ଭୁବନେଶ୍ବର: ରାଜ୍ୟରେ ଥିବା ଶିଳ୍ପ ସଂସ୍ଥା ଯେପରି ଜଳ ପ୍ରଦୂଷଣ ପାଇଁ କାରାଦଣ୍ଡ ପାଇବେନି, ଆଗାମୀ ଦିନରେ ପ୍ରତିଷ୍ଠା ହେବାକୁ ଥିବା ଶିଳ୍ପ ସଂସ୍ଥା ଜଳ ପ୍ରଦୂଷଣ ପାଇଁ କୋର୍ଟକୁ ଦଉଡ଼ିବେନି, ତାହାକୁ ନଜରରେ ରଖି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ଜଳ ପ୍ରଦୂଷଣ ନିବାରଣ ଏବଂ ନିୟନ୍ତ୍ରଣ ସଂଶୋଧନ ଆଇନ, ୨୦୨୪କୁ ଲାଗୁ କରିବେ। ‌ଆଜି ଏ ସମ୍ପର୍କିତ ସଂକଳ୍ପପତ୍ର ବିଧାନସଭାରେ ପାରିତ ହୋଇଛି। ଏହା ଦ୍ବାରା ଅଧିକ ଶିଳ୍ପ ସଂସ୍ଥା ଓଡ଼ିଶାମୁହାଁ ହେବେ ଏବଂ ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍‌ ଆହୁରି ସହଜ ହେବ ବୋଲି ସରକାର ଯୁକ୍ତି ବାଢ଼ିଛନ୍ତି। ଆଜି ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ଏ ସମ୍ପର୍କିତ ସଂକଳ୍ପପତ୍ର ବିଧାନସଭାରେ ଉପସ୍ଥାପନ କରିଥିବା ବେଳେ ଏହାକୁ ବିରୋଧୀ ବିଜେଡି ଓ କଂଗ୍ରେସ କଡ଼ା ବିରୋଧ କରିଥିଲେ। ହେଲେ ଏହାକୁ ପ୍ରତ୍ୟାହାର କରାଯିବନି ବୋଲି ମନ୍ତ୍ରୀ ଜଣାଇଦେବା ପରେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସଂକଳ୍ପପତ୍ରଟିକୁ ଚିରି ଗୃହ ଭିତରେ ଉଡ଼ାଇ ଦେଇଥିଲେ। ଏହା ପରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ଏକାଠି ଗୃହତ୍ୟାଗ କରିଥିଲେ। ବିନା ବିରୋଧୀରେ ବାଚସ୍ପତି ଏହି ସଂକଳ୍ପପତ୍ରକୁ ପାରିତ ହେଲା ବୋଲି ଘୋଷଣା କରିଥିଲେ।

Advertisment

Sanchar Sathi APP: ନୂଆ ସ୍ମାର୍ଟଫୋନରେ ସଞ୍ଚାରସାଥୀ ଆପ୍ ରହିବ, ସରକାରଙ୍କ ନିର୍ଦ୍ଦେଶ

ସଂକଳ୍ପପତ୍ର ଉପରେ ଆଲୋଚନା ବେଳେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହାକୁ ବିରୋଧ କରି କହିଥିଲେ, ସଂକଳ୍ପପତ୍ରକୁ ରାଜ୍ୟ ସରକାର ଲାଗୁ କରିବେ ବୋଲି କୌଣସି ବାଧ୍ୟବାଧକତା ନାହିଁ। ଓଡ଼ିଶା ପାଇଁ ଏହାର ଆବଶ୍ୟକତା ନାହିଁ। ଶିଳ୍ପ ସଂସ୍ଥାଗୁଡ଼ିକ ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ଋଷିକୁଲ୍ୟା ଭଳି ପ୍ରାୟ ୭ଟି ବଡ଼ ନଦୀର ପାଣିକୁ ଲୁଟୁଛନ୍ତି। ଜଳ କର ଦେଉନାହାନ୍ତି। ୨ ବର୍ଷରେ ୫୭ଟି ବେପାରୀ ଦଳ (ଶିଳ୍ପାନୁଷ୍ଠାନ) ୫୮୯୦.୬୫ କୋଟି ଟଙ୍କାର ଜଳ କର ବକେୟା ରଖିଛନ୍ତି। ଏହି ଲୁଟେରାଙ୍କୁ ସହଯୋଗ କରିବାକୁ, ଶିଳ୍ପାନୁଷ୍ଠାନଠାରୁ ଅର୍ଥ ଆଦାୟ କରିବାକୁ ଇଜ୍‌ ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍ ନାଁରେ ରାଜ୍ୟ ସରକାର ଏହାକୁ ଲାଗୁ କରୁଛନ୍ତି। ଶିଳ୍ପାନୁଷ୍ଠାନ ଆମ ନଦୀ, ନାଳକୁ ପ୍ରଦୂଷିତ କରି ମାରିବେ। କିନ୍ତୁ ସେମାନଙ୍କୁ କୌଣସି ଦଣ୍ଡ ମିଳିବନି। ଖାଲି କିଛି ଜରିମାନା ଦେଇଦେଲେ ସବୁ ମାଫ୍ ହୋଇଯିବ। ଏହି ନିୟମ ଆଣି ତୁମେ ରାଜ୍ୟବାସୀଙ୍କୁ ଧୋକା ଦେଉଛ। ସଂକଳ୍ପପତ୍ର ଲାଗୁ ହେଲେ ଶିଳ୍ପ ସଂସ୍ଥାଙ୍କୁ ଆଉ କୋର୍ଟ ଯିବାକୁ ପଡ଼ିବନି। କୋର୍ଟ ତ ତୁମ ପକେଟ୍‌ରେ ନାହିଁ। ଯେଉଁ ଅଫିସରମାନେ ତୁମ ପକେଟ୍‌ରେ ଅଛନ୍ତି ସେମାନଙ୍କ ଦ୍ବାରା କେତେ ଜରିମାନା ଆଦାୟ ହେବ ତାହା ଧାର୍ଯ୍ୟ କରିବ। 

ଓଡ଼ିଶାରେ ଲାଗୁ ହେବ ଜଳ ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ ସଂଶୋଧନ ଆଇନ-୨୦୨୪
ସଂକଳ୍ପପତ୍ରକୁ ଚିରି ଉଡ଼ାଇଦେଲେ ରଣେନ୍ଦ୍ର
ଇଜ୍ ଅଫ୍ ଡୁଇଙ୍ଗ୍‌ ବିଜ୍‌ନେସ୍ ନାଁରେ ଓଡ଼ିଶାବାସୀଙ୍କୁ ବନ୍ଧା ପକାଇବାକୁ ଯାଉଛନ୍ତି: ବିଜେଡି
ଯିଏ ଆମ ନଦୀକୁ ହତ୍ୟା କରିବ ତା’ଠାରୁ କେବଳ ଜରିମାନା ଆଦାୟ କରାଯିବ!- କଂଗ୍ରେସ

ପ୍ରତାପ ଦେବ କହିଥିଲେ, ଏହି ସଂକଳ୍ପପତ୍ରକୁ କୌଣସି ପରିସ୍ଥିତିରେ ବି ସମର୍ଥନ କରାଯାଇପାରିବନି। ଆପଣ ଇଜ୍ ଅଫ୍ ଡୁଇଙ୍ଗ୍‌ ବିଜ୍‌ନେସ୍ ନାଁରେ ଓଡ଼ିଶା ସରକାର, ଓଡ଼ିଶାବାସୀଙ୍କୁ ବନ୍ଧା ପକାଇବାକୁ ଯାଉଛନ୍ତି। ଆପଣ ଜାଣନ୍ତୁ ଯେ ଓଡ଼ିଶାରେ ଦେଶର ୧୧% ପାଣି ବା ୮୬.୨ ବିଲିୟନ୍ କ୍ୟୁସେକ୍ ପାଣି ଅଛି। ଜଳ ଓ ପ୍ରଦୂଷଣ ଉପରେ ରାଜ୍ୟର ଅଧିକାର ଅଛି ବୋଲି ସମ୍ବିଧାନ କହୁଛି। କିନ୍ତୁ ଏ ସରକାର ଓଡ଼ିଶାର ଜଳ, ଭୂମିକୁ କେନ୍ଦ୍ର ସରକାର ପାଖରେ ବନ୍ଧା ପକାଇବାକୁ ଯାଉଛନ୍ତି। ଏଥିରେ ଏମିତି ନିୟମ ଅଛି ଯେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଯେକୌଣସି ସମୟରେ ଚାହିଁଲେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ନିୟମକୁ ବଦଳାଇ ଦେଇପାରିବେ। କେବଳ ଏତିକି ନୁହେଁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ମୁଖ୍ୟ ସଚିବ ରହିବାର ନିୟମ ରହିଛି। କିନ୍ତୁ ଆଗକୁ ମୁଖ୍ୟ ସଚିବ ରହିବେନି। ସରକାର ଯାହାକୁ ଚାହିଁବେ ତାକୁ ରଖିବେ। ଅର୍ଥାତ୍ ଜଣେ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ/ରାଜ୍ୟ ସରକାରଙ୍କ ସଚିବ ପାହ୍ୟାର ଅଧିକାରୀ ଏହାର ଅଧ୍ୟକ୍ଷ ରହିବେ। ଜଣେ ତଳ ପାହ୍ୟାର ଅଧିକାରୀ କ’ଣ କୌଣସି ଉପର ପାହ୍ୟାର ଅଧିକାରୀଙ୍କୁ ପ୍ରଦୂଷଣ ନେଇ ତାଗିଦ୍‌ କରିପାରିବେ? ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁମତି ନନେଇ ବ୍ୟବସାୟ କଲେ ୬ ବର୍ଷ ଜେଲ୍‌ ଦଣ୍ଡ ଥିଲା। କିନ୍ତୁ ଏବେ ୧୫ ଲକ୍ଷ ଟଙ୍କା ଜରିମାନା ଦେଲେ ମାଫ୍। ଶିଳ୍ପ ସଂସ୍ଥ‌ା ଯେଉଁଠି ପାରିବେ ସେଠି ପାଉଁଶ (ଫ୍ଲାଇ ଆସ୍) ପକାଇବେ। ଏହି ସଂକଳ୍ପପତ୍ରରେ ଅନେକ ତ୍ରୁଟି ଥିବାରୁ କୌଣସି ଦକ୍ଷିଣ ଭାରତୀୟ ରାଜ୍ୟ ଲାଗୁ କରିନାହାନ୍ତି। କେବଳ କେତେକ ଉତ୍ତର ଭାରତୀୟ ରାଜ୍ୟ ଲାଗୁ କରିଛନ୍ତି। ଆମ ରାଜ୍ୟ ସରକାର କାହିଁକି ଏତେ ତତ୍ପର ହେଉଛନ୍ତି? ଏହି ନିୟମ ଆସିଲେ ରାଜ୍ୟରେ ଖଣି, ପାଣି, ଜଙ୍ଗଲ କିଛି ସୁରକ୍ଷିତ ରହିବନି। ସବୁ ନିୟମ କେନ୍ଦ୍ର ସରକାର କରିବେ, ଆପଣ କେବଳ ଦେଖିବେ।

Devastating Flood, Death Toll Rises: ଶ୍ରୀଲଙ୍କା, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡରେ ପ୍ରକୃତିର ପ୍ରଳୟ: ବନ୍ୟା ନେଲାଣି ୧୦୦୦ ଜୀବନ, ନିଖୋଜଙ୍କ ସୀମା ନାହିଁ…

ଅରବିନ୍ଦ ମହାପାତ୍ର କହିଥିଲେ, ଯଦି ଜେଲ୍‌ ଦଣ୍ଡ ଉଠାଇଦେବା ତେବେ ଶିଳ୍ପ ସଂସ୍ଥା ଆମ ନଦୀନାଳ ପ୍ରଦୂଷିତ କରିବେ। ଆମ ଭୋଟର ହଇରାଣ ହେବେ। ଆମେ ପରିବେଶର ବାସ୍ତବ ସ୍ଥିତିକୁ ନେଇ ଆଲୋଚନା କରୁନେ ବୋଲି ଆମ ଦେଶର ପରିବେଶ ଆଜି ଏପରି ସ୍ଥିତିରେ ପହଞ୍ଚିଛି। ଯେଉଁ କେନ୍ଦ୍ର ସରକାର ତାଙ୍କ ପାଖରେ ଥିବା ଯମୁନା ନଦୀକୁ ଆଜି ପର୍ଯ୍ୟନ୍ତ ପ୍ରଦୂଷଣମୁକ୍ତ କରିପାରିଲେନି ସେମ‌ାନେ ପୁଣି ସାରା ଦେଶର ନଦୀ କଥା ସମ୍ଭାଳିବେ। ଯଦି ଆମେ ଆଜି ଏହି ସଂକଳ୍ପପତ୍ରକୁ ପାରିତ କରିଦେବା ତେବେ ଆମ ଭବିଷ୍ୟତ ପିଢ଼ି କହିବେ, ଦଳେ ମୂର୍ଖ ଗୃହରେ ବସିଥିଲେ, କ’ଣ ଗୋଟେ ବିଲ୍ ପାସ୍‌ କରିଦେଲେ ଯେ ଆଜି ଆମେ ହଇରାଣ ହେଉଛୁ। କଂଗ୍ରେସ ବିଧାୟକ ସି.ଏସ୍ ରାଜନ ଏକ୍କା କହିଥିଲେ, ନଦୀ ଶୁଖିଗଲାଣି। ଯେଉଁମାନେ ନଦୀକୁ ହତ୍ୟା କରୁଛନ୍ତି ସେମାନଙ୍କୁ ଆମେ ଜେଲ୍ ଦଣ୍ଡ ନ ଦେଇ କେବଳ ଜରିମାନା ଆଦାୟ କରିବା? ଏହା କି ପ୍ରକାରର ନିୟମ। ଯଦି ଜଣେ ସଚିବ ପାହ୍ୟାର ଅଧିକାରୀ କେଉଁ ଶିଳ୍ପ ସଂସ୍ଥାକୁ କେତେ ଜରିମାନା ହେବ, କ’ଣ ଦଣ୍ଡ ଦିଆଯିବ ସ୍ଥିର କରିବେ ତେବେ ତ ସରକାର ଯାହା ଚାହିଁବେ ସେୟା ହେବ।