ଭଦ୍ରକ: ଭଦ୍ରକ ଜିଲ୍ଲାରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ବିଶେଷକରି ଖରାଦିନେ ଭୂତଳ ଜଳସ୍ତର ବହୁତ କମିଯାଉଛି।  ଅଧିକାଂଶ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଅଚଳ। ଜିଲ୍ଲାର ବାସୁଦେବପୁର, ତିହିଡ଼ି, ଚାନ୍ଦବାଲି ଓ ଧାମନଗର ବ୍ଲକରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ଗ୍ରାମରେ ଭୂତଳ ଜଳସ୍ତର ଲବଣାକ୍ତ ହୋଇଥିବା ବେଳେ ଜଳସ୍ତର କମିବା ଆହୁରି ଚିନ୍ତା ବଢ଼ାଇଛି। ବିକଳ୍ପ ବ୍ୟବସ୍ଥା କିଛି ନ ଥିବାରୁ ଲୋକେ ଲୁଣାଜଳ ପିଉଛନ୍ତି। ଭୂତଳ ଜଳ ଲୋକଙ୍କ ଶୋଷ ମେଣ୍ଟାଇ ପାରୁ ନ ଥିବାରୁ ୨୦୧୦ ମସିହାରୁ ଏହିସବୁ ବ୍ଲକର ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ବ୍ୟବସ୍ଥା କରାଯାଇଥିଲା। ୨୦୧୦ରୁ ୨୦୨୫ ମସିହା ୧୫ ବର୍ଷ ଭିତରେ ଏହିସବୁ ବ୍ଲକରେ ୨୦୦ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି।

Advertisment

Health: ପ୍ରସ୍ତାବିତ୍ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ଉଠିଲା ଦାବି

କେତେକ ସ୍ଥାନରେ ପ୍ରକଳ୍ପ ଆରମ୍ଭରୁ ଅଚଳ ହୋଇପଡ଼ିଥିବା ବେଳେ ଅନେକ ପ୍ରକଳ୍ପର ପାଇପ୍ ଫାଟିଯିବା ସହ ଷ୍ଟାଣ୍ଡପୋଷ୍ଟ ଭାଙ୍ଗିଯାଇଛି। ନଳକୂଅ ଓ କୂଅରୁ ଲୁଣାଜଳ ବାହାରୁଥିବା ବେଳେ ପାନୀୟଜଳ ପ୍ରକଳ୍ପ ଅଚଳ ହେବା ଲୋକଙ୍କ ସମସ୍ୟା ବଢ଼ାଇଛି। ୧୦ ବର୍ଷ ପୂ‌ର୍ବେ ଜିଲ୍ଲାର ଏହିସବୁ ଅଞ୍ଚଳରେ କୂଅରୁ ୧୦ରୁ ୧୨ ଫୁଟ୍ ଗଭୀରତାରୁ ମଧୁର ଜଳ ବାହାରୁଥିଲା। ନଳକୂଅ ଖନନ ବେଳେ ୫୦ରୁ ୬୦ ଫୁଟ ଗଭୀରରୁ ମଧୁର ଜଳ ବାହାରୁଥିଲା। ଏବେ ୧୦୦ରୁ ୧୫୦ ଫୁଟ ଖୋଳିଲେ ମଧ୍ୟ ମଧୁର ଜଳ ବାହାରୁନି। ଜଳସ୍ତର ନିମ୍ନଗାମୀ ହେଉଥିବା ବେଳେ ଆଗାମୀ ଦିନରେ ଆହୁରି ତଳକୁ ଖସିବ ବୋଲି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ କୁହାଯାଇଛି। 

ଜିଲ୍ଲାର ଧାମନଗର, ତିହିଡ଼ି, ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ୍‌ ଅଞ୍ଚଳରେ ଭୂତଳ ଜଳସ୍ତର ଲବଣାକ୍ତ। ବାର୍ଷିକ ବୃଷ୍ଟିପାତ କମ୍ ରହିଥିବା ବେଳେ ଜିଲ୍ଲାରେ ଭୂତଳ ଜଳ ବ୍ୟବହାର ମାତ୍ରାଧିକ ରହିଛି। ରାଜ୍ୟରେ ହାରାହାରି ୨୫ ପ୍ରତିଶତ ଭୂତଳ ଜଳ ବିନିଯୋଗ ହେଉଥିବା ବେଳେ ଭଦ୍ରକ ବ୍ଲକରେ ସର୍ବାଧିକ ୬୮ ପ୍ରତିଶତ ଭୂତଳ ଜଳ ବିନିଯୋଗ କରାଯାଉଛି। ସେହିପରି ଭଣ୍ଡାରିପୋଖରୀ ବ୍ଲକରେ ୬୬ ପ୍ରତିଶତ, ବାସୁଦେବପୁର ବ୍ଲକରେ ୪୫ ପ୍ରତିଶତ, ବନ୍ତ ବ୍ଲକରେ ୪୭ ପ୍ରତିଶତ, ଧାମନଗର ବ୍ଲକରେ ୫୮ ପ୍ରତିଶତ, ତିହିଡ଼ିରେ ୪୨ ପ୍ରତିଶତ ଭୂତଳ ଜଳ ବ୍ୟବହାର କରାଯାଉଛି। ଅଧିକାଂଶ ସ୍ଥାନରେ ଘରୋଇ ନଳକୂପ ଖନନ କରାଯାଇ ଭୂତଳ ଜଳ ବ୍ୟବହାର କରାଯାଉଛି। ସେହିପରି କୃଷି ପାଇଁ ଏଲ୍‌ଆଇ ପଏଣ୍ଟ ବସାଯାଇ ଭୂତଳ ଜଳ ବ୍ୟବହାର କରାଯାଉଛି। ଭୂତଳ ଜଳକୁ ଅଧିକ ବ୍ୟବହାର ନ କରି ନଦୀଜଳକୁ ବିଶୋଧନ କରି ଲୋକଙ୍କୁ ଯୋଗାଣ ପାଇଁ କେନ୍ଦ୍ରୀୟ ଭୂତଳ ଜଳ ନିର୍ଦ୍ଦେଶକଙ୍କର ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହା ବାସ୍ତବରେ କାର୍ଯ୍ୟକାରୀ ହୋଇପାରୁନାହିଁ।

Industry: ଶିଳ୍ପ ପ୍ରକଳ୍ପରେ ପଶ୍ଚିମ ଓଡ଼ିଶାର ଅଧିକ ଜିଲ୍ଲାକୁ ସାମିଲ ଦାବି

ଭଦ୍ରକ ସହର ଓ ସହରତଳି ଅଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୧୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ଶେଷ ହୋଇପାରୁନାହିଁ।  ବିଭାଗର ଆନ୍ତରିକତା ଅଭାବରୁ କାମ ସଂପୂର୍ଣ୍ଣ ହୋଇପାରୁନି ବୋଲି ବିଜେଡି ନେତା ପଙ୍କଜ ବଳ କହିଛନ୍ତି।  ସେହିପରି ବନ୍ତ ବ୍ଲକ୍‌ ଓଡ଼ଙ୍ଗ ପଞ୍ଚାୟତ ସରମରା ଗ୍ରାମରେ ପ୍ରତିଷ୍ଠା କରାଯାଇଥିବା ପାନୀୟ ଜଳ ପ୍ରକଳ୍ପ ଆରମ୍ଭରୁ ଅଚଳ ହୋଇପଡ଼ିଛି। ଏହି ପ୍ରକଳ୍ପ ପାଇଁ କୋଟିଏ ଟଙ୍କା ଖର୍ଚ୍ଚ ହୋଇଥିଲା। ଅନେକ ସ୍ଥାନରେ ପାଇପ୍‌ ଫାଟି ଯାଇଥିବା ବେଳେ ଷ୍ଟାଣ୍ଡପୋଷ୍ଟ ସବୁ ଭାଙ୍ଗି ଯାଇଥିବାରୁ ଛବିନ୍ଦ୍ର ବିଶ୍ବାଳ, ଶଶିକାନ୍ତ ଜେନା, ସୁକାନ୍ତ ସାହୁଙ୍କ ସମେତ ବହୁ ଲୋକେ ଅସନ୍ତୋଷ  ପ୍ରକାଶ କରିଛନ୍ତି।