ଭୁବନେଶ୍ବର: ଏକ ଦଶନ୍ଧିର ପରିକଳ୍ପନା ବାସ୍ତବ ରୂପ ନେବାକୁ ଯାଉଛି। ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ସୃଷ୍ଟି ହେଉଥିବା ଟ୍ରାଫିକ୍ ଯନ୍ତ୍ରଣା ଦୂର କରିବାକୁ ବାମପାର୍ଶ୍ବ ସମାନ୍ତରାଳ ରାସ୍ତା (ଏକାମ୍ରକାନନ-ଆଇଏମ୍ଏକୁ ସଂଯୋଗ କରୁଛି) ପାଇଁ ଜବରଦଖଲ ଉଚ୍ଛେଦ ଶେଷ ସହ କାମ ଆଗେଇଛି। ଏବେ ଜୟଦେବ ବିହାରରୁ କଳାରାହାଙ୍ଗ ପର୍ଯ୍ୟନ୍ତ ନୂଆ ଏଲିଭେଟେଡ୍ କରିଡର ନିର୍ମାଣ କରିବାକୁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ୯.୫ କିଲୋମିଟରର ଏହି ରାସ୍ତା ନିର୍ମାଣ କରିବାକୁ ୯୫୨ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ପ୍ରକଳ୍ପ ଅଧୀନରେ ୪ଟି ଫ୍ଲାଏଓଭର ସହ ରାସ୍ତାକୁ ୮ ଲେନ୍ କରାଯିବ। ଏହାଦ୍ବାରା ସହରର ଜନଗହଳିପୂର୍ଣ୍ଣ ରାସ୍ତାର ଟ୍ରାଫିକ୍ ବ୍ୟବସ୍ଥାରେ ଉନ୍ନତି ଆସିବ ଏବଂ ଜନସାଧାରଣ କମ୍ ସମୟ ମଧ୍ୟରେ ସୁବିଧାରେ ଯିବା ଆସିବା କରିପାରିବେ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି।
ଯୋଜନା ମୁତାବକ ଜୟଦେବବିହାର ନିକଟ କଳିଙ୍ଗ ଷ୍ଟାଡିୟମ୍ର ୪ ନମ୍ବର ଫାଟକ ନିକଟରୁ ଆରମ୍ଭ ହେବାକୁ ଥିବା ରାସ୍ତା ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ ରହିବ। ଭୁବନେଶ୍ବର ସିଡିପି-୨୦୩୦ ଆଧାରରେ ୯.୫ କିମିର ଏହି ରାସ୍ତାର ଏକାଧିକ ସ୍ଥାନରେ ଜଙ୍କସନ୍ ରହିବ। ଏବେ ୬ ଲେନ୍ ବିଶିଷ୍ଟ ଥିବା ଏହି ରାସ୍ତାକୁ ୮ ଲେନ୍ କରାଯିବ। କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ, କିଟ୍ ଛକ ଓ କଳାରାହାଙ୍ଗ ଜଙ୍କସନ୍ରେ ୪ ଲେନ୍ ବିଶିଷ୍ଟ ଫ୍ଲାଏ-ଓଭର ନିର୍ମାଣ କରାଯିବ। ଜୟଦେବବିହାର ଛକର ଜାତୀୟ ରାଜପଥ-୧୬ ଉପରେ ୧୯୦ ମିଟରର ୪ ଲେନ୍ ବିଶିଷ୍ଟ କେବୁଲ୍ ବ୍ରିଜ୍ କରିବାକୁ ଯୋଜନା ହୋଇଛି। ସେହିପରି ଉଭୟ ପାର୍ଶ୍ବରେ ହାରାହାରି ୧୭.୫ କିଲୋମିଟର ଲମ୍ବର ସର୍ଭିସ୍ ରୋଡ୍ ଏବଂ ୯ କିଲୋମିଟର ଲମ୍ବ ଓ ୭.୫ ମିଟର ଚଉଡ଼ାର ସ୍ଲିପ୍ ରୋଡ୍ ରହିବ। ୯ଟି ଛକ ଯଥା ଜୟଦେବବିହାର ଛକ, ଏକ୍ସଆଇଏମ୍ବି ଛକ, କଳିଙ୍ଗ ହସ୍ପିଟାଲ ଛକ, କେୟାର ହସ୍ପିଟାଲ ଛକ, ଡମଣା ଛକ, ଇନ୍ଫୋସିଟି ଛକ, ଶିଶୁବିହାର ଛକ, କିଟ୍ ଛକ ଓ କଳାରାହାଙ୍ଗ ଛକରେ ଗୋଲେଇ ରହିବ।
Truck runs: ବାଇକ୍ଆରୋହୀଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ୍
ପୂର୍ତ୍ତ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ୨୦୦୭ ମସିହାରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ନକ୍ସା ପ୍ରସ୍ତୁତ ହୋଇଥିଲା। ଆଉ ଏବେ ଆମେ ୨୦୨୫ରେ ପହଞ୍ଚିଲେଣି। ଯେଉଁଭଳି ଭାବେ ସହରର କଳେବର ଓ ଜନସଂଖ୍ୟା ବଢ଼ୁଛି ୬ ଲେନ୍ ବିଶିଷ୍ଟ ରାସ୍ତା ବି କମ୍ ହେଉଛି। ନନ୍ଦନକାନନ ରାସ୍ତା ଦେଇ କଟକକୁ ବାଟ ଫିଟିବା ପରେ ଭୁବନେଶ୍ବର-କଟକ ମଧ୍ୟରେ ଦୂରତା କମିଛି। ତେଣୁ ଲୋକେ ଏହି ରାସ୍ତା ଦେଇ ଯିବାକୁ ପସନ୍ଦ କରୁଛନ୍ତି। ଆସନ୍ତା ୧୦ରୁ ୧୫ ବର୍ଷ ଭିତରେ ଭିଡ଼ ଆହୁରି ବଢ଼ିବ। ତାକୁ ଆଖିରେ ରଖି ସମାନ୍ତରାଳ ରାସ୍ତା ସହ ଏକାଧିକ ଛକରେ ଫ୍ଲାଏଓଭର ଓ ଜୟଦେବବିହାର-ନନ୍ଦନକାନନ ରାସ୍ତାକୁ ୮ ଥାକିଆ କରିବାକୁ ନିଷ୍ପତ୍ତି ହୋଇଛି। ଖୁବ୍ଶୀଘ୍ର କାମ ଆରମ୍ଭ ହେବ।
ରାଜଧାନୀର ଜନଗହଳିପୂର୍ଣ୍ଣ ଜୟଦେବବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବାକୁ ବିଜେଡି ସରକାର ୨୦୧୬ରୁ ୨୦୨୪ ମଧ୍ୟରେ ୬ ଥର ନୀଳ ନକ୍ସା(ବ୍ଲୁ ପ୍ରିଣ୍ଟ) ପ୍ରସ୍ତୁତ କରିଥିଲେ। କେତେବେଳେ ବିକଳ୍ପ ରାସ୍ତା କଥା କହିଥିଲେ ତ ଆଉ କେତେବେଳେ ଫ୍ଲାଏଓଭର ତିଆରି ଚିନ୍ତା କରିଥିଲେ। ସମୟ ଯେତିକି ଗଡ଼ିଥିଲା, ନକ୍ସା ସେଭଳି ବଦଳି ଚାଲିଥିଲା। ଭିଡ଼ କମାଇବାକୁ ପ୍ରଥମେ ନାଲ୍କୋ ଛକ ଓ ଡମଣା ଛକରେ ଫ୍ଲାଏଓଭର୍ ନିର୍ମାଣ କରିବାକୁ ଯୋଜନା କରିଥିଲେ। ପରବର୍ତ୍ତୀ ସମୟରେ ଏହି ରାସ୍ତାକୁ ୮ ଥାକିଆ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ କେତେ ଜଣ କେଁ ପୂରାଇବା ପରେ ଦୁଇଟି ବିକଳ୍ପ ରାସ୍ତା ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଲେ। ରାତାରାତି କୋଟି କୋଟି ଟଙ୍କା ବ୍ୟୟବରାଦ କରି ଦୁଇଟି ବିକଳ୍ପ ରାସ୍ତା ପାଇଁ ନକ୍ସା ଆଙ୍କିଲେ। ୭ ବର୍ଷ ହେଲା ଦୁଇ ଦୁଇଟି ବିକଳ୍ପ ରାସ୍ତା ନିର୍ମାଣ ଚାଲିଛି ଯେ ସରିବାର ନାଁ ଧରୁନି। ବଜେଟ୍ ପ୍ରସ୍ତୁତ ସହ ସମାନ୍ତରାଳ ରାସ୍ତା କାମ ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଖୋଲିପାରି ନାହିଁ।
Follow Us