ଭୁବନେଶ୍ୱର: ଗତ କିଛିଦିନ ହେଲା ରାଜଧାନୀକୁ ଘନକୁହୁଡ଼ି ଆଚ୍ଛାଦିତ କରି ରଖୁଛି। ହାଡ଼ଭଙ୍ଗା  ଶୀତରେ ରାଜଧାନୀ ଥରୁଛି। ଏ ସବୁ ସତ୍ତ୍ବେ ସକାଳ ସାଢ଼େ ୬ଟା ସୁଦ୍ଧା ରାଜଧାନୀବାସୀଙ୍କୁ ରାସ୍ତାକୁ ଆସିବାକୁ ବାଧ୍ୟ କରିଥିଲା ‘ପଥ ଉତ୍ସବ’। ମାଷ୍ଟର କ୍ୟାଣ୍ଟିନଠାରୁ ରାମ ମନ୍ଦିର ଯାଏ କେଉଁଠି ଓଡ଼ିଶୀ ତ କେଉଁଠି ହିପ୍‌ ଅପ୍‌ ତ ଆଉ କେଉଁଠି ଜୁମ୍ୱା ଡ୍ୟାନ୍ସ ଦର୍ଶକଙ୍କୁ ୧୧ଟା ଯାଏଁ ବାନ୍ଧି ରଖିଥିଲା। କିଡସ୍‌ ଜୋନରେ କ୍ୟାରମ୍‌, ପିକ୍‌ ଦ ଷ୍ଟିକ୍‌, ଲୁଡୁ , କୁଇଜ୍ ପ୍ରତିଯୋଗିତା, ଷ୍ଟୋରି ଟେଲିଙ୍ଗ୍‌ ଛୋଟ ପିଲାଙ୍କୁ ଆକର୍ଷିତ କରିଥିଲା। ସେହିପରି ଚାର୍ଲି ଚାପଲିନ, ଜୋକର, ପାଣ୍ଡା, ଟ୍ରି ମ୍ୟାନ ସମେତ ସେଲ୍‌ଫି ପଏଣ୍ଟ  ନିକଟରେ ଫଟୋ ଉଠାଇବାକୁ ସମସ୍ତେ ଭିଡ଼ ଜମାଇଥିଲେ। କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ‘ପଥ ଉତ୍ସବ’ ସମ୍ପର୍କ ଯୋଡ଼ିବାର ମାଧ୍ୟମ ବୋଲି କହିଥିଲେ। ଶୀତ ଦିନ ଥିବା ଯାଏଁ ପ୍ରତି ମାସରେ ତିନିଥର ଏହି ଉତ୍ସବ ହେବା ପାଇଁ ସେ ବିଏମ୍‌ସିକୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ବାବୁ ସିଂହ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଂଜୁଲତା କହଁର, କମିସନର ଚଞ୍ଚଳ ରାଣା, ସାଂସ୍କୃତି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ  ରାମଚନ୍ଦ୍ର ରଣସିଂହଙ୍କ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ଜମାଇ ଦେଲେ ପପୁ, ଭିଜାଇଦେଲେ ଅନ୍ତରା

ମିଲି ଛାଡ଼ି ଦେଲା ମୋତେ.......’ ସଙ୍ଗୀତରୁ ନିଜ ମନୋରଞ୍ଜନ କାର୍ଯ୍ୟକ୍ରମ ଆରମ୍ଭ କରି ନିଜର ହାସ୍ୟରସରେ ଲୋକଙ୍କୁ ମଞ୍ଚ ତଳେ ବାନ୍ଧି ରଖିଥିଲେ କମେଡି କିଙ୍ଗ ପପୁ ପମପମ୍‌। ଏହା ପରେ ‘ରଙ୍ଗିଲା ଟୋକା....,’ ‘ପେଗ୍‌ ବନେଇ ଦେ...’ ସଙ୍ଗୀତ ଦର୍ଶକଙ୍କୁ ନଚେଇ ଦେଇଥିଲା। ଏହା ପରେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ କଣ୍ଠରେ ‘ଜାନୁ ତମେ ଚମକୁଛ..’, ‘ଉଡ଼ି ଉଡ଼ି ବିମାନରେ ଯିବା..’, ‘ନାଲି ଝିଣ୍ଟିକା..’ ହ୍ୟୁମାନ ସାଗରଙ୍କ ସ୍ମୃତିକୁ ତାଜା କରିଦେଇଥିଲା। ବିଶେଷ କରି ‘କଦଳୀ ବଣରେ ତତେ ଡୁଙ୍ଗୁ ଥିଲି...’ ଗୀତ ମେୟରଙ୍କ, ବିଏମସିର କର୍ମଚାରୀ ଓ ସାଧାରଣ ଲୋକଙ୍କୁ ମଞ୍ଚ ନିକଟକୁ ଟାଣି ଆଣିଥିଲା। ସେହିପରି ଭୁବନେଶ୍ୱର ଗଟ୍ ଟ୍ୟାଲେଣ୍ଟର ଦୁଇ ଦୁଇଟି ମଂଚରେ ନୃତ୍ୟ, ସଙ୍ଗୀତ, ରୢାପ, ମଡେଲିଂ ଵାକ୍‌ ପରି କଳାକୁ ପ୍ରଦର୍ଶନ କରିବା ପାଇଁ ପିଲାମାନଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ୬୦ରୁ ଊର୍ଦ୍ଧ୍ୱ କଳାକାର ଭାଗ ନେଇଥିଲେ। 

ମାନସିକ ଶାନ୍ତି ପାଇଁ ଯୋଗ, ପ୍ରାଣାୟମ, ଟାଏକୋଣ୍ଡୋ, ଜୁମ୍ୱା, ସ୍କେଟିଂ ଆଦି ଶିଖିବାକୁ ଲୋକଙ୍କର ଭିଡ଼ ଜମିଥିଲା। ବହୁ ଲୋକ ପ୍ରଶିକ୍ଷକଙ୍କଠାରୁ ପଚାରି ବୁଝୁଥିଲେ। ସେହିପରି ଶୀତୁଆ ସକାଳରେ  ଫୁଡ୍ କୋର୍ଟରେ ଗରମ ପିଠା, ମିଠା ପରି ଖାଦ୍ୟର ମଜା ନେଇଥିଲେ ଲୋକେ। ସେହିପରି ପୁରୀର ମାଲଖମ୍ୱ, ଗଞ୍ଜାମର ରଣପା, ମୁଖା ଓ ବାଘ ନୃତ୍ୟକୁ ଦର୍ଶକମାନେ ନିଜ କ୍ୟାମେରାରେ ରେକର୍ଡିଂ କରୁଥିଲେ।