ନୂଆଦିଲ୍ଲୀ: ୨୬/୧୧ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ତହବୁର ରାଣା ଭାରତକୁ ପ୍ରତ୍ୟର୍ପଣ ହେବା ସହ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ କହିଛନ୍ତି ଯେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ୍‌ଯନ୍ତ୍ରକାରୀ ତହବୁର ହୁସେନ ରାଣାକୁ ଭାରତ ଆଣିବା ପାଇଁ ମୋଦୀ ସରକାର ଶ୍ରେୟ ନେଉଛନ୍ତି। ତହବୁରକୁ ଭାରତ ଆଣିବାରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ମଧ୍ୟ କଠିନ ପରିଶ୍ରମ  କରିଥିଲା ବୋଲି ଚିଦମ୍ବରମ କହିଛନ୍ତି। ତେବେ ମୋଦୀ ସରକାରର ଏବେ ସମଗ୍ର ମାମଲାରେ ଶ୍ରେୟ ନେବାକୁ ଉଦ୍ୟମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ବିପଜ୍ଜନକ ଅପରାଧୀକୁ ଭାରତ ଆଣିବାରେ କଂଗ୍ରେସର ପ୍ରୟାସକୁ ମୋଦୀ ସରକାର ଅସ୍ବୀକାର କରିପାରିବେ ନାହିଁ ବୋଲି ଚିଦମ୍ବରମ କହିଛନ୍ତି ।

Advertisment

ମୋଦୀ ପ୍ରତ୍ୟର୍ପଣର ଶ୍ରେୟ ନେଉଛନ୍ତି: କଂଗ୍ରେସ
ଆତଙ୍କବାଦ ବିରୋଧରେ କଂଗ୍ରେସ ନରମ: ବିଜେପି

ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତାଙ୍କ ଏଭଳି ବୟାନକୁ ବିଜେପି ଦୃଢ଼ ବିରୋଧ କରିବା ସହ ଆତଙ୍କବାଦ ବିରୋଧରେ କଂଗ୍ରେସ ସର୍ବଦା ନରମ ଆଭିମୁଖ୍ୟ ଗ୍ରହଣ କରିଆସିଛି ଏବଂ ଏଥିପାଇଁ ଭାରତକୁ ବହୁମୂଲ୍ୟ ଦେବାକୁ ପଡ଼ିଛି ବୋଲି ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି। କେବଳ ଭୋଟ୍‌ ବ୍ୟାଙ୍କ ହରାଇବା ଭୟରେ କଂଗ୍ରେସ ଆତଙ୍କବାଦ ପ୍ରତି ନରମ ନୀତି ଆପଣାଇଥିଲା ବୋଲି ଆଜି ଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁନାୱାଲା ଏଭଳି ମତ ରଖିଛନ୍ତି। ସେ କହିଛନ୍ତି ଯେ ଭାରତରେ ଘଟିଥିବା  ଆତଙ୍କବାଦୀ ଆକ୍ରମଣ ଓ  ପାକିସ୍ତାନୀ ଷଡ଼୍‌ଯନ୍ତ୍ରର ମୁକାବିଲାରେ କଂଗ୍ରେସ ସରକାର ବିଫଳ ହୋଇଥିଲା।  ୨୦୦୪ରୁ ୨୦୧୪ ମଧ୍ୟରେ ହୋଇଥିବା ଆକ୍ରମଣର ଦୋଷ ଭାରତୀୟ ଏଜେନ୍ସି ଏବଂ ନାଗରିକଙ୍କ ଉପରେ ଲଦି କଂଗ୍ରେସ ଖସିଯିବା ବାଟ ଆପଣାଇଥିଲା ବୋଲି ସେ କହିଛନ୍ତି। ପୁନାୱାଲା କହିଛନ୍ତି ଯେ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କଂଗ୍ରେସ  ଆତଙ୍କବାଦୀଙ୍କୁ କ୍ଲିନ୍ ଚିଟ୍ ଦେବାରେ ସମ୍ପୃକ୍ତ ଥିଲା।  

ରାଣାର ସଫଳ ପ୍ରତ୍ୟର୍ପଣକୁ ସ୍ୱାଗତ କରିବା ପରିବର୍ତ୍ତେ କଂଗ୍ରେସ ଦେଶର ସଫଳତାକୁ ଗୌଣ କରି ଦେଖାଇବା ପାଇଁ ଭୋଟ୍ ବ୍ୟାଙ୍କ ରାଜନୀତି କରୁଛି ବୋଲି ପୁନାୱାଲା ଅଭିଯୋଗ କରିଛନ୍ତି।  ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ମୁମ୍ବାଇ ଆକ୍ରମଣ ପରେ ପୂର୍ବତନ ବାୟୁସେନା ମୁଖ୍ୟ  ଫାଲି ହୋମି ମେଜରଙ୍କୁ ପ୍ରତିକ୍ରିୟା ଦେବାକୁ ବାରଣ କରାଯାଇଥିଲା। ଆତଙ୍କବାଦୀଙ୍କ ବିରୋଧରେ ଯେଉଁ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ତାହା ଭାରତୀୟ ପ୍ରତିରକ୍ଷା ଓ ସୁରକ୍ଷା ବାହିନୀକୁ ଏଥିରୁ ବଞ୍ଚିତ କରିଥିଲା।   ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଲିଖିତ ପୁସ୍ତକରେ ମଧ୍ୟ ଏହା ସ୍ପଷ୍ଟ ହୋଇଛି ବୋଲି ପୁନାୱାଲା କହିଛନ୍ତି।  ୨୬/୧୧ ଆକ୍ରମଣକୁ ‘ଆର୍ଏସ୍ଏସ୍ ଷଡ଼ଯନ୍ତ୍ର’ ବୋଲି  ମଧ୍ୟ କହିବାକୁ ପଛାଇନଥିବା କଂଗ୍ରେସ ନିଜ କୁକର୍ମ ପାଇଁ କ୍ଷମା ପ୍ରାର୍ଥନା କରୁ ବୋଲି ପୁନାୱାଲା ଦାବି କରିଛନ୍ତି।   କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ  ଆଜି ରାଣାର ପ୍ରତ୍ୟର୍ପଣ ପ୍ରସଙ୍ଗରେ କହିଛନ୍ତି ଯେ ୨୬/୧୧ ମୁମ୍ବାଇ ଆକ୍ରମଣର  ମୁଖ୍ୟ ଅଭିଯୁକ୍ତ ତହବୁର ରାଣାକୁ ଭାରତ ଫେରାଇ ଆଣିବା  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ କୂଟନୀତିର ଏକ ବଡ଼ ସଫଳତା। ଶାହ  କଂଗ୍ରେସର ନାଁ ନନେଇ  କହିଛନ୍ତି, ଯେଉଁ ସରକାର ଅଧୀନରେ ଭାରତରେ ଗୋଟିଏ ପରେ ଗୋଟିଏ ଆତଙ୍କୀ ଆକ୍ରମଣ ହେଉଥିଲା, ସେହି ସରକାର ତହବୁର ରାଣାକୁ ଭାରତ ଆଣିବାରେ ବିଫଳ ହୋଇଥିଲା।