Strict action against those spreading fake news or rumours Photograph: (sambad.in)
ମାଲକାନଗିରି: ଗତ ୯ ଦିନ ଧରି ମାଲକାନଗିରିରେ ଇଣ୍ଟରନେଟ ସେବା ବନ୍ଦ ରହିବା ପରେ ସୋମବାର ମଧ୍ୟାହ୍ନ ୧୨ଟାରେ ଇଣ୍ଟରନେଟ ସେବା ସ୍ବାଭାବିକ ହୋଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଏସପି ବିନୋଦ ପାଟିଲ ଏଚ୍ ରାଖାଲଗୁଡା, ମାରିୱାଡ଼ା, ନିଲିଗୁଡ଼ା ଓ ଏମଭି ୧୮ ଗାଁ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।
ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ ଭବିଷ୍ୟତର ପିଢ଼ି ପାଇଁ ଆମ ସମସ୍ତଙ୍କୁ ଭାଇଚାରର ବନ୍ଧନରେ ବାନ୍ଧି ହୋଇ ରହିବାକୁ ପଡିବ। ପୁଣି ଥରେ ପରସ୍ପର ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାକୁ ପ୍ରୟାସ କରିବାକୁ ହେବ। ପରସ୍ପର ମଧ୍ୟରେ କଥାବାର୍ତ୍ତା ଦ୍ଵାରା ହିଁ ଏହା ସମ୍ଭବ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଆହୁରି ପଢ଼ନ୍ତୁ:Dharmashala's political fervor escalated: ବଢ଼ିଲା ଧର୍ମଶାଳା ତାତି: ଶାସକ-ବିରୋଧୀ ମୁହାଁମୁହିଁ
ନିଜ ନିଜ ମଧ୍ୟରେ ଥିବା ଭୁଲ୍ ବୁଝାମଣାକୁ ଦୂର କରିବାକୁ ହେବ ବୋଲି ଆଜି ଚାରିଟି ଗ୍ରାମର ଗ୍ରାମବାସୀଙ୍କୁ ବୁଝାଇଛନ୍ତି ଜିଲ୍ଲାପାଳ। ଯେକୌଣସି ପ୍ରକାର ଆଇନ ଶୃଙ୍ଖଳା ସମ୍ପର୍କିତ ବିଷୟଗୁଡ଼ିକୁ ସିଧାସଳଖ ଏସପିଙ୍କୁ ଅବଗତ କରାଇବାକୁ ଏସପି କହିଛନ୍ତି। ସମଗ୍ର ଜିଲ୍ଲାରେ ଇଣ୍ଟରନେଟ ସେବା ସ୍ବାଭାବିକ ହୋଇଛି। ଲୋକେ ଆଶ୍ବସ୍ତି ଲାଭ କରିଛନ୍ତି।
କିନ୍ତୁ ବର୍ତ୍ତମାନ ଭଳି ସମ୍ବେଦନଶୀଳ ପରିସ୍ଥିତିରେ ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ୍ ଅବା ଗୁଜବ ପ୍ରଚାର କରି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ନାହିଁ ବୋଲି ଲୋକଙ୍କୁ ସଚେତନ କରିଛନ୍ତି ଏସପି। ଫେକ୍ ନ୍ୟୁଜ୍ ପ୍ରଚାରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଏସପି ତାଗିଦ୍ କରିଛନ୍ତି।
ଆଦିବାସୀଙ୍କୁ ଘରଡିହ ପଟ୍ଟା ଶୀଘ୍ର ପ୍ରଦାନ ନିର୍ଦ୍ଦେଶ
ଜିଲ୍ଲାପାଳ ଗ୍ରାମବାସୀଙ୍କର ଗ୍ରାମରେ ରହିଥିବା ମୌଳିକ ସମସ୍ୟା ଗୁଡ଼ିକୁ ଶୁଣିଥିଲେ। ଆଦିବାସୀଙ୍କ ଘରଡିହ ପଟ୍ଟା ଶୀଘ୍ର ପ୍ରଦାନ କରିବାରେ ତତ୍ପର ହେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିଲିଗୁଡ଼ା ଗ୍ରାମରେ ଡ୍ରପ୍ ଆଉଟ୍ ହୋଇଥିବା ଏକ ଛାତ୍ରୀ ବିଷୟରେ ଜାଣିବାକୁ ପାଇଥିଲେ ଜିଲ୍ଲାପାଳ। ତୁରନ୍ତ ହଷ୍ଟେଲ ବ୍ୟବସ୍ଥା ଥିବା ନିକଟସ୍ଥ ବିଦ୍ୟାଳୟରେ ତାଙ୍କ ନାମ ଲେଖାଇବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
ଆହୁରି ପଢ଼ନ୍ତୁ:Scindia Said about Congress: ପୁଣି କଂଗ୍ରେସକୁ ଫେରିବେ କି ସିନ୍ଧିଆ! ଜାଣନ୍ତୁ କଣ କହିଲେ କେନ୍ଦ୍ର ମନ୍ତ୍ରୀ
ସେହି ସମୟରେ ଗ୍ରାମରେ ଉପସ୍ଥିତ ଥିବା ଅଭିଭାବକମାନଙ୍କୁ ଶିକ୍ଷାର ଗୁରୁତ୍ଵ ଓ ନାରୀ ଶିକ୍ଷା କେତେ ଜରୁରୀ ବୁଝାଇଥିଲେ ଜିଲ୍ଲାପାଳ। ଜିଲ୍ଲାପାଳ ଓ ଏସପିଙ୍କ କଥା ମାନି ପରସ୍ପର ମଧ୍ୟରେ ଭାଇଚାରା ବଜାୟ ରଖିବେ ବୋଲି ଗ୍ରାମବାସୀ ମାନେ ସହମତି ପ୍ରକାଶ କରିଛନ୍ତି। ଜିଲ୍ଲାରେ ଶାନ୍ତି ଫେରୁଛି।
Follow Us