ଉପକଣ୍ଠରେ ଜମିବ ଦୋଳଯାତ୍ରା
ଭୁବନେଶ୍ୱର: ‘ଦୋଳେ ଚ ଦୋଳଗୋବିନ୍ଦମ୍, ଚାପେ ଚ ମଧୁସୂଦନମ୍। ରଥେ ତୁ ବାମନମ୍ ଦୃଷ୍ଟ୍ବା, ପୁନର୍ଜନ୍ମ ନ ବିଦ୍ୟତେ।’ ବିଶ୍ବାସ ରହିଛି ଦୋଳବିମାନରେ ରାଧାଗୋବିନ୍ଦଙ୍କୁ ଦର୍ଶନ କଲେ, ମୋକ୍ଷପ୍ରାପ୍ତି ହୋଇଥାଏ। ତେଣୁ ଫାଲ୍ଗୁନ ମାସ ଫଗୁ ଦଶମୀଠାରୁ ପ୍ରଭୁ ଗୋବିନ୍ଦଙ୍କୁ ଅବିର ଲାଗି କରିବା ଓ ଦୁଆରେ ଦୁଆରେ ଚାଚେରି ଭୋଗ ବାଢ଼ିବା ବିଧି ବହୁ କାଳରୁ ପ୍ରଚଳିତ ହୋଇଆସିଛି। ଏହି ଅବସରରେ ଫଗୁ ଦଶମୀରୁ ଫାଲ୍ଗୁନ ପୂର୍ଣ୍ଣିମା ଓ ହୋଲି ପରଦିନ ପର୍ଯ୍ୟନ୍ତ ଗାଁ ଗାଁରେ ହରିହର ଭେଟ ବିଧି ମଧ୍ୟ ପାଳିତ ହୋଇଆସୁଛି। ପଞ୍ଚୁଦୋଳ ମେଳଣ ନାଁରେ ଖ୍ୟାତ ଏହି ଉତ୍ସବରେ ବିଭିନ୍ନ ଗାଁର ଆରାଧ୍ୟ ଦେବତାମାନେ ଦୋଳବିମାନରେ ଆସି ଗାଁ ମେଳଣପଡ଼ିଆରେ ଏକାଠି ହୋଇ ଅବିର ଲାଗି ହୋଇଥାଆନ୍ତି। ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ରାଜଧାନୀ ଓ ଉପକଣ୍ଠ ଉତ୍ସବମୁଖର ହୋଇଉଠିଥାଏ। ଦୋଳ ବିମାନରେ ଗାଁ ବୁଲିବେ ରାଧା ମାଧବ। ବାଜା, ବାଣ, ରୋଶଣି ସାଙ୍ଗକୁ ସୁସଜ୍ଜିତ ବିମାନରେ ଭୋଗ ଖାଇବାକୁ ଯିବେ ଲୀଳାମୟ କୃଷ୍ଣ। ଖୋଳ, ଗିନି ଓ କରତାଳରେ ଉଚ୍ଛୁଳି ଉଠିବ ଗାଁ ଦାଣ୍ଡ। ଚାରିଆଡ଼େ ଉତ୍ସବ ଓ ଆଧ୍ୟାତ୍ମିକତାର ପରିବେଶ। ବିଶେଷକରି ରାଜଧାନୀ ଉପକଣ୍ଠ ଗାଁଗୁଡ଼ିକରେ ଦୋଳ ମେଳଣ ଓ ଫଗୁ ଖେଳ ଅନୁଷ୍ଠିତ ହେବ। ଶ୍ୟାମପୁରରେ ଗୁରୁବାର ରାତିରେ ଜମାଣ ଆରମ୍ଭ ହେବାକୁ ଥିବା ବେଳେ ଆଉ କେତେକ ଗାଁରେ ମେଳଣ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀରାଧାକୃଷ୍ଣ ସୁସଜ୍ଜିତ ବିମାନରେ ବିରାଜମାନ ହୋଇ ଚାଚେରି ଭୋଗ ଲାଗି ହେବେ। ପରେ ମେଳଣ ପଡ଼ିଆକୁ ବିଜେ କରିବେ। ଅନ୍ୟ ଗାଁଗୁଡ଼ିକରୁ ଆସିଥିବା ଦୋଳ ବିମାନକୁ ନେଇ ମେଳଣ ଅନୁଷ୍ଠିତ ହେବ।
Hoarding collapses: ହୋର୍ଡିଂ ଖସି ୨ ମୃତ୍ୟୁ ଘଟଣା, ପରିବାର ଲୋକଙ୍କ ଧାରଣା
ତିନି ପ୍ରକାରର ମେଳଣ: ଦୁଇ ମାସର ଉତ୍ସବ
ଫାଲଗୁନ ଶୁକ୍ଳପକ୍ଷ ଦଶମୀ ବା ଫଗୁ ଦଶମୀଠାରୁ ଆରମ୍ଭ ହେଉଥିବା ଦୋଳ ପର୍ବ ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଚାଲିବ। ରାଜଧାନୀ ଉପକଣ୍ଠରେ ଥିବା ବିଭିନ୍ନ ଗ୍ରାମଗୁଡିକରେ ୩ ପ୍ରକାରର ମେଳଣ ଅନୁଷ୍ଠିତ ହେବ। କେତେକ ଗ୍ରାମରେ ପଞ୍ଚୁ ଦୋଳ ପାଳନ ହେଉଥିବା ବେଳେ ଆଉ କିଛି ଗ୍ରାମରେ ଦଶ ଦୋଳ ଓ ଭାଗବତ ମେଳଣ ଅନୁଷ୍ଠିତ ହେବ। ଫଗୁ ଦଶମୀଠାରୁ ୫ ଦିନ ବ୍ୟାପୀ ଅର୍ଥାତ ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚୁ ଦୋଳ ପାଳିତ ହେଉଥିବା ବେଳେ ଦୋଳ ପୂର୍ଣ୍ଣିମା ପରଠାରୁ ଦଶଦିନ ଧରି ଦଶ ଦୋଳ ମେଳଣ ପାଳନ କରାଯାଇଥାଏ। ସେହିପରି ବାରୁଣୀ ସ୍ନାନ ପରଠାରୁ ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଭାଗବତ ବାସୁଦେବ ମେଳଣ ଅନୁଷ୍ଠିତ ହେବ। ଗାଁ ଗାଁ ମଧ୍ୟରେ ସ୍ନେହ, ସଦ୍ଭାବ ଓ ପାରମ୍ପରିକ ତଥା ସାଂସ୍କୃତିକ ସମ୍ପର୍କକୁ ମଜଭୁତ କରିବା ପାଇଁ ପାଳିତ ହେଉଥିବା ଦୋଳଯାତ୍ରା ଅବସରରେ ଫଗୁ ଦଶମୀ ଠାରୁ ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ପ୍ରାୟ ଦୁଇ ମାସ ଧରି ଗାଁ ଗୁଡ଼ିକରେ ଉତ୍ସବର ମାହୋଲ ଲାଗି ରହିବ।
Permit is illegal: ଅନୁମତି ବେଆଇନ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଚଳ
ଶ୍ୟାମପୁରରୁ ଆରମ୍ଭ ମେଳଣ
ଦୋଳ ମେଳଣ ଅବସରରେ ରାଜଧାନୀ ଉପକଣ୍ଠ ଚଳଚଞ୍ଚଳ ହୋଇଉଠିଛି। ଭାଇଚାରାର ବାର୍ତ୍ତା ନେଇ ଗୋଷ୍ଠୀ ଗୋଷ୍ଠୀ ବା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏହି ପର୍ବ ଗ୍ରାମର ଆବାଳ ବୃଦ୍ଧବନିତାଙ୍କ ମନରେ ଆନନ୍ଦ ଉଲ୍ଲାସ ଭରି ଦେଇଛି। ଜମାଣ ଠାରୁ ହରିହର ଭେଟ ପର୍ଯ୍ୟନ୍ତ ୩ ଦିନ ଧରି ଗାଁ ମାନଙ୍କରେ ଉତ୍ସବର ମାହୋଲ୍ ଲାଗି ରହିଥାଏ। ରାଜଧାନୀ ଉପକଣ୍ଠର ଶ୍ୟାମପୁରରୁ ଏହି ମେଳନ ଆରମ୍ଭ ହେବ। ୨୬ ତାରିଖ ରାତିରେ ଠାକୁରଙ୍କ ଜମାଣ ପର୍ବ ହେବ। ୨୮ ତାରିଖରେ ମେଳଣ ଓ ହରିହର ଭେଟ ପରେ, ଜାଗମରା, ଜାଗସରା, ତମାଣ୍ଡୋ, ପାତ୍ରପଡ଼ା, ଆଇଗିଣିଆ, ସରକନ୍ତରା, ଛତାବର, ନଁପୁଟ, ମଦନପୁର, ମୁଣ୍ଡମୁହାଁଣ, ଚନ୍ଦକା, ଶିମିଳିପାଟଣା, ମେଣ୍ଢାଶାଳ, ଦାରୁଠେଙ୍ଗ, ଘାଟିକିଆ, କାଟେଣୀ, ଭଗବାନପୁର, ମଳିପଡ଼ା, ସୁଆଙ୍ଗ, ବାହାଦଲପୁର, କଣ୍ଟାବାଡ଼, କାଇମାଟିଆ, ପଳାସପୁର, ଗଙ୍ଗପଡ଼ା, ଅନ୍ଧାରୁଆ, ମହୁରା, ପାଇକରାପୁର, ପାଇକରାପୁର ମହାଜନସାହି, ପାଣିଓରା, ଗଡ଼ଜାଗସରା, କାଶୀପୁର ଆଦି ଗ୍ରାମମାନଙ୍କରେ ଦୋଳ ଯାତ୍ରା ବେଶ ଧୁମ୍ଧାମରେ ପାଳିତ ହେବ।
ଚାଚେରି ଭୋଗଖିଆ
ଗୁରୁବାର ଶ୍ୟାମପୁର ଜମାଣ ଶେଷ ହେବାପରେ ଅନ୍ୟ ଗାଁ ଗୁଡ଼ିକରେ ମେଳଣ ଉତ୍ସବ ଆରମ୍ଭ ହୋଇଯିବ। ଫଗୁ ଦଶମୀ ଠାରୁ ଗାଁମାନଙ୍କରେ ଚାଚେରି ଭୋଗ ଲାଗି ଆରମ୍ଭ ହେବ। ଭୋଗଖିଆର ଶେଷ ଦିନରେ ଜମାଣ ଅନୁଷ୍ଠିତ ହୁଏ ଓ ଥାନପତି ବିଜେ କରିଥାନ୍ତି। ଦୋଳ ମେଳଣରେ ବିଭିନ୍ନ ଗ୍ରାମର ଠାକୁରଙ୍କୁ ନିମନ୍ତ୍ରଣ କରାଯାଇଥାଏ। ପରମ୍ପରା ଅନୁଯାୟୀ ଠାକୁରମାନେ ଆସି ଗାଁ ମୁଣ୍ଡରେ ପହଞ୍ଚିବା ପରେ ଗ୍ରାମର ପୂଜକ ଠାକୁରମାନଙ୍କୁ ମେଳଣ ପଡ଼ିଆକୁ ପାଛୋଟି ନିଅନ୍ତି। ମେଳନର ଶେଷ ଦିନରେ ଠାକୁରମାନଙ୍କୁ ଭୋଗ ହାଣ୍ଡି ଲାଗି କରାଯାଇ ହରିହର ଭେଟ ପର୍ବ ଅନୁଷ୍ଠିତ ହୋଇଥାଏ। ହରିହର ଭେଟ ସମୟରେ ବାଜା ଓ ବାଣରେ ମେଳଣ ପଡ଼ିଆ କମ୍ପି ଉଠିଥାଏ। ହରିହର ଭେଟ ସରିବା ପରେ ଥାନପତି ଅତିଥି ଠାକୁରମାନଙ୍କୁ ବିଦାୟ ଦିଅନ୍ତି ଓ ସମସ୍ତ ଠାକୁର ନିଜ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।
ତମାଣ୍ଡୋରେ ୭ ଦିନିଆ ଉତ୍ସବ
ଆସନ୍ତା ୨୮ ତାରିଖରୁ ତମାଣ୍ଡୋ ଗ୍ରାମରେ ଆରମ୍ଭ ହେବାକୁ ଥିବା ଦୋଳ ଉତ୍ସବ ୩ ତାରିଖ ପର୍ଯ୍ୟନ୍ତ ସାତଦିନ ଧରି ଚାଲିବ। ପ୍ରଥମ ରାତିରେ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ବିଜେ ପ୍ରତିମା ଶ୍ରୀଚନ୍ଦ୍ରଶେଖର ଦେବ ସୁସଜ୍ଜିତ ବିମାନରେ ବିରାଜମାନ ହୋଇ ତମାଣ୍ଡୋ ଗ୍ରାମରେ ଚାଚେରି ଭୋଗ ଲାଗି ହେବେ। ତା’ ପରେ ଚନ୍ଦ୍ରଶେଖର ଦେବ ନାରଗୋଦା ଓ ସିଜିପୁଟ ଏବଂ ଗୁରୁବାର କାଶୀପୁର ଓ ବାଲିଆପଡ଼ା ଗ୍ରାମରେ ଭୋଗ ଲାଗି ହେବେ। ଶୁକ୍ରବାର ଚନ୍ଦ୍ରଶେଖର ଦେବ, ଶ୍ରୀ ଯୁଗଳ କେଶରୀ ଦେବ, ଶ୍ରୀଗୋପାଳ ଜୀ ଓ ଶ୍ରୀଚୈତନ୍ୟ ମହାପ୍ରଭୁ ୪ଟି ଦୋଳ ବିମାନରେ ବିରାଜମାନ ହୋଇ କେବଳ ତମାଣ୍ଡୋ ଓ ବିଜିପୁର ଗ୍ରାମରେ ଚାଚେରି ଭୋଗ ଲାଗି ହେବେ। ୩ତାରିଖ ଦିନ ଜମାଣ ପର୍ବ ଅନୁଷ୍ଠିତ ହେବାକୁ ଥିବାବେଳେ ସେହିଦିନ ଠାରୁ ତିନି ଦିନ ଧରି ଅପେରା ପାର୍ଟି ନାଟକ ପରିବେଷଣ କରିବ। ୫ ତାରିଖରେ ବିଭିନ୍ନ ଗାଁରୁ ଆସିଥିବା ଠାକୁରମାନଙ୍କ ସହିତ ହରିହର ଭେଟ ହେବ।
ବାଡ଼ିଖେଳ
ଦୋଳଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି କାଠି ଲଉଡ଼ି ଖେଳ। ଦୋଳ ପୂର୍ଣ୍ଣିମା ସନ୍ଧ୍ୟାରେ ଗୋପାଳମାନେ ଏକାରଙ୍ଗର ପୋଷାକରେ ସଜ୍ଜିତ ହୋଇ ଅଣ୍ଟାରେ କାଚ୍ଛଟା, ଘାଗୁଡ଼ି, ବଂଶୀ ବାନ୍ଧି, ମଥାରେ ଠେକା ବାନ୍ଧି ଜାମୁଡାଳ ଓ ଗଳାରେ ଫୁଲହାର ପିନ୍ଧନ୍ତି। ଦୁଇ ହାତରେ ଦୁଇ ଲଉଡ଼ି ଧରି ଦଳଗତ ନୃତ୍ୟ କରିଥାନ୍ତି। ଜଣେ ଜଣେ ଦଳପତିଙ୍କ ଅଧିନାୟକତ୍ୱରେ ଗୋପାଳମାନେ ଗୋଷ୍ଠୀଗତ ଭାବେ ବିଭକ୍ତ ହୋଇ ଲଉଡ଼ି ତାଳେ ତାଳେ ନାଚନ୍ତି। ଏଥିପାଇଁ ୧୫ ଦିନ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯାଦବ ସମ୍ପ୍ରଦାୟର ବୀରତ୍ବ ପ୍ରଦର୍ଶନ ବାଡ଼ି ବୁଲାଇବା, ନିଆଁବାଡ଼ି ବୁଲାଇବା ଏପରି ଅନେକ ପ୍ରକାର ବୀରତ୍ବର ପ୍ରଦର୍ଶନ କରିବାକୁ ସବୁ ଯୋଜନା ଚାଲିଛି।
ଉପକଣ୍ଠରେ ଜମିବ ଫ୍ରି ସେଲ୍ ନାଟକ
ଗାଁ କମିଟିମାନଙ୍କ ପକ୍ଷରୁ ଏହି ଅବସରରେ ଫ୍ରି ସେଲ୍ ଅପେରା ଦୋଳ ଉତ୍ସବକୁ ଆହୁରି ରଙ୍ଗିନ କରିବ। ନାମୀଦାମୀ ଅପେରା ପାର୍ଟିଙ୍କ ନାଟକ ମାଗଣାରେ ଦେଖିବା ପାଇଁ ଯାତ୍ରାପଡ଼ିଆରେ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିବ। ଚଳିତ ବର୍ଷ ୨୭ ତାରିଖରୁ ୧ ତାରିଖ ପର୍ଯ୍ୟନ୍ତ ଶ୍ୟାମପୁରରେ ଓମ୍କାର ପାର୍ଟି ନାଟକ ପରିବେଷଣ କରିବ। ଏହାପରେ ତମାଣ୍ଡୋରେ ଅପେରା କୋଣାର୍କ ୪ ତାରିଖରୁ ୬ ତାରିଖ ନାଟକ ମଞ୍ଚସ୍ଥ କରିବ। ସେହିଭଳି ଅନ୍ୟ ସବୁ ଗାଁରେ ଅପେରା ପାର୍ଟିମାନେ ଫ୍ରି ସେଲ୍ ଯାତ୍ରା ପରିବେଷଣ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/26/untitled-25-2026-02-26-08-29-05.jpg)