ଜଟଣୀ: ଖୋର୍ଦ୍ଧାରୋଡ୍ ରେଳଷ୍ଟେସନରୁ ରେତଙ୍ଗକଲୋନିକୁ ଲମ୍ବିଥିବା ରାସ୍ତାର ନବୀକରଣ କାମ ସରୁନାହିଁ। ରାଜାବଜାର ଦୁର୍ଗାମଣ୍ଡପ ଛକରୁ ରେତଙ୍ଗକଲୋନି ଛକ ପର୍ଯ୍ୟନ୍ତ ମାତ୍ର ୧ କିମି ରାସ୍ତାର ନବୀକରଣ କାମ ୬ମାସ ଭିତରେ ସରିପାରିନାହିଁ। ତେଣୁ ଅଧାଗଢ଼ା ରାସ୍ତା‌ରେ ବିପଜ୍ଜନକ ଭାବେ ଯାତାୟାତ କରୁଥିବା ସ୍ଥାନୀୟ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରେଳ କର୍ତ୍ତୃପକ୍ଷଙ୍କ ଉଦାସୀନତା, ଠିକାସଂସ୍ଥାର ମନମାନିକୁ ସୁହାଉଛି। ବାରମ୍ବାର ଅଭିଯୋଗ କରିବା ପରେ ବି କାମ ଶେଷ ହେଉନଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

Advertisment

Agriculture: ବିପଦରେ ଚାଷ ଓ ଚାଷୀ

Digital world: ଦୁର୍ଗମ ଅଞ୍ଚଳରୁ ଡିଜିଟାଲ୍‌ ଦୁନିଆ

 
ଜଟଣୀ ସହରରେ ଥିବା ରେଳବାଇକଲୋନିଗୁଡ଼ିକ ମଧ୍ୟରେ ରେତଙ୍ଗକଲୋନି ଅନ୍ୟତମ। ଏଠାରେ ଅଧିକାଂଶ ରେଳ ଅଧିକାରୀ ଓ କର୍ମଚାରୀ କ୍ବାର୍ଟର୍ସ ପାଇ ରହିଆସୁଛନ୍ତି। ରେଳବାଇର ୨୪ଘଣ୍ଟିଆ ଅର୍ଥାତ୍ ସିଫ୍‌ଟ ଡ୍ୟୁଟି ପାଇଁ ରେଳ କର୍ମଚାରୀମାନେ ବିଳମ୍ବିତ ରାତିରେ ବି ଏହି ରାସ୍ତା ଦେଇ ଯାତାୟାତ କରନ୍ତି। ଏହି ରାସ୍ତାଟି ରେଳବାଇ ଅଧୀନରେ ରହିଛି। କିନ୍ତୁ ବହୁ ବର୍ଷ ଧରି ମରାମତି ନ ହେବାରୁ ରାସ୍ତା ସାରା ଖାଲଖମା ହୋଇଯାଇଥିଲା। ତେଣୁ ରାସ୍ତାର ନବୀକରଣ ଆବଶ୍ୟକ ଥିଲା। ତେଣୁ ରେଳ କର୍ତ୍ତୃପକ୍ଷ ୬ମାସ ପୂର୍ବେ ରାଜା ବଜାର ଦୁର୍ଗା ମାର୍କେଟ୍ ଛକରୁ ରେତଙ୍ଗକଲୋନି ଛକ ପର୍ଯ୍ୟନ୍ତ ପ୍ରାୟ ଏକ କିମି ରାସ୍ତାର ନବୀକରଣ କାମ ଆରମ୍ଭ କରିଥିଲେ। ମା’ ସନ୍ତୋଷୀ ମନ୍ଦିର ସାମ୍ନା ରାସ୍ତାର ଅଂଶ ତଳୁଆ ଥବାରୁ ଜଳ ନିଷ୍କାସନ ଏଠାରେ ଏକ ଛୋଟ ପୋଲ ନିର୍ମାଣ କରାଯାଇଥିଲା। ପୋଲ ପର୍ଯ୍ୟନ୍ତ ଉଭୟ ପଟ ରାସ୍ତାର ନବୀକରଣ କାମ ସରିଛି। ମାତ୍ର ପୋଲକୁ ଲାଗି ରହିଥିବା ଥିବା ଅପ୍ରୋଚ୍ ରୋଡ୍ କାମ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିଲା ନାହିଁ। ପୋଲ ସିନା ହୋଇଯାଇଛି, ତା’ ଉପରେ ଆଜି ପର୍ଯ୍ୟନ୍ତ ଯାତାୟାତ ହୋଇପାରିଲା ନାହିଁ। ଲୋକେ ସର୍ଭିସ୍‌ରୋଡ୍‌‌ରେ ଧୂଳିମାଟିରେ ବଡ଼ କଲବଲ ହୋଇ ଯା’ଆସ କରୁଛନ୍ତି। ବିଶେଷକରି ରାତି ଡ୍ୟୁଟି ପାଇଁ ବା ରାତି ଡ୍ୟୁଟି ସାରି ଘରକୁ ଫେରୁଥିବା ରେଳ କର୍ମଚାରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସର୍ଭିସ୍‌ରୋଡ୍‌‌ର ଖାଲଖମାରେ ପଡ଼ି କିଛି ଲୋକ ଖଣ୍ଡିଆଖାବରା ହେଉଛନ୍ତି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ରାସ୍ତା ଉପରେ ଗଜପତିନଗର, ମଧୁସୂଦନନଗର, କୁସୁମାଟି, ରଥିପୁର ଆଦି ଗାଁର ବହୁତ ଲୋକ ନିର୍ଭର କରନ୍ତି। ଜଟଣୀ ସହରରେ ବିଭିନ୍ନ ବେପାରବଣିଜ କରୁଥିବା ଲୋକଙ୍କ ସହିତ ଦିନ ମଜୁରିଆ ଓ ଅନ୍ୟମାନେ ଏହି ଧୂଳି ଧୁସରିତ ରାସ୍ତାରେ ବଡ଼ କଦର୍ଯ୍ୟ ଅବସ୍ଥାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଏନେଇ ରେଳବାଇ ଶ୍ରମିକ କଂଗ୍ରେସ ଶାଖାର ସମ୍ପାଦକ ଏଲ୍‌ ଡି ମହାନ୍ତି କହିଛନ୍ତି ଯେ ଏହି ରାସ୍ତା କାମ ଅଧପନ୍ତରିଆ ହୋଇଥିବାରୁ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛୁ। ସମ୍ପୃକ୍ତ ଠିକାଦାରଙ୍କ ମନମାନି ପାଇଁ କାମ ଅଧାରୁ ବନ୍ଦ ରହିଛି। ଏଥିପ୍ରତି ରେଳ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ରେତଙ୍ଗକଲୋନିବାସୀ ଦାବି କରିଛନ୍ତି।