ବିଳାସକୈନ୍ଦ୍ରିକ ଫେସନ୍ ଶିଳ୍ପ ଯଦି ଐତିହ୍ୟକୁ ତା’ର ବ୍ୟବସାୟର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ରୂେପ ବ୍ୟବହାର କରିବାକୁ ଚାହେଁ, ତେବେ ତାକୁ ସଂପୂର୍ଣ୍ଣ ଉତ୍ତରଦାୟିତ୍ବ ଓ ସମ୍ମାନ ପ୍ରଦର୍ଶନ ସହିତ ଏହା କରିବାକୁ ହେବ। ଏକ ପ୍ରତୀକାତ୍ମକ ପଦକ୍ଷେପ ସେଥିପାଇଁ ଯଥେଷ୍ଟ ନୁହେଁ। ବିଳାସକୈନ୍ଦ୍ରିକ ଫେସନ୍ ଶିଳ୍ପ ଯଦି ଐତିହ୍ୟକୁ ତା’ର ବ୍ୟବସାୟର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ରୂେପ ବ୍ୟବହାର କରିବାକୁ ଚାହେଁ, ତେବେ ତାକୁ ସଂପୂର୍ଣ୍ଣ ଉତ୍ତରଦାୟିତ୍ବ ଓ ସମ୍ମାନ ପ୍ରଦର୍ଶନ ସହିତ ଏହା କରିବାକୁ ହେବ। ଏକ ପ୍ରତୀକାତ୍ମକ ପଦକ୍ଷେପ ସେଥିପାଇଁ ଯଥେଷ୍ଟ ନୁହେଁ।
Horoscope 2025 December 18: ଜାଣନ୍ତୁ ଆଜିର ରାଶିଫଳ
ଫେବ୍ରୁଆରି ୨୦୨୬ରେ ଇଟାଲୀୟ ହାଇଫେସନ୍ କଂପାନି ‘ପ୍ରାଡା’ ବ୍ରାଣ୍ଡ୍ ବହନ କରୁଥିବା ୨,୦୦୦ ହଳ କୋହ୍ଲାପୁରୀ ଚପଲ ଉଭୟ ପୃଥିବୀର ବିଭିନ୍ନ ସ୍ଥାନରେ ଥିବା କଂପାନିର ୪୦ଟି ଷ୍ଟୋର୍ରେ ତଥା ଅନଲାଇନ ମାଧ୍ୟମରେ ବିକ୍ରୟ ପାଇଁ ଉପଲବ୍ଧ ହେବାକୁ ଯାଉଛନ୍ତି। ‘ପ୍ରାଡା’ କଂପାନି ଏଇ ଚପଲର ବିକ୍ରୟ ମୂଲ୍ୟ ହଳପିଛା ୯୩୯ ଡଲାର୍ ଲେଖାଏଁ ରଖିବାକୁ ଯାଉଛି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଭାରତର ଦୁଇଟି ସରକାରୀ ସଂସ୍ଥା ସହିତ ‘ପ୍ରାଡା’ ସ୍ବାକ୍ଷର କରିଥିବା ଚୁକ୍ତି ଅନୁସାରେ କଂପାନି ଏଇ ଚପଲଗୁଡ଼ିକୁ ଭାରତର ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟରେ ନିର୍ମାଣ କରିବ। କଂପାନିର ଘୋଷଣା ଅନୁସାରେ ଭାରତୀୟ ନିର୍ମାତାମାନଙ୍କର ପାରମ୍ପରିକ ନିର୍ମାଣ କୌଶଳ ସହିତ ‘ପ୍ରାଡା’ର ଅତ୍ୟାଧୁନିକ ଜ୍ଞାନକୌଶଳର ମିଶ୍ରଣରେ ଏହି ଚପଲଗୁଡ଼ିକ ନିର୍ମିତ ହେବ।
ଏଠାରେ ମନେ ପକାଇ ଦିଆଯାଇପାରେ ଯେ ଗତ ଜୁନ୍ରେ ‘ପ୍ରାଡା’ କୋହ୍ଲାପୁରୀ ଚପଲର ଭାରତୀୟ ପରିଚୟକୁ ଲୁଚାଇ ତାହାକୁ ନିଜର ଉତ୍ପାଦନ ରୂପେ ପ୍ରଦର୍ଶନ କରି ଏକ ଗୁରୁତର ବିବାଦରେ ଛନ୍ଦି ହୋଇଯାଇଥିଲା। ଭାରତରେ ଏହା ଜଣାଶୁଣା ଯେ ଏଠାରେ ଲୋକପ୍ରିୟ ଦୈନନ୍ଦିନ ବ୍ୟବହୃତ କୋହ୍ଲାପୁରୀ ଚପଲର ଜନ୍ମସ୍ଥଳୀ ହେଉଛି ମହାରାଷ୍ଟ୍ରର କୋହ୍ଲାପୁର ଅଞ୍ଚଳ। ପ୍ରାୟ ଏକ ଶତାବ୍ଦୀ ଧରି ସେଠାକାର ପାରମ୍ପରିକ ନିର୍ମାତାମାନେ ଏଇ ସରଳ ସୁନ୍ଦର ହାଲୁକା ଚପଲମାନ ତିଆରି କରି ସାରା ଦେଶକୁ ଯୋଗାଇ ଆସୁଛନ୍ତି। ହଳେ ଜୋତା ତିଆରି କରି ସେଥିରେ ସୂକ୍ଷ୍ମ କାରୁକାର୍ଯ୍ୟ ଖଞ୍ଜିବା ପାଇଁ ସେମାନଙ୍କୁ ସପ୍ତାହ ସପ୍ତାହ ଲାଗି ଯାଇଥାଏ। ପ୍ରତ୍ୟେକ ଚପଲ ହଳ ଏଇ ପାରମ୍ପରିକ ନିର୍ମାତାମାନଙ୍କର କଳାନୈପୁଣ୍ୟର ସ୍ବାକ୍ଷର ବହନ କରିଥାଏ।
ପ୍ରଥମ ଅବସ୍ଥାରେ ଧୋତି କିମ୍ବା ପାଇଜାମା କୁର୍ତ୍ତା ସହିତ ଏଇ କୋହ୍ଲାପୁରୀ ପାଦୁକା ବେଶ୍ ଖାପ ଖାଇ ଯାଇଥିଲେ ହେଁ, ଭାରତୀୟମାନେ ଯେତେବେଳେ ପାଶ୍ଚାତ୍ୟ ପୋଷାକ ପରିଧାନ କରିବାକୁ ଲାଗିଲେ, ସେତେବେଳେ ଦେଖାଗଲା ଯେ କୋହ୍ଲାପୁରୀ ଚପଲ ଅନାୟାସରେ ଏହି ନୂତନ ପୋଷାକମାନଙ୍କ ସହିତ ବନ୍ଧୁତା ସ୍ଥାପନ କରିବାରେ ସଫଳ ହୋଇଗଲା। ବାସ୍ତବରେ ପାଶ୍ଚାତ୍ୟ ଜିନ୍ସ ଓ ଭାରତୀୟ କୁର୍ତ୍ତା ପରିଧାନ କରିଥିବା ବ୍ୟକ୍ତିଙ୍କ ପାଦରେ କୋହ୍ଲାପୁରୀ ଚପଲ ଶୋଭା ପାଇବା ଏକ ବାଧ୍ୟତାମୂଳକ ଫେସନ୍ ନିୟମରେ ପରିଣତ ହୋଇଗଲା। ଜୁନ୍ରେ ‘ପ୍ରାଡା’ ଯେତେବେଳେ ଇଟାଲିର ମିଲାନ୍ ଠାରେ ଅନୁଷ୍ଠିତ ତା’ର ଫେସନ୍ ପ୍ରଦର୍ଶନୀରେ କୋହ୍ଲାପୁରୀ ଚପଲକୁ ପ୍ରଦର୍ଶିତ କଲା, ତାହା ଏକ ହାଇଫେସନ୍ ପରିଧାନ ରୂପେ କୋହ୍ଲାପୁରୀ ଚପଲର ଖ୍ୟାତିକୁ ସୁଦୃଢ଼ କରି ତା’ ପାଇଁ ଆନ୍ତର୍ଜାତିକ ଖ୍ୟାତି ନିଶ୍ଚିତ କଲା। ‘ପ୍ରାଡା’ କିନ୍ତୁ ସେତେବେଳେ ଏକ ଭୁଲ୍ କରି ବସିଥିଲା- ସେ ସେଇ ଚପଲର କୋହ୍ଲାପୁର ଉତ୍ପତ୍ତି ସମ୍ବନ୍ଧରେ ସଂପୂର୍ଣ୍ଣ ନିରବ ରହିଥିଲା।
ଏହା ସେତେବେଳେ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିଲା, ଯାହାକୁ ବୌଦ୍ଧିକ ଅଧିକାର ହରଣ ଓ ଏକ ନୂତନ ଧରଣର ଉପନିବେଶବାଦ ରୂେପ ସମାଲୋଚନା କରାଯାଇଥିଲା। ଅତୀତର ଉପନିବେଶବାଦ ରାଜୁତି କରୁଥିବା ବେଳେ ଔପନିବେଶକ ଶାସକମାନେ ସେମାନଙ୍କ ଉପନିବେଶରୁ ପାର୍ଥିବ ସମ୍ବଳମାନ ହରଣ କରିବାରେ ପ୍ରବୃତ୍ତ ଥିବାବେଳେ, ଆଜିର ଉପନିବେଶବାଦୀ କଂପାନିମାନେ ପୂର୍ବତନ ଉପନିବେଶମାନଙ୍କର ବୌଦ୍ଧିକ ସମ୍ବଳ ହରଣ କରିବାରେ ବ୍ୟାପୃତ ଅଛନ୍ତି ବୋଲି ଅଭିଯୋଗ ହୋଇଥିଲା। ବର୍ତ୍ତମାନ ‘ପ୍ରାଡା’ ତା’ର ସେଇ ଭୁଲ୍ରେ ସଂଶୋଧନ ଘଟାଇ ଏଇ ସହଯୋଗମୂଳକ ପଦକ୍ଷେପ ଗ୍ରହଣ କରିଛି।
Paddy: ଖରିଫ ମଣ୍ଡି ଉଦ୍ଘାଟିତ, ପ୍ରଥମ ଦିନରେ ହୋଇପାରିଲାନି ଧାନ କିଣା
କିନ୍ତୁ ଏପରି ସହଯୋଗ ଅର୍ଥପୂର୍ଣ୍ଣ ହେବାକୁ ହେଲେ ତାହା କେବଳ ମାତ୍ର ୨,୦୦୦ ହଳ ଚପଲ ନିର୍ମାଣ କିମ୍ବା ଏକ ଫଟୋ ଉତ୍ତୋଳନ ସୁଯୋଗ ମଧ୍ୟରେ ସୀମିତ ରହିବା ଗ୍ରହଣୀୟ ନୁହେଁ। ଭାରତୀୟ ଚପଲ ନିର୍ମାତାମାନଙ୍କ ସହିତ ଯଦି ‘ପ୍ରାଡା’ର ସଂପର୍କ ଦୀର୍ଘସ୍ଥାୟୀ ନ ହୁଏ, ସେମାନଙ୍କୁ ‘ପ୍ରାଡା’ ଯଦି ଆନ୍ତର୍ଜାତିକ ମାନଦଣ୍ଡ ଅନୁସାରେ ପାରିଶ୍ରମିକ ପ୍ରଦାନ ନ କରେ କିମ୍ବା ଲାଭରେ ଅଂଶୀଦାର ନ କରେ ଏବଂ ସେମାନଙ୍କୁ ଏହି ସହଯୋଗର କେନ୍ଦ୍ର ସ୍ଥଳରେ ସ୍ଥାପନ ନ କରେ, ତେବେ ବର୍ତ୍ତମାନର ଏହି ସହଯୋଗ କେବଳ ଏକ ସାମୟିକ କ୍ଷତି ଭରଣାକାରୀ କୌଶଳ ରୂପେ ବିବେଚିତ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପରେ ସୂଚିତ କରାଯାଇଥିବା ଭଳି ‘ପ୍ରାଡା’ ବ୍ରାଣ୍ଡ୍ ବହନ କରୁଥିବା କୋହ୍ଲାପୁରୀ ଚପଲର ଯେଉଁ ବିକ୍ରୟ ମୂଲ୍ୟ ଧାର୍ଯ୍ୟ କରାଯାଇଛି, ଭାରତୀୟ ମୁଦ୍ରା ଆକାରରେ ତାହା ହେବ ପ୍ରାୟ ୮୪,୦୦୦ ଟଙ୍କା। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଫେସନ୍ ପାଗଳ ଗ୍ରାହକମାନେ ସେମାନଙ୍କର ଚପଲ ପାଇଁ ଦେବାକୁ ଯାଉଥିବା ଆକାଶଛୁଅଁା ଦାମ୍ର କେତେ ଅଂଶ ଏହାର ଭାରତୀୟ ନିର୍ମାତାମାନଙ୍କର ପକେଟ୍କୁ ଯିବ, ସେ ସମ୍ବନ୍ଧରେ ଉପରୋକ୍ତ ଚୁକ୍ତିରେ କିଛି ଉଲ୍ଲେଖ କରାଯାଇ ନାହିଁ।
କୋହ୍ଲାପୁରୀ ଚପଲ ଓ ‘ପ୍ରାଡା’ ମଧ୍ୟରେ ସଂଘଟିତ ଏହି ବିବଦମାନ କାହାଣୀରୁ ଯେଉଁ ଶିକ୍ଷା ମିଳିବା ଉଚିତ ତାହା ନିମ୍ନ ପ୍ରକାରର। ପ୍ରଥମ, ସାଂସ୍କୃତିକ ସ୍ବୀକୃତି କେବଳ ଏକ ସାମୟିକ କ୍ଷତିପୂରଣ ପ୍ରତିକ୍ରିୟା ମଧ୍ୟରେ ସୀମିତ ରହିପାରିବ ନାହିଁ। କେବଳ କୋହ୍ଲାପୁରୀ ଚପଲ ନୁହେଁ, ‘ପ୍ରାଡା’ ପରି କଂପାନିମାନେ ପୃଥିବୀ ସାରା ଏଇଭଳି ଅନେକ ସାଂସ୍କୃତିକ ଐତିହ୍ୟକୁ ନିଜର ବ୍ୟାବସାୟିକ ଲାଭ ସୃଷ୍ଟି ପାଇଁ ବ୍ୟବହାର କରିଥାନ୍ତି। ସେମାନେ ଯଦି ପ୍ରକୃତରେ ଏଇ ଐତିହ୍ୟମାନଙ୍କ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରିବାକୁ ଚାହାନ୍ତି ତେବେ ସେମାନେ ଅକଳରେ ପଡ଼ି ସେଥିରୁ ଉଦ୍ଧାର ପାଇବା ପାଇଁ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ମୂଳରୁ ହିଁ ଖୋଲାଖୋଲି ଭାବରେ ଏହି ଐତିହ୍ୟକୁ ସ୍ବୀକୃତି ପ୍ରଦାନ କରିବା ଉଚିତ। ଦ୍ବିତୀୟରେ କୋହ୍ଲାପୁରୀ ଚପଲ ଘଟଣାରେ ‘ପ୍ରାଡା’ ଅପ୍ରତ୍ୟାଶିତ ଭାବରେ ତା’ର ଗ୍ରାହକମାନଙ୍କ ତରଫରୁ ମଧ୍ୟ ପ୍ରତିକୂଳ ପ୍ରତିକ୍ରିୟାର ସମ୍ମୁଖୀନ ହେବା ଦେଖାଯାଇଥିଲା। ଏଥିରୁ ସ୍ପଷ୍ଟ ହୋଇଥାଏ ଯେ ଗ୍ରାହକମାନେ ଆଜିକାଲି ନିଷ୍କ୍ରିୟ ନୁହନ୍ତି, ସେମାନେ ସେମାନଙ୍କର ପ୍ରିୟ କଂପାନିର ଅନୈତିକ ଆଚରଣକୁ ମଧ୍ୟ ବରଦାସ୍ତ କରିବାକୁ ପ୍ରସ୍ତୁତ ନୁହନ୍ତି। ଏଣୁ ନିଜର ବ୍ୟାବସାୟିକ ସ୍ବାର୍ଥ ଦୃଷ୍ଟିରୁ ଏହି ସଚେତନ ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିବା ନିମିତ୍ତ କଂପାନିମାନେ କେବଳ ଉତ୍ତମ ମାନର ଦ୍ରବ୍ୟ ବା ସେବା ଉତ୍ପାଦନ ବା ଯୋଗାଣ କରିବା ଯଥେଷ୍ଟ ନୁହେଁ; ସେମାନଙ୍କୁ ତାହା ନୈତିକତା ଅନୁସରଣ ସହିତ କରିବାକୁ ହେବ।
ବିଳାସକୈନ୍ଦ୍ରିକ ଫେସନ୍ ଶିଳ୍ପ ଯଦି ଐତିହ୍ୟକୁ ତା’ର ବ୍ୟବସାୟର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ରୂେପ ବ୍ୟବହାର କରିବାକୁ ଚାହେଁ, ତେବେ ତାକୁ ସଂପୂର୍ଣ୍ଣ ଉତ୍ତରଦାୟିତ୍ବ ଓ ସମ୍ମାନ ପ୍ରଦର୍ଶନ ସହିତ ଏହା କରିବାକୁ ହେବ। ଏକ ପ୍ରତୀକାତ୍ମକ ପଦକ୍ଷେପ ସେଥିପାଇଁ ଯଥେଷ୍ଟ ନୁହେଁ।
Follow Us