ରାଉରକେଲା/ବିଶ୍ରା: ସୁନ୍ଦରଗଡ଼ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ଜାମବେର୍ଣ୍ଣା ଜଙ୍ଗଲରୁ ଗୁରୁବାର ରାତିରେ ଉଦ୍ଧାର ଗୁରୁତର ୧୦ମ ‌ଶ୍ରେଣୀ ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପ୍ରାଥମିକ ତଦନ୍ତରୁ ବିଷ ପିଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ଜଙ୍ଗଲରେ ସାଇକଲ୍‌ ଯେଉଁଠି ଥିଲା, ତା’ଠୁ କିଛି ଦୂରରେ ଛାତ୍ରୀ ଜଣକ ଅଚେତ ଅବସ୍ଥାରେ ପଡ଼ିଥିଲେ। ଶରୀରରେ କ୍ଷତ ଚିହ୍ନ ଥିବାରୁ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଓ ଜୋରଜବରଦସ୍ତ ବିଷ ପିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଛାତ୍ରୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। 

Advertisment

Bird Flu: ବାର୍ଡ ଫ୍ଲୁ ଫେରିଲା! କିପରି ସତର୍କ ରହିବେ?

କାରଣ ଅସ୍ପଷ୍ଟ
ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ମୃତ ଛାତ୍ରୀ ପଢ଼ୁଥବା ସରକାରୀ ଉଚ୍ଚ ବିଦ୍ୟାଳୟରେ ତାଙ୍କ ପିତା ଶିକ୍ଷକ ଅଛନ୍ତି। ପ୍ରତିଦିନ ପରି ଗତକାଲି ବାପାଝିଅ ଦୁହେଁ ଘରୁ ପ୍ରାୟ ୨.୫ କିମି ଦୂର ସରକାରୀ ବିଦ୍ୟାଳୟକୁ ବାହାରିଥିଲେ। ଅଧାବାଟରେ ଛାତ୍ରୀ ତାଙ୍କ ବାପାଙ୍କୁ ଦେହ ଭଲ ଲାଗୁନଥିବା କହି ବିଦ୍ୟାଳୟକୁ ନଯାଇ ଘରକୁ ଫେରିଯାଉଛି ବୋଲି କହିଥିଲେ। ହେଲେ ସେ ଘରକୁ ଫେରି ନଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଛାତ୍ରୀ ଜଣକ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରି ନପାଇ ବିଶ୍ରା ଥାନାରେ ଏତଲା ଦେଇଥିଲେ। ବସ୍ତିର କିଛି ଲୋକ ରାତି ପ୍ରାୟ ୯ଟାରେ ସ୍କୁଲଠାରୁ ୨ କିମି ଦୂର ଜାମବେର୍ଣ୍ଣା ଜଙ୍ଗଲରେ ସାଇକେଲ ପଡ଼ିଥିବା ଦେଖିଥିଲେ। ଏହାର କିଛି ଦୂରରେ ଛାତ୍ରୀ ଜଣକ ଅଚେତ ହୋଇ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।

Cricket: ଆଜିଠୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଆମେରିକାକୁ ଭେଟିବ ଭାରତ

ସ୍ଥାନୀୟ ଲୋକଙ୍କ ସହୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ବିଶ୍ରା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଛାତ୍ରୀଙ୍କ ମୁହଁରୁ ରକ୍ତସ୍ରାବ ଓ ଦେହରେ କ୍ଷତ ଚିହ୍ନ ଥିବାରୁ ଅନ୍ୟ ଡାକ୍ତରଖାନାକୁ ନେଇଯିବାକୁ ପରାମର୍ଶ ଦିଆଯାଇଥିଲା। ପରିବାର ଲୋକ ତାଙ୍କୁ ଆଇଜିଏଚ୍‌ ଏବଂ ସେଠାରୁ ପୁଣି ତାଙ୍କୁ ଆର୍‌ଜିଏଚ୍‌କୁ ନେବାକୁ କୁହାଯାଇଥିଲା। କୌଣସି ଉପାୟ ନ ପାଇ ପରିବାର ଲୋକ ଛାତ୍ରୀଙ୍କୁ ବିଳମ୍ବିତ ରାତିରେ ଆର୍‌ଜିଏଚ୍‌ରେ ଭର୍ତ୍ତି କରିବାକୁ ବାଧ୍ୟ ହୋଇଥିଲେ। ଚିକିତ୍ସାରେ ବିଳମ୍ବ ହେବାରୁ ଛାତ୍ରୀଙ୍କର ଜୀବନ ଚାଲିଗଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି।