ଓଡ଼ଗାଁ: ଭତ୍ତା ହାତେଇବାକୁ ନୟାଗଡ଼ ଓଡ଼ଗାଁ ବ୍ଲକ୍ରେ ମାଳମାଳ ଭୂତ ହିତାଧିକାରୀଙ୍କ ବୟସ ଜାଲିଆତି କରାଯାଇଛି। କେଉଁଠି ସ୍ବାମୀଠାରୁ ସ୍ତ୍ରୀର ବୟସ ଅଧିକ ତ ଆଉ କେଉଁଠି ସାନଭାଇକୁ ବଡ଼ଭାଇ ସଜେଇ ଦିଆଯାଇଛି। କେଳେଙ୍କାରୀ ପଛରେ ସରକାରୀ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ନନ୍ଦିଘୋର ପଞ୍ଚାୟତର ବାଞ୍ଝାନିଧି ଭୁଜୁବଳଙ୍କ ବଡ଼ପୁଅ ମାଗି ଭୁଜୁବଳ ଓ ସାନଭାଇ ଜାଗି ଭୁଜୁବଳ। ବଡ଼ ଭାଇର ବୟସ ୨୦୨୨ ପଞ୍ଚାୟତ ନିର୍ବାଚନରେ ୫୨ ଥିବା ବେଳେ ୨୦୨୪ ନିର୍ବାଚନରେ ୬୯ ହୋଇଗଲା। ଏବେ ସେ ଭତ୍ତା ପାଉଛନ୍ତି।
Elephant: ମୃତ ହାତୀ ହାଡ଼ରୁ ନକଲି ଦାନ୍ତ ପ୍ରସ୍ତୁତ ଘଟଣା: ଆଉ ୩ ଶିକାରୀ ଗିରଫ, ୩ କଳଦାନ୍ତ ଜବତ
ସେହିପରି ସାନଭାଇର ବୟସ ୩୯ରୁ ବଢ଼ି ୭୦ ହୋଇଗଲା। ସିଏ ବି ଭତ୍ତା ଯୋଜନାରେ ସାମିଲ୍ ହୋଇଛନ୍ତି। ଦୁଇ ଭାଇଙ୍କ ସ୍ତ୍ରୀଙ୍କର ବୟସ ୨୫ ବର୍ଷ ଅଧିକ କରି ଦିଆଯାଇଛି। ସେହିପରି ନନ୍ଦିଘୋର ଗାଁର ରାମଚନ୍ଦ୍ର ନାୟକଙ୍କ ପୁଅ ପ୍ରଫୁଲ୍ଲ ନାୟକଙ୍କ ବୟସ ୨୦୨୨ରେ ୫୭ ବର୍ଷ ଓ ୨୦୨୪ ମସିହାରେ ୬୮ ବର୍ଷ ହୋଇଛି। ତାଙ୍କ ସ୍ତ୍ରୀ ମଞ୍ଜୁ ନାୟକଙ୍କ ବୟସ ୨୦୨୨ରେ ୪୭ ବର୍ଷ ହୋଇଥିବାବେଳେ ୨୦୨୪ରେ ବୟସ ୬୯ ଦର୍ଶାଯାଇଛି। ଭୋଟର ତାଲିକା ଅନୁଯାୟୀ ସ୍ବାମୀଠାରୁ ସ୍ତ୍ରୀ ଗୋଟିଏ ବର୍ଷ ବଡ଼। ଅନୁରୂପ ଭାବେ ଶଙ୍କର୍ଷଣ ପଢିଆରୀଙ୍କ ବୟସ ୨୦୨୨ ମସିହାରେ ୪୯ ଓ ୨୦୨୪ ମସିହାରେ ୭୦ ହୋଇଛି।
ସରକାରୀ ନିୟମ ଅନୁସାରେ ୨୦୧୭ ମସିହା ଭୋଟର ତାଲିକା ଓ ୨୦୨୨ ମସିହା ଭୋଟର ତାଲିକା ଦେଖିବା ପରେ ଭତ୍ତା ମଞ୍ଜୁର କରିବା କଥା। କିନ୍ତୁ ଏଠି ବ୍ଲକ୍ ସାମାଜିକ ସୁରକ୍ଷା ବିଭାଗ ସଂପୂର୍ଣ୍ଣ ଆଖିବୁଜି ଭୂତ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରିଛି। ଏହି କେଳେଙ୍କାରୀ ତଳୁ ଉପର ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଉଛି। ଏ ସଂପର୍କରେ ଓଡ଼ଗାଁ ବିଡିଓ ପ୍ରୀତିବାଳା ରଣାଙ୍କୁ ପଚରାଯିବାରୁ ଘଟଣାର ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି।
Follow Us