ଜଟଣୀ: ଜଟଣୀ ଥାନା ଜଟଣୀ-ଡେଲାଙ୍ଗ ରାସ୍ତାରେ ଡକାୟତି ଯୋଜନା କରୁଥିବା ୫ଜଣିଆ ଗ୍ୟାଙ୍ଗ୍କୁ ମାଡ଼ି ବସିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ଖୁଦୁପୁର ଗ୍ରାମର ଜିତେନ୍ଦ୍ର ରାଉତରାୟ (୨୭), ରଥିପୁର ଗ୍ରାମର ଅନସର ସାହା (୨୪), ଗଜପତିନଗର ଅଞ୍ଚଳର ସୁଜିତ କୁମାର ବିଶ୍ବାଳ (୩୧), ମାଛ ମାର୍କେଟ୍ ବିବେକାନନ୍ଦ ସାହିର ଶ୍ୟାମସୁନ୍ଦର ବେହେରା (୩୧) ଓ ଲୋକୋ କଲୋନି ରେଳପଥ ମେଡିକାଲ ନିକଟରେ ରହୁଥିବା ମନୋଜ ନାଏକ (୪୦)। ସେମାନଙ୍କ ନିକଟରୁ ପୁଲିସ ଲୁହାରଡ୍, ଛୁରି, ବାଉଁଶ, ମଦବୋତଲ, ଲଙ୍କାଗୁଣ୍ଡ ଆଦି ଜବତ କରିଛି। ଗତ ବିଳମ୍ବିତ ରାତିରେ ଜଟଣୀ-ଡେଲାଙ୍ଗ ରାସ୍ତା ମାଣିଆଛକ ଶିବ ମନ୍ଦିର ନିକଟରେ ଅଭିଯୁକ୍ତମାନେ ଏକାଠି ହୋଇ ଲୁଟ୍ ପାଇଁ ଯୋଜନା କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ପୁଲିସର ଏକ ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରିଥିଲା।
Suzuki's new e-Access: ସୁଜୁକିର ନୂଆ ଇ-ଆକ୍ସେସ୍
Anandavan: ଆନନ୍ଦବନ ହାତ ଛାଡ଼ିଲା ଓଏମସି
ଅଭିଯୁକ୍ତମାନେ ପୁଲିସକୁ ଦେଖି ଚମ୍ପଟ୍ ମାରିବାକୁ ଚେଷ୍ଟା କରୁଥିବା ବେଳେ ୫ଜଣଙ୍କୁ ପୁଲିସ ମାଡ଼ି ବସିଥିଲା। ଅଧିକ ପଚରାଉଚରା ବେଳେ ଅଭିଯୁକ୍ତମାନେ ବାଇକ୍ ଚାଳକ ଓ କାର ଚାଳକଙ୍କ ଠାରୁ ଲୁଟ୍ ପାଇଁ ଏକତ୍ରିତ ହୋଇଥିବା ସ୍ବୀକାର କରିଥିଲେ। ଏ ନେଇ ଥାନାରେ ଏକ କେସ୍ ନଂ ୨୨/୨୬ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି। ସେମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଅପରାଧ ମାମଲା ରହିଛି। ଅଭିଯୁକ୍ତ ଜିତେନ୍ଦ୍ର ରାଉତରାୟ ନାମରେ ପୂର୍ବରୁ ଡକାୟତି ଓ ଆର୍ମସ୍ ଆକ୍ଟରେ ୩ଟି ଅପରାଧ ମାମଲା ରହିଥିବା ବେଳେ ଅନସର ସାହା ନାଁରେ ପୂର୍ବରୁ ଡକାୟତି, ଚୋରି, ଆକ୍ରମଣ, ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଂଘନ ଆଦି ୧୦ଟି ଗୁରୁତର ଅପରାଧ ମାମଲା ରହିଛି। ସୁଜିତ ବିଶ୍ୱାଳ ନାଁରେ ଦୁଇଟି ଅପରାଧ ମାମଲା ଥିବା ବେଳେ ଶ୍ୟାମସୁନ୍ଦର ବେହେରା ଓ ମନୋଜ ନାଏକଙ୍କ ନାମରେ ମାମଲା ବିଚାରଧୀନ ରହିଥିବା ସୂଚନା ମିଳିଛି।
Follow Us