ଭୁବନେଶ୍ବର: ଏକ ଦୁର୍ଘଟଣା ବୀମା ଜାଲିଆତି ମାମଲାର ତଦନ୍ତରେ ଅତ୍ୟନ୍ତ ଖାମଖିଆଲି ମନୋଭାବ ପ୍ରଦର୍ଶନ ପୁଲିସ ଡିଜି ୱାଇବି ଖୁରାନିଆ ପାଇଁ ଅଡ଼ୁଆ ସୃ‌ଷ୍ଟି କରିଛି। ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିବା ସହ ୧୫ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ରାଜ୍ୟ ପୁଲିସ ମୁଖ୍ୟାଳୟରେ କମ୍ପନ ସୃଷ୍ଟି ହୋଇଛି। ଡିଜିପି ଶ୍ରୀ ଖୁରାନିଆ ଏନେଇ କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ଉପରେ କ୍ଷୁବ୍ଧ ହେବା ସହ ତାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିବା ଓ ରାଜ୍ୟ ସରକାରଙ୍କୁ ଏନେଇ ମଧ୍ୟ ଅବଗତ କରାଇଥିବା ଜଣାପଡ଼ିଛି।

Advertisment

Bangladesh : ଫେବ୍ରୁଆରି ୧୨ରେ ବାଂଲାଦେଶ ନିର୍ବାଚନ, ଲଢିପାରିବନି ଆୱାମୀ ଲିଗ୍

ସୂଚନା ମୁତାବକ, ୨୦୧୭ ଅକ୍ଟୋବର ୧୯ତାରିଖରେ ଘଟିଥିବା ଏକ ରାସ୍ତା ଦୁର୍ଘଟଣାକୁ ନେଇ ‘ଦି ଓରିଏଣ୍ଟାଲ୍ ଇନସ୍ୟୁରାନ୍ସ ଲିମିଟେଡ୍ ବନାମ ଟୁନି ପତି ଓ ଅନ୍ୟମାନେ’ ମାମଲାରେ ରାଜ୍ୟ ପୁଲିସର ଖାମଖିଆଲି ମନୋଭାବକୁ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଥିଲେ। ଏହି ଦୁର୍ଘଟଣା ମାମଲାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ବୀମା ସଂସ୍ଥା ଅଭିଯୋଗ କରିଥିଲା ଯେ, ମାତ୍ର ବର୍ଷକ ମଧ୍ୟରେ ସେହି ସମାନ ଗାଡ଼ି ନମ୍ବରକୁ ବ୍ୟବହାର କରି ୫ଟି ଅଲଗା ଅଲଗା ଦୁର୍ଘଟଣା ମାମଲାରେ କ୍ଷତିପୂରଣ ଦାବି କରାଯାଇଛି। ଯାହାକି ଏକ ବଡ଼ଧରଣର ଜାଲିଆତି ବୋଲି ବୀମା ସଂସ୍ଥା ସନ୍ଦେହ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ଜାଲିଆତିର ସତ୍ୟାସତ୍ୟ ଜାଣିବା ପାଇଁ ଗତ ମାର୍ଚ୍ଚ ୬ତାରିଖରେ ଏସ‌୍ଆଇଟି ତଦନ୍ତ ପାଇଁ ପୁଲିସ ଡିଜିଙ୍କୁ ସୁପ୍ରିମ୍‌‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ପୁଲିସ ଡିଜି ଏହି ମାମଲାର ତଦନ୍ତର ତଦାରଖ ନିଜେ କରିବା ପରିବର୍ତ୍ତେ ଏହାକୁ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ।

କ୍ରାଇମ୍‌ବ୍ରାଞ୍ଚ ଡିଜିଙ୍କୁ କାରଣ ଦର୍ଶାଅ ନୋଟିସ୍‌ 
ବୀମା ଜାଲିଆତି ମାମଲା ମହଙ୍ଗା ପଡ଼ିଲା
୧୫ ସୁଦ୍ଧା ସତ୍ୟପାଠ ଦାଖଲ କର

Road Infrastructure: ୧୪ଟି ରାସ୍ତା ପାଇଁ ୮୨ କୋଟିର ବ୍ୟୟ ବରାଦ

ଆଉ କ୍ରାଇମ୍‌ବ୍ରାଞ୍ଚର ବରିଷ୍ଠ ଅଫିସରମାନେ ଏଥିପ୍ରତି ବିଶେଷ ଗୁରୁତ୍ୱ ନଦେଇ ଜଣେ ଡିଏସ୍‌ପି ପାହ୍ୟାର ଅଫିସରଙ୍କ ଉପରେ ଛାଡ଼ି ଦେଇ ଚୁପ୍ ବସିଯାଇଥିଲେ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଅହସାନୁଦ୍ଦିନ ଅମାନୁଲ୍ଲା ଓ ଜଷ୍ଟିସ ପ୍ରସନ୍ନ ବି. ଭରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ନଭେମ୍ବର ୨୭ତାରିଖରେ ଶୁଣାଣି ବେଳେ ପୁଲିସ ଡିଜିଙ୍କ ଏଭଳି ଦାୟିତ୍ୱହୀନତାକୁ ନେଇ ଭର୍ତ୍ସନା କରିବା ସହ  ଡିସେମ୍ବର ୧୫ତାରିଖ ସୁଦ୍ଧା ତାଙ୍କୁ ‘ବ୍ୟକ୍ତିଗତ ସତ୍ୟପାଠ’ ଦାଖଲ ପାଇଁ  ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, କୋର୍ଟ ସିଧାସଳଖ ପୁଲିସ ଡିଜିଙ୍କୁ ଏହି ତଦନ୍ତର ଦାୟିତ୍ୱ ଦେଇଥିଲେ। କିନ୍ତୁ ତଦନ୍ତକାରୀ ଡିଏସ୍‌ପି ଠିକ୍‌ ଭାବେ ତଦନ୍ତ ନକରି ରିପୋର୍ଟ ଦାଖଲ କରିଦେଇଛନ୍ତି। ଉଦ୍‌ବେଗର ବିଷୟ ରିପୋର୍ଟକୁ ପୁଲିସ ଡିଜି ମଧ୍ୟ ଯାଞ୍ଚ କରି ନଥିଲେ ବୋଲି ଖଣ୍ଡପୀଠ ଜାଣିବାକୁ ପାଇଛନ୍ତି। ଆସନ୍ତା ୧୫ ସୁଦ୍ଧା ତଦନ୍ତ ସମ୍ପୂର୍ଣ୍ଣ ନକଲେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଖଣ୍ଡପୀଠ ଚେତାବନୀ ଦେଇଛନ୍ତି।