ସୁନ୍ଦରଗଡ଼: ‘ମନରେଗାରେ ବର୍ଷକରେ ଆମକୁ ମାତ୍ର ୧୫ରୁ ୩୦ ଦିନର କାମ ଦିଆଯାଇଛି। କିଛି ଶ୍ରମିକ ତ ମାତ୍ର ୭ ଦିନ କାମ ପାଇଥିଲେ। ଏହା ପରଠୁ ହାତ ଖାଲି। ପରିବାର କେମିତି ଚଳିବ। ତେଣୁ ସରକାରୀ ଯୋଜନାରେ ତୁରନ୍ତ ଆମକୁ କାମ ଯୋଗାଇ ଦିଅ। ନହେଲେ ସମସ୍ତ ଶ୍ରମିକ ଘରଦ୍ବାର ଛାଡ଼ି ଦାଦନ ଖଟିବାକୁ ଗୋଆ ଚାଲିଯିବୁ’। ମାର୍ଚ୍ଚ ୫ ତାରିଖରେ ସୁନ୍ଦରଗଡ଼ ସଦର ବ୍ଲକ୍ ସାଲେପାଲି ଗାଁ ଶ୍ରମିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଶ୍ରମଭିତ୍ତିକ କାମ ମାଗିବା ସହ ଏଭଳି ଚରମପତ୍ର ଦେଇ ଯାଇଛନ୍ତି। ଗ୍ରାମାଞ୍ଚଳର ଶ୍ରମିକଙ୍କ ହାତକୁ କାମ ଯୋଗାଇ ଦେବାକୁ କୋଟି କୋଟି ଟଙ୍କାର ଏକାଧିକ ଯୋଜନା ରହିଛି। ବିଶେଷ କରି ଅଣକୁଶଳୀ ଗ୍ରାମୀଣ ଶ୍ରମିକ ପରିବାରକୁ ସୁନିଶ୍ଚିତ ରୋଜଗାର ଓ ମଜୁରି ଦେବା ସହ ଗ୍ରାମାଞ୍ଚଳର ଭିତ୍ତିିଭୂମି ବିକାଶ କରିବା ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହେଉଥିଲା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଆଇନ। ଯାହା ଏବେ ଭିବି ଜି ରାମ ଜି ଗ୍ରାମୀଣ ରୋଜଗାର ଯୋଜନାକୁ ପରିବର୍ତ୍ତିତ ହୋଇଛି।
Under: ଗଛମୂଳେ, ପାଲତଳେ ଅଙ୍ଗନବାଡ଼ି
Jail warder's : ଜେଲ୍ ୱାର୍ଡ଼ରଙ୍କ ଝୁଲନ୍ତା ମୃତଦେହ ଜବତ
ନାମ ବଦଳିଛି, କିନ୍ତୁ କାମ ନାହିଁ। ବର୍ଷକୁ ଦେଢ଼ଶହ ଦିନର କାମ ଯୋଗାଇଦେବାକୁ ନିର୍ଦ୍ଦେଶ ଥିବାବେଳେ ଏଠି ଶ୍ରମିକ ମାତ୍ର ୭ରୁ ୩୦ ଦିନ କାମ କରିବା ପରେ ହାତଖାଲି କରି ବସିଛନ୍ତି। ଶେଷକୁ ସେମାନେ ଗୋଆ ଚାଲିଯିବେ ବୋଲି କ୍ଷୋଭର ସହ ପ୍ରଶାସନକୁ ଜଣାଇଛନ୍ତି। ଏହାଠାରୁ ବଳି ବିଡ଼ମ୍ବନା ଆଉ କ’ଣ ହୋଇପାରେ। ଅଭିଯୋଗ ଅନୁସାରେ, ସାଲେପାଲି ଗ୍ରାମର ୬୦ରୁ ଅଧିକ ଶ୍ରମିକ ମାସକ ତଳେ କାମ ମାଗିଥିଲେ। ଏହାପରେ ସେମାନଙ୍କୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ଶ୍ରମନିଯୁକ୍ତି ଆଇନରେ ବ୍ରାହ୍ମଣୀମୁଣ୍ଡା କେନାଲ ମରାମତି କାମ ଯୋଗାଇ ଦିଆଯାଇଥିଲା। କିନ୍ତୁ ଗୋଟିଏ ସପ୍ତାହ କାମ କରିବା ପରେ ତାକୁ ବନ୍ଦ କରି ଦିଆଗଲା। ଲୋକେ ପୁଣି ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ କାମ ମାଗିଥିଲେ। ଏହାପରେ ୪ କିଲୋମିଟର ଦୂରରେ ଥିବା ଗାଁ ବରକଚ୍ଛାର ପୋଖରୀ କାମରେ ନିୟୋଜିତ କରାଯାଇଥିଲା। ତା’ ବି ମାତ୍ର ସପ୍ତାହେ। ଅନ୍ୟପଟେ ଏଯାଏଁ ଜଣକୁ ମଧ୍ୟ ମଜୁରି ମିଳିନାହିଁ। ଗତବର୍ଷ ମଧ୍ୟ ୭ରୁ ୧୫ ଦିନ କେନାଲ ମରାମତି କାମ କରିଥିଲେ। କାମ ନପାଇ କଲବଲ ହେଉଥିବା ଶ୍ରମିକ ଗୋଆ ଯିବାକୁ ପ୍ରସ୍ତୁତ ହେଉଥିବା ଶ୍ରୀକାନ୍ତ ଗୋଖର, ଲିନୁସ ଯୋଯୋ, ତରଣୀସେନ ବାଗ, ଆମ୍ରୁସ ଯୋଯୋ, କିରନ ଭୋଇ, ବଳରାମ ମାଝୀ, ମାର୍କୁସ ଭେଙ୍ଗ୍ରା, ରଂଜନ ନାଏକ ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି, ଭିବି ଜି ରାମ ଜି ଯୋଜନାରେ ଏପ୍ରିଲ ପ୍ରଥମ ସପ୍ତାହରୁ କାମ ଆରମ୍ଭ ହୋଇଯିବ। ଏଥିପାଇଁ ପ୍ରତି ଗାଁରୁ କେଉଁ କେଉଁ କାମ ହେବ ତାର ଚିଠା ପ୍ରସ୍ତୁତ ହୋଇସାରିଛି। ଶ୍ରମିକମାନଙ୍କୁ ନିଶ୍ଚିତ କାମ ମିଳିବ’ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/07/untitled-16-2026-03-07-05-52-09.jpg)