ତେହେରାନ: ୨୮ ଫେବ୍ରୁଆରି ୨୦୨୬ ଏହା ହେଉଛି ସେହି ତାରିଖ ଯାହା ଇରାନର ଲୋକମାନଙ୍କୁ ଏପରି ଏକ ଆଘାତ ଦେଇଛି ଯାହାରୁ ସେମାନେ କେବେ ନିଜ ଜୀବନ ମଧ୍ୟରେ ଭୁଲି ପାରିବେ ନାହିଁ। ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଇରାନରେ ବିନାଶ ଆଣିଥିଲା। ଇରାନର ସ୍କୁଲ ଉପରେ ହୋଇଥିବା ଆକ୍ରମଣରେ ୧୭୫ ଜଣ ପିଲାଙ୍କ ଜୀବନ ଯାଇଥିଲା। ମିନାବରେ ଏକ ସ୍କୁଲ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ୧୭୫ ଝିଅଙ୍କର ମୃତ୍ୟୁ ହୋଇଥିଲା। ଏହି ପିଲାମାନେ ଜାଣି ନ ଥିଲେ ଯେ ସେମାନେ ଆଉ କେବେ ଘରକୁ ଫେରିବେ ନାହିଁ। ଏହି ନିର୍ଦ୍ଦୋଷ ପିଲାମାନଙ୍କ ମୃତ୍ୟୁ ବିଶ୍ୱକୁ ଥରାଇ ଦେଇଥିଲା।
ମିନାବର ସ୍କୁଲରେ ମୃତ୍ୟୁ ଘଟିଥିବା ଝିଅମାନଙ୍କୁ ମଙ୍ଗଳବାର ଦିନ କବର ଦିଆଯାଇଛି। ଅନ୍ତିମ ସଂସ୍କାର ପୂର୍ବରୁ ସେମାନଙ୍କର ଶବଯାତ୍ରା କରାଯାଇଥିଲା। ପିଲାଙ୍କ ଜନାଜା ନମାଜରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। ଏହା ଏକ ହୃଦୟବିଦାରକ ଦୃଶ୍ୟ ଥିଲା। ସମସ୍ତଙ୍କ ଆଖିରେ ଲୁହ ଭରି ରହିଥିଲା। ମନରେ କୋହ ଆଉ ଆଖିରେ ଲୁହ ଥିଲା। ନିର୍ଦ୍ଦୋଷ ପିଲାମାନଙ୍କ କଫିନଗୁଡ଼ିକୁ ଧାଡ଼ିରେ ରଖାଯାଇଥିଲା। ସମଗ୍ର ସହର ଶୋକରେ ବୁଡ଼ି ଯାଇଥିଲା। ପିଲାମାନେ ଘରୁ ସ୍କୁଲ ଡ୍ରେସ୍ରେ ଯାଇଥିଲେ। କିଏ ଜାଣିଥିଲା ତାଙ୍କର ଶେଷ ବିଦାୟ ଧଳା କଫନରେ ହେବ ବୋଲି।
ଝିଅମାନଙ୍କୁ ଶେଷ ବିଦାୟ ଦେବାର ମୁହୂର୍ତ୍ତ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ସେମାନଙ୍କ ସ୍ୱପ୍ନ ଏବଂ ଖୁସି ସେମାନଙ୍କ ସହିତ କବରରେ ରହିଯାଇଥିଲା। ପିତାମାତାମାନେ ଜାଣି ନଥିଲେ ଯେ ୟୁନିଫର୍ମ ପିନ୍ଧି ସ୍କୁଲ ପଠାଉଥିବା ପିଲାମାନଙ୍କ ସହିତ ତାଙ୍କର ଶେଷ ସାକ୍ଷାତ ଏପରି ହେବ ବୋଲି। ସେମାନଙ୍କୁ ଆଉ କେବେ ସ୍କୁଲ ପାଇଁ କେବେ ପ୍ରସ୍ତୁତ ହେଉଥିବାର ଦେଖିବାକୁ ମିଳିବ ନାହିଁ।
ହଜାର ହଜାର ଲୋକ ଝିଅମାନଙ୍କ ଅନ୍ତିମ ସଂସ୍କାରରେ ଏକାଠି ହୋଇଥିବାର ଦେଖାଯାଉଛି
ଇରାନର ସରକାରୀ ସମାଚାର ଏଜେନ୍ସି ଏକ ଭିଡିଓ ସେୟାର କରିଛି ଯେଉଁଥିରେ ହଜାର ହଜାର ଲୋକ ଝିଅମାନଙ୍କ ଅନ୍ତିମ ସଂସ୍କାରରେ ଏକାଠି ହୋଇଥିବାର ଦେଖାଯାଉଛି। ଲୋକମାନେ ସେମାନଙ୍କ ପ୍ରିୟଜନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। କେତେକଙ୍କ ହାତରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ଫଟୋ ଥିଲା ଏବଂ ଅନ୍ୟମାନେ ଇରାନ ପତାକା ଧରିଥିଲେ।
ଖୋଳାଯାଉଛି ଗଣ କବର
ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ନିର୍ଦ୍ଦୋଷ ଝିଅମାନଙ୍କୁ କବର ଦେବା ପାଇଁ ଗଣ କବର ଖୋଳାଯାଉଥିବାର ଦେଖାଯାଉଛି। ସେହି ପୋଷ୍ଟରେ ଆରାଘଚି ଟ୍ରମ୍ପଙ୍କୁ ଟାର୍ଗେଟ କରି ଏହାକୁ ଏକ କୋଲ୍ଡ ବ୍ଲଡେଡ୍ ମର୍ଡର ବୋଲି କହିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଆରାଘଚି ଲେଖିଛନ୍ତି, ଏଗୁଡ଼ିକ ହେଉଛି ୧୬୦ ରୁ ଅଧିକ ନିର୍ଦ୍ଦୋଷ ଝିଅଙ୍କ ପାଇଁ ଖୋଳାଯାଉଥିବା କବର, ଯେଉଁମାନେ ଏକ ପ୍ରାଥମିକ ବିଦ୍ୟାଳୟରେ ଆମେରିକା-ଇସ୍ରାଏଲ ବୋମା ମାଡ଼ରେ ପ୍ରାଣ ହରାଇଥିଲେ। ସେମାନଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଟ୍ରମ୍ପଙ୍କ ଦ୍ୱାରା ପ୍ରତିଶ୍ରୁତି ଦିଆଯାଇଥିଲା ଇରାନ ଲୋକଙ୍କୁ ଉଦ୍ଧାର କରାଯିବ। ଏହା କ’ଣ ପ୍ରକୃତରେ ଏହିପରି ଦେଖାଯିବ ବୋଲି ଲୋକେ ଜାଣି ନଥିଲେ।। ଗାଜାରୁ ମିନାବ ପର୍ଯ୍ୟନ୍ତ, ନିର୍ଦ୍ଦୋଷ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ସେ କହିଛନ୍ତି।
ଆକ୍ରମଣକୁ ନିନ୍ଦା କରି ଆରାଘଚି କହିଛନ୍ତି, ଧ୍ୱଂସ ପାଇଥିବା କୋଠାଟି ଦକ୍ଷିଣ ଇରାନର ଏକ ବାଳିକା ପ୍ରାଥମିକ ବିଦ୍ୟାଳୟ। ଏହା ଊଉପରେ ସ୍ପଷ୍ଟ ଦିବାଲୋକରେ ବୋମା ମାଡ଼ କରାଯାଇଥିଲା। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ସ୍କୁଲ ଉପରେ ଆକ୍ରମଣ ପ୍ରଶ୍ନ ପଚରାଯିବାରୁ ସେ କହିଛନ୍ତି, ଆମେରିକା ଜାଣିଶୁଣି କୌଣସି ସ୍କୁଲ ଉପରେ ଆକ୍ରମଣ କରିବ ନାହିଁ। ଏନେଇ ପ୍ରତିରକ୍ଷା ବିଭାଗକୁ ରିପୋର୍ଟ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/03/04/israeli-airstrike-kills-175-children-2026-03-04-12-34-13.jpg)