ଭୁବନେଶ୍ବର: ସ୍ବାଭାବିକ ହୋଇପାରୁନି ବିଧାନସଭା। ଚାଷୀଙ୍କ ସମସ୍ୟା ସମାଧାନ କରିବା ଦାବିରେ ଅଟଳ ରହିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ଫଳରେ ଲଗାତାର ପାଞ୍ଚ ଦିନ ହେଲା ବିଧାନସଭା ଚାଲିପାରୁନି। ଆଜି ପଞ୍ଚମ ଦିନରେ ଗୃହରେ ବିରୋଧୀଙ୍କ ଗର୍ଜନ ତର୍ଜନ ଅଧିକ ହେବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଅଚଳାବସ୍ଥା ହଟାଇବା ପାଇଁ ଆଜି ସର୍ବଦଳୀୟ ବୈଠକ ଡକାଯାଇ ନଥିଲା।
ଚାରି ଦିନ ହେଲା ଯେଉଁ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଥିବା ପଞ୍ଚମ ଦିନରେ ବି ତାହା ଦେଖାଗଲା। ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେଡି ଓ କଂଗ୍ରେସ ସଭ୍ୟ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ହୋହଲ୍ଲା କଲେ। ବ୍ୟାନର ଓ ପ୍ଲାକାର୍ଡ ଦେଖାଇ ସରକାରଙ୍କ ଚାଷୀ ମାରଣ ନୀତିକୁ ବିରୋଧ କଲେ। ବିରୋଧୀଙ୍କ ଗର୍ଜନରେ ଗୃହ କମ୍ପିଥିଲା। ନିଜ ନିଜ ଆସନକୁ ଫେରିଯିବା ପାଇଁ ବାଚସ୍ପତି ବାରମ୍ବାର ବିରୋଧୀଙ୍କୁ ଅନୁରୋଧ କରିଥିଲେ ବି ସେମାନେ ଶୁଣି ନଥିଲେ। ଏହି ସମୟରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପଏଣ୍ଟ୍ ଅଫ୍ ଅର୍ଡର୍ ଜରିଆରେ କିଛି କହିବା ପାଇଁ ହାତ ଟେକିଥିଲେ। କିନ୍ତୁ ପ୍ରଶ୍ନକାଳରେ ପଏଣ୍ଟ୍ ଅଫ୍ ଅର୍ଡର୍ ଦେଇ ହେବ ନାହିଁ ବୋଲି କହି ବାଚସ୍ପତି ତାହାକୁ ଅଗ୍ରାହ୍ୟ କରିଦେଇଥିଲେ। କିନ୍ତୁ ଗୃହ ସ୍ବାଭାବିକ ନହେବାରୁ ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ। ୧୧ଟା ୩୦ରେ ବି ସମାନ ସ୍ଥିତି ଲାଗି ରହିଲା। ମାତ୍ର ୪ ମିନିଟ୍ ପରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ।
ଅପରାହ୍ଣରେ ବିରୋଧୀ ଦଳର ବିଧାୟକମାନେ ଗୃହ ମଧ୍ୟ ଭାଗରେ ପୁଣି ହଟ୍ଟଗୋଳ କରିଥିଲେ। ବିରୋଧୀଙ୍କ ନାରାବାଜି ମଧ୍ୟରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ୧୨ମିନିଟ୍ ପାଇଁ ଗୃହ ଚଳାଇବାକୁ ସମର୍ଥ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଅନୁପସ୍ଥିତ ଥିବାରୁ ତାଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ବିଭିନ୍ନ ପେପର ପୁନଃଉପସ୍ଥାପନ କରିବାକୁ ଡାକିଥିଲେ। ଏହାପରେ ଶ୍ରୀ ମହାଲିଙ୍ଗ ଗୃହ, ଅର୍ଥ ବିଭାଗର ବିଭିନ୍ନ ପେପର ପୁନଃଉପସ୍ଥାପନ ଏବଂ ରିପୋର୍ଟ ଉପସ୍ଥାପନ କରିଥିଲେ। ସେହିପରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଅନୁପସ୍ଥିତ ଥିବାରୁ ତାଙ୍କ ବିଭାଗର ପେପର ବି ଶ୍ରୀ ମହାଲିଙ୍ଗ ପୁନଃଉପସ୍ଥାପନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅନୁପସ୍ଥିତ ଥିବାରୁ ତାଙ୍କ ପାଇଁ ଶ୍ରୀ ମହାଲିଙ୍ଗ ଦୁଇଟି ବିଭାଗର ରିପୋର୍ଟ ଉପସ୍ଥାପନ କରିଥିଲେ। ଶ୍ରମ ଏବଂ କର୍ମଚାରୀ ବୀମା ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ତାଙ୍କ ବିଭାଗର ରିପୋର୍ଟ ଉପସ୍ଥାପନ କରିଥିଲେ।
ବିଧାନସଭାରେ ଅଚଳାବସ୍ଥାକୁ ନେଇ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷାରୋପ କରିଛନ୍ତି। କିନ୍ତୁ ସମାଧାନର ବାଟ ବାହାର କରିବାକୁ ଆଖିଦୃଶିଆ ଉଦ୍ୟମ ହୋଇ ନାହିଁ। ଗତକାଲି ସର୍ବଦଳୀୟ ବୈଠକ ହୋଇଥିଲେ ବି ସମାଧାନର ବାଟ ବାହାରି ନଥିଲା। କିନ୍ତୁ ଆଜି ଆଉ ସର୍ବଦଳୀୟ ବୈଠକ ଡକାଯାଇ ନଥିଲା।
ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି, ଗୃହ ଚଳାଇବା ପାଇଁ ସରକାରଙ୍କ ମାନସିକତା ନାହିଁ। ଆଲୋଚନା ହେଲେ ସରକାରଙ୍କ ଦୋଷ ପଦାକୁ ଆସିଯିବ। ସରକାର ସେଥିପାଇଁ ପ୍ରସ୍ତୁତ ନୁହନ୍ତି। ସରକାର ଆଜି ଯାଏଁ କାହିଁକି ଧାନ କିଣି ପାରୁ ନାହାନ୍ତି। ଚାଷୀଙ୍କୁ ଟୋକନ୍ ମିଳୁ ନାହିଁ । ଆମେ ଏହି ପ୍ରସଙ୍ଗ ଉଠାଇବୁ ନାହିଁ କି?ସରକାର ଗୃହକୁ ଓ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଖରିଫ ଧାନ ଏଯାଏଁ ଉଠୁ ନାହିଁ। ହେଲେ ଏପଟେ ଡାଳୁଅ ଧାନ ଆରମ୍ଭ ହେଲାଣି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଲେ, ସରକାର ଓ ମିଲର୍ସ ମିଶି ଚାଷୀଙ୍କୁ ଶୋଷଣ କରୁଛନ୍ତି। ଆମେ ବିଧାନସଭା ଭିତରେ ଏହାର ପ୍ରତିବାଦ ଜାରି ରଖିଛୁ। ଆମେ ଆଲୋଚନା କରିବାକୁ କହୁଥିଲା ବେଳେ ସରକାର ଆଲୋଚନାର ନାଁ ଧରୁ ନାହାନ୍ତି। ତେବେ ଶାସକ ଦଳ ସଭ୍ୟମାନେ ଯୁକ୍ତି ବାଢ଼ିଛନ୍ତି ଯେ ବିରୋଧୀ କେବଳ ବାହାନା କରି ବିରୋଧ କରୁଛନ୍ତି। ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଥିଲେ ବି ବିରୋଧୀ ଗୃହ ଚଳାଇ ଦେଉ ନାହାନ୍ତି।
Follow Us