Editorial: ଆଉ ୮୫ ସେକଣ୍ଡ!

Advertisment

ଅଦୂରଦର୍ଶୀ ଓ କୁବୁଦ୍ଧିସଂପନ୍ନ କେତେକ ରାଷ୍ଟ୍ର ମୁଖ୍ୟଙ୍କ ହେପାଜତରେ ବିକଶିତ ହେଉଥିବା କୃତ୍ରିମ ବୁଦ୍ଧିମତ୍ତା ଯେ ମାନବର ଅଧିକାରରୁ ପୃଥିବୀକୁ ଅଚିରେ ଛଡ଼ାଇ ନେବ, ସେ ଆଶଙ୍କା ମଧ୍ୟ ଦିଶିଲାଣି। ତେଣୁ, ‘ମହାବିଲୟ ଘଣ୍ଟା’ର କଣ୍ଟା ମଧ୍ୟ-ରାତ୍ର ଆଡ଼କୁ ଆଉ ୫ ସେକଣ୍ଡ....

ଅଦୂରଦର୍ଶୀ ଓ କୁବୁଦ୍ଧିସଂପନ୍ନ କେତେକ ରାଷ୍ଟ୍ର ମୁଖ୍ୟଙ୍କ ହେପାଜତରେ ବିକଶିତ ହେଉଥିବା କୃତ୍ରିମ ବୁଦ୍ଧିମତ୍ତା ଯେ ମାନବର ଅଧିକାରରୁ ପୃଥିବୀକୁ ଅଚିରେ ଛଡ଼ାଇ ନେବ, ସେ ଆଶଙ୍କା ମଧ୍ୟ ଦିଶିଲାଣି। ତେଣୁ, ‘ମହାବିଲୟ ଘଣ୍ଟା’ର କଣ୍ଟା ମଧ୍ୟ-ରାତ୍ର ଆଡ଼କୁ ଆଉ ୫ ସେକଣ୍ଡ....

samp1

ଅଦୂରଦର୍ଶୀ ଓ କୁବୁଦ୍ଧିସଂପନ୍ନ କେତେକ ରାଷ୍ଟ୍ର ମୁଖ୍ୟଙ୍କ ହେପାଜତରେ ବିକଶିତ ହେଉଥିବା କୃତ୍ରିମ ବୁଦ୍ଧିମତ୍ତା ଯେ ମାନବର ଅଧିକାରରୁ ପୃଥିବୀକୁ ଅଚିରେ ଛଡ଼ାଇ ନେବ, ସେ ଆଶଙ୍କା ମଧ୍ୟ ଦିଶିଲାଣି। ତେଣୁ, ‘ମହାବିଲୟ ଘଣ୍ଟା’ର କଣ୍ଟା ମଧ୍ୟ-ରାତ୍ର ଆଡ଼କୁ ଆଉ ୫ ସେକଣ୍ଡ ଅଗ୍ରସର ହୋଇଯିବାରେ ବିସ୍ମୟର କୌଣସି କାରଣ ନ ଥାଏ; ଏଭଳି ସ୍ଥିତିରେ ‘ମହାବିଲୟ ଘଣ୍ଟା’ରୁ ମିଳୁଥିବା ସୂଚନାକୁ ଅହେତୁକ ଭୟର ସୂତ୍ରଧର ବୋଲି ବିବେଚନା କରିବା ମଧ୍ୟ ବୁଦ୍ଧିମାନର କାର୍ଯ୍ୟ ନୁହେଁ।

Cricket: ତୁଫୈଲଙ୍କ ପଦାର୍ପଣ ୮ ୱିକେଟ୍‌ ବେକାର; ପରାଜୟରେ ଋତୁ ଶେଷ କଲା ଓଡ଼ିଶା

ଗଲା ଜାନୁଆରି ୨୭ ତାରିଖରେ ମଧ୍ୟ-ରାତ୍ର ହେବାକୁ ଠିକ୍‌ ୮୫ ସେକଣ୍ଡ ବାକି ବୋଲି ସୂଚନା ଦେଇ ତଦନୁସାରେ ‘ଡୁମ୍‌ସ ଡେ କ୍ଲକ୍‌’ ବା ‘ମହାବିଲୟ ଦିବସ ଘଣ୍ଟା’ର କଣ୍ଟାକୁ ମିଳେଇ ଦିଆଯାଇଛି; ଯାହାର ଅର୍ଥ ସେହି ନିର୍ଦ୍ଦିଷ୍ଟ ଘଣ୍ଟା ଅନୁସାରେ ପୃଥିବୀ ଧ୍ବଂସ ହେବାକୁ ମାନବ ଜାତିର ହାତରେ ଅଛି ଆଉ ମାତ୍ର ୮୫ ସେକଣ୍ଡ। ‘ବୁଲେଟିନ ଅଫ ଏଟୋମିକ ସାଇଣ୍ଟିଷ୍ଟ୍‌ସ’ ପକ୍ଷରୁ ପ୍ରସ୍ତୁତ ଏହି ଘଣ୍ଟାର ୭୯ ବର୍ଷର ଇତିହାସରେ ପୃଥିବୀ ପ୍ରଥମ ଥର ଲାଗି ନିଶାର୍ଦ୍ଧ ଅର୍ଥାତ୍‌ ମହାବିନାଶର ଏତେ ସନ୍ନିକଟ ହୋଇଛି! ଘଣ୍ଟାର କଣ୍ଟାକୁ ଏହି ନିର୍ଦ୍ଦିଷ୍ଟ ବିନ୍ଦୁରେ ମିଳାଇବା ସହିତ ‘ବୁଲେଟିନ ଅଫ୍ ଏଟୋମିକ ସାଇଣ୍ଟିଷ୍ଟସ’ର ପ୍ରତିନିଧିଙ୍କ ପକ୍ଷରୁ କୁହାଯାଇଛି ଯେ ଏହାର ଲକ୍ଷ୍ୟ ହେଉଛି ଚେତାଇ ଦେବା ଯେ ପୃଥିବୀ ତା’ର ଇତିହାସରେ ସର୍ବାଧିକ ବିପଦାପନ୍ନ ସ୍ଥିତିରେ ଉପନୀତ। କହିବା ବାହୁଲ୍ୟ, ଏଭଳି ଚେତାବନୀକୁ ବୃଥା ଆଶଙ୍କା ଓ ଆତଙ୍କ ସୃଷ୍ଟିର ପ୍ରୟାସ ବୋଲି ଅନେକତ୍ର ଅଭିହିତ କରାଯାଉଥିବା ବେଳେ ପ୍ରଶ୍ନ ଉଠିଥାଏ ଯେ ‘ମହାବିଲୟର ଘଣ୍ଟା’ର ସଂକେତକୁ କିଭଳି ଗୁରୁତ୍ବ ଦିଆଯିବା ଉଚିତ? ସୁତରାଂ, ଏହି ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ବିଶେଷ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ପ୍ରକାଶ ଥାଉ କି ଦ୍ବିତୀୟ ମହାଯୁଦ୍ଧରେ ପରମାଣୁ ବୋମା ଦ୍ବାରା ସୃଷ୍ଟ ବିଭୀଷିକାର ଚାକ୍ଷୁସ ପ୍ରମାଣ ପାଇଯିବା ପରେ ମ୍ରିୟମାଣ ଆଲବର୍ଟ ଆଇନଷ୍ଟାଇନଙ୍କ ସମେତ ଏହି ବୋମା ନିର୍ମାଣ ପ୍ରକଳ୍ପ ‘ମାନହାଟାନ ପ୍ରୋଜେକ୍‌ଟ’ର ସଦସ୍ୟ ପଦାର୍ଥବିଜ୍ଞାନୀମାନେ ‘ଡୁମ୍‌ସ ଡେ କ୍ଲକ୍‌’ର ପରିକଳ୍ପନା କରିଥିଲେ, ଯାହାର ଉଦ୍ଦେଶ୍ୟ ଥିଲା ପରମାଣୁ ବିଭୀଷିକା ଓ ତଜ୍ଜନିତ ସୃଷ୍ଟିର ବିଲୟ ଘେନି ଆଶଙ୍କାକୁ ମାନବ ଜାତିର ମାନସ ପଟଳରେ ଉଜ୍ଜୀବିତ କରି ରଖିବା, ଯାହା ହୁଏତ ବିବେକର ମୃଦୁ ବେତ୍ରାଘାତ ଭଳି ଉପସ୍ଥିତ ରହିବ। ଏହି ଘଣ୍ଟାର ଡିଜାଇନ କରିଥିଲେ ଚିତ୍ରକର ମେରିଲ ଲାଙ୍ଗସଡର୍ଫ, ଯାହା ସର୍ବ ପ୍ରଥମେ ‘ବୁଲେଟିନ ଅଫ୍ ଏଟୋମିକ ସାଇଣ୍ଟିଷ୍ଟ୍‌ସ’ର ପ୍ରଚ୍ଛଦରେ ସ୍ଥାନ ପାଇଥିଲା। ଏହି ଘଣ୍ଟା କାର୍ଯ୍ୟକ୍ଷମ ହୋଇଥିଲା ୧୯୪୭ ମସିହା ଜୁନ୍‌ ମାସରେ; ଏବଂ ସେହି ସମୟରେ ଏହାର କଣ୍ଟାକୁ ନିଶାର୍ଧର ଠିକ୍‌ ୭ ମିନିଟ ପୂର୍ବରୁ ମିଳାଇ ରଖା ଯାଇଥିଲା। ତା’ ପର ଠାରୁ ପୃଥିବୀର ରାଜନୈତିକ ଓ ରଣନୈତିକ ସ୍ଥିତି, ଯୁଦ୍ଧ ଓ ସନ୍ଧିର ପରିବେଶ ଇତ୍ୟାଦିକୁ ନେଇ ଏହି କଣ୍ଟାକୁ ବିଭିନ୍ନ ସମୟରେ ମଧ୍ୟ-ରାତ୍ରର ନିକଟବର୍ତ୍ତୀ ବା ଦୂରବର୍ତ୍ତୀ କରାଯାଇଆସିଛି; ଯଦିଓ ମହାବିଲୟ ଆଡ଼କୁ କଣ୍ଟାର ଗତି ଅଗ୍ରସର ହେବାର ଦୃଷ୍ଟାନ୍ତ ଅଧିକ ରହିଛି। ପ୍ରକାଶ ଥାଉ କି ସର୍ବମୋଟ ଆଠ ଥର ଲାଗି ଘଣ୍ଟା କଣ୍ଟା ନିଶାର୍ଧ ଠାରୁ ଦୂରେଇଛି, ଅର୍ଥାତ୍‌ ପୃଥିବୀକୁ ଆଶ୍ବସ୍ତ କଲା ଭଳି ଶାନ୍ତ ପରିବେଶ ସୃଷ୍ଟି ହୋଇଛି। ବର୍ତ୍ତମାନ ସେହି ଘଣ୍ଟାରେ ରାତି ବାରଟା ବାଜିବାକୁ ଆଉ ମାତ୍ର ୮୫ ସେକଣ୍ଡ ରହିଥିବା ବେଳେ ୧୯୯୧ ମସିହାରେ ଏହାର କଣ୍ଟା ଓଲଟା ଦିଗରେ ଗତି କରି ନିଶାର୍ଧରୁ ୧୭ ମିନିଟ୍‌ ଦୂରରେ ରହିଥିଲା। କାରଣ, ସେହି ବର୍ଷ ସୋଭିଏତ ସଂଘର ବିଲୟ ଘଟି ଶୀତଳ ଯୁଦ୍ଧର ଅବସାନ ଘଟିଥିବାରୁ ଘଣ୍ଟାର କଣ୍ଟା ଓଲଟ ଗତି କରିଥିଲା ଏବଂ ସୂଚାଇ ଥିଲା ଯେ ପୃଥିବୀ ଶାନ୍ତିକାମୀ ହୋଇଛି। ୧୯୬୨ ମସିହାରେ କ୍ୟୁବା ଉପରେ ଆମେରିକାର ଆକ୍ରମଣ ପ୍ରେକ୍ଷାପଟରେ ଯେତେବେଳେ ‌େସାଭିଏତ ସହିତ ଏକ ଆଣବିକ ସଂଘାତ ନେଇ ‘ମୁହୂର୍ତ୍ତ’ର ଓଲଟ ଗଣତି ଆରମ୍ଭ ହୋଇଯାଇଥିଲା, ଘଣ୍ଟାର କଣ୍ଟା ମଧ୍ୟ-ରାତ୍ର ଠାରୁ ସେହି ୭ ମିନିଟ୍‌ ଦୂରରେ ଥିଲା, କାରଣ ଏକ ବିପଦାପନ୍ନ ପୃଥିବୀକୁ ଦର୍ଶାଇବା ଲାଗି ସମୟର ସେତିକି ବ୍ୟବଧାନ ମଧ୍ୟ ଯଥେଷ୍ଟ ଥିଲା। କିନ୍ତୁ ସେହି ଅସନ୍ନ ବିପଦ ଟଳିଯିବା ପରେ ଆଶ୍ବାସନାଭରା ବାତାବରଣ ସୃଷ୍ଟି ହୋଇ ଘଣ୍ଟା କଣ୍ଟାକୁ ୫ ମିନିଟ୍‌ ପଛକୁ ଫେରାଇ ଅଣାଯାଇଥିଲା। ତେବେ, ପ୍ରକାଶ ଥାଉ କି ଗଲା ୨୦୨୪-୨୫ ମସିହାରେ ଏହି ଘଣ୍ଟାର କଣ୍ଟା ରାତି ୧୨ଟା ବାଜିବାକୁ ଆଉ ମାତ୍ର ୯୦ ସେକଣ୍ଡ ବାକି ବୋଲି ସୂଚାଇ ଥିଲା, ଯାହା ଅନେକଙ୍କ ମେରୁଦଣ୍ଡରେ ଭୟର ଶୀତଳ ଶିହରଣ ମଧ୍ୟ ସୃଷ୍ଟି କରିଥିବ। ଏବେ ସେହି କଣ୍ଟା ଆହୁରି ପାଞ୍ଚ ସେକଣ୍ଡ ଅଗ୍ରସର ହେଲାଣି! ତେଣୁ ସେହି ଭୟ ଆହୁରି ଘନୀଭୂତ ହେବା ସ୍ବାଭାବିକ। କିନ୍ତୁ, ଏଭଳି ସ୍ଥିତିରେ ଆଉ ଏକ ବ୍ୟାଖ୍ୟାନ ମଧ୍ୟ ସୃଷ୍ଟି ହେଉଛି ଯେ ଯଦିଓ ଭୟର ସେମିତି ବିଶେଷ କାରଣ ନାହିଁ; ବିଭୀଷିକାର ଆଗତଦ୍ରଷ୍ଟାମାନେ ତୁଚ୍ଛା ଆତଙ୍କ ସୃଷ୍ଟି କରିବାରେ ବ୍ୟାପୃତ! 

Horoscope 2026 February 2: ଜାଣନ୍ତୁ ଆଜିର ରାଶିଫଳ

ଗଲା ଜାନୁଆରି ୨୭ ତାରିଖ‌େର ଘଣ୍ଟାର କଣ୍ଟାକୁ ରାତି ୧୨ ବାଜିବାକୁ ୮୫ ସେକଣ୍ଡରେ ରଖି ମିଳାଇବା ପରେ ‘ବୁଲେଟିନ ଅଫ୍ ଏଟୋମିକ ସାଇଣ୍ଟିଷ୍ଟ୍‌ସ’ର ପ୍ରତିନିଧିଙ୍କ ପକ୍ଷରୁ କୁହାଯାଇଛି ଯେ ଯୁଦ୍ଧ, ସଂତ୍ରା‌ସ, ଜଳବାୟୁ ପରିବର୍ତ୍ତନ, ଯୁଦ୍ଧଖୋର ତଥା ଆକ୍ରମଣାତ୍ମକ ମନୋବୃତ୍ତି ସଂପନ୍ନ ରାଷ୍ଟ୍ରମୁଖ୍ୟମାନଙ୍କ ଆବିର୍ଭାବ, ଉତ୍କଟ ଜାତୀୟତାବାଦର ଉଚ୍ଚାଟ, ପାନ୍‌ଡେମିକର ଭୟ ଏବଂ କୃତ୍ରିମ ବୁଦ୍ଧିମତ୍ତାର ଅନିୟନ୍ତ୍ରିତ ଓ ବିବେକହୀନ ବିକାଶ ଇତ୍ୟାଦି ଭଳି କାରଣରୁ ପୃଥିବୀ ଅତ୍ୟନ୍ତ ଅଶାନ୍ତ ଏବଂ ଇତିହାସର ସର୍ବାଧିକ ବିପଦାପନ୍ନ ସ୍ଥିତିରେ ଉପସ୍ଥିତ! ଉପରୋକ୍ତ ବିବୃତ୍ତିରେ କୌଣସି ଅତିଶୟୋକ୍ତି ଅଛି କି? ଦ୍ବିତୀୟ ମହାଯୁଦ୍ଧ ପରବର୍ତ୍ତୀ କାଳ ଖଣ୍ଡ ଥିଲା, ଦୁଇ ଦୁଇଟି ମହାଯୁଦ୍ଧର ବିଭୀଷିକା ପ୍ରତ୍ୟକ୍ଷ କରିଥିବା ମାନବ ଜାତି ସକାଶେ ବିବେକ ଅଭ୍ୟୁଦୟର ବେଳ; ଯେଉଁ ସମୟରେ ଜାତିସଂଘର ପ୍ରତିଷ୍ଠା ହେବା ସହିତ ଛୋଟ-ବଡ଼ ଏବଂ ସବଳ-ଦୁର୍ବଳ ନିର୍ବିଶେଷରେ ପୃଥିବୀର ସମସ୍ତ ରାଷ୍ଟ୍ରଙ୍କୁ ସୁରକ୍ଷା, ଶାନ୍ତି, ସମ୍ମାନ ଓ ନ୍ୟାୟ ପ୍ରଦାନ ସକାଶେ ଅନେକ ଅନୁଷ୍ଠାନ, ସନନ୍ଦ ଓ ଚୁକ୍ତିନାମାକୁ ରୂପ ଦିଆଯାଇଥିଲା। ଏହି ପ୍ରକରଣରେ ନେତୃତ୍ବ ପ୍ରଦାନ କରିଥିଲା ଯୁକ୍ତରାଷ୍ଟ୍ର ଆମେରିକା, ଯାହା ସଂପ୍ରତି ସେହି ନୈତିକାଦର୍ଶର ସଂପୂର୍ଣ୍ଣ ବିପରୀତରେ ଗତି କରୁଛି। ଡୋନାଲ୍‌ଡ ଟ୍ରଂପଙ୍କ ଭଳି ଜଣେ ଉଦ୍‌ଭ୍ରାନ୍ତ ବ୍ୟକ୍ତି ଆମେରିକାର ରାଷ୍ଟ୍ରପତି ହେବା ପରେ ଅନେକ ଶାନ୍ତିକାମୀ ବିଶ୍ବସ୍ତରୀୟ ଅନୁଷ୍ଠାନଗୁଡ଼ିକରୁ ସେ ଆମେରିକାକୁ ଦୂରେଇ ନେବାରେ ପ୍ରବୃତ୍ତ। ଜଳବାୟୁ ପରିବର୍ତ୍ତନ ଜନିତ ଦୁଃସ୍ଥିତିରେ ପୃଥିବୀ ଅଣନିଃଶ୍ବାସୀ ହୋଇ ସାରିଥିବା ବେଳେ ଟ୍ରଂପ ‘ଜଳବାୟୁ ପରିବର୍ତ୍ତନ’ ଭଳି ବିଷୟକୁ ଏକ ଭାଣ୍ଡାମି ବୋଲି ବିଚାର କରନ୍ତି; ଯେଉଁ କାରଣରୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ସୃଷ୍ଟ ଅନ୍ତର୍ଜାତୀୟ ସହଯୋଗଭିତ୍ତିକ ରାଜିନାମା ‘ପ୍ୟାରିସ ଟ୍ରିଟି’ରୁ ଓହରି ଯାଇଛନ୍ତି। ୟୁକ୍ରେନ ଓ ଭେନେଜୁଏଲା ଉପରେ ଆକ୍ରମଣ ଏବଂ ଗ୍ରୀନଲାଣ୍ଡକୁ ଅଧିକାର କରିନେବାର ପ୍ରବଣତା ମଧ୍ୟରେ ଦିଶିଥାଏ କିଭଳି ରାଷ୍ଟ୍ରଗୁଡ଼ିକର ସାର୍ବଭୌମତ୍ବ ତା’ର ଅନତିକ୍ରମ୍ୟ ପବିତ୍ରତା ହରାଇ ସାରିଲାଣି। ‘ନାଟୋ’ ଭଳି ଏକ ମିତ୍ରତା ଆଧାରୀ ଶକ୍ତିଶାଳୀ ସାମରିକ ଅନୁଷ୍ଠାନ ଭାଙ୍ଗି ଯିବାର ଦ୍ବାର ଦେଶରେ। ଏହା ଲେଖା ହେବା ବେଳକୁ ପୃଥିବୀର ଏକାଧିକ ସ୍ଥାନରେ ନୂତନ ଯୁଦ୍ଧ ସକାଶେ ଭୂମିକା ପ୍ରସ୍ତୁତ ହେବାରେ ଲାଗିଛି। ଏଣେ, ଅଦୂରଦର୍ଶୀ ଓ କୁବୁଦ୍ଧିସଂପନ୍ନ କେତେକ ରାଷ୍ଟ୍ର ମୁଖ୍ୟଙ୍କ ହେପାଜତରେ ବିକଶିତ ହେଉଥିବା କୃତ୍ରିମ ବୁଦ୍ଧିମତ୍ତା ଯେ ମାନବର ଅଧିକାରରୁ ପୃଥିବୀକୁ ଅଚିରେ ଛଡ଼ାଇ ନେବ, ସେ ଆଶଙ୍କା ମଧ୍ୟ ଦିଶିଲାଣି। ତେଣୁ, ‘ମହାବିଲୟ ଘଣ୍ଟା’ର କଣ୍ଟା ମଧ୍ୟ-ରାତ୍ର ଆଡ଼କୁ ଆଉ ୫ ସେକଣ୍ଡ ଅଗ୍ରସର ହୋଇଯିବାରେ ବିସ୍ମୟର କୌଣସି କାରଣ ନ ଥାଏ; ଏଭଳି ସ୍ଥିତିରେ ‘ମହାବିଲୟ ଘଣ୍ଟା’ରୁ ମିଳୁଥିବା ସୂଚନାକୁ ଅହେତୁକ ଭୟର ସୂତ୍ରଧର ବୋଲି ବିବେଚନା କରିବା ମଧ୍ୟ ବୁଦ୍ଧିମାନର କାର୍ଯ୍ୟ ନୁହେଁ। 
ପୃଥିବୀର ସବୁ ପ୍ରାନ୍ତରେ ସର୍ଜନା ଓ ବିଲୟକୁ ନେଇ ଲୋକ ବିଶ୍ବାସ ରହି ଆସିଛି, ଯହିଁରୁ ଅନେକ ପୁରାଣ, କିଂବଦନ୍ତି ଓ ଲୋକ କଥାର ସୃଷ୍ଟି। ଭାରତୀୟ ବିଶ୍ବାସରେ କଳି ଯୁଗ ହେଉଛି ମହାବିଲୟର ଦ୍ବାରଦେଶରେ ଉପନୀତ ସମୟ; ଯାହା ବର୍ତ୍ତମାନ ଚାଲିଛି। ପ୍ରାଚୀନ ଭାରତୀୟଙ୍କ ଭଳି ପ୍ରାଚୀନ ଆମେରିଣ୍ଡିଆନ ସଭ୍ୟତା ଯେମିତି କି ‘ମାୟା’ ବା ‘ଆଜଟେକ’ର ମନୁଷ୍ୟମାନେ ବିଶ୍ବାସ କରୁଥିଲେ ଯେ ପୃଥିବୀର ବିଲୟ ଘଟିବ ଦୀର୍ଘ ଦୁର୍ଭିକ୍ଷ ଏବଂ ପ୍ରଳୟଙ୍କରୀ ବନ୍ୟା ଦ୍ବାରା, ଯାହାର କାରଣ ହେବ ମନୁଷ୍ୟମାନଙ୍କ ଅନୀତି, ଲୋଭ ଓ ବ୍ୟଭିଚାରର ସୀମାହୀନତା! ଏବର ଦୃଶ୍ୟ ସହିତ ଏହି ପ୍ରାଚୀନ ବିଶ୍ବାସ ମେଳ ଖାଇ ଯାଇ ନ ଥାଏ କି? ତେବେ, ୟୁରୋପରୁ ନେଇ ଆମେରିକା ପର୍ଯ୍ୟନ୍ତ ଶ୍ବେତାଙ୍ଗ ଅଧିକୃତ ଭୂଖଣ୍ଡରେ ମହାବିଲୟକୁ ନେଇ ସର୍ବାଧିକ ଲୋକପ୍ରିୟ ଲୋକଗଳ୍ପ ହେଉଛି ‘ହେନିପେନି’ର କାହାଣୀ। ସେହି କାହାଣୀ କହିଥାଏ କିଭଳି ‘ହେନିପେନି’ ନାମକ କୁକୁଡ଼ା ଛୁଆର ମୁଣ୍ଡ ଉପରେ ଓକ୍‌ ଫଳଟିଏ ଖସି ପଡ଼ିବାରୁ ଭୟ‌େର ସେ ତୁଚ୍ଛା ଉଚ୍ଚାଟ ସୃଷ୍ଟି କରି ଦିଏ ଯେ ଆକାଶ ଛିଣ୍ଡି ପଡ଼ିଲାଣି ଏବଂ ପୃଥିବୀ ଧ୍ବଂସ ପାଇଯିବ। ସେହି କଥାକୁ ବିଶ୍ବାସ କରି ସମସ୍ତେ ବୃଥାରେ ଛାନିଆ ହୋଇଯାଆନ୍ତି। ‘ହେନିପେନି’ ଗପଟିକୁ ମନେ ପକାଇ ‘ଡୁମ୍‌ସ ଡେ କ୍ଲକ୍‌’ର ସମୟ ସୂଚନାକୁ କେହିକେହି ହୁଏତ ବୃଥା ଭୟ ବୋଲି କହୁଥିବେ! କିନ୍ତୁ ଏଭଳି ଧାରଣାର ବିପଦଟି ହେଲା ଘଣ୍ଟା କଣ୍ଟାକୁ ପଛକୁ ଫେରାଇବା ଲାଗି କୌଣସି ଉଦ୍ୟମ ହେବ ନାହିଁ ଏବଂ ଆମକୁ ହତଭମ୍ବ ଓ ଅପ୍ରସ୍ତୁତ କରି କରି ହୁଏତ ହଠାତ୍‌ ରାତି ୧୨ଟା ବାଜିଯିବ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe