ଯାଜପୁରସଦର: ବୈତରଣୀ ପାଣିରୁ ଗୋଡ଼ି ଛାଣିଲେ ପେଟ ପୋଷା ହେଉଛି। ଯାଜପୁର ସହର ଦେଇ ବହିଯାଉଥିବା ବୈତରଣୀ ନଦୀର ଦେବୀଗଡ଼ା ଘାଟରେ ଦିନର ଅଧିକାଂଶ ସମୟରେ ଏଭଳି ଗୋଡ଼ି ଛାଣୁଥିବା ମହିଳାଙ୍କୁ ଦେଖିବାକୁ ମିଳିଥାଏ। ଏଥିପାଇଁ ପାଣି ଭିତରେ ସେମାନେ ପାଖାପାଖି ପାଞ୍ଚଘଣ୍ଟାର ପରିଶ୍ରମ କରନ୍ତି। ଦୈନିକ ୧୫ରୁ ଊର୍ଦ୍ଧ୍ବ ମହିଳା ନଦୀ ଭିତରେ ପଶି ଚଲା ଓ ପାଚିଆ ମାଧ୍ୟମରେ ବାଲି ସଂଗ୍ରହ କରିଥାନ୍ତି। ଏହି ବାଲିକୁ ନଦୀ ପାଣିରେ ଛାଣିଛାଣି ସେଥିରୁ ଗୋଡ଼ି ବାହାର କରିଥାନ୍ତି ଏବଂ ଏହି ଗୋଡ଼ିକୁ ମାଣ୍ଡିଆ (କୁଣ୍ଡ)ରେ ଭରି ନଦୀକୂଳରେ ବିକ୍ରି ଉଦ୍ଦେଶ୍ୟରେ ଜମା କରିଥାନ୍ତି। ବର୍ଷାଋତୁ ପରେ ତଥା ନଦୀରେ ପାଣି କମ୍‌ ଥିବା ସମୟରେ ହିଁ ଗୋଡ଼ି ସଂଗ୍ରହ ହୋଇପାରିଥାଏ। ପୌରପାଳିକାର କିଛି ମହିଳା ବର୍ଷକୁ ପାଖାପାଖି ୫ ମାସ ଏହି ଗୋଡ଼ି ଛାଣି ଜୀବିକା ନିର୍ବାହ କରୁଥିବା କହିଛନ୍ତି।

Advertisment

No Petrol Without Pollution Certificate: ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତ ପେଟ୍ରୋଲ୍ ନାହିଁ... ତେଲ ପାଇଁ ପେଟ୍ରୋଲ ପମ୍ପରେ ଦେଖାଇବାକୁ ପଡ଼ିବ ସାର୍ଟିଫିକେଟ୍

ଏବେ ପ୍ରବଳ ଶୀତ ସମୟରେ ହାତଗୋଡ଼ କୋଲ ମାରିଯାଉଥିଲେ ହେଁ ମହିଳାମାନେ ଘଣ୍ଟାଘଣ୍ଟା ପାଣି ଭିତରେ ରହି ଗୋଡ଼ି ସଂଗ୍ରହ କରୁଛନ୍ତି। ସକାଳ ୯ରୁ ସନ୍ଧ୍ୟା ପର୍ଯ୍ୟନ୍ତ ବାଲିକୁ ଚଲାଇଥାନ୍ତି। ସଂଗ୍ରହ କରିଥିବା ଗୋଡ଼ିକୁ ମାଣ୍ଡିଆ ପିଛା (ଏକ ଫୁଟକୁ) ୪୦ରୁ ୫୦ ଟଙ୍କାରେ ବିକିଥାନ୍ତି। ପୂର୍ବରୁ ଏ ଗୋଡ଼ିର ଅନେକ ଚାହିଦା ଥିଲା। ଏବେ କେବଳ ନଳକୂଅ ଓ ବୋର୍‌ୱେଲ ଖୋଳିବାରେ ଗୋଡ଼ି ଆବଶ୍ୟକ ହେଉଛି। ୫ ମାସ କାର୍ଯ୍ୟ କରି ବର୍ଷ ସାରା ଗୋଡ଼ି ସାଇତି ରଖିଥାନ୍ତି। ପରେ ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି। ପ୍ରବଳ ଥଣ୍ଡା ହେଉ କି ଗରମ, ଜୀବିକା ଦାୟରେ ପେଟ ପାଇଁ ସେମାନେ ଏହି କାମ କରିଆସୁଛନ୍ତି। ନିଜ ପରିବାର ଚଳାଇବା ପାଇଁ ଆଉ ବିକଳ୍ପ ନଥିବାରୁ ସେମାନେ ଏହି କାମ କରୁଛନ୍ତି ବୋଲି ଦେବୀଗଡ଼ା ଘାଟରେ ଗୋଡ଼ି ଛାଣୁଥିବା ମହିଳାମାନେ କହିଛନ୍ତି। ବେଳେବେଳେ ଏହି କାମରେ ଘରର ପୁରୁଷମାନେ ମଧ୍ୟ ସେମାନଙ୍କୁ ସହ‌ଯୋଗ କରିଥାନ୍ତି।

Highmast light Without Electricity: ହାଇମାଷ୍ଟ୍ ଲାଇଟ୍‌ରେ ୮ବର୍ଷ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ନାହିଁ

ଯାଜପୁର ପୌରପାଳିକା ଗଣପତିପୁର ସାହିର ପ୍ରମିଳା ବେହେରା ଓ ଇନ୍ଦୁ ତରାଇଙ୍କ କହିବା ଅନୁସାରେ, ଗୋଟିଏ ପାଚିଆ ଗୋଡ଼ି ସଂଗ୍ରହ କରିବାକୁ ଅନେକ ସମୟ ଲାଗୁଥିବାବେଳେ ତାହା ମାତ୍ର ୪୦ ଟଙ୍କାରେ ବିକ୍ରି ହୋଇଥାଏ। ଏଥିରୁ ଦିନକୁ ଜଣେ ଅତି ବେଶିରେ ଦୁଇରୁ ତିନିଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ। ପେଟ ପାଇଁ ପ୍ରବଳ ଥଣ୍ଡାରେ ମଧ୍ୟ ଏହି କାମ କରୁଛୁ ବୋଲି ସେମାନେ କହିଛନ୍ତି।