1999 super cyclone and media Photograph: (sambad.in)
ଭୁବନେଶ୍ବର: ୧୯୯୯ ଅକ୍ଟୋବର ୨୯ ତାରିଖ । ଓଡିଶା ଦେଖିଥିଲା ସେ ଶତାବ୍ଦୀର ସବୁଠାରୁ ବଡ଼ ପ୍ରଳୟ । ନାଁ ଥିଲା ତାର ମହାବାତ୍ୟା । ଆଜି ସେହି ମହାପ୍ରଳୟକୁ ପୂରିଛି ୨୬ ବର୍ଷ । ଏହି ୨୬ ବର୍ଷ ଭିତରେ ଅନେକ କିଛି ବଦଳିଯାଇଛି । ମହାବାତ୍ୟା ପରଠାରୁ ଅନେକ କିଛି ଶିଖିଛି ଓଡିଶା । ବାତ୍ୟା ମୁକାବିଲା ମନ୍ତ୍ର ବି ଶିଖିଯାଇଛି ଓଡିଶା । ମହାବାତ୍ୟା ଗୋଟେ ବଡ଼ ଶିକ୍ଷା ଦେଇଗଲା । ଆଉ ସେବେଠାରୁ ପ୍ରତିଟି ଜୀବନ ମୂଲ୍ୟବାନ ଭାବି ବାତ୍ୟାର ମୁକାବିଲା କରି କେମିତି ଓଡିଶା ଏବଂ ଓଡିଶାର ଲୋକଙ୍କୁ ସୁରକ୍ଷିତ ରଖାଯାଇପାରିବ ତାର କଳା କୌଶଳ ଆପଣାଇଲେ ଓଡିଶା ସରକାର ।
ଏହି ୨୬ ବର୍ଷ ଭିତରେ ପାଣିପାଗ ସମ୍ପର୍କିତ ଖବର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଗଣମାଧ୍ଯମ ଏକ ବିରାଟ ଭୂମିକା ଗ୍ରହଣ କରିଥିବା ବେଳେ ବାତ୍ୟାର ପୂର୍ବନୁମାନ ଏବଂ ଲ୍ୟାଣ୍ଡଫଲର ସଠିକ ସମୟ ସହ ବାତ୍ୟାର ଗତିପଥ ଆଦିର ସଠିକ ଆକଳନ ପାଇଁ ବି ଟେକ୍ନୋଲୋଜିର ବିକାଶ ହେଲାଣି । ସଙ୍ଗେସଙ୍ଗେ ପାଣିପାଗ ଏବଂ ବାତ୍ୟା ସମ୍ପର୍କିତ ଖବର ଲୋକଙ୍କ ପାଖରେ ପହଞ୍ଚିଯାଉଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନାକୁ ଏବଂ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ପାଇଁ ସରକାର, ପ୍ରଶାସନ ସଜାଗ ହେଉଛନ୍ତି । ବିପର୍ଯ୍ୟୟର ମୁକାବିଲା ପାଇଁ ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବାହିନୀ ସଜାଗ ହୋଇ ରହୁଛନ୍ତି । ମାତ୍ର ୨୬ ବର୍ଷ ତଳେ – ସେମିତି କିଛିର ସୁବିଧା ନଥିଲା କି ଲୋକଙ୍କ ପାଖରେ ବାତ୍ୟା ସମ୍ପର୍କିତ ଖବର ଠିକ ଭାବେ ପହଞ୍ଚୁ ନଥିଲା । ଯେଉଁଥିପାଇଁ ମହାବାତ୍ୟା ପରି ବଡ ବିପଦର ସାମ୍ନା କଲା ଓଡିଶା ।
ଆକାଶରେ ନଥିଲା ବାତ୍ୟାର ସଙ୍କେତ
ମହାବାତ୍ୟା ପୂର୍ବଦିନ ସ୍ବାଭାବିକ ଥିଲା ପରିବେଶ । ଆକାଶରେ ସେମିତି କିଛି ବଦଳିଲା ପରି ଲାଗୁନଥିଲା । ସବୁକିଛି ଠିକଠାକ୍ ଥିଲା । ବୋଧହୁଏ ତାହା ଥିଲା ଝଡ଼ ପୂର୍ବର ନିରବତା । ମାତ୍ର ରାତିରେ ହିଁ ତାଣ୍ଡବ ରଚିଥିଲା ମହାବାତ୍ୟା ଆଉ ତାପରେ ଯାହା ଘଟିଲା ତାହା ଆଜି ଯାଏଁ ଅଭୁଲା…
ରେଡ଼ିଓ ଥିଲା ଏକମାତ୍ର ମାଧ୍ୟମ
୧୯୯୯ରେ ଯଦିଓ କାଁ ଭାଁ କାହା ଘରେ ଟିଭି ଥିଲା ମାତ୍ର ଅଧାରୁ ଅଧିକ ଲୋକେ ରେଡିଓ ଉପରେ ହିଁ ଭରସା କରି ଖବର ଶୁଣୁଥିଲେ ।ସେଦିନ ଲୋକେ ବାତ୍ୟା ଖବର ଶୁଣିଥିଲେ ମାତ୍ର ଏତେଟା ଗୁରୁତ୍ବ ଦେଇନଥିଲେ କି ମୁକାବିଲା ପାଇଁ ସେମିତି କିଛି ଆଖି ଦୃଶିଆ ପ୍ରସ୍ତୁତି ନଥିଲା । ଟିଭିରେ ଲୋକେ ଖବର ଦେଖିଥିଲେ ମାତ୍ର କେହି କେବେ କଳ୍ପନା ବି କରିନଥିଲେ ଏହି ବାତ୍ୟା ଏତେ ଭୟଙ୍କର ହେବ ବୋଲି… ଏବେ ସରକାର ଯେମିତି ଆଗୁଆ ପ୍ରସ୍ତୁତି କରି ବାତ୍ୟାର ମୁକାବିଲା କରୁଛନ୍ତି ସେପରି କିଛି ହୋଇନଥିଲା ବୋଲି ବାତ୍ୟାର ମୁକସାକ୍ଷୀ ଥିବା କିଛି ଲୋକ କହିଛନ୍ତି ।
ଆହୁରି ପଢନ୍ତୁ-
ମହାବାତ୍ୟା ବେଳେ ମିଡିଆର ସ୍ଥିତି
୧୯୯୯ରେ ବାତ୍ୟା ସମ୍ପର୍କିତ ଖବର ଯଦିଓ ରେଡିଓ ଏବଂ ଟିଭି ଦେଖାଉଥିଲା ମାତ୍ର ଏତେ ଲୋକଙ୍କ ପାଖରେ ପହଞ୍ଚିପାରିନଥିଲା । ଏବେ ଯେମିତି ଘରେ ଘରେ ଟିଭି, ମୋବାଇଲ ଏବଂ ସୋସିଆଲ ମିଡିଆ ଦ୍ବାରା ବାତ୍ୟା , ବନ୍ୟା, ଏବଂ ପ୍ରାକୃତିକ ବିପର୍ଯ୍ୟୟର ଖବର ସଙ୍ଗେସଙ୍ଗେ ଜାଣି ହେଉଛି । ବାତ୍ୟାର ତିନି ଚାରି ଦିନ ଆଗରୁ ବାତ୍ୟା ସମ୍ପର୍କିତ ତଥ୍ୟ ଜାଣି ସରକାର ଏବଂ ଲୋକେ ସଜାଗ ହେଉଛନ୍ତି । ସେତେବେଳେ ମିଡିଆର ସକ୍ରିୟତା ଏତେ ନଥିଲା ବୋଲି ଜଣେ ବରିଷ୍ଠ ସାମ୍ବାଦିକ କହିଛନ୍ତି ।
ପ୍ରଳୟର ୫ ଦିନ ପରେ ବାହାରିଲା ପେପର
୧୯୯୯ ମହାବାତ୍ୟାର ପ୍ରଭାବରେ ଭୁବନେଶ୍ବରରେ ବି ତାଣ୍ଡବ ରଚିଥିଲା ପ୍ରକୃତି । ସବୁ ଖବରକାଗଜର ମୁଖ୍ଯାଳୟରେ ପାଣି ପଶିଯାଇଥିଲା । ଫଳରେ ମହାବାତ୍ୟା ପରଦିନ ଖବର କାଗଜ ବାହାରି ପାରିନଥିଲା । ବଡ଼ ବଡ଼ ନାମକରା ଖବର କାଗଜ ବି ୪ରୁ ୫ ଦିନ ପରେ ଖବର କାଗଜ ଛାପିଥିଲେ । ବିଦ୍ୟୁତ ନଥିବାରୁ ଜେନେରେଟରରେ ୩ରୁ ୪ ପୃଷ୍ଠା ଖବର ବାହାରିଥିଲା । ମହାବାତ୍ୟା ସମ୍ପର୍କିତ ଖବର ପାଇଁ ସ୍ଥାନୀୟ ସମ୍ବାଦଦାତା ହିଁ ଥିଲେ ଖବର କାଜଗର ଆଖି ଓ କାନ । ସେମାନେ ଗ୍ରାଉଣ୍ଡ ଜିରୋରୁ ଯେଉଁ ଫଟୋ ପଠାଉଥିଲେ ତାହା ଥିଲେ ଲୋମଟାଙ୍କୁରା ।
ତେବେ କେଉଁଠି ମଣିଷ ପାଣିରେ ଫୁଲି କଳା ପଡିଯାଇଥିଲା ତ ପୁଣି କେଉଁଠି ମଣିଷର ଶବ ଅଧା ମାଟିରେ ପୋତି ହୋଇଥିଲା ଯାହାର ହାତ ଖାଲି ଉପରକୁ ଦିଶୁଥିଲା । ଏମିତି ଲୋମଟାଙ୍କୁରା ଫଟୋ ସବୁ ସେତେବେଳେ ଖବର କାଗଜର ପୃଷ୍ଠା ମଣ୍ଡନ କରୁଥିଲା ବୋଲି ସେତେବେଳେ ଗ୍ରାଉଣ୍ଡ ଜିରୋରେ ରିପୋର୍ଟିଂ କରିଥିବା ଜଣେ ସାମ୍ବାଦିକ ନିଜ ଅନୁଭୂତି ବଖାଣି ମହାବାତ୍ୟାର ବିସ୍ମୃତି କହିଛନ୍ତି ।
ଆହୁରି ପଢନ୍ତୁ-
Cyclone in Odisha: ଇତିହାସ ପୃଷ୍ଠାରେ ଓଡ଼ିଶାର ବାତ୍ୟା, ଜାଣନ୍ତୁ କେବେ ଆସିଛି କେଉଁ ବାତ୍ୟା…?
ତେବେ ଏବେ ବାତ୍ୟା, ବନ୍ୟା ସମ୍ପର୍କିତ ଖବର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଏବଂ ସରକାରଙ୍କୁ ସଜାଗ କରିବାକୁ ଜାଗ୍ରତ ପ୍ରହରୀ ପରି ଗଣମାଧ୍ଯମ କାମ କରୁଛି । ଯାହା ଫଳରେ ଅନେକ ଧନଜୀବନ ରକ୍ଷା ହୋଇପାରୁଛି ବୋଲି ସାଧାରଣ ଲୋକଙ୍କ ସହ ସେତେବେଳେ ମହାବାତ୍ୟାର ମୁକସାକ୍ଷୀ ପାଲଟିଥିବା ବରିଷ୍ଠ ସାମ୍ବାଦିକମାନେ କହିଛନ୍ତି ।
Follow Us