ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ବନ୍ୟପ୍ରାଣୀଙ୍କ ପାଇଁ ସୁରକ୍ଷିତ ହୋଇ ରହିନାହିଁ। କେତେବେଳେ ଶିକାରୀଙ୍କ ଗୁଳିରେ ତ କେତେବେଳେ ଖାଦ୍ୟଗୁଳା ବିସ୍ଫୋରଣରେ ପ୍ରାଣ ହରାଉଛନ୍ତି। ଅଭୟାରଣ୍ୟ ଭିତରେ ବନ୍ୟପ୍ରାଣୀ କିପରି ସୁରକ୍ଷିତ ରହିବେ, ସେ ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହା କେବଳ କାଗଜକଲମରେ ସୀମିତ ଥିବା ଅଭିଯୋଗ ହୋଇଛି। ଫଳରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ବିଶେଷ କରି ହାତୀ ମୃତ୍ୟୁକୁ ନେଇ ପରିବେଶବିତ୍ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି।
ସାତକୋଶିଆ ଅଭୟାରଣ୍ୟ ବହୁ ବିଲୁପ୍ତପ୍ରାୟ ବନ୍ୟପ୍ରାଣୀଙ୍କ ବାସସ୍ଥଳ। ଏଠାରେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ସରକାରୀ ଭାବରେ ଅନେକ ପଦକ୍ଷେପ ନିଆଯାଉଛି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପର୍ଯ୍ୟାପ୍ତ ଟଙ୍କା ମଧ୍ୟ ବ୍ୟୟ ହେଉଛି। କିନ୍ତୁ ବନ୍ୟପ୍ରାଣୀଙ୍କ ମୃତ୍ୟୁରେ ରୋକ୍ ଲାଗିପାରୁନାହିଁ। ସେପଟେ ଶିକାରୀମାନଙ୍କ ଦ୍ବାରା ହରିଣ, କୁଟୁରା, ସମ୍ବର ଭଳି ତୃଣଭୋଜୀ ପ୍ରାଣୀଙ୍କ ଜୀବନ ବିପଦରେ। ଏଥିରୁ ଐତିହ୍ୟ ପ୍ରାଣୀ ହାତୀ ମଧ୍ୟ ବାଦ୍ ପଡ଼ୁନାହାନ୍ତି। ସାତକୋଶିଆରେ ଶିକାରୀମାନଙ୍କ ଦ୍ବାରା ହାତୀ ଶିକାର ଘଟଣା ପୂ୍ର୍ବରୁ ମଧ୍ୟ ଅନେକ ଥର ଦେଖାଯାଇଛି। ହାତୀ ମୃତ୍ୟୁ ଘଟଣା ଲୁଚାଇବା ଦିଗରେ ବନ ବିଭାଗର ଭୂମିକା ମଧ୍ୟ କିଛି କମ୍ ନୁହେଁ। ଏଥିପାଇଁ ପୂର୍ବରୁ ଏକାଧିକ ବନ କର୍ମଚାରୀ ନିଲମ୍ବିତ ହୋଇ ସାରିଛନ୍ତି। ବନ୍ୟପ୍ରାଣୀଙ୍କ ପାଇଁ ସୁରକ୍ଷିତ ସ୍ଥାନ କୁହାଯାଉଥିବା ସାତକୋଶିଆରେ ଗତ ୬ ବର୍ଷ ମଧ୍ୟରେ ୩୦ରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇଥିବା ତଥ୍ୟରୁ ଜଣାପଡ଼ିଛି। ଏହା ମଧ୍ୟରେ କେବଳ ରୋଗରେ ୧୯ଟି ହାତୀଙ୍କ ମୃତ୍ୟୁ ହୋଇଛି। ଅର୍ଥାତ୍ ପ୍ରତିବର୍ଷ ଏହି ଅଭୟାରଣ୍ୟରେ ୫ରୁ ଅଧିକ ହାତୀଙ୍କ ଜୀବନ ଯାଉଛି। ତେବେ ଅଭୟାରଣ୍ୟରେ ପ୍ରାକୃତିକ ପରିବେଶ ସହିତ ଘଞ୍ଚ ଜଙ୍ଗଲ ରହିଥିବା ବେଳେ ଏମିତି ହାତୀଙ୍କ ମୃତ୍ୟୁ ହେବା କିଛି ଛୋଟ କଥା ନୁହେଁ। ଏଭଳି ଏକ ସମ୍ବେଦନଶୀଳ ଘଟଣା ପ୍ରତି ବିଭାଗ ପକ୍ଷରୁ ମଧ୍ୟ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।
ଅନ୍ୟପକ୍ଷରେ ଗତ ୨୧ ତାରିଖ ଦିନ ପମ୍ପାସର ବନାଞ୍ଚଳରେ ଏକ ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ଘଟଣାକୁ ଲୁଚାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ହୋଇଥିଲା। କୌଣସି ବିସ୍ଫୋରକ ଦ୍ରବ୍ୟ ଖାଇ ଉକ୍ତ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କେବଳ ସେତିକି ନୁହେଁ, ୨୦୨୨ ମସିହା ଜୁନ୍ ମାସରେ ସାତକୋଶିଆ ଅଭୟାରଣ୍ୟର ଜିଲିଣ୍ଡା ରେଞ୍ଜରେ ହାତୀ ମୃତ୍ୟୁକୁ ବନ ବିଭାଗ ଲୁଚାଇଥିଲା। ପରେ ମାଟି ତଳୁ ହାତୀର କଙ୍କାଳ ଜବତ ହେବା ସହିତ ସ୍ଥାନୀୟ ରେଞ୍ଜର୍ଙ୍କ ସହିତ ଦୁଇ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ହାତୀ ମୃତ୍ୟୁ ଭଳି ସମ୍ବେଦନଶୀଳ ଘଟଣାରେ ବନ ବିଭାଗର ଦାୟିତ୍ବହୀନତା ସୀମା ଟପିଛି ବୋଲି ପରିବେଶବିତ୍ମାନେ ମତ ଦେଇଛନ୍ତି।