ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ସବୁଠାରୁ ବଡ ହାଟ ହେଉଛି ଗୋରୁମହିଷାଣୀ ହାଟ। ଉକ୍ତ ହାଟ ସପ୍ତାହର ପ୍ରତ୍ୟେକ ମଙ୍ଗଳବାର ଦିନ ହୁଏ। ଏହି ହାଟରେ ପନିପରିବା, ଡ୍ରେସ୍, ଲୁହା ସାମଗ୍ରୀ, ବାଉଁଶ ତିଆରି ସାମଗ୍ରୀ, ମାଟି ହାଣ୍ଡି, ଛେଳି, କୁକୁଡା ସମେତ ବିଭିନ୍ନ ପ୍ରକାର ଜିନିଷ ସୁଲଭ ମୂଲ୍ୟରେ ମିଳିଥାଏ। ତେବେ ବ୍ରିଟିସ ଅମଳର ଉକ୍ତ ହାଟରେ ସ୍ଥାନ ଅଭାବ ଏବଂ ଦୋକାନୀ ସହିତ ଗ୍ରାହକମାନଙ୍କ ଭିଡ ଯୋଗୁଁ ଗୋରୁମହିଷାଣୀ ମୁଖ୍ୟ ରାସ୍ତା ଜାମ ହୋଇ ଯାଉଥିଲା।

Advertisment

ତେବେ ପୂର୍ବରୁ ଥାନା ପାର୍ଶ୍ବରେ ନିର୍ମିାଣ ହୋଇଥିବା ମାର୍କେଟ କମ୍ପ୍ଲେକ୍ସ ନିକଟକୁ ପରିବା ମାର୍କେଟକୁ ସ୍ଥାନାନ୍ତରିତ କରାଯାଇଥିଲା। ସ୍ଥାନାନ୍ତରିତ ହେବାର କିଛିବର୍ଷ ପର୍ଯ୍ୟନ୍ତ ରାସ୍ତା ଜାମ ହେଉନଥିଲା ବର୍ତ୍ତମାନ ପୁଣି ରାସ୍ତା ଜାମ ହେଉଥିବା ପରିଲକ୍ଷିତ ହେଉଛି। ଥାନା ପାର୍ଶ୍ବରେ ଥିବା ପରିବା ହାଟରେ ଟିକିଏ ବର୍ଷା ହେଲେ କାଦୁଅ ପାଣିରେ ଉବୁଟୁବୁ ହେଉଥିଲା। ଏହି ଘଟଣା ଦେଖିବା ପରେ ପୂର୍ବତନ କୁଲେଇଶିଳା ସରପଞ୍ଚଙ୍କ ଉଦ୍ୟମରେ ଖାଲୁଆ ଥିବା ହାଟେ ଡମ୍ପର ଯୋଗେ ମରମ ପୋକାଇ ଉଚ୍ଚ କରାଇଥିଲେ। ତେବେ ଉକ୍ତ ହାଟରେ ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ଟିକିଏ ବର୍ଷା ହେଲେ ପରିବା ହାଟର କିଛି ସ୍ଥାନରେ ଆଣ୍ଠୁଏ ପାଣି ଜମି ରହୁଥିବାର ଦେଖିବାକୁ ମିଳୁଥିଲା। ଯାହା ଫଳରେ ହାଟକୁ ଯାଇଥିବା ଉଭୟ ବ୍ୟବସାୟ ପାଇଁ ଆସିଥିବା ବ୍ୟବସାୟୀ ଏବଂ ସାଧାରଣ ଜନତା ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।

ଏହା ବ୍ୟତୀତ ଗୋରୁମହିଷାଣୀ ବଜାର ଦେଇ ଯାଇଥିବା ରେଳ ଫାଟକ ନିକଟରେ ଏବଂ ରେଳ ରାସ୍ତା ଉପରେ ମଧ୍ୟ କିଛି ବ୍ୟବସାୟୀମାନେ ଦୋକାନ ବସାଉଥିବାରୁ ଟ୍ରେନ ଯିବା ଅସିବା ସମୟରେ ବାଧାପ୍ରାପ୍ତ ହୋଇଥାଏ। ତେବେ ଏବିଷୟରେ ସରପଞ୍ଚ ରାମଚନ୍ଦ୍ର ନାଏକଙ୍କୁ ଯୋଗାଯୋଗ କରିବାରୁ ଖାଲୁଆ ସ୍ଥାନରେ ମରମ ପକାଇବେ ଏବଂ ଡ୍ରେନେଜ ବ୍ୟବସ୍ଥା ପାଇଁ ମଧ୍ୟ ଦାବି କରିବେ ବୋଲି କହିଛନ୍ତି। ବର୍ତ୍ତମାନ ବର୍ଷା ଦିନ ଥିବାରୁ ବର୍ଷା ହେଲେ ବଜାର ଓ ହାଟର ସମସ୍ତ ଅଳିଆ ଆବର୍ଜନା ବଜାରର ମଧ୍ୟସ୍ଥାନରେ ଥିବା ଏକ ବିଶାଳ ପୋଖରୀ ଅଛି। ଉକ୍ତ ପୋଖରୀ ଉପରେ ସାମସତେ ଗାଧୁଆ ସମେତ ଲୁଗାପଟା ସଫା କରିବା ପାଇଁ ନିର୍ଭର କରିଥାନ୍ତି। ତେବେ ବର୍ତ୍ତମାନ ଡ୍ରେନେଜ୍ ନଥିବାରୁ ବର୍ଷା ହେଲେ ବଜାରର ସମସ୍ତ ଅଳିଆ ଆବର୍ଜନା ଉକ୍ତ ପୋଖରୀରେ ଆସି ଭର୍ତ୍ତି ହେଉଛି। ଏନେଇ ସ୍ଥାନୀୟ ବାସିନ୍ଦା ସରପଞ୍ଚ, ବିଡିଓ, ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସମସମ୍ୟାର ସମାଧାନ ହୋଇ ପାରୁନାହିଁ। ଏଣୁ ଯଥାଶିଘ୍ର ଉକ୍ତ ସମସ୍ୟାର ସମାଧାନ କରାଯାଉ ବୋଲି ଜନସାଧାରଣରେ ଦାବି ହେଉଛି।