ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ନିୟୋଜିତ ‘ଥର୍‌’ ଗାଡ଼ିଗୁଡ଼ିକର ୧୭ଟି କଷ୍ଟମାଇଜେସନ୍‌ ହୋଇଛି। ଗାଡ଼ିଗୁଡ଼ିକ କିଣାଯିବା ପରେ ଅଲ୍‌-ଟେରେନ୍ ଗାଡ଼ି(ଏଟିଭି) କରିବାକୁ ଇଞ୍ଜିନ୍‌, ଚକାରେ ବ୍ୟାପକ ପରିବର୍ତ୍ତନ ସହ ଗାଡ଼ି ଟାଣିବାକୁ ବ୍ୟବହୃତ ଅତ୍ୟାଧୁନିକ ସାମଗ୍ରୀ ଲାଗିଛି। ଏଟିଭି ଗାଡ଼ିଗୁଡ଼ିକ ଦୁର୍ଗମ ପାହାଡ଼ର ଖାଲଢିପ, କାଦୁଅ, ପାଣି ଅଞ୍ଚଳକୁ ଅତିକ୍ରମ କରିବା ସହ ପାଟ୍ରୋଲିଂ, ମନିଟରିଂ ଓ ସର୍ଭେଲାନ୍ସ ପରି କ୍ଷେତ୍ରରେ ବ୍ୟବହାର ହେବାକୁ ଥିବାରୁ ପରିବର୍ତ୍ତନ ହୋଇଥିଲା। କେବଳ ‘ଥର୍‌’ ନୁହେଁ, ସେହି ସମୟରେ କିଣାଯାଇଥିବା ୪୧ଟି ଟାଟା ଯୋଦ୍ଧା, ୪୫ଟି ଟାଟା ୪୧୦ ଏସ୍‌ଏଫ୍‌ସି ଗାଡ଼ିରେ ମଧ୍ୟ କଷ୍ଟମାଇଜେସନ୍‌ ହୋଇଛି। ଚଳିତବର୍ଷ ବନାଗ୍ନି ସମୟରେ ଶିମିଳିପାଳ, ସାତକୋଶିଆ ସମେତ ଅନ୍ୟାନ୍ୟ ଜଙ୍ଗଲରେ ଲାଗିଥିବା ବନାଗ୍ନି ଆୟତ୍ତରେ ଏହି ଗାଡ଼ିଗୁଡ଼ିକ ବ୍ୟବହାର ହୋଇଥିବା ଜଣାପଡ଼ିଛି।
ଏହାରି ଭିତରେ ‘ଥର୍‌’ ଗାଡ଼ି କିଣା ଓ କଷ୍ଟମାଇଜେସନ୍‌ରେ ହୋଇଥିବା ଖର୍ଚ୍ଚର ଅଡିଟ୍‌ କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆଙ୍କ ନିର୍ଦ୍ଦେଶ ପରେ ବିଭାଗୀୟ ଅତିରିକ୍ତ ସଚିବ କଲ୍ୟାଣୀ ମାଳି ଆଜି ଆକାଉଣ୍ଟାଣ୍ଟ ଜେନେରାଲ୍‌(ଏଜି) ଅଡିଟ୍‌-୨କୁ ଚିଠି ଲେଖିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କ ଦ୍ବାରା କିଣାଯିବା ସହ କଷ୍ଟମାଇଜେସନ୍‌ ହୋଇଥିବା ସମସ୍ତ ଗାଡ଼ିଗୁଡ଼ିକର ସ୍ବତନ୍ତ୍ର ଅଡିଟ୍‌ କରିବାକୁ ସେ ଅନୁରୋଧ କରିଛନ୍ତି। ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କ କାର୍ଯ୍ୟାଳୟକୁ ଅଡିଟ୍‌ ଟିମ୍‌ ପଠାଇବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।

Advertisment

Christmas : ଦିନକ ପରେ ବଡ଼ଦିନ, ଘୁମୁସର ଉଦୟଗିରି ଉତ୍ସବମୁଖର

‘ସମ୍ବାଦ’କୁ ମିଳିଥିବା ତଥ୍ୟ ଅନୁଯାୟୀ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗାଡ଼ିଗୁଡ଼ିକ କିଣା ହୋଇଛି। ମହିନ୍ଦ୍ରା କମ୍ପାନିରୁ ଥର୍‌ଗୁଡ଼ିକ କିଣାଯିବା ପରେ ସେଠାରେ ହିଁ କଷ୍ଟମାଇଜେସନ୍‌ ହୋଇଛି। ପ୍ରତିବର୍ଷ ଶିମିଳିପାଳରେ ବନାଗ୍ନିରେ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଥିବାରୁ ତାହାକୁ ନଜରରେ ରଖି ଏଟିଭି ଗାଡ଼ିଗୁଡ଼ିକ କିଣିବାକୁ ଯୋଜନା ହୋଇଥିଲା। ୨୦୨୪ ଜାନୁଆରି ୨୨ରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ପ୍ରସ୍ତାବ ଆସିବା ପରେ ବିଭାଗ ପଦକ୍ଷେପ ନେଇଥିଲା। ଏଟିଭି ଗାଡ଼ି ସହ ଟ୍ୟାଙ୍କର, ପ୍ରେସର ପମ୍ପସ୍‌, ଟ୍ରାନ୍ସପୋର୍ଟ ଗାଡ଼ି କିଣାଯିବାର ଆବଶ୍ୟକତା ରହିଥିବା ଦର୍ଶାଯାଇଥିଲା।

ଇଞ୍ଜିନ୍‌, ଚକରେ ବ୍ୟାପକ ପରିବର୍ତ୍ତନ ହୋଇଛି
ଯୋଦ୍ଧାରେ ୧.୨୪ କୋଟି, ଏସ୍‌ଏଫ୍‌ସିରେ ୧.୮୭ କୋଟି ଖର୍ଚ୍ଚ

ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟି‌ରେ ରଖି ଅଗ୍ନିଶମ ମୁକାବିଲା ସାମଗ୍ରୀ ଓ ଗାଡ଼ି କିଣିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନ(ଏସ୍‌ଆରସି)ଙ୍କ ପକ୍ଷରୁ ଜଙ୍ଗଲ ବିଭାଗକୁ ଜୁଲାଇରେ ୨୮.୪୫ କୋଟି ଟଙ୍କା ଅନୁମୋଦନ ହୋଇଥିଲା। ଅକ୍ଟୋବର ମାସରେ ବିଭାଗକୁ ଅନୁଦାନ ରାଶି ମିଳିବା ପରେ ଗାଡ଼ିଗୁଡ଼ିକ କିଣିବା ପ୍ରକ୍ରିୟା ହୋଇଥିଲା। ୨୦୨୪ ସେପ୍ଟେମ୍ବର ୫ରେ ୫୧ଟି ଏଟିଭି(ମହେନ୍ଦ୍ରା ଥାର୍‌) ଗାଡ଼ି କିଣିବାକୁ ୭ କୋଟି ୬ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା। ଅନୁରୂପ ଭାବେ ସେପ୍ଟେମ୍ବର ୬ରେ ୪୧ଟି ଟାଟା ଯୋଦ୍ଧା କିଣିବାକୁ ୪ କୋଟି, ୧୦ ତାରିଖରେ ୪୫ଟି ଟାଟା ୪୧୦ ଏସ୍‌ଏଫ୍‌ସି ଗାଡ଼ି କିଣିବାକୁ ୭ କୋଟି ୪୪ ଲକ୍ଷ ଟଙ୍କାର ପାଣ୍ଠି ଅନୁମୋଦନ ହୋଇଥିଲା। ୨୦୨୪ ସେପ୍ଟେମ୍ବର ୧୨ରେ ‘ଥର୍‌’ଗୁଡ଼ିକର କଷ୍ଟୋମାଇଜେସନ୍‌ କରିବାକୁ ୪ କୋଟି ୪୪ ଲକ୍ଷ, ଟାଟା ୪୧୦ ଏସ୍‌ଏଫ୍‌ସି ଗାଡ଼ି କଷ୍ଟୋମାଇଜେସନ୍‌ ପାଇଁ ଅକ୍ଟୋବର ୭ରେ ୧ କୋଟି ୨୪ ଲକ୍ଷ ଓ ଟାଟା ଯୋଦ୍ଧା ଗାଡ଼ି ପାଇଁ ୧ କୋଟି ୮୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା।

BCCI: ଅଢେଇ ଗୁଣ ବଢିଲା ଘରୋଇ ମହିଳା କ୍ରିକେଟରଙ୍କ ପାଉଣା

ବିଭାଗର ଜଣେ ଅଧିକାରୀ କହିଛନ୍ତି ଗଭର୍ଣ୍ଣମେଣ୍ଟ ଇ-ମାର୍କେଟ୍‌ପ୍ଲେସ୍‌(ଜିଇଏମ୍‌) ମାଧ୍ୟମରେ ଟେଣ୍ଡର ଡକାଯାଇ ଗାଡ଼ିଗୁଡ଼ିକ କିଣା ହୋଇଛି। ଯେଉଁ ଅଭିଯୋଗ ଆସିଛି ତାହାର ତଦନ୍ତ କରାଗଲେ ପ୍ରକୃତ ଘଟଣା ସାମନାକୁ ଆସିବ। ‘ଥର୍‌’ ଗାଡ଼ିରେ ଲାଗିଥିବା ସାମଗ୍ରୀଗୁଡ଼ିକର ମୂଲ୍ୟ ବହୁତ ଅଧିକ। ପାହାଡ଼ ଚଢ଼ିବାରେ ଗାଡ଼ିରେ ସ୍ବତନ୍ତ୍ର ଚକ ଆବଶ୍ୟକ ରହିଥାଏ, ଯାହାର ମୂଲ୍ୟ ବହୁତ ଅଧିକ। ସାମଗ୍ରୀ ଟାଣିବାକୁ ‘ଥର୍‌’ରେ ଲାଗୁଥିବା ସାମଗ୍ରୀଗୁଡ଼ିକର ମୂଲ୍ୟ ୨ଲକ୍ଷ ଉପରେ ପଡ଼ୁଛି। କଷ୍ଟମାଇଜେସନ୍‌ ସମୟରେ ୧୭ ପ୍ରକାର ସାମଗ୍ରୀ ଲାଗିଛି। ଯେଉଁଥିପାଇଁ ଗାଡ଼ି ପିଛା ହାରାହାରି ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଗାଡ଼ିଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଲାଗି ଜନ୍ତା, ଉଦ୍ଧାର ସରଞ୍ଜାମ, ଖାଦ୍ୟ, ପାନୀୟ, ଚିକିତ୍ସା ଉପକରଣ ପଠାଇବା ଭଳି ଆବଶ୍ୟକ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଯାଇପାରୁଛି। ଜଙ୍ଗଲରେ ଶିକାର, ବନାଗ୍ନି ରୋକିବା ଦିଗରେ ସହାୟକ ହେଉଥିବା ଅଧିକାରୀ ଜଣକ କହିଛନ୍ତି।