Advertisment

Editorial: ବ୍ୟତିକ୍ରମ ବ୍ୟାଖ୍ୟାନ

Advertisment

ଭାରତୀୟ ଉଚ୍ଚ ଅଦାଲତଗୁଡ଼ିକରେ ଅନେକ ଅତ୍ୟନ୍ତ ଉତ୍କୃଷ୍ଟ ବିଚାରପତି ନିର୍ଭୀକ, ନିଷ୍ପକ୍ଷ ଓ ଉଦାହରଣୀୟ ରାୟ ପ୍ରଦାନ କରିବାରେ ଲାଗିଛନ୍ତି। କିନ୍ତୁ ମୁଷ୍ଟିମେୟ କେତେକ ବ୍ୟତିକ୍ରମ ହେତୁ ସମଗ୍ର ନ୍ୟାୟପାଳିକା ସନ୍ଦେହାସ୍ପଦ ହୋଇଉଠୁଛି।

ଭାରତୀୟ ଉଚ୍ଚ ଅଦାଲତଗୁଡ଼ିକରେ ଅନେକ ଅତ୍ୟନ୍ତ ଉତ୍କୃଷ୍ଟ ବିଚାରପତି ନିର୍ଭୀକ, ନିଷ୍ପକ୍ଷ ଓ ଉଦାହରଣୀୟ ରାୟ ପ୍ରଦାନ କରିବାରେ ଲାଗିଛନ୍ତି। କିନ୍ତୁ ମୁଷ୍ଟିମେୟ କେତେକ ବ୍ୟତିକ୍ରମ ହେତୁ ସମଗ୍ର ନ୍ୟାୟପାଳିକା ସନ୍ଦେହାସ୍ପଦ ହୋଇଉଠୁଛି।

samp1

ଭାରତୀୟ ଉଚ୍ଚ ଅଦାଲତଗୁଡ଼ିକରେ ଅନେକ ଅତ୍ୟନ୍ତ ଉତ୍କୃଷ୍ଟ ବିଚାରପତି ନିର୍ଭୀକ, ନିଷ୍ପକ୍ଷ ଓ ଉଦାହରଣୀୟ ରାୟ ପ୍ରଦାନ କରିବାରେ ଲାଗିଛନ୍ତି। କିନ୍ତୁ ମୁଷ୍ଟିମେୟ କେତେକ ବ୍ୟତିକ୍ରମ ହେତୁ ସମଗ୍ର ନ୍ୟାୟପାଳିକା ସନ୍ଦେହାସ୍ପଦ ହୋଇଉଠୁଛି। ପୁଣି, ଏତିକି ବେଳେ ଯଶୋବନ୍ତ ବର୍ମାଙ୍କ ଭଳି ବିଚାରପତିଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କାର ଉଦ୍ଧାର ଏଭଳି ସନ୍ଦେହକୁ ଅଧିକ ଦୃଢ଼ମୂଳ କରୁଛି।

ଗଲା ୨୦୧୭ ମସିହାରେ ସମଗ୍ର ଦେଶକୁ ଆଲୋଡ଼ିତ ଓ ରୁଷ୍ଟ କରିଥିବା ଉନ୍ନାଓ ନାବାଳିକା ବଳାତ୍କାର ମାମଲାର ବିଚାର ସମାପ୍ତ ହୋଇ ଦୋଷୀ ଦଣ୍ଡ ଭୋଗ କରୁଥିଲେ ହେଁ ଗଲା ବୁଧବାର ଦିନ ଦିଲ୍ଲୀ ଉଚ୍ଚ ଅଦାଲତଙ୍କ ଏ ଘଟଣା ସଂପର୍କିତ ଏକ ନିଷ୍ପତ୍ତି ପରେ ପୁନର୍ବାର ଉଦ୍‌ବେଗ ଓ ଉତ୍ତେଜନା ସୃଷ୍ଟି ହୋଇଛି, ଯହିଁରେ ନ୍ୟାୟପାଳିକାଙ୍କ ବିବେଚନାବୋଧ, ଏପରିକି ନିଷ୍ପକ୍ଷତା ସନ୍ଦେହାପନ୍ନ ହୋଇ ଉଠିଛି। ସ୍ମରଣଯୋଗ୍ୟ ଯେ ଶଂସିତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଉନ୍ନାଓର ତତ୍କାଳୀନ ବିଜେପି ବିଧାୟକ କୁଳଦୀପ ସିଂହ ସେଙ୍ଗରଙ୍କୁ ‘ପୋକ୍‌ସୋ’ ଆଇନ ଅନୁସାରେ ୨୦ ବର୍ଷ ସକାଶେ ଜେଲ ଦଣ୍ଡାଦେଶ ହୋଇଥିଲେ ହେଁ କାରାବରଣର ସାତ ବର୍ଷ ଅତିକ୍ରମ କରୁ ନ କରୁଣୁ ତାଙ୍କ ଦ୍ବାରା ଆଗତ ଏକ ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର ଏକ ଦୁଇଜଣିଆ ଖଣ୍ଡପୀଠ ଦ୍ବାରା ଦଣ୍ଡରେ ବିରାମ ଘଟାଯିବା ସହିତ ସେଙ୍ଗରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି; ଯେଉଁ ସ୍ଥିତିରେ ଆଇନ ବିଶେଷଜ୍ଞମାନେ ଅନୁମାନ କରିଥାଆନ୍ତି ଯେ ଏହା ସହିତ ସେଙ୍ଗରଙ୍କ ସ୍ଥାୟୀ ମୁକ୍ତିର ପଥ ଅନ୍ତତଃ ପରିଷ୍କାର ହୋଇଯାଇଛି। ଉଲ୍ଲେଖ‌େଯାଗ୍ୟ ଯେ ‘ପୋକ୍‌ସୋ’ ଆଇନରେ ଥିବା ଗୋଟିଏ ଧାରାକୁ ଭିନ୍ନ ରୂପେ ସଂଜ୍ଞାୟନ କରି ଖଣ୍ଡପୀଠ ଦଣ୍ଡକୁ କୋହଳ କରିଛନ୍ତି। କିନ୍ତୁ ଏଭଳି ସ୍ଥିତି‌େର ଉନ୍ନାଓ ପରି ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବାରେ ବିଫଳତା ଯେତିକି ଚିନ୍ତା ଉଦ୍ରେକ କରିଥାଏ, ତା’ ଠାରୁ ଅଧିକ ଉଦ୍‌ବେଗର କାରଣ ହୋଇଥାଏ ଉଚ୍ଚ ଅଦାଲତଗୁଡ଼ିକ ଦ୍ବାରା ବିଭିନ୍ନ ବିଷୟ ପୁନଃ ସଂଜ୍ଞାୟିତ ହେଉଥିବା ବେଳେ ବିବେଚନାବୋଧର ଅଭାବରୁ ସୃଷ୍ଟ ବିବାଦ ଓ ବିପଦ; ଯେଉଁ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 

Punjab & Sind Bank: ଗ୍ରାମୀଣ ଉଦ୍ୟୋଗ ଓ କୃଷି ବିକାଶରେ ବ୍ୟାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ

ପ୍ରକାଶ ଥାଉ କି ଜାତିସଂଘର ଏକ ଆନ୍ତର୍ଜାତିକ ସନନ୍ଦରେ ଭାରତର ସ୍ବାକ୍ଷର ସହିତ ଦେଶରେ ‘ପୋକସୋ’ (ପ୍ରଟେକ୍‌ସନ ଅଫ ଚାଇଲ୍‌ଡ ଫ୍ରମ ସେକ୍‌ସୁଆଲ ଅଫେନ୍‌ସେସ୍‌) ଆଇନ କାର୍ଯ୍ୟକାରୀ ହୋଇଛି, ଯାହାର ଉଦ୍ଦେଶ୍ୟ କଠୋର ଦଣ୍ଡର ପ୍ରାବଧାନ ମାଧ୍ୟମରେ ଉଭୟ ଲିଙ୍ଗର ଶିଶୁ ଓ ନାବାଳକଙ୍କୁ ଯୌନ-ବିକୃତିଗ୍ରସ୍ତମାନଙ୍କ ପ୍ରାଦୁର୍ଭାବରୁ ସୁରକ୍ଷା ଦେବା। ଏହି ଆଇନର ଧାରା ୫ ଅନୁସାରେ ଦୋଷୀ ସାବ୍ୟସ୍ତ କୌଣସି ସାଧାରଣ ବ୍ୟକ୍ତିଙ୍କ ସକାଶେ ସର୍ବନିମ୍ନ ୭ ବର୍ଷର କାରାଦଣ୍ଡର ପ୍ରାବଧାନ ଥିବା ବେଳେ ‘ପବ୍ଲିକ ଅଥରିଟି’ ବା ‘ଜନସାଧାରଣଙ୍କ ଉପରେ କର୍ତ୍ତୃତ୍ବ ବିସ୍ତାର କରିବାର କ୍ଷମତାଧାରୀ’ ଉତ୍ପୀଡ଼କମାନଙ୍କ କ୍ଷେତ୍ରରେ କାରାବାସ ଅବଧି ସର୍ବନିମ୍ନ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ହୋଇପାରେ। ଉନ୍ନାଓ ମାମଲାରେ, ୨୦୧୯ ମସିହାରେ, ଦିଲ୍ଲୀର ଏକ ଅଦାଲତଙ୍କ ଦ୍ବାରା ସେଙ୍ଗର ୨୦ ବର୍ଷ ସକାଶେ ଜେଲ ଦଣ୍ଡାଦେଶ ପାଇଥିଲେ। କିନ୍ତୁ, କାରାଦଣ୍ଡର ୭ ବର୍ଷ ପୂରଣ ହେବା ପରେ ଧୂର୍ତ୍ତ ବୁଦ୍ଧିର ପ୍ରୟୋଗ ଦେଇ ସେଙ୍ଗର ଯେଉଁ ଅଦାଲତୀ ଆବେଦନ କରିଥିଲେ, ତହିଁରେ ଜଣେ ବିଧାୟକ ‘ସରକାରୀ କ୍ଷମତାଧାରୀ’ ପଦବାଚ୍ୟ ନୁହେଁ ବୋଲି ଯୁକ୍ତି କରାଯାଇଛି, ଯାହାକୁ ହିଁ ଉଚ୍ଚ ଅଦାଲତ ସମର୍ଥନ ଜଣାଇ ଦଣ୍ଡାଦେଶରେ ବିରାମ ଘଟାଇଛନ୍ତି। ଏ ସଂଦର୍ଭରେ ପ୍ରଶ୍ନ ଉଠିଥାଏ ଯେ ଅଦାଲତଙ୍କ ବିବେଚନା ଅନୁସାରେ କେବଳ କ୍ଷମତାପ୍ରାପ୍ତ ସରକାରୀ ଅଧିକାରୀମାନେ କ’ଣ ‘ପବ୍ଲିକ ଅଥରିଟି’ ପର୍ଯ୍ୟାୟଭୁକ୍ତ? ଜନ ପ୍ରତିନିଧିମାନେ ‘ପବ୍ଲିକ ଅଥରିଟି’ ସଂଜ୍ଞାଭୁକ୍ତ ନୁହନ୍ତି? ଏହା ହିଁ ବିବାଦର ମଞ୍ଜି, କାରଣ ଆମ ଦେଶରେ ନିର୍ବାଚିତ ଜନ ପ୍ରତିନିଧିମାନେ ଯେ କିଭଳି ଅମିତ କ୍ଷମତାଶାଳୀ ହୁଅନ୍ତି, ତାହା ବୁଝାଇ କହିବାର ଆବଶ୍ୟକତା ନାହିଁ। ପୁଣି ସେଙ୍ଗର ଥିଲେ ରାଜ୍ୟରେ କ୍ଷମତାସୀନ ଦଳର ବିଧାୟକ! କେବଳ ସେତିକି ନୁହେଁ, ବିଧାୟକମାନଙ୍କ ବେତନ, ଭତ୍ତା, ସୁବିଧା-ସୁଯୋଗ ଓ ସଂପୃକ୍ତି ଆଦି ସବୁ କିଛି ସରକାର ଓ ସରକାରୀ ବ୍ୟବସ୍ଥା ସହିତ ସଂଯୁକ୍ତ! ଏଠାରେ ପ୍ରକାଶଯୋଗ୍ୟ ଯେ ୨୦୧୬ ମସିହାରେ, ସି.ବି.ଆଇ. ବନାମ ରମେଶ ଗେଲି ମାମଲାରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଜନ ସାଧାରଣଙ୍କ ସହିତ କାରବାର କରୁଥିବା ଘରୋଇ ବ୍ୟାଙ୍କର ଅଧିକାରୀମାନେ ମଧ୍ୟ ‘ପବ୍ଲିକ ସର୍ଭାଣ୍ଟ’ ଏବଂ ସେ ଦୃଷ୍ଟିରୁ ନିଜ କାର୍ଯ୍ୟ ସକାଶେ ବିଶେଷ ଭାବେ ଉତ୍ତରଦାୟୀ। ତେଣୁ, ‘ପବ୍ଲିକ ଅଥରିଟି’ ଭଳି ଏକ ଅଭିବ୍ୟକ୍ତିକୁ ଭିନ୍ନ ରୂପେ ପରିଭାଷିତ କରି ‘ପୋକସୋ’ ମାମଲାରେ ଦୋଷୀର ଦଣ୍ଡକୁ କୋହଳ କରାଯିବା ବିବାଦ ସୃଷ୍ଟି କରିବା ସ୍ବାଭାବିକ। 
ତେବେ, ପ୍ରସଙ୍ଗ କ୍ରମେ ଉନ୍ନାଓ ପୀଡ଼ିତାଙ୍କ ଦୀର୍ଘ ଯନ୍ତ୍ରଣା ଓ ଅପୂର୍ବ ସାହସର କଥା ଅତି ସଂକ୍ଷେପରେ ବର୍ଣ୍ଣନା କରାଯିବା ଆବଶ୍ୟକ, ଯହିଁରୁ ସେଙ୍ଗରଙ୍କ ଅମିତ କ୍ଷମତାର ଝଲକଟିଏ ମିଳିବ। ୨୦୧୮ ମସିହାରେ ବ୍ୟାପକ ଜନ ପ୍ରତିବାଦ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପୀଡ଼ିତାଙ୍କ ଆତ୍ମଦାହର ଉଦ୍ୟମ ପରେ ଥାନାରେ ସେଙ୍ଗରଙ୍କ ନାମରେ ଅଭିଯୋଗ ଦାଖଲ ହୋଇଥିଲା। ଏହି ସମୟ ଖଣ୍ଡରେ ପୀଡ଼ିତାଙ୍କ ପିତାଙ୍କୁ ମିଥ୍ୟା ଆରୋପରେ ଗିରଫ କରାଯାଇ ହାଜତରେ ପିଟିପିଟି ହତ୍ୟା କରାଯାଇଥିଲା। ବିଚାର ଚାଲିଥିବା ବେଳେ ଏକ ଟ୍ରକ୍ ଦୁର୍ଘଟଣାରେ ପୀଡ଼ିତାଙ୍କ ଦୁଇ ସଂପର୍କୀୟ ଓ ଓକିଲ ନିହତ ହୋଇଥିଲେ ଏବଂ ଗୁରୁତର ରୂପେ ଆହତ ପୀଡ଼ିତା କୌଣସମତେ ବଞ୍ଚି ଯାଇଥିଲେ; ଯେଉଁ ଦୁର୍ଘଟଣା ପଛରେ ସେଙ୍ଗରଙ୍କ ଷଡ୍‌ଯନ୍ତ୍ର ଥିଲା ବୋଲି ସି.ବି.ଆଇ. ପକ୍ଷରୁ ଏକ ମାମଲା ମଧ୍ୟ ଦାଖଲ କରାଯାଇଥିଲା, ଯାହା ସଂପ୍ରତି ବିଚାରାଧୀନ ଅଛି। ସେଙ୍ଗରଙ୍କ ପ୍ରଭାବରୁ ଦୂରେଇ ରଖିବା ଲାଗି ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶାନୁସାରେ ମାମଲାକୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠି ବିଚାର ହୋଇ ସେଙ୍ଗରଙ୍କୁ ଦଣ୍ଡିତ କରାଯାଇଥିଲା। ତେବେ, ସେ ଯାହା ହେଉ, ଦିଲ୍ଲୀ ଉଚ୍ଚ ଅଦାଲତର ସଦ୍ୟତମ ବ୍ୟାଖ୍ୟା ଓ ନିଷ୍ପତ୍ତି ଅନୁସାରେ ସେଙ୍ଗର ହେଉଛନ୍ତି ଜଣେ ନିଷ୍ପ୍ରଭାବୀ ସାଧାରଣ ବ୍ୟକ୍ତି! ଅଥଚ, ଅନେକ ଆଇନ ବିଶେଷଜ୍ଞଙ୍କ ମତରେ ଏଭଳି ନିଷ୍ପତ୍ତି ମଧ୍ୟ ହୋଇପାରେ ସେଙ୍ଗରଙ୍କ ଅମିତ ପ୍ରଭବର ଫଳଶ୍ରୁତି!

Putin: ପାକିସ୍ତାନକୁ ନେଇ ୨୪ ବର୍ଷ ତଳେ ଆମେରିକାକୁ ସତର୍କ କରାଇଥିଲେ ପୁଟିନ

‘ପୋକ୍‌ସୋ’ ଭଳି ଅତ୍ୟନ୍ତ ସ୍ପର୍ଶକାତର ସଂଦର୍ଭରେ ଭାରତୀୟ ଉଚ୍ଚ ଅଦାଲତଗୁଡ଼ିକର ତର୍ଜମା ଓ ବ୍ୟାଖ୍ୟାନ ବିଭିନ୍ନ ସମୟରେ ତୀବ୍ର ବିବାଦୀୟ, ସାଧାରଣଜ୍ଞାନ ଶୂନ୍ୟ ଓ ସଂବେଦନାହୀନ ହୋଇଛି। ୨୦୨୧ ମସିହାରେ ଦେଶର ସର୍ବୋଚ୍ଚ ଅଦାଲତରେ ଜଣେ ‘ପୋକ୍‌ସୋ’ ଅଭିଯୁକ୍ତ ପ୍ରତି ତତ୍କାଳୀନ ମୁଖ୍ୟ ବିଚାରପତି ଏସ. ଏ. ବୋବଡ଼େଙ୍କ ପ୍ରଶ୍ନ ଥିଲା ଯେ ପୀଡ଼ିତାଙ୍କୁ ବିବାହ କରି ସେ ତାଙ୍କ ଦଣ୍ଡ କୋହଳ କରିବାକୁ ଚାହାନ୍ତି କି? ଉଲ୍ଲେଖଯୋଗ୍ୟ ଯେ ଆଲହାବାଦରୁ ନେଇ ଦିଲ୍ଲୀ, ମୁମ୍ବାଇ ଓ କର୍ଣ୍ଣାଟକ ପର୍ଯ୍ୟନ୍ତ ଅନେକ ରାଜ୍ୟର ଉଚ୍ଚ ଅଦାଲତଗୁଡ଼ିକରେ ‘ପୋକ୍‌ସୋ’ ପୀଡ଼ିତାଙ୍କୁ ବଳାତ୍କାରୀ ସହିତ ବିବାହ କରିବାର ପରାମର୍ଶ ଦିଆଯାଇଛି। କର୍ଣ୍ଣାଟକ ଉଚ୍ଚ ଅଦାଲତରେ ଜଣେ ଅଭିଯୁକ୍ତକୁ ଖଲାସ କରି ଦିଆଯିବା ପଛରେ କାରଣଟି ଥିଲା ହାସ୍ୟାସ୍ପଦ; ଅର୍ଥାତ୍‌ ଉଦ୍ଦେଶ୍ୟ କୁଆଡ଼େ ସେହି ବଳାତ୍କାର ହେତୁ ଗର୍ଭବତୀ ହୋଇ ପଡ଼ିଥିବା ନାବାଳିକାଙ୍କୁ ଲୋକଲଜ୍ଜାରୁ ରକ୍ଷା କରିବା। ୨୦୨୧ ମସିହରେ ମୁମ୍ବାଇ ହାକୋର୍ଟର ବିଚାରପତି ପୁଷ୍ପା ଗଣେଦିୱାଲେ ଏକ ‘ପୋକ୍‌ସୋ’ ମାମଲାର ଶୁଣାଣି କରି କହିଥିଲେ ଯେ ପୀଡ଼ିତା ପୋଷାକ ପିନ୍ଧିଥିବାରୁ ତାଙ୍କ ସମ୍ବେଦନଶୀଳ ଅଙ୍ଗ ଉପରେ ଆପତ୍ତିଜନକ ହସ୍ତ ସଂଚାଳନ କରାଯିବା ସତ୍ତ୍ବେ ତାହା ‘ପୋକ୍‌ସୋ’ ଦଣ୍ଡବିଧି ପରିସରଭୁକ୍ତ ହେବ ନାହିଁ: ସେ ସ୍ପଷ୍ଟ କରିଥିଲେ ଯେ ଚର୍ମ ସ୍ପର୍ଶ ନ କଲା ପର୍ଯ୍ୟନ୍ତ ତାହା ମାମୁଲି ଅସଦାଚରଣ ରୂ‌େପ ପରିଗଣିତ ହେବ। ଏଭଳି ଅନେକ ଉଦାହରଣ ବିଦ୍ୟମାନ, ଯାହା ପ୍ରକାରାନ୍ତରେ ଅପରାଧୀଙ୍କ ଲାଗି ଶୋଷଣ କରିବାର ପରିସରକୁ ପ୍ରଶସ୍ତ କରିଛି। ତେବେ, ସାନ୍ତ୍ବନାଟି ହେଲା ଲୋକକ୍ଷେତ୍ର ଓ ଗଣମାଧ୍ୟମରେ ବିପୁଳ ପ୍ରତିବାଦ ପ୍ରକଟିତ ହୋଇ ମାନ୍ୟବର ସୁପ୍ରିମ କୋର୍ଟଙ୍କୁ ହସ୍ତ‌କ୍ଷେପ କରିବାକୁ ବାଧ୍ୟ କରିଛି। 
ଏ ସଂଦର୍ଭରେ ଏକ ସୁଫି ଗଳ୍ପର ବିବାଦୀୟ ବିଚାରପତି ଚରିତ୍ରରେ ଅବତୀର୍ଣ୍ଣ ମୁଲ୍ଲା ନସିରୁଦ୍ଦିନ ସ୍ମରଣକୁ ଆସନ୍ତି। ଗଳ୍ପଟି ଅନୁସାରେ ନସିରୁଦ୍ଦିନଙ୍କ ଜଣେ ମିତ୍ର ଦ୍ବାରା ସଂଘଟିତ ଅପରାଧର ଜଣେ ପ୍ରତ୍ୟକ୍ଷଦର୍ଶୀର ସାକ୍ଷ୍ୟକୁ ସେ ଏହା କହି ଖାରଜ କରି ଦେଇଥିଲେ ଯେ ଅପରାଧକୁ ଦେଖିଥିବା ଅଙ୍ଗ ଅର୍ଥାତ୍‌ ତୁମ ଆଖି କଥା କହିପାରେ ନାହିଁ ଏବଂ ସାକ୍ଷ୍ୟ ଦେଉଥିବା ଅଙ୍ଗ ଅର୍ଥାତ୍‌ ତୁମ ମୁହଁ ସ୍ବୟଂ ଦେଖିପାରେ ନାହିଁ। ତେଣୁ ତୁମେ ଏଠାରୁ ଭାଗ। ଏହା ଏକ ଚଟୁଳ ଉପାଖ୍ୟାନ ସତ, କିନ୍ତୁ ଏଥିରେ ନିହିତ ସନ୍ଦେଶଟି ଭାବଗର୍ଭକ; ଯାହା କହିଥାଏ ଯେ କୌଣସି ପକ୍ଷଭୁକ୍ତ ବିଚାରକ ନିଜ ବିବେଚନାବୋଧକୁ ଉଦ୍ଭଟତାର ଶୀର୍ଷକୁ ଘେନିଯାଇପାରେ! ଅବଶ୍ୟ, ଭାରତୀୟ ଉଚ୍ଚ ଅଦାଲତଗୁଡ଼ିକରେ ଅନେକ ଅତ୍ୟନ୍ତ ଉତ୍କୃଷ୍ଟ ବିଚାରପତି ନିର୍ଭୀକ, ନିଷ୍ପକ୍ଷ ଓ ଉଦାହରଣୀୟ ରାୟ ପ୍ରଦାନ କରିବାରେ ଲାଗିଛନ୍ତି। କିନ୍ତୁ ମୁଷ୍ଟିମେୟ କେତେକ ବ୍ୟତିକ୍ରମ ହେତୁ ସମଗ୍ର ନ୍ୟାୟପାଳିକା ସନ୍ଦେହାସ୍ପଦ ହୋଇଉଠୁଛି। ପୁଣି, ଏତିକି ବେଳେ ଯଶୋବନ୍ତ ବର୍ମାଙ୍କ ଭଳି ବିଚାରପତିଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କାର ଉଦ୍ଧାର ଏଭଳି ସନ୍ଦେହକୁ ଅଧିକ ଦୃଢ଼ମୂଳ କରୁଛି। ଏଭଳି ସ୍ଥଳେ ଉଚ୍ଚ ଅଦାଲତଗୁଡ଼ିକ ବିଶ୍ବାସଭାଜନ ହେବାକୁ ପ୍ରଯତ୍ନ କରିବା ଏକାନ୍ତ ଜରୁରି, ଯେଉଁଥି ଲାଗି ବିବାଦୀୟ ବ୍ୟାଖ୍ୟାନରୁ ଦୂରେଇ ରହିବା ଆବଶ୍ୟକ। ଏବଂ ଅଦାଲତୀ ବ୍ୟାଖ୍ୟାନଗୁଡ଼ିକ ‘ଅର୍ଥକୁ ମୋଡ଼ି ଦେଉଥିବା ଭଳି ବିଶେଷ ଜ୍ଞାନ’ର ଉପଯୋଗ ନ କରି ସାଧାରଣ ଜ୍ଞାନର ଆଶ୍ରୟ ନେବା ଉଚିତ, ଯାହାକୁ ବିଖ୍ୟାତ ଲେଖକ ଫ୍ରିଜଫ କାପ୍ରା ଅସାଧାରଣ ପ୍ରଜ୍ଞା ବୋଲି କହିଥାଆନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe