ଭୁବନେଶ୍ବର: ରାଜ୍ୟରେ କୌଣସି ପ୍ରକଳ୍ପର ନିର୍ମାଣ କାମ ପାଇଁ ହେଉଥିବା ଟେଣ୍ଡର ପ୍ରକ୍ରିୟାରୁ ପୂର୍ତ୍ତ ବିଭାଗ ସର୍ବାଧିକ -୧୪.୯୯% ବିଡିଂ ନିୟମ ହଟାଇ ଦେଇଛି। ଅର୍ଥାତ୍ ଇଞ୍ଜିନିୟରମାନେ ଯେଉଁ ପ୍ରକଳ୍ପ ପାଇଁ ଯେତିକି ମୂଲ୍ୟ ଧାର୍ଯ୍ୟ କରିବେ ତା’ଠାରୁ ଯେତେ କମ୍‌ରେ ଯିଏ ବିଡିଂ ଡାକି କାମ ନେଇପାରିବେ। ପୂର୍ତ୍ତ ବିଭାଗ ଏହି ନିୟମ ଲାଗୁ (ଜାନୁଆରି ୩, ୨୦୨୬ରୁ) କରିବା ପରଠାରୁ ସାରା ରାଜ୍ୟରେ ଠିକାଦାର ଓ ଇଞ୍ଜିନିୟରଙ୍କ ମଧ୍ୟରେ ଅସ‌ନ୍ତୋଷ ବଢ଼ିବାରେ ଲାଗିଛି। କେବଳ ସେତିକି ନୁହେଁ, ଏହି ନିୟମ ‌ରାଜ୍ୟରେ ପୁଣି ଥରେ ଟେଣ୍ଡର ଫିକ୍ସିଂ ଲାଗି ବାଟ ଫିଟାଇଦେଇଛି ବୋଲି କ୍ଷମତା କରିଡର୍‌ରେ ଚର୍ଚ୍ଚା ଜୋର ଧରିଛି।

Advertisment

ପୂର୍ତ୍ତ ବିଭାଗ ଜାନୁଆରି ୩ରେ ଓପିଡବ୍ଲ୍ୟୁଡି କୋଡ୍‌ ସଂଶୋଧନ କରି -୧୪.୯୯% ବିଡିଂ ବ୍ୟବସ୍ଥା ହଟାଇବା ସହ ନିୟମ କରିଛନ୍ତି ଯେ ଯଦି ବିଭାଗର ଆକଳନ ମୂଲ୍ୟଠାରୁ କୌଣସି କମ୍ ବିଡିଂ ହୁଏ ତେବେ ଏହା ଅସ୍ବାଭାବିକ କମ୍ ବିଡ୍ କି ନୁହେଁ ତାହା ବିଭାଗର ଇଞ୍ଜିନିୟରମାନଙ୍କୁ ନେଇ ଗଠିତ ବୈଷୟିକ କମିଟି ବିଚାର କରି ପଦକ୍ଷେପ ନେବ। କମିଟି ଯାହାକୁ ଯୋଗ୍ୟ ଭାବିବ ତାକୁ କାର୍ଯ୍ୟାଦେଶ ଦେବ। ଅର୍ଥାତ୍ ଇଞ୍ଜିନିୟରମାନେ ଧାର୍ଯ୍ୟ କରିବେ କେଉଁ ଠିକାଦାର/ଠିକା ସଂସ୍ଥାକୁ କାମ ଦିଆଯିବ। ରାଜ୍ୟରେ ୨୦୧୩ ମସିହା ପର୍ଯ୍ୟନ୍ତ ଏହି ଧାରା ଚାଲିଥିଲା। ଯେଉଁଥିପାଇଁ ଓଡ଼ିଶା ଟେଣ୍ଡର ଫିକ୍ସିଂର ହଟ୍‌ ସ୍ପଟ୍‌ ପାଲଟିଥିଲା ଓ ସମାନ୍ତରାଳ ଭାବେ ରାଜ୍ୟରେ ଗ୍ୟାଙ୍ଗୱାର୍‌ ହେଉଥିଲା। ବିଭିନ୍ନ ସ୍ଥାନରେ ଗ୍ୟାଙ୍ଗଷ୍ଟରମାନେ ନିଷ୍ପତ୍ତି ନେଉଥିଲେ ଯେ କେଉଁ ଠିକା ସଂସ୍ଥା କେଉଁଠି କାମ କରିବେ। ଏପରିକି ସାରା ରାଜ୍ୟରେ ବହୁ ଛୋଟ ବଡ଼ ଗ୍ୟାଙ୍ଗ ବିଭିନ୍ନ ଇଞ୍ଜିନିୟରିଂ କାର୍ଯ୍ୟାଳୟରେ ପଶି ଇଞ୍ଜିନିୟରମାନଙ୍କୁ ମାରପିଟ୍ କରିବା ସହ ବନ୍ଧୁକ ମୁନରେ କାମ ହାତେଇଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଠିକା କାମ ହାତେଇବାକୁ ମୁଣ୍ଡ ମଧ୍ୟ ଗଡ଼ୁଥିଲା। 

ED Sucess Rate: ଇଡିର ମନିଲଣ୍ଡରିଂ ମାମଲାରେ ୯୪.୮୨ ପ୍ରତିଶତ ଦୋଷୀ ସାବ୍ୟସ୍ତ

ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଭାଗ୍ୟ ଆପରାଧିକ ଶ୍ରେଣୀର ଲୋକ ସ୍ଥିର କରୁଥିବା ଦେଖି ରାଜ୍ୟ ସରକାର ୨୦୧୩ ମସିହା ନଭେମ୍ବର ୮ରେ ଓପିଡବ୍ଲ୍ୟୁଡି କୋଡ୍‌ରେ ସଂଶୋଧନ ଆଣି ମନ ଇଚ୍ଛା କମ୍ ବିଡିଂ, ଟେଣ୍ଡର ଫିକ୍ସିଂ ଆଶଙ୍କା ଏଡ଼ାଇବାକୁ ସର୍ବାଧିକ -୧୪.୯୯% ବିଡିଂ ସିଲିଂ ବ୍ୟବସ୍ଥା ଆଣିଥିଲେ। ଏହାସହ ନିୟମ କରିଥିଲେ ‌ଯଦି ଏକାଧିକ ବିଡର୍‌ ଏଲ୍‌-୧ ହେବେ ତେବେ ଲଟେରି ମାଧ୍ୟମରେ କାର୍ଯ୍ୟାଦେଶ ସ୍ଥିର କରାଯିବ। କୌଣସି ଇଞ୍ଜିନିୟର କାହାକୁ ଟେଣ୍ଡର କାମ ଦିଆଯିବ ତାହା ସ୍ଥିର କରିପାରିବେ ନାହିଁ। ଏହାପରେ ଟେଣ୍ଡର ପ୍ରକ୍ରିୟାରେ ଆପରାଧିକ ଗ୍ୟାଙ୍ଗର ଅନୁପ୍ରବେଶ ବହୁ ମାତ୍ରାରେ କମିଥିଲା। ପରିବର୍ତ୍ତିତ ନିୟମ ଦେଖି ଇଞ୍ଜିନିୟରମାନେ ଭୟଭୀତ। ସେମାନଙ୍କ ଯୁକ୍ତି ହେଉଛି,  ଯଦି କୌଣସି ଠିକାଦାର/ଠିକାସଂସ୍ଥାକୁ କୌଣସି ଗ୍ରାଉଣ୍ଡରେ ବି କାଟିବେ, ତେବେ ଏହା ବିପଦ ଆଣିପାରେ। ସେମାନଙ୍କର ଯୁକ୍ତି ହେଉଛି, ‘ଆମେ ଯେଉଁ ପ୍ରକଳ୍ପ ମୂଲ୍ୟ (ଏଷ୍ଟିମେଟ୍) ପ୍ରସ୍ତୁତ କରୁଛୁ ତାହା ବଜାର ମୂଲ୍ୟ ଦେଖି ସ୍ଥିର କରୁଛୁ। ତେଣୁ ଯିଏ ତାହାଠାରୁ କମ୍‌ ମୂଲ୍ୟରେ ବିଡିଂ ଡାକିବେ ସେ କାମ କରିପାରିବେ କି ନାହିଁ ନିଶ୍ଚିତ ପ୍ରଶ୍ନ ଉଠିବ। ଏହାବାଦ୍ ଯଦି କ୍ଷେତ୍ରସ୍ତରରେ କାମ ପରିଦର୍ଶନ କରିବାବେଳେ ଗୁଣବତ୍ତା ନେଇ ପ୍ରଶ୍ନ ଉଠାଇବୁ ତେବେ ଆମ ଜୀବନ ପ୍ରତି ବିପଦ ରହିବ। ଠିକାଦାର/ଠିକା ସଂସ୍ଥା କମ୍‌ ମୂଲ୍ୟରେ କାମ ନେଲେ ଆମଠାରୁ ଅନୁକମ୍ପା ଆଶା କରିବେ। ଅନୁକମ୍ପା ଦେଖାଇଲେ ସରକାର କାର୍ଯ୍ୟାନୁଷ୍ଠାନ ନେବେ। ତେଣୁ ଆମେ ଏବେ ଦ୍ବନ୍ଦ୍ବରେ। ସରକାର ଜାଣିବା ଦରକାର ଯଦି ଇଞ୍ଜିନିୟରମାନେ କୌଣସି ପ୍ରକଳ୍ପର ଖର୍ଚ୍ଚ ଆକଳନ କରି ଟେଣ୍ଡର ଡାକିଛନ୍ତି ତା’ଠାରୁ କିପରି ୩୦ରୁ ୪୦% କମ୍‌ରେ କାମ ହେବ?

କାହା ସ୍ବାର୍ଥରେ‘-୧୪.୯୯%’ ବିଡିଂ ନିୟମ ହଟିଲା?
ଗ୍ୟାଙ୍ଗୱାର ରୋକିବାକୁ ନିୟମ ବଦଳିଥିଲା
ଧାର୍ଯ୍ୟ ସମୟରେ ସରିବା ନେଇ ଅନିଶ୍ଚିତତା
ଇଞ୍ଜିନିୟରଙ୍କ ଏଷ୍ଟିମେଟ୍‌ ଉପରେ ପ୍ରଶ୍ନ ଉଠିବ

ସେହିପରି ପୂର୍ବରୁ ଯେଉଁ -୧୪.୯୯%  ନିୟମ ଥିଲା ତାହାକୁ ବିଭିନ୍ନ ଦିଗକୁ ବିଚାର କରି ସ୍ଥିର କରାଯାଇଥିଲା। ଅର୍ଥାତ୍ ଗୋଟିଏ ପ୍ରକଳ୍ପର ସବୁ ଖର୍ଚ୍ଚ ଉପରେ ୧୫% ଅଧିକ ହିସାବ କରାଯାଇଥାଏ। ଏଥିରେ ୭.୫% ଠିକାସଂସ୍ଥାର ଲାଭ ଏବଂ ୭.୫% ଓଭରହେଡ୍ ଚାର୍ଜ ବାବଦକୁ ଦିଆଯାଇଥାଏ। ଏହାକୁ ଯଦି ଠିକାଦାର ନ ନେଇ ବିନା ଲାଭରେ -୧୪.୯୯%ରେ କାମ କରିବାକୁ ଆଗ୍ରହୀ ହେଉଥିଲେ ତେବେ କାମ ଦିଆଯିବ ବୋଲି କୁହାଯାଇଥିଲା। କେହି ତ ବିନା ଲାଭରେ କାମ କରିବେନି? ଏବେ ରାଜ୍ୟର ବହୁ ବଡ଼ ପ୍ରକଳ୍ପ ୧୦ରୁ -୧୪.୯୯%‌େର ଦିଆଯାଇଥିବାବେଳେ ତାହା ଧାର୍ଯ୍ୟ ସମୟରେ ସରୁନି। ପ୍ରକଳ୍ପ ଆରମ୍ଭ ବେଳେ ଯେତିକି ମୂଲ୍ୟ ଧାର୍ଯ୍ୟ ହେଉଛି ତାହା ସରିବାବେଳକୁ ଧାର୍ଯ୍ୟ ମୂଲ୍ୟଠାରୁ ୧୦ରୁ ୧୫% ବଢ଼ିଯାଉଛି। ଏବେ ଯଦି -୩୦%ରୁ -୫୦%ରେ ଯିଏ କାମ ନେବେ ସେ କିପରି ଧାର୍ଯ୍ୟ ସମୟରେ କାମ ସାରିବେ?

Electric: ବିଜୁଳି ଆଲୁଅରୁ ବଞ୍ଚିତ ଟିକରପଡ଼ାର ୨୦ ପରିବାର

ଅପରପକ୍ଷେ ନିଖିଳ ଓଡ଼ିଶା ଠିକାଦାର କଲ୍ୟାଣ ସଂଘ କହିଛି ଯେ -୧୪.୯୯% ବ୍ୟବସ୍ଥା ଦ୍ବାରା ବହୁ କାମ ବିଳମ୍ବ ହେଉଥିବାରୁ ଏହାକୁ ଉଠାଇ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ବିଡିଂ ଡାକିବା ନିୟମ କରିବା ସହ ଲଟେରି ମାଧ୍ୟମରେ କାର୍ଯ୍ୟାଦେଶ ଦେବାକୁ ଦାବି କରିଥିଲୁ। କିନ୍ତୁ ସରକାର ଏବେ -୧୪.୯୯% ଉଠାଇ ମନଇଚ୍ଛା ଯିଏ ଯେତେ କମ୍‌ରେ ବିଡିଂ ଡାକିବ ନିୟମ କରିଦେଲେ। ଏହାଦ୍ବାରା କାମରେ ଗୁଣାତ୍ମକତା ରହିବନି, ପୂର୍ବ ଭଳି ବାହୁବଳୀ ଲୋକ ପ୍ରବେଶ କରି କାମ ହାତେଇନେବେ। ଓଡ଼ିଶା ଠିକାଦାର କାମ ପାଇବେନି। ସରକାର ଜାଣିବା ଦରକାର ତାଙ୍କ ଇଞ୍ଜିନିୟରମାନେ ଯେଉଁ ଏଷ୍ଟିମେଟ୍ ପ୍ରସ୍ତୁତ କରୁଛନ୍ତି ତାକୁ କେଉଁ ଆଧାରରେ କରୁଛନ୍ତି। ବଜାରରେ ତ କୌଣସି ସାମଗ୍ରୀ ମୂଲ୍ୟ ଉପରେ ୩୦%ରୁ ୪୦% ବ୍ୟବଧାନ ରହୁନି କି ଶ୍ରମିକମାନେ କେଉଁଠି ଅନ୍ୟ ସ୍ଥାନ ତୁଳନାରେ ୨୦୦ରୁ ୩୦୦ ଟଙ୍କା କମ୍ ନେଉନାହାନ୍ତି। ତେବେ ୪୦ରୁ ୫୦% କମ୍ ମୂଲ୍ୟରେ ବିଡିଂ ଡାକିଲେ କିପରି କାମର ଗୁଣାତ୍ମକତା ରହିବ? ସରକାର ଏ ଦିଗରେ ବିଚାର କରିବା ଦରକାର।