ନୂଆଦିଲ୍ଲୀ : କୋଭିଡ୍-୧୯ ସମୟରେ ଦେଶର ବିଭିନ୍ନ ରାଜ୍ୟରେ କଏଦୀମାନଙ୍କୁ ପାରୋଲ ସୁବିଧା ପ୍ରଦାନ କରାଯାଇଥିଲା। ପାରୋଲରେ ଖଲାସ ହୋଇଥିବା କଏଦୀମାନେ ଫେରୁନଥିବାରୁ ସେମାନେ ୧୫ ଦିନ ମଧ୍ୟରେ ଆତ୍ମସମର୍ପଣ କରିବା ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚ କ୍ଷମତାପନ୍ନ କମିଟିର ସୁପାରିସକ୍ରମେ କୋଭିଡ୍ ସଙ୍କଟ ସମୟରେ କଏଦୀମାନଙ୍କୁ ଜରୁରୀ ପାରୋଲ ଦିଆଯାଇଥିଲା। ଏହି ମାମଲାରେ ଜଷ୍ଟିସ୍ ଏମ୍ଆର୍ ଶାହ ଏବଂ ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ କହିଛନ୍ତି ଯେ କୋଭିଡ୍ ସମୟରେ ସ୍ବତନ୍ତ୍ର ବ୍ୟବସ୍ଥାରେ ପାରୋଲରେ ଯାଇଥିବା ସମସ୍ତ କଏଦୀ ୧୫ ଦିନ ମଧ୍ୟରେ ଆତ୍ମସର୍ମପଣ କରିବାକୁ ହେବ। ଜେଲ୍ ଅଧିକାରୀମାନେ ଏହି ପ୍ରକ୍ରିୟାର ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଖଣ୍ଡପୀଠ କହିଛନ୍ତି। କଏଦୀମାନେ ଆତ୍ମସମର୍ପଣ କରିବା ପରେ ଜାମିନ ହାସଲ ପାଇଁ କୋର୍ଟରେ ଆବେଦନ କରିପାରିବେ ବୋଲି ମଧ୍ୟ ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୦ ଓ ୨୦୨୧ରେ କୋଭିଡ ମାମଲା ଲଗାତାର ବଢ଼ୁଥିବା ସମୟରେ କଏଦୀଙ୍କ ପାଇଁ କେତେକ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିଲା। ଜେଲ୍ଗୁଡ଼ିକରେ ଭିଡ଼ କମାଇବା ପାଇଁ ସୁପ୍ରିମ୍କୋର୍ଟ ନିଜ ଆଡ଼ୁ ମାମଲାକୁ ଗ୍ରହଣ କରି କଏଦୀମାନଙ୍କ ପାଇଁ ସ୍ବତନ୍ତ୍ର ପାରୋଲ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ।