ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜୀବନକାଳ ମଧ୍ୟରେ ସ୍ବାଧୀନତା ଆନ୍ଦୋଳନ ଏବଂ ଏହା ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାରେ ଯେକୌଣସି ଆନ୍ଦୋଳନ ହୋଇଛି କିମ୍ବା ପ୍ରତିବାଦର ସ୍ବର ଉଠିଛି, ତା’ର ନେତୃତ୍ବ ସେ ନିଜେ ନେଇଛନ୍ତି। କିମ୍ବା ସେହି ଆନ୍ଦୋଳନ ପଛରେ ତାଙ୍କର ଦୃଢ଼ ପ୍ରେରଣା ରହିଛି। ଆଜି ୩୯ତମ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ ତଥା ଡକ୍ଟର ମହତାବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଭୁବନେଶ୍ବର ସହିଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଡ.ମହତାବଙ୍କ ମହାପ୍ରୟାଣ ଦିବସରେ ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ଦିବସ ପାଳନ କରାଯିବା ଏକ ଅପୂର୍ବ ସଂଯୋଗ ଏବଂ ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଦେଶର ସର୍ବଶ୍ରେଷ୍ଠ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଡ. ମହତାବଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। 

Advertisment

Health: ରାଇରଙ୍ଗପୁର ଉପଖଣ୍ଡର ଅଧିକାଂଶ ହସ୍ପିଟାଲରେ ଆଣ୍ଟି ରାବିଜ୍‌ ଭ୍ୟାକ୍‌ସିନ୍‌ର ଅଭାବ

ଏହି ଅବସରରେ ଭୁବନେଶ୍ବର ମଧ୍ୟବର୍ତ୍ତୀ ଅଞ୍ଚଳରେ ମହତାବଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସହିତ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରଙ୍କ ପାଇଁ କୁଟୁମ୍ବ ଯୋଜନା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଉପସ୍ଥିତ ସ୍ବାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ପରିବାରକୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସରକାର ରାଜ୍ୟର ସମସ୍ତ ସ୍ବାଧୀନତା ସଂଗ୍ରାମୀ ତଥା ଜରୁରୀକାଳୀନ ପରିସ୍ଥିତିରେ ଲଢ଼େଇ କରିଥିବା ସଂଗ୍ରାମୀମାନଙ୍କୁ ଯଥୋଚିତ ସମ୍ମାନ ଦେଉଛନ୍ତି। ବନ୍ଦୀ ସ୍ବାଧୀନତା ସଂଗ୍ରାମୀମାନଙ୍କ ପେନ୍‌ସନ ୧୦ ହଜାରରୁ ୨୦ ହଜାର ଟଙ୍କା କରାଯାଇଛି। ସେମାନଙ୍କ ଅନ୍ତେ ତାଙ୍କ ପତ୍ନୀ ଓ ଅବିବାହିତ ଝିଅ ମଧ୍ୟ ଏହି ସୁବିଧା ପାଇବେ। ସେହିପରି ଅଣବନ୍ଦୀ ସ୍ବାଧୀନତା ସଂଗ୍ରାମୀଙ୍କ ମାସିକ ପେନ୍‌ସନକୁ ୯ ହଜାରରୁ ୧୫ ହଜାର ଟଙ୍କାକୁ ବୃଦ୍ଧି ହୋଇଛି।

ଭୁବନେଶ୍ବରରେ ସ୍ଥାପିତ ହେବ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି

କେନ୍ଦ୍ର ସ୍ବାଧୀନତା ସଂଗ୍ରାମୀଙ୍କୁ ପ୍ରତୀକ ଭତ୍ତା ଭାବେ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି। ଏଥିସହିତ ଜରୁରୀକାଳୀନ ପରିସ୍ଥିତି ସମୟରେ ‘ମିସା’ ଆଇନରେ ଗିରଫ ହୋଇଥିବା ୧୫୨ ଜଣ ଲୋକତନ୍ତ୍ର ସେନାନୀଙ୍କ ପାଇଁ ମଧ୍ୟ ମାସିକ ୨୦ ହଜାର ଟଙ୍କାର ପେନ୍‌ସନ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ଅଧିକ ଲୋକତନ୍ତ୍ର ସେନାନୀଙ୍କୁ ପେନ୍‌ସନ ଦିଆଯିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଅତିଥି ଭାବେ ଯୋଗ ଦେଇଥିଲେ। 

School Bus: ନଗଡ଼ାକୁ ସ୍କୁଲବସ୍‌ ସେବା ଶୁଭାରମ୍ଭ

ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବର ସଭାପତି ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଡ. ମହତାବଙ୍କ ସ୍ମୃତି ସମ୍ବଳିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ବୁଲି ଦେଖିଥିଲେ। ପ୍ରାରମ୍ଭରେ କଟକ ସାଂସଦ ତଥା ସ୍ବାଧୀନତା ସଂଗ୍ରାମୀ ସଦନ ଟ୍ରଷ୍ଟର ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ ସ୍ବାଗତ ଭାଷଣ ଦେଇଥିଲେ।