ବସନ୍ତରାଜ ସାହୁ
ଏଥରର ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଇଫି)ରେ ଯୋଗ ଦେବା ଅନେକ ଦୃଷ୍ଟିରୁ ନିଆରା ଓ ଆଶା ବହନକାରୀ ଥିଲା। ଗୋଆର ରାଜଧାନୀ ପାଣାଜୀରେ ହେଉଥିବା ଏହି ଉତ୍ସବର ଇତିହାସରେ ପ୍ରଥମ ଥର ପାଇଁ ପରେଡ୍ ସହ ଉଦ୍ଘାଟନ କାର୍ଯ୍ୟକ୍ରମ କରାଯାଇଥିଲା। ବିଶ୍ବ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରର ସିନେ ନିର୍ମାତା, ଅଭିନେତା ଓ ସିନେପ୍ରେମୀ ଏହି ମହୋତ୍ସବରେ ନିଜନିଜ ସିନେମା ପ୍ରଦର୍ଶନ କରିବା ସହ ବିଭିନ୍ନ ବିଭାଗର ପୁରସ୍କାର ଦୌଡ଼ରେ ମଧ୍ୟ ସାମିଲ ହୋଇଥିଲେ। ୫୬ତମ ସଂସ୍କରଣରେ ପହଞ୍ଚିଥିବା ଏହି ମହୋତ୍ସବ ଆଜି ଅଗ୍ରଣୀ ବିଶ୍ବ ଚଳଚ୍ଚିତ୍ର ମହୋତ୍ସବଗୁଡ଼ିକ ମଧ୍ୟରେ ସାମିଲ ହେବାର ଶକ୍ତିଶାଳୀ ଦାବିଦାର ହେଲାଣି। ଏହାର ଗୋଟିଏ ସଂକେତ ହେଲା ଏଥର ୧୨୭ ଦେଶର ୩୪୦୦ରୁ ଅଧିକ ଚଳଚ୍ଚିତ୍ର ‘ଇଫି’ରେ ଭାଗ ନେବା ପାଇଁ ଆବେଦନ କରିବା।
ରେଡ୍ କାର୍ପେଟ୍ରେ ଦେଶବିଦେଶର ତାରକାମାନଙ୍କ ପଦାର୍ପଣ ଯେତିକି ଆଖିଝଲସା ଥିଲା ‘ମାଷ୍ଟର୍କ୍ଲାସ୍’ରେ ବିଧୁ ବିନୋଦ ଚୋପ୍ରା, ଅନୁପମ ଖେର, ରମେଶ ସିପ୍ପି, ବିଶାଲ ଭରଦ୍ବାଜ, ରାଜୁ ହିରାନୀ, ଆମିର ଖାନ ଭଳି ପ୍ରବୀଣଙ୍କ ଆଲୋଚନା ଥିଲା ସେତିକି ଶିକ୍ଷଣୀୟ। ଏହି ମହୋତ୍ସବରେ ଚଳଚ୍ଚିତ୍ର ପ୍ରଦର୍ଶନ ହେଉ ବା ଆଲୋଚନାଚକ୍ର ହେଉ, ନିର୍ମାତା ଓ ଅତିଥିଙ୍କ ସହିତ ସିଧାସଳଖ କଥା ହେବାର ସୁଯୋଗ ସବୁଠାରୁ ଆକର୍ଷଣୀୟ ଥିଲା। ସେହି କାରଣରୁ ଓଡ଼ିଆ ଅଭିନେତା ମନୋଜ ମିଶ୍ର ଦର୍ଶକଙ୍କ ଗହଣରୁ ଆମିର ଖାନଙ୍କୁ ଓଡ଼ିଆ ସିନେମା ଶିଳ୍ପ ସମ୍ପର୍କିତ ନିଜର କ୍ଷୋଭ ବ୍ୟକ୍ତ କରିପାରିଲେ, ଯାହା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି।
Sriprakash Jaiswal dies : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରକାଶ ଜୟସୱାଲଙ୍କ ପରଲୋକ
Zero Fatality Fortnight: ଶୂନ ମୃତାହତ ପକ୍ଷ ପାଳନ: ୧୩ ଦିନରେ ୧୦ ମୃତ, ୩୦ରୁ ଊର୍ଦ୍ଧ୍ବ ଆହତ
‘ଇଫି’ରେ ଏଥର ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଓ ଅଭିନେତାଙ୍କ ଉପସ୍ଥିତି ଖୁବ୍ ଉତ୍ସାହଜନକ ଥିଲା। ଇଣ୍ଡିଆନ୍ ପାନୋରାମା ଫିଚର ବିଭାଗରେ ନିର୍ଦେଶକ ବିଶାଲ ପଟ୍ଟନାୟକଙ୍କ ‘ମାଳିପୁଟ ମେଲୋଡିଜ୍’, ନନ୍-ଫିଚର ବିଭାଗରେ ହିମାଂଶୁ ଖଟୁଆଙ୍କ ‘ମହିମା ଅଲେଖ’ ଏବଂ ଗାଲା ପ୍ରିମିଅର୍ ବିଭାଗରେ ଅଭିଷେକ ସ୍ବାଇଁଙ୍କ ‘ବିନ୍ଦୁସାଗର’ ପ୍ରଦର୍ଶିତ ହୋଇଥିଲା। ତେବେ ଏହି ତିନିଟି ଚଳଚ୍ଚିତ୍ରରେ ଓଡ଼ିଶାର ପ୍ରତିନିଧିତ୍ବ ସୀମିତ ନଥିଲା। ପ୍ରଯୋଜକ ଅକ୍ଷୟ ପରିଜା ଅନ୍ତର୍ଜାତୀୟ ସହଭାଗିତାରେ ନିର୍ମିତ ‘ପାପା ବୁକା’ ସିନେମା ଟିମ୍ ସହ ଆସିଥିଲେ, ନୀଳମାଧବ ପଣ୍ଡା ସିଂହଳୀ ଚଳଚ୍ଚିତ୍ର ‘ସ୍ପାଇଂ ଷ୍ଟାର୍ସ’ ଏବଂ ଜିତେନ୍ଦ୍ର ମିଶ୍ର ରାଜସ୍ଥାନୀ ଚଳଚ୍ଚିତ୍ର ‘ହ୍ବିସ୍ପର୍ସ ଅଫ୍ ଦି ମାଉଣ୍ଟେନ୍ସ’ର ପ୍ରଯୋଜକ ଭାବେ ଏହି ମହୋତ୍ସବରେ ଅଂଶଗ୍ରହଣ କରିଥିଲେ। ଏହା ଛଡ଼ା ମାଷ୍ଟର୍କ୍ଲାସ୍ ଆଲୋଚନାରେ ନୀଳମାଧବ ପଣ୍ଡା ପରିବେଶ ଉପରେ ସିନେମା ନିର୍ମାଣର କୁପ୍ରଭାବ ସମ୍ପର୍କରେ ଆଲୋକପାତ କରି ଏହାକୁ ହ୍ରାସ କରିବା ପାଇଁ ଆହ୍ବାନ କରିବା ଖୁବ୍ ପ୍ରାସଙ୍ଗିକ ଥିଲା। ‘ଇଫି’ କାର୍ଯ୍ୟକ୍ରମର ବିଭିନ୍ନ ଦିବସ ଓ ସ୍ଥାନରେ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ, ଅଭିନେତ୍ରୀ ସୁପ୍ରିୟା ନାୟକ, ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ, ଲେଖିକା ବିୟତ୍ପ୍ରଜ୍ଞା ତ୍ରିପାଠୀଙ୍କୁ ଆକସ୍ମିକ ଭେଟିବା ପରେ ମନେ ହେଲା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ ଲୋକମାନେ ଆଜି ଉତ୍ସାହ ଓ ଉଦ୍ଦୀପନାରେ ପରିପୂର୍ଣ୍ଣ। ଦର୍ଶକମାନେ ତାଳ ଦେଇ ସେମାନଙ୍କୁ ସମର୍ଥନ କରିବା ଦରକାର।
ଏଥରର ‘ଇଫି’ରେ...
୮୪ଟି ଦେଶର ୨୭୦ରୁ ଅଧିକ ଚଳଚ୍ଚିତ୍ର
୨୬ଟି ଵାର୍ଲଡ୍ ପ୍ରିମିଅର୍, ୫ଟି ଇଣ୍ଟରନେସନାଲ ପ୍ରିମିଅର୍, ୪୮ଟି ଏସିଆ ପ୍ରିମିଅର୍ ଓ ୯୯ଟି ଇଣ୍ଡିଆନ୍ ପ୍ରିମିଅର୍
୫୦ଟି ମହିଳା ନିର୍ଦେଶକ ଓ ୫୦ରୁ ଅଧିକ ନବାଗତ ନିର୍ଦେଶକଙ୍କ ଚଳଚ୍ଚିତ୍ର
୪୫,୦୦୦ରୁ ଅଧିକ ଅଂଶଗ୍ରହଣକାରୀ
ଉଦ୍ଘାଟନୀ ଚଳଚ୍ଚିତ୍ର ‘ଦି ବ୍ଲୁ ଟ୍ରେଲ୍’ ଦେଖିଲା ପରେ କାର୍ଯ୍ୟକ୍ରମର ନିର୍ଦେଶକ ଶେଖର କପୁରଙ୍କ ପ୍ରତି ସମ୍ମାନ ବଢ଼ିଗଲା, ଏଥିପାଇଁ ଯେ ସେ ଏକ ‘ଡିଷ୍ଟୋପିଆନ୍’ ସିନେମାକୁ ପ୍ରଥମ ସିନେମା ଭାବେ ବାଛିଲେ। ଏହି ବ୍ରାଜିଲିଆନ୍ ଚଳଚ୍ଚିତ୍ରରେ ଏକଛତ୍ରବାଦୀ ସରକାରଙ୍କ ଅଧୀନରେ ଜଣେ ମହିଳାଙ୍କ ଆତ୍ମ ଆବିଷ୍କାରର ଯାତ୍ରାକୁ ଦେଖାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ଆୟୋଜିତ ଏହି ମହୋତ୍ସବରେ କଳାତ୍ମକ ଅଭିବ୍ୟକ୍ତିକୁ ସେନ୍ସର୍ ବା ନିୟନ୍ତ୍ରଣ କରିବାର କୌଣସି ଉଦ୍ୟମ କରାଯାଇନାହିଁ, ଯେଉଁ କାରଣରୁ ଏହି ମହୋତ୍ସବର ଅନ୍ତର୍ଜାତୀୟ ଗୁରୁତ୍ବ ବୃଦ୍ଧି ପାଇବାରେ ଲାଗିଛି। ବ୍ୟବସାୟ ହିଁ ଚଳଚ୍ଚିତ୍ରର ସଫଳତାର ବଡ଼ ମାପକାଠି- ଏହାକୁ ହୃଦୟଙ୍ଗମ କରି ‘ଇଫି’ ସହ ପ୍ରତି ବର୍ଷ ଆୟୋଜିତ ହେଉଛି ‘ଫିଲ୍ମ ବଜାର’। ଏଥର ଏଠାରେ ରେକର୍ଡ ମୂଲ୍ୟର ଚଳଚ୍ଚିତ୍ର କିଣାବିକା ହେବା ଏହି ମହୋତ୍ସବର ଆଉ ଏକ ମାଇଲଖୁଣ୍ଟ।
ପୁରସ୍କାର ତାଲିକା
ଶ୍ରେଷ୍ଠ ଚଳଚ୍ଚିତ୍ର (ଗୋଲ୍ଡେନ୍ ପିକକ୍)- ସ୍କିନ୍ ଅଫ୍ ୟୁଥ୍ (ଭିଏତନାମ)
ଶ୍ରେଷ୍ଠ ନିର୍ଦେଶକ (ସିଲ୍ଭର୍ ପିକକ୍)- ସନ୍ତୋଷ ଦବାଖର (ଗୋନ୍ଧଳ)
ଶ୍ରେଷ୍ଠ ଅଭିନେତା (ସିଲ୍ଭର୍ ପିକକ୍)- ଉବେଇମାର୍ ରିଅସ୍ (ଏ ପଏଟ୍)
ଶ୍ରେଷ୍ଠ ଅଭିନେତ୍ରୀ (ସିଲ୍ଭର୍ ପିକକ୍)- ଜାରା ସୋଫିଜା ଓଷ୍ଟାନ (ଲିଟିଲ୍ ଟ୍ରବ୍ଲ ଗର୍ଲସ)
‘ଇଫି’ ସ୍ପେସାଲ୍ ଜୁରି ଆଵାର୍ଡ- ଆକିନୋଲା ଡାଭିସ୍ ଜୁନିଅର୍ (ମାଇଁ ଫାଦର୍ସ ସ୍ୟାଡୋ)
ଆଇସିଟିଏଫ୍-ୟୁନେସ୍କୋ ଗାନ୍ଧୀ ମେଡାଲ- ସେଫ୍ ହାଉସ୍ (ନରୱେ)
ଶ୍ରେଷ୍ଠ ୱେବ୍ ସିରିଜ୍- ବଂଦିସ୍ ବ୍ୟାଣ୍ଡିଟ୍ସ ସିଜନ୍ ୨
ଶ୍ରେଷ୍ଠ ପଦାର୍ପଣ ଚଳଚ୍ଚିତ୍ର ନିର୍ଦେଶକ (ଭାରତୀୟ)- କରଣ ସିଂହ ତ୍ୟାଗୀ (କେଶରୀ ଚାପ୍ଟର ୨)
୫୬ତମ ‘ଇଫି’ରେ ଭାରତର ‘ଏନ୍ଏଫ୍ଡିସି’ ସହିତ ବିଭିନ୍ନ ଦେଶର ସହଭାଗିତାରେ ପ୍ରସ୍ତୁତ ଅନେକ ଚମତ୍କାର ସିନେମା ପ୍ରଦର୍ଶିତ ହୋଇଥିଲା। ‘ଏନ୍ଏଫ୍ଡିସି’ର ଏହି ପ୍ରଯୋଜନା ମଡେଲ୍କୁ ଆମ ରାଜ୍ୟର ‘ଓଏଫ୍ଡିସି’ ଅନୁକରଣ କରିବ ବୋଲି ଆଶା କରାଯାଏ। ଭିନ୍ନକ୍ଷମଙ୍କ ସମେତ ସଭିଙ୍କ ପାଇଁ ଏହି ମହୋତ୍ସବର ପହୁଞ୍ଚକୁ ସୁନିଶ୍ଚିତ କରିବା ପାଇଁ ସବୁ ପ୍ରମୁଖ କାର୍ଯ୍ୟକ୍ରମରେ ସାଙ୍କେତିକ ଭାଷା ଅନୁବାଦକ ଉପସ୍ଥିତ ଥିଲେ ଏବଂ ପ୍ରତ୍ୟେକ ଚଳଚ୍ଚିତ୍ର ସହ ‘ସବ୍ଟାଇଟଲ୍’ ଦେଖାଯାଉଥିଲା ଓ ନିଜ ଭାଷାରେ ସଂଳାପ ଶୁଣିବା ପାଇଁ ‘ସିନେଡବ୍’ ଆପ୍ର ସୁବିଧା ମଧ୍ୟ ଥିଲା। ଏହି ପରିପ୍ରେକ୍ଷୀରେ ‘ମାଳିପୁଟ ମେଲୋଡିଜ୍’ ଦେଖିବା ବେଳର ଏକ ଅଭିଜ୍ଞତା ଉଲ୍ଲେଖଯୋଗ୍ୟ। ପାଖରେ ବସିଥିବା ବିଦେଶୀ ଦର୍ଶକମାନେ ଏହି ଓଡ଼ିଆ ସିନେମାର ହାସ୍ୟାଭିନୟକୁ କେବଳ ଯେ ବୁଝି ପାରୁ ଥିଲେ ତାହା ନୁହେଁ, ସେମାନେ ଏହାକୁ ଏଭଳି ଉପଭୋଗ କରୁଥିଲେ ସତରେ ଯେମିତି ନିଜ ମାତୃଭାଷାରେ ଚଳଚ୍ଚିତ୍ର ଦେଖୁଛନ୍ତି। ଅନ୍ୟ ସବୁ କଳା ପରି ଚଳଚ୍ଚିତ୍ରର ଆବେଦନ ବି ଯେ ଦେଶ, ସଂସ୍କୃତି ଓ ଭାଷାରୁ ଊର୍ଦ୍ଧ୍ବରେ, ତାହା ‘ଇଫି’ ପ୍ରେକ୍ଷାଳୟମାନଙ୍କରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଲା।
Follow Us