ମୁମ୍ବାଇ: ବାଂଲାଦେଶରେ ୩୦ ବର୍ଷୀୟ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ଘଟଣା ମନୋରଞ୍ଜନ ଜଗତ ସହ ଜଡିତ ଅନେକ ସେଲିବ୍ରିଟିଙ୍କ ଅସନ୍ତୋଷ ସୃଷ୍ଟି କରିଛି। ଜାହ୍ନବୀ କପୁର, କାଜଲ ଅଗ୍ରୱାଲ ଓ ଜୟା ପ୍ରଦାଙ୍କ ପରି ସେଲିବ୍ରିଟି ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ତାରକାମାନେ କେବଳ ଏହି ହତ୍ୟାକାଣ୍ଡକୁ ନିନ୍ଦା କରିନାହାନ୍ତି ବରଂ ବାଂଲାଦେଶରେ ହିନ୍ଦୁମାନଙ୍କ ସୁରକ୍ଷାକୁ ନେଇ ମଧ୍ୟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଗତ ସପ୍ତାହରେ ବାଂଲାଦେଶର ମୟମେନସିଂହରେ ୩୦ ବର୍ଷୀୟ ପୋଷାକ କାରଖାନା କର୍ମଚାରୀ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଦକ୍ଷିଣ ଏସିଆରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଭିଡିଓରେ ଭିଡ଼ ତାଙ୍କ ହତ୍ୟା ପରେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଦୀପୁ ଚନ୍ଦ୍ର ଦାସଙ୍କ ମୃତଦେହକୁ ଏକ ଗଛରେ ବାନ୍ଧି ନିଆଁ ଲଗାଇ ଦିଆଯାଇଥିଲା।

Advertisment

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ

ଏହି ଅମାନବୀୟ ଘଟଣା ପାଇଁ ଅନେକ ଭାରତୀୟ ସେଲିବ୍ରିଟି ଉତ୍ତରଦାୟିତ୍ୱ ଦାବି କରିଛନ୍ତି। ଅଭିନେତ୍ରୀ ଜାହ୍ନବୀ କପୁର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏହାକୁ ‘କପଟତା’ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବାଂଲାଦେଶରେ ଘଟୁଥିବା ଏହି ବର୍ବରତାକୁ ଅଣଦେଖା କରିବା ଭୁଲ। ଜାହ୍ନବୀ ଲେଖିଛନ୍ତି, ଦୁନିଆର ଅନ୍ୟ କୋଣରେ (ଯେପରି ଗାଜା) ଯାହା ଘଟୁଛି, ତାହା ଦେଖି ଆମେ ଲୁହ ଢାଳିବୁ, କିନ୍ତୁ ଯେତେବେଳେ ଆମ ନିଜ ହିନ୍ଦୁ ଭାଇଭଉଣୀଙ୍କୁ ଜଳାଇ ହତ୍ୟା କରାଯାଏ ସେତେବେଳେ ଚୁପ୍- ଏହା ହେଉଛି ଚରମ କପଟତା। ଅଭିନେତ୍ରୀ କାଜଲ ଅଗ୍ରୱାଲ ମଧ୍ୟ ଇନଷ୍ଟାଗ୍ରାମରେ ବଢୁଥିବା ଇସଲାମିକ ମୌଳବାଦ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି, ବାଂଲାଦେଶର ହିନ୍ଦୁମାନଙ୍କ ଉପରେ ନରସଂହାର ଚାଲିଛି।  ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ଘଟଣା ଏହାର ଏକ ଉଦାହରଣ ମାତ୍ର। ତାଙ୍କର ବାର୍ତ୍ତା ଥିଲା ଯେ ନୀରବତା କାହାକୁ ରକ୍ଷା କରିବ ନାହିଁ। ସମସ୍ତଙ୍କ ନଜର ହିନ୍ଦୁଙ୍କ ଉପରେ ରହିଛି। 

SIR : ଉତ୍ତରପ୍ରଦେଶରୁ କଟିଲେ ୨ କୋଟି ୮୯ ଲକ୍ଷ ଭୋଟର

ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ଜୟା ପ୍ରଦା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡରେ ସେ ଥରି ଉଠିଛନ୍ତି। ଏହାକୁ ହିନ୍ଦୁ ଧର୍ମ ଉପରେ ଆକ୍ରମଣ ବୋଲି ବର୍ଣ୍ଣନା କରି ସେ କହିଛନ୍ତି, ହିନ୍ଦୁମାନଙ୍କ ମନ୍ଦିର ଭାଙ୍ଗି ଦିଆଯାଉଛି ଏବଂ ମହିଳାଙ୍କ ଉପରେ ଆକ୍ରମଣ କରାଯାଉଛି। ବାଂଲାଦେଶରେ ହୋଇଥିବା ହିଂସା ବିରୋଧରେ ସ୍ୱର ଉତ୍ତୋଳନ କରି ପ୍ରତିବାଦ କରିବାକୁ ଜୟା ପ୍ରଦା ଲୋକଙ୍କୁ ନିବେଦନ କରିଛନ୍ତି। ଅଭିନେତା ମନୋଜ ଯୋଶୀ ମଧ୍ୟ ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯେତେବେଳେ ଗାଜା କିମ୍ବା ପାଲେଷ୍ଟାଇନରେ ହିଂସା ହୁଏ, ସମସ୍ତେ ଆଗକୁ ଆସନ୍ତି, କିନ୍ତୁ ଯେତେବେଳେ ବାଂଲାଦେଶରେ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଏ, ସେତେବେଳେ କେହି ଆଗକୁ ନ ଆସିବା ଅତ୍ୟନ୍ତ ଦୁଃଖଦାୟକ। ସୋସିଆଲ ମିଡିଆରେ ମଧ୍ୟ ଏହି ପ୍ରସଙ୍ଗ ନେଇ ଚର୍ଚ୍ଚା ହେଉଛି। ଲୋକମାନେ ସେଲିବ୍ରିଟିଙ୍କ ପୋଷ୍ଟ ଓ ଭିଡିଓ ସେୟାର କରୁଛନ୍ତି ଏବଂ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଦାବି କରୁଛନ୍ତି। ଗାଜା ପାଇଁ କାନ୍ଦୁଥିବା ବଲିଉଡକୁ ଅନେକେ ପ୍ରଶ୍ନ କରିଛନ୍ତି, ବାଂଲାଦେଶରେ ହିନ୍ଦୁମାନଙ୍କ ନରସଂହାର ଉପରେ ସେମାନେ କାହିଁକି ନୀରବ ଅଛନ୍ତି?