ଦେଇଥିଲେ। 

ସେବେଠାରୁ ଏହା ଆଇନ ବିଭାଗରେ ନାଲିଫିତା ତଳେ ପଡ଼ିଛି। ଏହି ଅଧ୍ୟାଦେଶକୁ ଆବଶ୍ୟକ ସଂଶୋଧନ କରି ପୁଣି ବିଧାନସଭାରେ ଉପସ୍ଥାପନ ହେଲେ ଓଡ଼ିଶା ଜମି ହଡ଼ପ (ନିଷେଧ) ଆଇନ ଲାଗୁ ହୋଇପାରନ୍ତା। କିନ୍ତୁ ରାଜସ୍ବ ବିଭାଗ ଏନେଇ ଆଗ୍ରହ ଦେଖାଉନାହିଁ କି ଆଇନ ବିଭାଗ ଏହାର ସଂଶୋଧନ ପାଇଁ କୌଣସି ରାସ୍ତା ଖୋଜୁ ନଥିବାରୁ ଏହି ଅଧ୍ୟାଦେଶ ଆଇନରେ ପରିଣତ ହୋଇପାରୁନି। ଓଡ଼ିଶା ଜମି ହଡ଼ପ (ନିଷେଧ) ଅାଇନ, ୨୦୧୫ ଲାଗୁ ହୋଇଥିଲେ ସରକାର ଯେକୌଣସି ଜବରଦଖଲ ଜମିକୁ ୬ ମାସରେ ଜବରଦଖଲ ମୁକ୍ତ କରିପାରିଥାନ୍ତେ। ଏ ନେଇ ଏକ ସ୍ବତନ୍ତ୍ର କୋର୍ଟ ହୋଇଥାନ୍ତା। ଏହାର ଅଧ୍ୟକ୍ଷ ଜଣେ ହାଇକୋର୍ଟ ବିଚାରପତି/ଅବସରପ୍ରାପ୍ତ ବିଚାରପତି ରହିଥାନ୍ତେ। ୪ଜଣ ସଦସ୍ୟଙ୍କ ମଧ୍ୟରୁ ୨ଜଣ ଜିଲ୍ଲା ଜଜ୍ ଏବଂ ୨ଜଣ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ପ୍ରାଶାସନିକ ଅଧିକାରୀ ରହିଥାନ୍ତେ। ତହସିଲଦାରଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା। ଏଥିରେ ଜମି ଜବରଦଖଲକାରୀଙ୍କୁ ବର୍ଷେରୁ ୭ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା ବ୍ୟବସ୍ଥା ଥିଲା। କିନ୍ତୁ ଏହା ଲାଗୁ ହୋଇପାରିନଥିବାରୁ ଏବେ ସରକାରୀ ଜମି ଜବରଦଖଲ କରିବାକୁ ଜମି ମାଫିଆଙ୍କ ମନରେ ଭୟ ରହୁନି।