ମୁମ୍ବାଇ: ମୁମ୍ବାଇ ଉପକୂଳ ନିକଟବର୍ତ୍ତୀ ସମୁଦ୍ରରେ ଗୋଟାଏ କ୍ରୁଜ୍ ଜାହାଜରେ ‘ରେଭ୍ ପାର୍ଟି’ ବା ‘ଡ୍ୟାନ୍ସ୍ ପାର୍ଟି’ ଚାଲିଥିବା ବେଳେ ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ (ଏନ୍ସିବି) ଚଢ଼ାଉ କରି କେତେକ ବ୍ୟକ୍ତିଙ୍କୁ ଅଟକ ରଖିଥିବା କଥା ଶନିବାର ଦିନ ଜଣାପଡ଼ିଛି।
ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଯାତ୍ରୀ ସାଜି ‘ଏନ୍ବିସି’ ଟିମ୍ ‘କର୍ଡେଲିଆ କ୍ରୁଜେସ୍ ଏମ୍ପ୍ରେସ୍’ ନାମକ ଉକ୍ତ ଜାହାଜରେ ଚଢ଼ିଥିଲେ। ସେଥିରୁ କୋକେନ୍, ହାସ୍ହିସ୍ ଏବଂ ‘ଏମ୍ଡିଏମଏ’ ଭଳି କେତେକ ବେଆଇନ ମାଦକଦ୍ରବ୍ୟ ଜବତ କରାଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।
‘ଏନ୍ସିବି’ର ଜୋନାଲ୍ ଡାଇରେକ୍ଟର୍ ସମୀର ୱାଂଖେଡ଼େଙ୍କ କହିବା ଅନୁସାରେ, ସାତଆଠଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ‘ଏନ୍ସିବି’ ଅଟକ ରଖିଥିବା ଉକ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ବଲିଉଡ୍ ସୁପର୍ଷ୍ଟାର୍ଙ୍କ ପୁଅ ଥାଇପାରନ୍ତି ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି। ଅଟକ ଥିବା ବ୍ୟକ୍ତିମାନଙ୍କୁ ଆଜି ମୁମ୍ବାଇକୁ ଅଣାଯିବ।
Image Courtesy of NDTV
ମାତ୍ର ଦୁଇ ସପ୍ତାହ ପୂର୍ବେ ଉଦ୍ଘାଟିତ ‘ଏମ୍ପ୍ରେସ୍ ସିପ୍’ରେ ଶନିବାର ଦିନ ହୋଇଥିବା ଚଢ଼ାଉ ଗୋଟାଏ ଗୁରୁତ୍ବପୂର୍ଣ୍ଣ ଘଟଣା। ମୁମ୍ବାଇ ଉପକୂଳ ଛାଡ଼ି ଜାହାଜ ଦୂର ସମୁଦ୍ର ଜଳରାଶିରେ ପ୍ରବେଶ କରିବା ପରେ ‘ରେଭ୍ ପାର୍ଟି’ ଆରମ୍ଭ ହୋଇଥିଲା। ପରେ ପରେ ଛଦ୍ମବେଶରେ ଥିବା ‘ଏନ୍ସିବି’ ଅଧିକାରୀମାନେ ଚଢ଼ାଉ ଆରମ୍ଭ କରି ଖୋଲାଖୋଲି ମାଦକଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିମାନଙ୍କୁ ଧରିଥିଲେ। ପ୍ରାୟ ୭ ଘଣ୍ଟା ଧରି ଚଢ଼ାଉ ଚାଲିଥିଲା। ଜାହାଜରେ ଥିବା ଅନେକ କୋଠରି ତଲାସ ହୋଇଥିଲା। ଚଢ଼ାଉ ପରେ ଜାହାଜ ‘ଏମ୍ପ୍ରେସ୍’ ମୁମ୍ବାଇ ଇଣ୍ଟର୍ନ୍ୟାସ୍ନାଲ୍ କ୍ରୁଜ୍ ଟର୍ମିନାଲ୍କୁ ପ୍ରତ୍ୟାବର୍ତ୍ତନ କରିବ।
ଏ ସଂକ୍ରାନ୍ତରେ ସ୍ପଷ୍ଟିକରଣ ଦେଇ ‘କର୍ଡେଲିଆ କ୍ରୁଜେସ୍’ର ଅଧ୍ୟକ୍ଷ ତଥା ‘ସିଇଓ’ ଜର୍ଗେନ୍ ବେଲମ୍ କହିଛନ୍ତି, କେତେକ ଯାତ୍ରୀଙ୍କ ଲଗେଜ୍ରୁ ‘ଏନ୍ସିବି’ ମାଦକ ଦ୍ରବ୍ୟ ପାଇଛି। ଉକ୍ତ ଲଗେଜ୍ ଆଣିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ‘କର୍ଡେଲିଆ’ରୁ ଓହ୍ଲାଇ ଦିଆଯାଇଛି। ଏହି ଘଟଣା ଅଧିକ ତଦନ୍ତ ସାପେକ୍ଷ।