ନୂଆଦିଲ୍ଲୀ: ଭାରତର ନାମମାତ୍ର ଜିଡିପି(ମୋଟ ଘରୋଇ ଉତ୍ପାଦ) ୪.୧୮ ଟ୍ରିଲିଅନ ଡଲାରରେ ପହଞ୍ଚିଛି। ଜାପାନକୁ ଟପି ଭାରତ ଚତୁର୍ଥ ବଡ଼ ଅର୍ଥନୀତିରେ ପରିଣତ ହୋଇଛି। ଆସନ୍ତା ଅ‌ଢ଼େଇରୁ ୩ ବର୍ଷ ମଧ୍ୟରେ ଭାରତ ଜର୍ମାନୀକୁ ତୃତୀୟ ସ୍ଥାନରୁ ହଟାଇବ। ୨୦୩୦ ସୁଦ୍ଧା ଭାରତର ଜିଡିପି ୭.୩ ଟ୍ରିଲିଅନ ଡଲାରରେ ପହଞ୍ଚିବ। ଦିନକ ପରେ ୨୦୨୬ ମସିହା ଆସିବାକୁ ଥିବାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୫ ମସିହା ପାଇଁ ପ୍ରକାଶିତ ବର୍ଷ-ଶେଷ ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ ଏହି ଦାବି କରାଯାଇଛି। ଆଗାମୀ ଦିନରେ ଭାରତ ଜର୍ମାନୀକୁ ଅତିକ୍ରମ କରି ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ପାଲଟିବ। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ ଭାରତ ଉପରେ ରହିବେ। ତେବେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ଦ୍ବାରା ୨୦୨୬ ପ୍ରଥମାର୍ଦ୍ଧରେ ଏକ ରିପୋର୍ଟ ପ୍ରକାଶ ପାଇବ। ସେହି ରିପୋର୍ଟରେ ଭାରତର ଦାବିକୁ ସ୍ବୀକୃତି ମିଳିବ ବୋଲି ଆଶା କରାଯାଉଛି। ଗତ କିଛିବର୍ଷ ହେଲା ବିଶ୍ବର ପ୍ରମୁଖ ଅର୍ଥନୀତିଗୁଡ଼ିକ ମଧ୍ୟରେ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଦେଶ ଭାବେ ଭାରତ ପରିଗଣିତ ହୋଇଆସୁଛି। ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତିର ଆକାର ବୃଦ୍ଧି ପାଇ ଦୁଇଗୁଣା ହୋଇଛି। ଚଳିତବର୍ଷ‌ ଅକ୍ଟୋବରରେ ଆଇଏମ୍‌ଏଫ୍‌ କରିଥିବା ଆକଳନ ଅନୁଯାୟୀ, ଭାରତର ନାମମାତ୍ର ଜିଡିପି ୨୦୨୮-୨୯ ଆର୍ଥିକବର୍ଷରେ ୫ ଟ୍ରିଲିଅନ ଡଲାର ଟପିବ। 

Advertisment

Freedom Fighter Chakra Bisoi: ସ୍ଵାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଜୟନ୍ତୀ ପାଳିତ

ରୁଷ୍‌ଠାରୁ ଅଶୋଧିତ ତେଲ କିଣୁଥିବା କାରଣରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଗତ ଅଗଷ୍ଟ ମାସରେ ଜରିମାନା ଆକାରରେ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଏଥିସହିତ ପାଲଟା ଶୁଳ୍କ ବାବଦରେ ୨୫ ପ୍ରତିଶତ ବି ଆଦାୟ କରୁଛନ୍ତି। ଭାରତର ରପ୍ତାନିକାରୀମାନେ ଏହାଦ୍ବାରା ଆମେରିକା ବଜାରରେ ୫୦ ପ୍ରତିଶତ ଭଳି ଚଢ଼ା ଶୁଳ୍କର ସାମନା କରୁଛନ୍ତି। ଏହା ସତ୍ତ୍ବେ ଅର୍ଥନୀତିକୁ ନେଇ ଭାରତ ସରକାର ଗୋଲାପି ଚିତ୍ର ଆଙ୍କିଛନ୍ତି। ଅର୍ଥନୀତି ସଂପର୍କରେ ସରକାର ଏହା ମଧ୍ୟ ଦାବି କରିଛନ୍ତି ଯେ ଭାରତ ଅର୍ଥନୀତି ଏକ ବିରଳ ସଫଳତା ପର୍ଯ୍ୟାୟ ଦେଇ ଗତି କରୁଛି। ତାହା ହେଲା ୨୦୨୫ରେ ଭାରତର ଅଭିବୃଦ୍ଧି ଉଚ୍ଚସ୍ତରରେ ଥିବାବେଳେ ମୁଦ୍ରାସ୍ଫୀତି କମ ରହିଛି। ଉତ୍ପାଦନ, ନିଯୁକ୍ତି, ଦରଦାମ ଏବଂ ବାଣିଜ୍ୟ ଆଦି କ୍ଷେତ୍ରରେ ଅର୍ଥନୀତିର ସୂଚକାଙ୍କଗୁଡ଼ିକ ଭଲ ରହିଛି।

ଜିଡିପି ୪.୧୮ ଟ୍ରିଲିଅନ୍‌ ଡଲାରରେ ପହଞ୍ଚିଲା
୩ ବର୍ଷରେ ଜର୍ମାନୀକୁ ତୃତୀୟ ସ୍ଥାନରୁ ହଟାଇବ
୨୦୩୦ ସୁଦ୍ଧା ୭.୩ ଟ୍ରିଲିଅନ ଡଲାର ହେବ

ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୟମାସରେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ୮.୨ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଗତ ୬ଟି ତ୍ରୟମାସ ମଧ୍ୟରେ ସର୍ବାଧିକ। ବିଶ୍ବ ବାଣିଜ୍ୟ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଏବଂ ନୀତିଗତ ଅନିଶ୍ଚିତତା ସତ୍ତ୍ବେ ଭାରତ ଏହି ସଫଳତା ହାସଲ କରିଛି। ଭାରତର ଘରୋଇ ଖର୍ଚ୍ଚ ଅର୍ଥନୀତିକୁ ସଂପ୍ରସାରିତ କରିଛି। ୨୦୨୫ରେ ଦେଶର ନିଯୁକ୍ତି କ୍ଷେତ୍ରରେ ଉନ୍ନତି ଆସିଛି। ନଭେମ୍ବର ମାସରେ ୧୫ ବର୍ଷ ଓ ତଦୂର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ବେକାରି ହାର ୪.୮ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ୨୦୨୫ ଏପ୍ରିଲ ମାସଠାରୁ ସର୍ବନିମ୍ନ। ସରକାର ଏହା ମଧ୍ୟ କହିଛନ୍ତି ଯେ ମୁଦ୍ରାସ୍ପୀତି ସ୍ଥିତି ଦେଶରେ ଭଲ ଅଛି। ନଭେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୦.୭୧ ପ୍ରତିଶତ ଏବଂ ପାଇକାରୀ ମୁଦ୍ରାସ୍ପୀତି ବିଯୁକ୍ତ ୦.୩୨ ପ୍ରତିଶତ ରହିଛି। 

Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା "ଅଟଳ ମାର୍ଗ" ର ଭିତ୍ତି ପ୍ରସ୍ତର ସ୍ଥାପନ

ଅନ୍ୟପକ୍ଷରେ ସାମଗ୍ରୀ ରପ୍ତାନି ନଭେମ୍ବରରେ ୩୮.୧୩ ବିଲିଅନ ଡଲାରକୁ ବୃଦ୍ଧି ପାଇଛି। ବିଦେଶୀ ମୁଦ୍ରା ଭଣ୍ଡାର ୬୮୬.୨ ବିଲିଅନ ଡଲାର ସ୍ତରରେ ରହିଛି ଯାହାକି ୧୧ ମାସରୁ ଅଧିକ ସମୟର ଆମଦାନି ଚାହିଦା ପୂରଣ କରିବ। ଚଳନ୍ତି ଖାତା ନିଅଣ୍ଟ ଜିଡିପିର ୧.୩ ପ୍ରତିଶତକୁ ଦ୍ବିତୀୟ ତ୍ରୟମାସରେ ଖସିଛି। ବର୍ଷର ପ୍ରଥମାର୍ଦ୍ଧରେ ଦେଶକୁ ମୋଟ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି (ଏଫ୍‌ଡିଆଇ)ରେ ୧୯.୪ ପ୍ରତିଶତ ବୃଦ୍ଧି ଘଟିଛି।