ସତ୍ୟବ୍ରତ ପ୍ରଧାନ

ଜଳେଶ୍ୱର: ଓଡ଼ିଶା ସହ ପଶ୍ଚିମବଙ୍ଗର ସୀମା ବିବାଦ ନୂଆ ନୁହେଁ। ବାଲେଶ୍ୱର ଜିଲ୍ଲାର ୮୨ଟି ଓ ପଶ୍ଚିମବଙ୍ଗର ୯୦ଟି ଗ୍ରାମ ଉଭୟ ରାଜ୍ୟର ସୀମାକୁ ଲାଗିଛି। ଏହି ସୀମାକୁ ନେଇ ଦୁଇ ରାଜ୍ୟର ଅଧିବାସୀ ଦଶନ୍ଧି ହେଲା ମୁହାଁମୁହିଁ ହେଉଛନ୍ତି। ହେଲେ ସୀମାନ୍ତରେ ଏମିତି ଦୁଇଟି ଗାଁ ରହିଛି ଯେଉଁ ଗାଁ ବଙ୍ଗ ଓ ଓଡ଼ିଶା ମଧ୍ୟରେ ଭାଇଚାରା ସୃଷ୍ଟି କରି ଉଦାହରଣ ପାଲଟିଛି। ସେମିତି ଗାଁ ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ବାଲିମ ଏବଂ ଏହାକୁ ଲାଗିଥିବା ପଶ୍ଚିମବଙ୍ଗ ମୋହନପୁର ଥାନା ନିଳଦା ପଞ୍ଚାୟତର ଅଠରବାଟିଆ। ପୃଥକ ରାଜ୍ୟର ଦୁଇ ଗାଁ ହେଲେ ବି ଏଠାକାର ଲୋକଙ୍କ ମନ କିନ୍ତୁ ଏକ। ଏହି ଦୁଇ ଗାଁର ଭାବଗତ ସମ୍ପର୍କ ସମଗ୍ର ଦେଶରେ ଅନନ୍ୟ।

Advertisment

Protest: ଟ୍ରିବୁନାଲଙ୍କ ଗସ୍ତ ପ୍ରତିବାଦରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ସତ୍ୟାଗ୍ରହ

ଏକଦା ବାଲିମ ଓ ଅଠରବାଟିଆ ଗାଁ ମଧ୍ୟରେ ଗଣ୍ଡଗୋଳ ହେବା କିଛି ନୂଆ ନଥିଲା। ଛୋଟ ଛୋଟ କଥାକୁ ନେଇ ଦୁଇ ଗାଁ ମୁହାଁମୁହିଁ ହେଉଥିଲେ। କୁହାଯାଏ, ଏ ଗାଁର ଜଣଙ୍କ ଛାଇ ପଡ଼ିଲେ ସେ ଗାଁର ଲୋକଙ୍କ ନାହି ଡେଉଁଥିଲା। ତେବେ ଉଭୟ ଗାଁର ଯୁବକମାନେ ଏହି ଗଣ୍ଡଗୋଳକୁ ପସନ୍ଦ କରୁନଥିଲେ। ଗଣ୍ଡଗୋଳରୁ ଊର୍ଦ୍ଧ୍ବକୁ ଯାଇ ସେମାନେ ବିବାଦର ସମାଧାନ ପାଇଁ ପ୍ରଥମେ ପରସ୍ପର ମଧ୍ୟରେ କଥାବାର୍ତ୍ତା ଆରମ୍ଭ କଲେ। ଏହାପରେ ଗଢ଼ି ଉଠିଥିବା ଭାଇଚାରା ଯୋଗୁ ଗତ ୧୫ ବର୍ଷ ହେଲା ଏହି ଦୁଇ ଗାଁ ଏକ ପରିବାର ଭଳି ଚଳୁଛନ୍ତି। ଗାଁର କେହି ମୃତ୍ୟୁବରଣ କଲେ ଅନ୍ୟ ଗାଁର ଲୋକ କାନ୍ଧ ଦେବାକୁ ହାଜର ହୋଇ ଯାଉଛନ୍ତି।

ପର୍ବପର୍ବାଣି, ମେଳା ମହୋତ୍ସବ, ଭୋଜିଭାତ ସବୁକିଛି ଏକାଠି କରୁଛନ୍ତି ବାଲିମ ଓ ଅଠରବାଟିଆ ଗ୍ରାମବାସୀ। ଗାଁର କିଛି ସମସ୍ୟା ହେଲେ ଉଭୟ ଗାଁର ବରିଷ୍ଠମାନେ ଗୋଟିଏ ସ୍ଥାନରେ ବସି ତାହାର ସମାଧାନ କରୁଛନ୍ତି ବୋଲି କହିଛନ୍ତି ବାଲିମ ଗାଁ ମୁଖ୍ୟ ଦେବଦତ୍ତ ପ୍ରମାଣିକ। ଦୁଇ ସୀମାନ୍ତ ଗ୍ରାମର ଅଧିବାସୀଙ୍କ ମଧ୍ୟରେ ଏହି ନିଆରା ଭାଇଚାରାର ସେତୁ ପାଲଟିଛି ଉଭୟ ଗାଁରେ ପାଳନ ହେଉଥିବା ପର୍ବପର୍ବାଣି। ବାଲିମ ଗାଁରେ ଫାଲଗୁନ ଅମାବାସ୍ୟା ଦିନ ହେଉଥିବା କାଳୀପୂଜା, ଦୁର୍ଗାପୂଜା, ବାବା ବାଲୁକେଶ୍ବର ମହାଦେବଙ୍କ ଜାଗର ଉତ୍ସବ ଓ ଅଠରବାଟିଆ ଗାଁରେ ପାଳନ ହେଉଥିବା ଦୋଳ ମେଳଣ, ଶିବ ଚତୁର୍ଦ୍ଦଶୀରେ ଉଭୟ ଗ୍ରାମବାସୀ ସାମିଲ ହୁଅନ୍ତି। ଏସବୁ ଉତ୍ସବ ପାଇଁ ପରସ୍ପର ଆର୍ଥିକ ସହାୟତା ବି ଦିଅନ୍ତି। ଦୁଇ ଗାଁରେ ଅନୁଷ୍ଠିତ ହେଉଥିବା ବିବାହ, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଉଭୟ ଗାଁର ସବୁ ଲୋକଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଥାଏ‌। ପାଖ ଗାଁର ଲୋକ ଆସିଲେ ସେମାନଙ୍କୁ ଉଚିତ ସମ୍ମାନ ପାଇଁ ସ୍ବତନ୍ତ୍ର ଧ୍ୟାନ ରଖାଯାଏ ବୋଲି କହିଛନ୍ତି ଅଠରବାଟିଆ ଗ୍ରାମ୍ୟ ମୁଖ୍ୟ ପ୍ରତାପ ପାଳ। 

War: ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ କହିଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରଁନ: ଶାନ୍ତି ସ୍ଥାପକଙ୍କ ଅସଲ ମୁଖା ଖୋଲିଗଲା: ପୂର୍ବତନ ରୁଷ୍‌ ରାଷ୍ଟ୍ରପତି

କେବଳ ପର୍ବପର୍ବାଣି ନୁହେଁ, ବାଲିମ ସାପ୍ତାହିକ ହାଟ ଓ ଦୈନିକ ହାଟ ଉପରେ ଅଠରବାଟିଆ ଗ୍ରାମବାସୀ ସମ୍ପୂର୍ଣ୍ଣ ନିର୍ଭର କରନ୍ତି। ବାଲିମ ଗ୍ରାମବାସୀ ମଧ୍ୟ ଅନ୍ୟ ବଜାର, ହାଟ ପାଇଁ ଅଠରବାଟିଆ ଗାଁ ଦେଇ ପଶ୍ଚିମବଙ୍ଗର ଗୋମୁଣ୍ଡା, ବୁଡ଼େଇ ଆଦି ସ୍ଥାନକୁ ଯାଇଥାନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯଦି ଉଭୟ ଗାଁର ଅଧିବାସୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ମତାନ୍ତର, ମନାନ୍ତର ସୃଷ୍ଟି ହୁଏ ତେବେ ଉଭୟ ଗାଁର ମୁଖ୍ୟ ନିଜ ନିଜ ଭିତରେ କଥାବାର୍ତ୍ତା ହୋଇ ଏହାର ସମାଧାନ କରିଦିଅନ୍ତି।