ଭୁବନେଶ୍ବର: କାଲୁଆ ପବନ ବାଜିଲେ ଦେହ ଥରି ଉଠୁଛି। ଶୀତବସ୍ତ୍ର ପିନ୍ଧିଲେ ବି ପଦାକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ସନ୍ଧ୍ୟାଠାରୁ ସହରବାସୀ ଶୀତରେ ଥରୁଛନ୍ତି। ସକାଳ ବିଳମ୍ବରେ ଆରମ୍ଭ ହେଉଛି। ରାତି ଯେତେ ବଢ଼ୁଛି, ପାରଦ ସେତେ ତଳକୁ ଖସୁଛି। ଗତ ୨ ଦିନ ହେଲା ହାଡ଼ଭଙ୍ଗା ଶୀତ ଏମିତି ଭାବେ ରାଜଧାନୀବାସୀଙ୍କୁ ଥରାଉଛି। କୁହୁଡ଼ି କମିଯାଇଛି। ହେଲେ ଉତ୍ତରା ପବନ ପ୍ରକୋପରେ ସହରିଆ ଅସ୍ତବ୍ୟସ୍ତ ହେଉଛନ୍ତି। ରବିବାର ରାତିରେ ରାଜଧାନୀର ସର୍ବନିମ୍ନ ରାତି ତାପମାତ୍ରା ୧୬ ଡିଗ୍ରି ପାଖାପାଖି ରହିଥିବା ବେଳେ ସୋମବାର ଦିନ ତାହା ଖସି ୧୨.୯ ଡିଗ୍ରିରେ ପହଞ୍ଚିଥିଲା। ଫଳରେ ପ୍ରବଳ ଥଣ୍ଡାରେ ରାଜଧାନୀବାସୀ ଥରିଥିଲେ। ମଙ୍ଗଳବାର ରାତିରେ ପାରଦ ଆହୁରି ତଳକୁ ଖସିଛି। ୧୦.୨ ଡିଗ୍ରିକୁ ଭୁବନେଶ୍ବର ପାରଦସ୍ତର ଖସିଛି। ରାଜଧାନୀରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୪.୮ ଡିଗ୍ରିକୁ ଖସିଛି। ଫଳରେ ଲୋକଙ୍କ ସମସ୍ୟା ବଢ଼ିଯାଇଛି। ବୟସ୍କ ଓ ଶିଶୁମାନେ ଜ୍ବର, ଥଣ୍ଡା ଓ କାଶରେ ଆକ୍ରାନ୍ତ ହେଉଛନ୍ତି। ନିରାଶ୍ରିତମାନେ ରାସ୍ତାକଡ଼ରେ ନିଆଁଜାଳି ଶୀତରୁ ରକ୍ଷା ପାଇବାକୁ ଉଦ୍ୟମ କରୁଛନ୍ତି। ରାତି ୯ଟା ହେଉ ହେଉ ଚଳଚଞ୍ଚଳ ରାଜଧାନୀ ଖାଁ ଖାଁ ହୋଇଯାଉଛି। କାଁ ଭାଁ ଗାଡ଼ି ଚଳାଚଳ କରୁଛି। ରାସ୍ତାରେ ଯିବା ଏକପ୍ରକାର ମୁସ୍କିଲ୍ ହୋଇପଡ଼ୁଛି। ବସ୍ତି ଅଞ୍ଚଳ କଥା ନକହିବା ଭଲ। ଥଣ୍ଡାରୁ ରକ୍ଷା ପାଇବା ଲାଗି ଲୋକେ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ନିଆଁ ଜାଳୁଛନ୍ତି। ସପରିବାର ରାସ୍ତାପାର୍ଶ୍ବରେ ଶୋଉଥିବା ଗୃହହୀନ ତ ଥଣ୍ଡାରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ଗତ ଦେଢ଼ ମାସରୁ ଅଧିକ ସମୟ ଧରି ରାଜ୍ୟ ଓ ରାଜଧାନୀର ଏଭଳି ଶୀତ ଜାରି ରହିଥିବା ବେଳେ ରାଜଧାନୀ ତାପମାତ୍ରା ପ୍ରଥମ ଥର ପାଇଁ ୧୦ ଡିଗ୍ରି ତଳକୁ ଖସିଛି। ଚଳିତ ଶୀତ ଋତୁରେ ୧୧ ଡିସେମ୍ବର ୨୦୨୫ରେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୧.୮ ଡିଗ୍ରି ରେକର୍ଡ କରାଯାଇଥିଲା।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, କେବଳ ଭୁବନେଶ୍ବର ନୁହେଁ, କଟକରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ମଧ୍ୟ ଗତକାଲି ରାତିରେ ରେକର୍ଡ ହୋଇଛି। ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୦.୨ ଡିଗ୍ରି ରହିଥିବା ବେଳେ କଟକରେ ୯.୬ ଡିଗ୍ରି ରହିଥିଲା। ଆସନ୍ତାକାଲି ମଧ୍ୟ ଦ୍ବୈତନଗରୀ କଟକ ଓ ଭୁବନେଶ୍ବରରେ ଶୀତ ଲହରି ପ୍ରବାହିତ ହୋଇପାରେ। ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ପାଖାପାଖି ରହିବ ବୋଲି କୁହାଯାଉଛି। ଆସନ୍ତା ୩ ଦିନ ଏଭଳି ଶୀତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଲୋକେ ବାହାରକୁ ବାହାରିବା ସମୟରେ ଶୀତବସ୍ତ୍ର ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ଅତ୍ୟଧିକ ଶୀତ ଯୋଗୁଁ ଅଧିକ ପରିମାଣରେ ଭିଟାମିନ୍-ସି ଯୁକ୍ତ ଖାଦ୍ୟ ଖାଇବା ସହ ଭୋର୍ ଓ ରାତି ସମୟରେ ବାହାରକୁ ବାହାରିବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଗତ ୭ ବର୍ଷର ତଥ୍ୟକୁ ଦେଖିଲେ, ୨୦୧୮ରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରି ଥିବା ବେଳେ ୨୦୧୯ରେ ୯.୮ଡିଗ୍ରି , ୨୦୨୦ରେ ୧୧.୭ ଡିଗ୍ରି, ୨୦୨୧ରେ ୧୦ ଡିଗ୍ରି, ୨୦୨୨ରେ ୧୨.୨ ଓ ୨୦୨୩ରେ ୧୨.୪ ଡିଗ୍ରି ରହିଥିଲା। ୨୦୨୪ ମସିହାରେ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୦.୯ ଡିଗ୍ରିକୁ ଖସିଥିବା ବେଳେ ୨୦୨୫ ମସିହାରେ ଡିସେମ୍ବର ୧୧ ତାରିଖରେ ରାଜଧାନୀର ସର୍ବନିମ୍ନ ପାରଦସ୍ତର ୧୧.୮ ଡିଗ୍ରି ରେକର୍ଡ ହୋଇଥିଲା। ଏହି ରେକର୍ଡକୁ ଦେଖିଲେ, ଭୁବନେଶ୍ବର ତାପମାତ୍ରାରେ ଏଯାଏ ଏହାର ସର୍ବନିମ୍ନ ସ୍ତରକୁ ଖସିନାହିଁ ବୋଲି ଜଣାପଡ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/08/cold-2026-01-08-03-10-40.jpg)