କଟକ: ରାଜ୍ୟର କଟକ, ସମ୍ବଲପୁର ଓ ଦେବଗଡ଼ଜିଲ୍ଲା କୋର୍ଟକୁ ବିସ୍ଫୋରଣରେ ଉଡ଼ାଇଦେବା ପାଇଁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ ଇଲମ୍ (ଏଲଟିଟିଇ) ନାଁରେ ଏକ ଧମକପୂର୍ଣ୍ଣ ମେଲ୍ ଆସିଛି। ଏହି ମେଲ୍ ଆସିବା ପରେ ସାରା ରାଜ୍ୟରେ ଗୁରୁବାର ହଟଚମଟ ସୃଷ୍ଟି ହୋଇଥିଲା। ‘ଡାର୍କ ୱେବ୍ରେ ଟର୍ ବ୍ରାଉଜର୍’ ବ୍ୟବହାର କରି ଅପରାଧୀ ଗୋଷ୍ଠୀ ହଟ୍ମେଲ୍ ଡୋମେନ୍ରୁ ଏହି ଧମକପୂର୍ଣ୍ଣ ମେଲ୍ ପଠାଇଛନ୍ତି। ଅପରାଧୀମାନେ ଡାର୍କ ୱେବ୍ ବ୍ୟବହାର କରିଥିବାରୁ ହଟ୍ମେଲ୍ରୁ ଆସିଥିବା ମେଲ୍ର ଆଇପି (ଇଣ୍ଟରନେଟ୍ ପ୍ରୋଟକଲ୍) ଆଡ୍ରେସ୍ ଠାବ କରିବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଆହ୍ବାନ ହୋଇଛି। ଏହି ମେଲ୍ ଆଇଡିର ୟୁଜର୍ଙ୍କ ସମ୍ପର୍କିତ ବିସ୍ତୃତ ତଥ୍ୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଭାରତରେ ଥିବା ମାଇକ୍ରୋସଫ୍ଟର ନୋଡାଲ୍ ଅଫିସରଙ୍କୁ ଚିଠି ଲେଖାଯାଇଛି। କ୍ରାଇମବ୍ରାଞ୍ଚର ପରାମର୍ଶକ୍ରମେ ତିନି ଜିଲ୍ଲାରେ ପୃଥକ୍ ମାମଲା ରୁଜୁ କରାଯାଇଥିବା ବେଳେ ଏହାକୁ ସିଧାସଳଖ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅନୁଧ୍ୟାନ କରୁଛନ୍ତି।
Air Pollution: ଚିନ୍ତାଜନକ ସ୍ଥିତିରେ ନବରଙ୍ଗପୁର ବାୟୁ ପ୍ରଦୁଷଣ
ସୂଚନା ଅନୁଯାୟୀ, କଟକ ଜିଲ୍ଲା ଦୌରା ଜଜ୍ଙ୍କ କୋର୍ଟ ସମେତ ସମ୍ବଲପୁର ଓ ଦେବଗଡ଼ କୋର୍ଟର ଅଫିସିଆଲ୍ ମେଲ୍ ଆଇଡିକୁ ଗୁରୁବାର ସକାଳେ ଏକ ମେଲ୍ ଆସିଥିଲା। ପ୍ରଥମେ ହାଇକୋର୍ଟକୁ ସକାଳ ୯ଟା ୧୭ ମିନିଟ୍ରେ ଏବଂ ପରେ କଟକ କୋର୍ଟକୁ ସକାଳ ୯ଟା ୧୯ ମିନିଟ୍ ୧୦ ସେକେଣ୍ଡରେ [email protected]ରୁ ଏକ ମେଲ୍ ଆସିଥିଲା। ମେଲ୍ ପଠାଇଥିବା ଲୋକ ନିଜକୁ ଏଲ୍ଟିଟିଇର ଅରୁଣ କୁମାର ବୋଲି ପରିଚୟ ଦେଇଛି। ଏଭଳି ଧମକପୂର୍ଣ୍ଣ ମେଲ୍ ଆସିବା ପରେ ହାଇକୋର୍ଟ, ଜିଲ୍ଲା ଓ ଦୌରା ଜଜ୍ଙ୍କ କୋର୍ଟରୁ ଓକିଲ, ମହକିଲ, କର୍ମଚାରୀମାନଙ୍କୁ ତୁରନ୍ତ ବାହାରକୁ ବାହାରିଯିବାକୁ ଦିନ ପ୍ରାୟ ୧୨ଟା ବେଳେ କୁହାଯାଇଥିଲା। ଲାଲବାଗ ଥାନା ଆଇଆଇସି ସତ୍ୟବ୍ରତ ଭୂତିଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ଡିଜି ୱାଇ.ବି. ଖୁରାନିଆ, କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର, କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଗୁଇନ୍ଦା ବିଭାଗ ପକ୍ଷରୁ ବୋମା ନିଷ୍କ୍ରିୟକାରୀ ଦଳ, କ୍ରାଇମବ୍ରାଞ୍ଚ ପକ୍ଷରୁ କେ-୯ ସ୍କ୍ବାଡ୍ର ସନ୍ଧାନୀ କୁକୁର ପହଞ୍ଚି ଉଭୟ ହାଇକୋର୍ଟ, ଜିଲ୍ଲା କୋର୍ଟ ଇତ୍ୟାଦି ଅଞ୍ଚଳରେ ଯାଞ୍ଚ କରିଥିଲେ। ଏହା ପରେ ଦିନ ପ୍ରାୟ ୨ଟା ବେଳକୁ କୋର୍ଟ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।
ମିଛ ଧମକକୁ ନେଇ ହଇଚଇ
ବମ୍ ସ୍କ୍ବାଡ୍କୁ ସୁଦୃଢ଼ କରାଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ହାଇକୋର୍ଟ ସମେତ ସମ୍ବଲପୁର ଓ ଦେବଗଡ଼ କୋର୍ଟରେ ବୋମା ଥିବା ନେଇ ଧମକ ଆସିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରିସ୍ଥିତିର ସମୀକ୍ଷା କରିଛନ୍ତି।
ଲୋକସେବା ଭବନରେ ବସିଥିବା ଏହି ବୈଠକରୁ ଜଣାପଡ଼ିଛି ଯେ ସମସ୍ତ ବୋମା ଧମକ ମିଛ ଥିଲା। ପୁଲିସର ବମ୍ ଡିଟେକ୍ସନ୍ ସ୍କ୍ୱାଡ୍, କ୍ୟୁଇକ୍ ରିଆକ୍ସନ୍ ଟିମ୍, ସ୍ପେସିଆଲ ଟାକ୍ଟିକାଲ୍ ୟୁନିଟ୍, ଗୁଇନ୍ଦା ଅଧିକାରୀ ଓ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ତୁରନ୍ତ ସଂପୃକ୍ତ ସ୍ଥାନକୁ ଯାଇ ଅନୁସନ୍ଧାନ କରିଥିଲେ। ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କୁହାଯାଇଛି। ତେବେ ଅାଗାମୀ ଦିନେର ଏହିଭଳି ଧମକ ବାରମ୍ୱାର ଆସିବାର ସମ୍ଭାବନା ଥିବାରୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ପୁଲିସ ପକ୍ଷରୁ ଏକ ଏସ୍ଓପି ଜାରି କରିବାକୁ ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ଆଲର୍ଟ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି ଯେ ରାଜ୍ୟର ବିଭିନ୍ନ ବମ୍ ସ୍କ୍ୱାଡ୍କୁ ଆହୁରି ସୁଦୃଢ଼ କରାଯାଉ। ବୋମାକୁ ଚିହ୍ନଟ କରିବା ଏବଂ ନିଷ୍କ୍ରିୟ କରିବା ଭଳି ଉଭୟ କାମରେ ଆମର ଦକ୍ଷ ବାହିନୀ ଅଛନ୍ତି। ସେମାନଙ୍କୁ ଆହୁରି ଦକ୍ଷ କରିବା ପାଇଁ ଅତ୍ୟାଧୁନିକ ଟ୍ରେନିଂ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସ ଡିଜିଙ୍କୁ କହିଛନ୍ତି। ସୂଚନାଯୋଗ୍ୟ ଯେ ଆଜି ସକାଳେ ବୋମା ଭୟ ଖବର ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ତୁରନ୍ତ ମୁଖ୍ୟ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କ ସହ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ମୁଖ୍ୟ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ପୁଲିସ ଡିଜି ୱାଇ.ବି. ଖୁରାନିଆ, ଗୁଇନ୍ଦା ନିର୍ଦ୍ଦେଶକ ଆର୍.ପି. କୋଚେ ପ୍ରମୁଖ ଉପସ୍ଥିତ ଥିଲେ।
Horoscope 2026 January 09: ଜାଣନ୍ତୁ ଆଜିର ରାଶିଫଳ
ଲାଲବାଗ ଥାନା ଆଇଆଇସି ଶ୍ରୀ ଭୂତିଆଙ୍କ ଅଭିଯୋଗ ଆଧାରରେ କଟକ ସାଇବର୍ ଥାନା ପୁଲିସ ଏକ ମାମଲା (କେସ୍ ନଂ ୪) ବିଏନ୍ଏସ୍ର ଧାରା ୧୩୨ (୨)(ବି), ଆଇଟି ଆକ୍ଟର ଧାରା ୬୬ ଏଫ୍ ବଳରେ ରୁଜୁ କରିଛି। ଘଟଣାସ୍ଥଳରେ ସ୍ପେସାଲ ଅପରେସନ୍ ଗ୍ରୁପ (ଏସ୍ଓଜି) ଓ ସ୍ପେସାଲ ଟାକ୍ଟିସ୍ ଗ୍ରୁପ (ଏସ୍ଟିଜି) ପହଞ୍ଚି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। କମିସନରେଟ୍ ପୁଲିସ ପକ୍ଷରୁ ୬ ପ୍ଲାଟୁନ୍ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ଏହି ମେଲ୍ରେ କୁହାଯାଇଛି ଯେ ତାମିଲନାଡୁରେ କନେଷ୍ଟବଳମାନଙ୍କୁ ନିଭେଥା ପେଥୁରାଜ ଏବଂ ଅନ୍ୟ ଡିଏମ୍କେ ସୁରକ୍ଷାକର୍ମୀଙ୍କ ପୋଷାକ ଓ ମଇଳା ସଫା କରିବାକୁ ବାଧ୍ୟ କରାଯାଉଛି। ଅନେକଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଉଛି। ତେଣୁ ପୂର୍ବତନ ଏଲ୍ଟିଟିଇ ସଦସ୍ୟମାନେ ଆଜାଦ କାଶ୍ମୀର ପାକ୍ ଆଇଏସ୍ଆଇର ସଦସ୍ୟମାନଙ୍କ ସହିତ ଏଭଳି କାର୍ଯ୍ୟର ପ୍ରତିବାଦ କରିବା ଏବଂ ତାମିଲନାଡ଼ୁରେ କନେଷ୍ଟବଳଙ୍କ ପାଇଁ ୧୯୭୯ ନୈନର ଦାସ ପୁଲିସ ୟୁନିୟନ୍ ସୁପାରିସକୁ କାର୍ଯ୍ୟକାରୀ କରିବା ଦାବିରେ କୋର୍ଟକୁ ଟାର୍ଗେଟ୍ କରିଛନ୍ତି।
ଏଥିରେ ଆହୁରି ଉଲ୍ଲେଖ ଅଛି ଯେ କୋଠାରେ ତିନୋଟି ସି-୪ ଆର୍ଡିଏକ୍ସ ରଖାଯାଇଛି। ମଧ୍ୟାହ୍ନ ଭୋଜନ ସମୟରେ ଜଣେ କିମ୍ବା ଦୁଇ ଜଣ ସଦସ୍ୟ କୋର୍ଟ ଭିତରକୁ ଯିବେ। ଯେତେବେଳେ ଏଲ୍ଟିଟିଇ ସଦସ୍ୟମାନେ ରିମୋଟ୍ କଣ୍ଟ୍ରୋଲ ଟ୍ରିଗର ଧରି କୋର୍ଟ ପରିସରର ୧୦୦ ଫୁଟ ଭିତରକୁ ଆସିବେ, ସ୍ବୟଂଚାଳିତ ଭାବେ ବିସ୍ଫୋରଣ ହେବ। ଯଦି କୌଣସି କାରଣରୁ ସକ୍ରିୟ ନହୁଏ ତେବେ ଏହି ସଦସ୍ୟମାନେ କୋଠା ଭିତରେ ପ୍ରବେଶ କରିବେ। ସମସ୍ତ କର୍ମଚାରୀ ଓ ସାଧାରଣ ଲୋକ ବିସ୍ଫୋରଣରେ ଉଡ଼ିଯିବେ। ଶ୍ରୀଲଙ୍କା ଇଷ୍ଟର ଅପରେସନ୍ରେ ଏଭଳି ହୋଇଥିବା ମେଲ୍ରେ ଦର୍ଶାଯାଇଛି। ପୁଲିସ ଡିଜି ୱାଇ.ବି ଖୁରାନିଆ ଏହି ଘଟଣାରେ ଆତଙ୍କିତ ନ ହେବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ପୁଲିସକୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ କହିଛନ୍ତି। ଅନ୍ୟପଟେ ଆଜି ଆସାମର ହାଇଲାକାଣ୍ଡି ଜିଲ୍ଲା ଓ ସେସନ୍ସ କୋର୍ଟ, ପଞ୍ଜାବ, ହରିୟାଣା, ହିମାଚଳପ୍ରଦେଶ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, କେରଳର କୋର୍ଟକୁ ମଧ୍ୟ ସମାନ ମେଲ୍ ଆଇଡିରୁ ଧମକପୂର୍ଣ୍ଣ ଇମେଲ୍ ଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/09/fshsfshfsfhsf-2026-01-09-01-56-56.jpg)