Land acquisition started at Bisra Photograph: (Sambad.in)
ବିଶ୍ରା: ହାୱଡ଼ା - ମୁମ୍ବାଇ ମୁଖ୍ୟ ରେଳ ମାର୍ଗର ବିଶ୍ରା ଏବଂ ବନ୍ଧମୁଣ୍ଡା ରେଳବାଇ ଷ୍ଟେସନ ମଝିରେ ଥିବା ନୂଆ ବସ୍ତି ଅଞ୍ଚଳରେ ରେଳ ଲାଇନ ବିସ୍ତାର କାର୍ଯ୍ୟ ପାଇଁ ରେଳବାଇ ପ୍ରଶାସନ ତରଫରୁ ବୁଲଡୋଜର ଚାଳାଇ ଆଜି ଠୁ ଘର ଭଙ୍ଗା ଆରମ୍ଭ ହେଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରେଳବଜ୍ ପ୍ରଶାସନ ଆଜି ବୁଲଡୋଜର ଚଳାଇ ଜମି ଖାଲି କରିବା ପାଇଁ ଘର ଭଙ୍ଗା କାର୍ଯ୍ୟ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଦୁଇଟି ଘର ଭଙ୍ଗାଯାଇଥିବା ସୂଚନା ମିଳିଛି।
ଅତିକ୍ରମଣକାରୀମାନଙ୍କୁ ପୂର୍ବରୁ ନୋଟିସ୍ ଜାରି କରାଯାଇଥିଲା
ରେଳବାଇ ଅଧିକାରୀମାନଙ୍କ କହିବା ଅନୁସାରେ, ଅତିକ୍ରମଣକାରୀମାନଙ୍କୁ ପୂର୍ବରୁ ନୋଟିସ୍ ଜାରି କରାଯାଇଥିଲା ଏବଂ ଜମି ସ୍ୱଇଚ୍ଛାରେ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଓ ଔପଚାରିକତା ସମ୍ପୂର୍ଣ୍ଣ ହୋଇଥିବା ସତ୍ତ୍ୱେ ଜମି ଖାଲି ନକରାଯାଇଥିବାରୁ ଆଜି ବଳପୂର୍ବକ ଏହି ଅଭିଯାନ ଆରମ୍ଭ ହେଇଛି। ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏବଂ ଭାରି ପୁଲିସ୍ ବଳ ମୁତୟନ ସହ ଅଭିଯାନ ଚାଲିଛି।
ଅନ୍ୟପଟେ ପ୍ରଭାବିତ ଗ୍ରାମବାସୀମାନେ ଏହି କାର୍ଯ୍ୟବାହୀ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏଠାରେ ଅଧିକାଂଶ ଅଲ୍ପସଂଖ୍ୟକ ସମୁଦାୟର ଲୋକ ରହୁଛନ୍ତି ଏବଂ ବର୍ତ୍ତମାନ ରମଜାନ ମାସ ଚାଲିଥିବାରୁ ଲୋକମାନେ ରୋଜା ପାଳନ କରୁଛନ୍ତି। ଏହାସହ ଗାଁର ଅନେକ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ଅଂଶଗ୍ରହଣ କରୁଛନ୍ତି। ତେଣୁ ଏହି ଘର ଉଚ୍ଛେଦ ଅଭିଯାନକୁ ଅତି କମରେ ଦୁଇ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଗ୍ରାମବାସୀମାନେ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି, ଯାହା ପରେ ସେମାନେ ସ୍ୱଇଚ୍ଛାରେ ଜମି ଖାଲି କରିପାରିବେ। ବର୍ତ୍ତମାନ ସ୍ଥଳରେ ପ୍ରଶାସନୀୟ ନିରୀକ୍ଷଣରେ ଅଭିଯାନ ଜାରି ରହିଛି ଏବଂ କ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
Follow Us