ନୂଆଦିଲ୍ଲୀ: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତହବୁର ରାଣାର ପ୍ରତ୍ୟର୍ପଣ ଉପରେ ରହିତାଦେଶ ଲଗାଇବାପାଇଁ ଆମେରିକା ସୁପ୍ରିମକୋର୍ଟରେ ‌ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ରାଣାକୁ ପ୍ରତ୍ୟର୍ପଣ କରିବାପାଇଁ ଆମେରିକା ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ସେ ଏହାକୁ ଚ୍ୟାଲେଞ୍ଜ କରି ଏଥିରେ ଇମର୍ଜେନ୍ସି ରହିତା‌ଦେଶ ଲଗାଇବାପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଆବେଦନରେ ରାଣା ଦର୍ଶାଇଛି ଯେ ସେ ଭାରତକୁ ପ୍ରତ୍ୟର୍ପିତ ହେଲେ ବିଚାରଣ ସାମ୍ନା କରିବାପାଇଁ ବେଶୀଦିନ ବଞ୍ଚି ରହିବନି। ‌ସେ ପାକିସ୍ତାନୀ ମୁସଲିମ ହୋଇଥିବାରୁ ଭାରତକୁ ପ୍ରତ୍ୟର୍ପିତ ହେଲେ ତାକୁ ଏଥିପାଇଁ ନିର୍ଯାତନା‌ ଦିଆଯିବ ବୋଲି କହିଛି। ତେବେ ରାଣାର ଆବେଦନ ଆଜି ଆମେରିକା ସୁପ୍ରିମକୋର୍ଟ ଖାରଜ କରିଦେବା ପରେ ସେ ଖୁବଶୀଘ୍ର ଭାରତକୁ ପ୍ରତ୍ୟର୍ପିତ ହେବ ‌ବୋଲି କୁହାଯାଉଛି। 

Advertisment

ଉଲ୍ଳେଖଯୋଗ୍ୟ, ହ୍ବାଇଟ୍‌ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ  ଟ୍ରମ୍ପ ଘୋଷଣା କରିଥିଲେ ଯେ  ଆମେ ଭାରତକୁ ତହବୁର ରାଣାକୁ ତୁରନ୍ତ ଫେରାଇ ଦେବୁ।  ଆହୁରି ଅନେକ ଲୋକ ବି ପ୍ରତ୍ୟର୍ପିତ ହେବେ।  ଆମେ ଏଦିଗରେ ଭାରତ ସହ କାମ କରୁଛୁ ବୋଲି ଟ୍ରମ୍ପ କହିଛନ୍ତି।  କାନାଡ଼ା ନାଗରିକତା ହାସଲ କରିଥିବା ରାଣା ହେଉଛି ପାକିସ୍ତାନୀ ମୂଳ ମୁସଲମାନ୍‌। ଭାରତରେ ତା’ ବିରୋଧରେ ଆପରାଧିକ ମାମଲା ରହିଛି। ସେ ୨୬/୧୧ ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତ ଯେଉଁଥିରେ ୧୭୪ ଲୋକଙ୍କର ମୃତ୍ୟୁ ହୋଇଥିଲା।