ଆମେ, ସେମାନେ ଓ ପୂର୍ବାଗ୍ରହ
ଅବଶ ପରିଡ଼ା
ଏକ ଏକୀକୃତ ସମଗ୍ର ଭାବରେ ଦେଖାଯାଉଥିବା ସମାଜର ପୃଷ୍ଠ ତଳେ ଏକ ମନସ୍ତାତ୍ତ୍ୱିକ ବିଭାଜନ ରହିଛି। ତାହା ହେଉଛି ‘ଆମେ’ ଏବଂ ‘ସେମାନେ’। ସମାଜବିଜ୍ଞାନରେ, ‘ଆମେ’କୁ ନିଜ ଗୋଷ୍ଠୀ ଏବଂ ‘ସେମାନେ’କୁ ଅନ୍ୟ ଗୋଷ୍ଠୀ କୁହାଯାଏ। ଏହି ବିଭାଜନ ଧର୍ମ ଜାତି, ଭାଷା, କ୍ଷେତ୍ର, ଲିଙ୍ଗ ଓ ବର୍ଗ ଆଧାରିତ ହୋଇପାରେ। ‘ଆମେ’ ଗୋଷ୍ଠୀକୁ ସାଧାରଣ, ନୈତିକ ଓ ଶ୍ରେଷ୍ଠ ଭାବରେ ଦେଖାଯାଏ। ଅପରପକ୍ଷେ ‘ସେମାନେ’ ଗୋଷ୍ଠୀକୁ ଭିନ୍ନ, ସନ୍ଦେହଜନକ ଏପରିକି ନିକୃଷ୍ଟ ଭାବେ ବିବେଚନା କରାଯାଏ।
ଏଠି ଜାଣି ରଖିବାକୁ ହେବ ଯେ ଏହି ଦୁଇଟି ଗୋଷ୍ଠୀର ମନୋଭାବ ଆନ୍ତରିକ ଭାବରେ ଜଡ଼ିତ। କାରଣ ଗୋଟିଏ ପ୍ରମୁଖ ଗୋଷ୍ଠୀର ଅନୁଭୂତି ଅନ୍ୟ ଗୋଷ୍ଠୀର ଭାବନାରେ ପରିଣତ ହୁଏ ଏବଂ ବିପରୀତ ମଧ୍ୟ ହୁଏ। ସମାଜବିଜ୍ଞାନୀଙ୍କ ମତରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷର ବିରୋଧରୁ ହିଁ ନିଜ ପରିଚୟ ପାଇଥାଏ। ଏହି ଅର୍ଥ ହେଉଛି ଯେ ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀର ସୁରକ୍ଷା ପାଇଁ ଦମନ ହୋଇପାରୁଥିବା ଏକ ଦୁର୍ବଳ ଗୋଷ୍ଠୀର ଆବଶ୍ୟକତା ଅଛି। ଭାରତର ଜାତିପ୍ରଥାରେ ‘ଅସ୍ପୃଶ୍ୟ’ ବା ‘ଅଛୁଆଁ’ ଶବ୍ଦର ପ୍ରଚଳନ ଏହାର ଏକ ପ୍ରକୃଷ୍ଟ ଉଦାହରଣ।
ସମାଜଶାସ୍ତ୍ରୀଙ୍କ ଦ୍ୱାରା ‘ଆମେ’ ଏବଂ ‘ସେମାନେ’ ମଧ୍ୟରେ ହେଉଥିବା ବିଭାଜନର ଏକ ପରୀକ୍ଷାମୂଳକ ବର୍ଣ୍ଣନା କରାଯାଇଥିଲା। ଗବେଷକମାନେ ଏକ ବାଳକ ଶିବିରରେ କିଛି କାର୍ଯ୍ୟକଳାପ ସଂରଚନା କରିଥିଲେ। ସ୍ୱତନ୍ତ୍ର ଭାବରେ ସୃଷ୍ଟି ହୋଇଥିବା ଦୁଇଟି ଗୋଷ୍ଠୀକୁ ପୁରସ୍କାର ପାଇଁ ପରସ୍ପର ସହିତ ପ୍ରତିଯୋଗିତା କରିବାକୁ ପଡ଼ିଲା। ଦେଖାଗଲା ସମ୍ପୃକ୍ତ ଗୋଷ୍ଠୀ ସଦସ୍ୟମାନେ କିଛି ସମୟ ମଧ୍ୟରେ ପରସ୍ପର ପ୍ରତି ଶତ୍ରୁତା, ଖରାପ ଭାଷା, ଶାରୀରିକ ଆକ୍ରମଣ ଓ ରୂଢ଼ିବାଦୀ ଚିନ୍ତାଧାରା ବିକଶିତ କଲେ। ପ୍ରାରମ୍ଭରେ ପ୍ରତ୍ୟେକ ଗୋଷ୍ଠୀରେ ସଦସ୍ୟମାନେ ପରସ୍ପର ଘନିଷ୍ଠ ବନ୍ଧୁ ଥିବା ସତ୍ତ୍ବେ ପୁରସ୍କାର ପାଇଁ ପରମ ଶତ୍ରୁ ପାଲଟିଗଲେ। ଏହି ସାମାଜିକ ପରୀକ୍ଷଣର ମୂଳ କଥା ଥିଲା ଯେ ରୂଢ଼ିବାଦୀ ଓ ଭେଦଭାବର ଧାରଣାଗୁଡ଼ିକ ଶିଖାଯାଏ ନାହିଁ। ବରଂ ଏକ ପରିସ୍ଥିତି ଓ ପରିବେଶ ଦ୍ୱାରା ଏସବୁ ସୃଷ୍ଟି ହୋଇଥାଏ। ରୂଢ଼ିବାଦୀ ଓ ପକ୍ଷପାତୀ ଧାରଣାଗୁଡ଼ିକ ଯଦି ଦୀର୍ଘକାଳ ଜାରି ରହେ ତେବେ ସମାଜରେ ସେଗୁଡ଼ିକ ‘ପୂର୍ବାଗ୍ରହ’ ବା ‘ପ୍ରେଜୁଡିସ୍’ରେ ପରିଣତ ହୁଏ।
ପୂର୍ବାଗ୍ରହ ହେଉଛି- କୌଣସି ବ୍ୟକ୍ତି, ବସ୍ତୁ, ବିଷୟ, ଜାତି, ଲିଙ୍ଗ, ଧର୍ମ ବିଷୟରେ ପ୍ରକୃତ ତଥ୍ୟ ଓ ଅନୁଭୂତି ବିନା ପୂର୍ବରୁ ମନ ଭିତରେ ବସା ବାନ୍ଧିଥିବା ନିଜସ୍ବ ମତ। ଏହି ଭଳି ଧାରଣାକୁ ନେଇ ସମାଜରେ ବିଭେଦ, ହିଂସା, ଦ୍ବନ୍ଦ୍ବ ଓ ଭେଦଭାବ ସୃଷ୍ଟି ହୋଇଥାଏ। ସମାଜଶାସ୍ତ୍ରୀ ଗୋର୍ଡନ ଅଲପୋର୍ଟ ନିଜ ପୁସ୍ତକରେ ପୂର୍ବାଗ୍ରହର ଏକ ଚମତ୍କାର ବର୍ଣ୍ଣନା କରି କହିଛନ୍ତି- ଏହା ତ୍ରୁଟିପୂର୍ଣ୍ଣ ମାନସିକତା ଉପରେ ଆଧାରିତ। ଏହାକୁ ଅନୁଭବ କରାଯାଇପାରେ କିମ୍ବା ଅନେକ କ୍ଷେତ୍ରରେ ଏହା ଖୋଲାଖୋଲି ପ୍ରକାଶିତ ମଧ୍ୟ ହୋଇପାରେ। ଗୋର୍ଡନ ଅଲପୋର୍ଟଙ୍କ ମତରେ ଏହି ଧାରଣା ଏକ ଗୋଷ୍ଠୀ ଆଡ଼କୁ ନିର୍ଦ୍ଦେଶିତ ହୋଇପାରେ କିମ୍ବା ସେହି ଗୋଷ୍ଠୀର ଜଣେ ସଦସ୍ୟଙ୍କ ପ୍ରତି ମଧ୍ୟ ହୋଇପାରେ।
ଭାରତରେ ଜାତିଗତ, ଧର୍ମଭିତ୍ତିକ ଓ ଲିଙ୍ଗଭିତ୍ତିକ ପୂର୍ବାଗ୍ରହର ମାତ୍ରା ଟିକେ ଅଧିକ। ଏକ ପ୍ରାକୃତିକ ସତ୍ୟ ଭାବରେ ପୂର୍ବାଗ୍ରହ ଜାତିଭିତ୍ତିକ ପବିତ୍ରତା-ଅପବିତ୍ରତା, ଶ୍ରେଷ୍ଠତା- ହୀନତା ଆଦିର ପରିପ୍ରକାଶ କରେ। ସାମାଜିକୀକରଣ, ବୃତ୍ତି, ବିବାହ ନିୟମ ଏବଂ ଦୈନନ୍ଦିନ ପାରସ୍ପରିକ କ୍ରିୟା ମାଧ୍ୟମରେ, ପ୍ରଭାବଶାଳୀ ଓ ସାମାଜିକ ଭାବେ ଅବହେଳିତ ଜାତି ମଧ୍ୟରେ ସୀମା ନିର୍ଣ୍ଣୟ ହୁଏ। ପୂର୍ବାଗ୍ରହ ଦ୍ୱାରା ଜନ୍ମିତ ଏହି ବିଭାଜନ ସଂରଚିତ ଅସମାନତାର ପ୍ରତିଫଳନ- ଯେଉଁଠାରେ ପରିଚୟ, ମର୍ଯ୍ୟାଦା ଓ ସମ୍ବଳର ଉପଭୋଗ ଯୋଗ୍ୟତା ଦ୍ୱାରା ନୁହେଁ, ବରଂ ଜନ୍ମ ଭିତ୍ତିରେ ନିର୍ଣ୍ଣୟ କରାଯାଏ। ସେହିପରି ଧର୍ମ ସଂକ୍ରାନ୍ତ ପୂର୍ବାଗ୍ରହ ହେଉଛି ଆମ ସାମୂହିକ ବିଶ୍ୱାସରେ ବାଧକ। ଏଠାରେ ଜଣଙ୍କର ଧର୍ମ ଓ ସମ୍ପ୍ରଦାୟକୁ ଅନ୍ୟ ଧର୍ମ ତୁଳନାରେ ନୈତିକ ଭାବରେ ଶ୍ରେଷ୍ଠ ଭାବରେ ଗ୍ରହଣ କରାଯାଏ। ସାମାଜିକୀକରଣ, ସାମୂହିକ ସ୍ମୃତି, ଇତିହାସ ଓ ରାଜନୈତିକ ଗତିବିଧି ମାଧ୍ୟମରେ ଏହି ପାର୍ଥକ୍ୟଗୁଡ଼ିକ ଶକ୍ତ ଅବିଶ୍ୱାସରେ ପରିଣତ ହୁଏ। ପାଠକ ବନ୍ଧୁ ମନେ ରଖନ୍ତୁ, ପୂର୍ବାଗ୍ରହ ଦ୍ୱାରା ହୋଇଥିବା ଧର୍ମଭିତ୍ତିକ ବିଭାଜନ ଆଧ୍ୟାତ୍ମିକତା ବିଷୟରେ କମ୍ ବରଂ ପରିଚୟ, ଶକ୍ତି, କ୍ଷମତା ଓ ଗୋଷ୍ଠୀ ପ୍ରାଧାନ୍ୟର ସୁରକ୍ଷା ବିଷୟରେ ଅଧିକ।
ଆହୁରି ପଢ଼ନ୍ତୁ- Editorial: ଜାନକୀଶ ବଡ଼ପଣ୍ଡାଙ୍କ ଆଶା ଓ ଆକାଶ ସଂପାଦକୀୟରେ ‘ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସମ୍ଭବ’...
ଏହା ବ୍ୟତୀତ ମହିଳା ଓ ପୁରୁଷଙ୍କ ମଧ୍ୟରେ ଥିବା କ୍ଷମତା ଅସନ୍ତୁଳନ ପାଇଁ ଲିଙ୍ଗଗତ ପୂର୍ବାଗ୍ରହ ହିଁ ଦାୟୀ। ଏହା ମହିଳାଙ୍କ ସ୍ୱାୟତ୍ତତା, ଗତିଶୀଳତା ଓ ସ୍ୱରକୁ ସୀମିତ କରୁଛି। କେବଳ ଶାରୀରିକ ପାର୍ଥକ୍ୟକୁ ଲିଙ୍ଗଗତ ପୂର୍ବାଗ୍ରହ ଏକ ସଂରଚିତ ସାମାଜିକ ଅସମାନତାରେ ପରିଣତ କରିସାରିଛି। ଭାଷା, ବର୍ଣ୍ଣ, ସଂସ୍କୃତି, ଲିଙ୍ଗ ଓ ଶାରୀରିକ ଅକ୍ଷମତାକୁ ନେଇ ଗଢ଼ିଉଠିଥିବା ପୂର୍ବାଗ୍ରହ ସଂକ୍ରାନ୍ତ ତାଲିକା ଲମ୍ବା।
ସାମାଜିକ ନ୍ୟାୟ ଓ ସହନଶୀଳତା ଭଳି କିଛି ଗୁରୁତ୍ୱପୂର୍ଣ୍ଣ ସାମାଜିକ ମାନଦଣ୍ଡକୁ ପୂର୍ବାଗ୍ରହ ଉଲ୍ଲଂଘନ କରେ ବୋଲି ଅଭିଯୋଗ ହୁଏ। କୁହାଯାଏ ପୂର୍ବାଗ୍ରହ ଦ୍ୱାରା ସମାଜରେ ସ୍ପଷ୍ଟ ଚିନ୍ତାଧାରା ଅଧିକ କ୍ଷତି ସହିଥାଏ। ଗୋଟିଏ ନକାରାତ୍ମକ ଘଟଣା କିମ୍ବା ଅଭିଜ୍ଞତାକୁ ଅତି ସାଧାରଣ ବୋଲି ଚିତ୍ରଣ କରିବା ଏବଂ ଏଭଳି ଘଟଣା ସର୍ବଦା ଘଟିବ ବୋଲି ସିଦ୍ଧାନ୍ତ ନେବା ଦ୍ୱାରା ଗୋଷ୍ଠୀ, ଜାତି ଓ ସମ୍ପ୍ରଦାୟ ମଧ୍ୟରେ ବିଭେଦ ଦେଖାଯାଉଛି। ଏହି ବିକୃତି ପାଇଁ ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ଗଣମାଧ୍ୟମ ଅନେକାଂଶରେ ଦାୟୀ। କାରଣ ଏଠାରେ ଆମେ ସୀମିତ ପ୍ରମାଣକୁ ଆଧାର କରି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉପରେ ଏକ ସାଧାରଣ ଧାରଣା କରିନେଉଛେ।
ପୂର୍ବାଗ୍ରହ ଆମକୁ ଅସହିଷ୍ଣୁ କରିପକାଏ। ଅନ୍ୟମାନଙ୍କୁ ବ୍ୟକ୍ତି ଭାବରେ ନୁହେଁ, ବରଂ ଏକ ଶତ୍ରୁ ଗୋଷ୍ଠୀର ସଦସ୍ୟ ଭାବେ ବିଚାର କରିବାକୁ ଆମକୁ ଏହା ବାଧ୍ୟ କରେ। ଏହି ଧାରଣାରେ ପଡ଼ି ଗୋଟିଏ ଗୋଷ୍ଠୀର ସଦସ୍ୟମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କର ହିଁ କେବଳ ନୈତିକତା କିମ୍ବା ଅଧିକାର ଅଛି। ତେଣୁ ଅନ୍ୟ ଗୋଷ୍ଠୀକୁ ଦିଆଯାଇଥିବା ଯେକୌଣସି ସୁବିଧାକୁ ସେମାନେ ଅଧିକାର ଭାବରେ ନୁହେଁ, ବରଂ ଉଦାରତା କିମ୍ବା ଅନୁଗ୍ରହ ଭାବରେ ଦେଖନ୍ତି। ଉଦାହରଣ ସ୍ୱରୂପ, ମହିଳାମାନଙ୍କର କର୍ମକ୍ଷେତ୍ରରେ ଅଂଶଗ୍ରହଣକୁ ଅନେକ ସମୟରେ ମହିଳାଙ୍କ ଅଧିକାର ନୁହେଁ ବରଂ ସେମାନଙ୍କ ସଶକ୍ତୀକରଣ ପାଇଁ ପୁରୁଷମାନଙ୍କ ଦ୍ୱାରା ପ୍ରଦତ୍ତ ଅନୁଗ୍ରହ ଭାବରେ ଦର୍ଶାଯାଇଥାଏ।
ପୁଣି ଫେରିବା, ସେହି ବାଳକଙ୍କ ପ୍ରତିଯୋଗିତାକୁ ଯେଉଁଠି ସାଙ୍ଗ ପାଲଟିଥିଲା ଶତ୍ରୁ ଏବଂ ବିଶ୍ୱାସ ଅବିଶ୍ୱାସରେ ପରିଣତ ହୋଇଥିଲା। ତେବେ ଏହାର ସମାଧାନ କେମିତି ହେଲା? ପକ୍ଷପାତ ଓ ପୂର୍ବାଗ୍ରହ କେମିତି ଦୂର ହେଲା? ଗବେଷକମାନେ ଗୋଷ୍ଠୀମାନଙ୍କ ପାଇଁ ସମାନ ସମସ୍ୟା ସୃଷ୍ଟି କରିଥିଲେ। ଏକ ସମାନ ଲକ୍ଷ୍ୟ ଓ ସାମୂହିକ ପରିଶ୍ରମର ଧାରଣା ଥିଲା ଏହାର ସମାଧାନ। ଫଳାଫଳ ଥିଲା ଆଶ୍ଚର୍ଯ୍ୟଜଜନକ। ଏହା ଦ୍ୱାରା ଶତ୍ରୁତା ହ୍ରାସ ସହିତ ଗୋଷ୍ଠୀ ମଧ୍ୟରେ ସହଯୋଗ ଓ ବନ୍ଧୁତା ସୃଷ୍ଟି ହେଲା। ତେଣୁ ଆମ ସଭିଙ୍କ ସମାନ ଲକ୍ଷ୍ୟ ହିଁ ‘ଆମେ’ ଓ ‘ସେମାନେ’ର ବିଭାଜନ ଦୂର କରିବ। ପୂର୍ବାଗ୍ରହରୁ ଜାତ ଏହି ବିଭାଜନ ମାନବିକତାର ବିଭାଜନ କହିଲେ ଅତ୍ୟୁକ୍ତି ହେବ ନାହିଁ।
(ମତାମତ ଲେଖକଙ୍କ ନିଜସ୍ବ)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/03/02/sampadakiya-prustharu-2026-03-02-16-42-11.jpeg)