ଭୁବନେଶ୍ବର: ବାରବାଟୀ ଟ୍ବେଣ୍ଟି-୨୦କୁ ନେଇ ରାଜଧାନୀ ଭୁବନେଶ୍ବର ଏବେ ବେଶ୍ ଚଳଚଞ୍ଚଳ। କ୍ରିକେଟ୍ ଜ୍ବର ଯେମିତି ପୂରା ରାଜଧାନୀର କ୍ରୀଡ଼ା ଦୁନିଆକୁ ଗ୍ରାସ କରିଛି। ରସିକିଆ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଶନିବାର ରାତିରେ ଏଠାରେ ପାଦ ଥାପିବା ପରେ ଚର୍ଚ୍ଚାରେ ରହିଛନ୍ତି। ପୁଣି ରବିବାର ଭାରତୀୟ ଦଳର ଅବଶିଷ୍ଟ ଖେଳାଳି ପହଞ୍ଚିବା ପରେ ନୂଆ ଅତିଥିଙ୍କୁ ନେଇ କ୍ରୀଡ଼ାପ୍ରେମୀଙ୍କ ମନରେ ନୂଆ ଉନ୍ମାଦ ଉଜାଗର ହୋଇଛି। ଭାରତୀୟ ଏବଂ ଦକ୍ଷିଣ ଆଫ୍ରିକା ଦଳ ରହୁଥିବା ମେ ଫେୟାର ହୋଟେଲ ସୁରକ୍ଷା ବଳରେ ରହିଛି। ପ୍ରଶଂସକ ରବିବାର ଏଠାରେ ନିଜ ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ଭିଡ଼ ଜମାଇବା ପୂର୍ବରୁ କମିସନ୍ରେଟ୍ ପୁଲିସ ଏହି ହୋଟେଲ ଚାରିପଟର ସୁରକ୍ଷା ବ୍ୟବସ୍ଥାକୁ ନିଜ ହାତକୁ ନେଇ ଯାଇଥିଲା। ସୋମବାର ଭାରତୀୟ ଖେଳାଳି ଅପରାହ୍ଣରେ ବାରବାଟୀ ଯାଇ ଅଭ୍ୟାସ କରିବେ। ଏଥିଲାଗି କଟକ ସହ ରାଜଧାନୀ ଭୁବନେଶ୍ବରରେ ଟ୍ରଫିକ୍ କଟକଣା ଲାଗୁ ହୋଇଛି। ଖେଳାଳିମାନେ ଯେମିତି ସୁରୁଖୁରୁରେ ଏବଂ ବିନା ଅସୁବିଧାରେ ବାରବାଟୀରେ ଅଭ୍ୟାସ କରି ଫେରିବେ ସେଥିନେଇ ପୁଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
Retanga Colony : ସରୁନି ରେତଙ୍ଗକଲୋନି ରାସ୍ତା କାମ, ତେଜୁଛି ଅସନ୍ତୋଷ
Agriculture: ବିପଦରେ ଚାଷ ଓ ଚାଷୀ
ଭାରତକୁ ଦକ୍ଷିଣ ଆଫ୍ରିକା ଆହ୍ୱାନ
ତିନିବର୍ଷ ପରେ ବାରବାଟୀ ଷ୍ଟାଡିୟମ୍କୁ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍ ଫେରିଛି। ଶେଷଥର ପାଇଁ ୨୦୨୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ସଂଯୋଗବଶତଃ ତିନିବର୍ଷ ପରେ ପୁଣି ସେହି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବାକୁ ଯାଉଛି। କେବଳ ଏତିକି ନୁହେଁ ବାରବାଟୀରେ ପ୍ରଥମ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍ ମଧ୍ୟ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ହେଲେ ସବୁଥିରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତେଣୁ ଏଥର ଭାରତ ବିଜୟଧାରାକୁ ଫେରିବ ବୋଲି ସମସ୍ତେ ଆଶା ରଖିଛନ୍ତି।
ବାରବାଟୀ ଷ୍ଟାଡିୟମ୍ର କ୍ରିକେଟ୍ ଇତିହାସରେ ୨୦୧୫, ଅକ୍ଟୋବର ୫ ତାରିଖ ଏକ ନୂଆ ଫର୍ଦ୍ଦ ଭାବେ ଯୋଡ଼ି ହୋଇଥିଲା। ଏହି ଦିନ ବାରବାଟୀରେ ପ୍ରଥମଥର ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯାଇଥିଲେ ମଧ୍ୟ ଏହା ବିବାଦଭରା ରହିଥିଲା। ପଡ଼ିଆ ଭିତରେ ଥିବା ଖେଳାଳିଙ୍କ ଉପରକୁ ବୋତଲ ମାଡ଼ କରାଯାଇ ଏକ କଳା ଅଧ୍ୟାୟ ମଧ୍ୟ ଲେଖାଯାଇଥିଲା। କାରଣ ଥିଲା, ଭାରତୀୟ ଖେଳାଳିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ। ଜଣଙ୍କ ପରେ ଜଣେ ଆଉଟ୍ ହୋଇଯାଉଥିବାରୁ ଘରୋଇ ଦଳ ମାତ୍ର ୯୨ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି, ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି, ଅମ୍ବାତି ରାୟୁଡ଼ୁଙ୍କ ଭଳି ଖେଳାଳି ଥିଲେ ମଧ୍ୟ କେହି ବଡ଼ ରନ୍ କରିପାରି ନ ଥିଲେ। ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍କୁ ମାତ୍ର ୪ ୱିକେଟ୍ ହରାଇ ଜିତି ନେଇଥିଲା। ପରେ ୨୦୧୭ ଡିସେମ୍ବର ୨୦ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ବାରବାଟୀରେ ଦ୍ବିତୀୟ ଟ୍ବେଣ୍ଟି-୨୦ ଖେଳିଥିଲା। ଏଥର ଘରୋଇ ଦଳ ୯୩ ରନ୍ରେ ବିଜୟୀ ହୋଇ ପ୍ରଥମଥର ବାରବାଟୀରେ ଟ୍ବେଣ୍ଟି-୨୦ରେ ବିଜୟ ସ୍ବାଦ ପାଇଥିଲା। ହେଲେ ୨୦୨୨ ଜୁନ୍ ୧୨ ତାରିଖରେ ପୁଣିଥରେ ଦକ୍ଷିଣ ଆଫ୍ରିକା ବାରବାଟୀରେ ଭାରତକୁ ଧୂଳି ଚଟାଇ ଦେଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ୱିକେଟ୍ ବିନିମୟରେ ୧୪୮ ରନ୍ କରିଥିଲା। କିନ୍ତୁ ହେନରିକ କ୍ଲାସେଁଙ୍କ ବିସ୍ଫୋରକ ୮୧ ରନ୍ ସହାୟତାରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍କୁ ୪ ୱିକେଟ୍ରେ ଜିତି ନେଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ମ୍ୟାଚ୍ରେ ଭାରତ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ବାରବାଟୀରେ ଖେଳିଥିଲା। ତେଣୁ ପରାଜିତ ହୋଇଥିଲା। ହେଲେ ଶ୍ରୀଲଙ୍କା ବିପକ୍ଷରେ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରେ ଖେଳିଥିବାରୁ ଭାରତ ବିଜୟୀ ହୋଇଥିଲା। ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରେ ଖେଳାଯିବ। ତେଣୁ ପୂର୍ବ ସମୀକରଣକୁ ଦେଖିଲେ ଏବଂ ଭାରତୀୟ ଖେଳାଳିଙ୍କ ବର୍ତ୍ତମାନର ପ୍ରଦର୍ଶନକୁ ବିଚାରକୁ ନେଲେ ଭାରତ ଏଥର ବାରବାଟୀରେ ବିଜୟ ପତାକା ଉଡ଼ାଇବା ସମ୍ଭାବନା ଅଧିକ ରହୁଛି।
/filters:format(webp)/sambad/media/media_files/2025/12/08/untitled-19-2025-12-08-09-00-50.jpg)
ବାରବାଟୀ ମ୍ୟାଚ୍ ପାଇଁ ଯାନବାହନ କଟକଣା
ମ୍ୟାଚ୍ ପୂର୍ବରୁ କଟକ କମିସନରେଟ୍ ପୁଲିସ ଟ୍ରାଫିକ୍ କଟକଣା ଲଗାଇଛି। ୮ ତାରିଖରେ ଅଭ୍ୟାସ ମ୍ୟାଚ୍ ହେବାକୁ ଯାଉଛି। ଏହି ଦିନ ଖେଳ ଓ ଖେଳାଳିମାନଙ୍କୁ ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମ୍ ଓ ଆଖପାଖରେ ଗହଳି ହେବ। ସେଥିପାଇଁ କମିସନରେଟ୍ ପୁଲିସ ବିଭିନ୍ନ ରାସ୍ତାରେ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଇଛି। କଟକଣାଗୁଡ଼ିକ ୮ତାରିଖ ଅଭ୍ୟାସ ମ୍ୟାଚ୍ ଦିନ ୧୨ଟାରୁ ରାତି ୯ଟା ଏବଂ ୯ ତାରିଖରେ ସକାଳ ୮ଟାରୁ ଭିଡ଼ ଭାଙ୍ଗିବା ଯାଏ ଲାଗୁ କରାଯାଇଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ ମାତାମଠ ପଟୁ ମହାନଦୀ ରିଂରୋଡ୍ରେ ଆସୁଥିବା ସମସ୍ତ ଯାନବାହନ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ। କେବଳ ପାସ୍ ଥିବା ଯାନବାହନ ବାମ୍ବୋ ଡିପୋ ଗଡ଼ାର ବାମକୁ ଯାଇ ଉପର ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ। ହାୱଡ଼ା ମୋଟର୍ ଛକ ଏବଂ ମଣିସାହୁ ଛକ ଆଡ଼ୁ ଆସୁଥିବା ଯାନବାହନଗୁଡ଼ିକ ଗିର୍ନାର୍ ହୋଟେଲ୍ ଛକରୁ ପୁରୁଣା ଲ’ ହଷ୍ଟେଲ୍ ଛକ ଦେଇ ମହାନଦୀ ରିଂରୋଡ୍ରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ନିଜ ଗାଡ଼ିଗୁଡ଼ିକୁ ପାର୍କିଂ କରିପାରିବେ। ପାସ୍ ଥିବା ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଯାନବାହନ ବିଜୁ ପଟ୍ଟନାୟକ ଛକ କିମ୍ବା ଚଣ୍ଡୀଛକ ଆଡ଼ୁ ବାରବାଟୀ ଷ୍ଟାଡ଼ିୟମ୍ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ। କୌଣସି ଯାନବାହନ ଆନନ୍ଦଭବନ ଛକରୁ ଭାୟା କିଲ୍ଲା ଫୋର୍ଟ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ। କ୍ୟାଣ୍ଟନମେଣ୍ଟ୍ ଥାନା ଛକ ଦେଇ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ରଖିପାରିବେ। ସମାଜ ଅଫିସ ଛକ ପଟୁ ପାସ୍ ଥିବା ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଯାନବାହନ ହନୁମାନ ମନ୍ଦିର ଛକରୁ ସିଧା ମଧୁସୂଦନ ପ୍ରତିମୂର୍ତ୍ତି ଆଡ଼କୁ ଯାଇପାରିବେ ନାହିଁ। ପାସ୍ ଥିଲେ ୱାଇଏମ୍ସିଏ ରାସ୍ତା ଓ ଲାୟନ୍ସ ଆଇ ହସ୍ପିଟାଲ୍ ଦେଇ ନିଜ ଗାଡ଼ି ଓଡ଼ିଶା କ୍ରିକେଟ୍ ଏକାଡେମି ପଡ଼ିଆରେ ପାର୍କିଂ କରିପାରିବେ। ରିଜର୍ଭ ପୁଲିସ୍ ଲାଇନ୍ ଆଡ଼ୁ ଆସୁଥୁବା ଯାନବାହନଗୁଡ଼ିକ ଓଡ଼ିଶା ପୁଲିସ ସଂଘ (ଓପା)ଠାରୁ ବାରବାଟୀ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ। ପାସ୍ ଥିବା ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଯାନବାହନ ମଧୁସୂଦନ ଷ୍ଟାଚ୍ୟୁ ଛକରୁ ବାରବାଟୀ ଷ୍ଟାଡିୟମ୍ ଆଡ଼କୁ ଏବଂ ଲାୟନ୍ସ ଆଇ ହସ୍ପିଟଲ୍ ଛକରୁ କିଲ୍ଖାନା ରାସ୍ତା ଦେଇ ବାରବାଟୀ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ମହାନଦୀ ରିଂ ରୋଡ୍ରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ। କୌଣସି ଭାରୀଯାନ ମହାନଦୀ ଓ କାଠଯୋଡ଼ି ରିଂରୋଡ୍ ଏବଂ ସହର ମଧ୍ୟରେ ଚଳପ୍ରଚଳ ନିଷେଧ କରାଯାଇଛି। ସକାଳ ୮ରୁ ରାତି ୨ଟା ପର୍ଯ୍ୟନ୍ତ ଏହି ଭାରୀଯାନ କଟକଣା ଲାଗୁ ହେବ। ୮ ତାରିଖ ବାରବାଟୀ ଷ୍ଟାଡିୟମ୍ରେ ଖେଳାଳିଙ୍କ ଅଭ୍ୟାସ ମ୍ୟାଚ୍ ପାଇଁ ଚହଟା ଛକ ଓ ଶିଖରପୁର ଛକରୁ ବାମ୍ବୋ ଡିପୋ ପର୍ଯ୍ୟନ୍ତ ଦିନ ୧୨ରୁ ରାତି ୧୦ଟା ଯାଏ ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଉପରୋକ୍ତ କଟକଣାଗୁଡ଼ିକ ଅଗ୍ନିଶମ, ଆମ୍ବୁଲାନ୍ସ, ପୁଲିସ ଆଦି ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ପାଇଁ ଲାଗୁ ହେବନାହିଁ। ସାଧାରଣ ଜନତା କଟକଣା ଲାଗୁ ହୋଇଥିବା ରାସ୍ତାରେ ନ ଯାଇ ଅନ୍ୟ ରାସ୍ତାରେ ଯିବାକୁ ପୁଲିସ କମିସନର୍ ଏସ୍. ଦେବଦତ୍ତ ସିଂହ ନିର୍ଦ୍ଦେଶନାମା ଜାରି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/08/untitled-18-2025-12-08-08-59-30.jpg)