ନୂଆଦିଲ୍ଲୀ: ନବବର୍ଷର ପ୍ରଥମ ଦିନରେ ଉତ୍ତରଭାରତର ଅଧିକାଂଶ ଅଂଚଳରେ ଭୀଷଣ ଶୀତ ଲହର ଜାରି ରହିଛି। କାଶ୍ମୀରରେ ପ୍ରବଳ ତୁଷାରପାତ ହୋଇଥିବା  ବେଳେ ଦିଲ୍ଲୀ ଛଅ ବର୍ଷର ରେକର୍ଡ ଭାଙ୍ଗି ଡିସେମ୍ବରରେ ସବୁଠାରୁ ଶୀତଳ ଦିନ ଅନୁଭବ କରିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି ଯେ ଦିଲ୍ଲୀ-ଏନ୍‌ସିଆର୍, ପଞ୍ଜାବ ଓ ହରିୟାଣାରେ ଶୀତର ପ୍ରକୋପ ଆହୁରି ବଢ଼ିବ। ଉତ୍ତର-ପଶ୍ଚିମ ଭାରତରେ ପୂର୍ବ ଦିଗରୁ ପ୍ରବଳ ବାୟୁ ପ୍ରବାହ ଯୋଗୁଁ ରାଜସ୍ଥାନର ଉତ୍ତର-ପଶ୍ଚିମରେ ମେଘୁଆ ପାଗ ଏବଂ ବଜ୍ରପାତ ହେବା ସମ୍ଭାବନା ରହିଛି। ଏହା  ଦିଲ୍ଲୀ-ଏନ୍‌ସିଆର୍, ହରିୟାଣା ଓ ପଞ୍ଜାବକୁ ପ୍ରଭାବିତ କରିବ। ଜାନୁଆରି ୩ରୁ ହିମାଳୟରୁ ଆସିବାକୁ ଥିବା ଅଧିକ ଥଣ୍ଡା ବାୟୁ ଯୋଗୁଁ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ଆହୁରି ଖସିବ। ଡିସେମ୍ବର ୩୧ରେ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୧୪.୨ ଡିଗ୍ରି ସେଲ୍‌ସିୟସ୍ ରହିଥିଲା, ଯାହା ଛଅ ବର୍ଷରେ ସର୍ବନିମ୍ନ। ଏହା ପୂର୍ବରୁ ଡିସେମ୍ବର ୩୧, ୨୦୧୯ରେ ସର୍ବାଧିକ ତାପମାତ୍ରା ୯.୪ ଡିଗ୍ରି ସେଲ୍‌ସିୟସ୍ ଥିଲା। ରାଜଧାନୀରେ ଘନ ଧୂଆଁ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିବା ବେଳେ ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ରହିଛି।

Advertisment

Public discontent: ଇରାନରେ ସର୍ବୋଚ୍ଚ ନେତାଙ୍କ ବିରୋଧରେ ଜନ ଅସନ୍ତୋଷ ତେଜୁଛି


ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର   ରୋହତାଙ୍ଗ ପାସ୍, ଲାହୁଲ୍ ଓ ସ୍ପିଟିରେ ହାଲୁକା ତୁଷାରପାତ ହୋଇଛି। ସିମଲା, ମନାଲି, ଧରମଶାଲା, କସୌଲି ଓ ଡାଲହାଉସି ଭଳି ପର୍ଯ୍ୟଟନ ସ୍ଥଳରେ ତୁଷାରପାତ ନହେବାରୁ ପର୍ଯ୍ୟଟକମାନେ ନିରାଶ ହୋଇଛନ୍ତି। ଆଇଏମ୍‌ଡି ଆଗାମୀ ଦୁଇ ଦିନରେ ହାଲୁକା ତୁଷାରପାତ ଓ ବର୍ଷାର ପୂର୍ବାନୁମାନ କରିଛି। କାଶ୍ମୀରର ଗୁରେଜ୍, ଗୁଲମାର୍ଗ ଓ ସୋନମାର୍ଗରେ ନୂଆ ବରଫ ପଡ଼ିଛି। ଏହା ‘ଚିଲ୍ଲାଇ-କଲାନ୍’ ଅବଧିରେ ଘଟିଛି, ଯାହା ୪୦ ଦିନର କଠୋର ଶୀତର ସମୟ। ଗୁଲମାର୍ଗର ସର୍ବନିମ୍ନ ତାପମାତ୍ରା  ୩ ଡିଗ୍ରି ସେଲ୍‌ସିୟସ୍, ଶ୍ରୀନଗରର ୨.୩ ଡିଗ୍ରି ସେଲ୍‌ସିୟସ୍ ଓ ପାହଲଗାମର -୨ ଡିଗ୍ରି ସେଲ୍‌ସିୟସ୍ ରହିଛି।

Drinking: ସଂକ୍ରମିତ ପାଣି ନେଲାଣି ୧୪ ଜୀବନ

 
ମୁମ୍ବାଇରେ ନବବର୍ଷ ବର୍ଷାରେ ଭିଜିଛି। ଅନେକ ଅଞ୍ଚଳରେ ବର୍ଷା  ହୋଇଥିବାରୁ ପ୍ରଦୂଷଣ ସ୍ତର ଯଥେଷ୍ଟ ହ୍ରାସ ପାଇଛି। କୋଲକାତାରେ ଅସ୍ୱାଭାବିକ ଶୀତ ଅନୁଭୂତ ହୋଇଛି ଏବଂ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ସେଲ୍‌ସିୟସ୍‌ରୁ କମ୍ ରହିଛି। ଏହା ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଇଛି। ଦାର୍ଜିଲିଙ୍ଗରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରି ସେଲ୍‌ସିୟସ୍ ରହିଛି।