ଭୁବନେଶ୍ବର: କେତେବେଳେ ମୁଢ଼ିମାଂସ ତ ପୁଣି କେତେବେଳେ ପତ୍ରପୋଡ଼ାର ବାସ୍ନା ପ୍ରଦର୍ଶନୀ ପଡ଼ିଆ ସମ୍ମୁଖ ଦେଇ ଯାଉଥିବା ଆଗନ୍ତୁକଙ୍କୁ ଟାଣୁଛି ନିଜ ଆଡ଼କୁ। ଶୀତୁଆ ସଂଧ୍ୟାରେ ଗରମ ଗରମ ଖାଦ୍ୟର ବାମ୍ଫରେ ଜିଭ ବି ଆଉ ବୋଲ ମାନୁନି। ପ୍ରଦର୍ଶନୀ ପଡ଼ିଆ ଏବେ ପାଲଟି ଯାଇଛି ଖାଦ୍ୟ ସରାଗିଆଙ୍କ ଭୂସର୍ଗ। ଆମିଷିଆ ହୁଅନ୍ତୁ ବା ନିରାମିଷାଶୀ ସମସ୍ତଙ୍କ ପାଇଁ ପ୍ରଚୁର ବିକଳ୍ପ ସହ ଆଜି ଆରମ୍ଭ ହୋଇଛି ‘ଓଡ଼ିଆ ଖାଦ୍ୟ ମହୋତ୍ସବ’। ଭଳିକି ଭଳି ଓଡ଼ିଆ ବ୍ୟଞ୍ଜନ ସହ ପିଠା, ମିଠାରେ ଭର୍ତ୍ତି ଏହି ମହୋତ୍ସବ ସହରିଆଙ୍କୁ ନିଜ ଆଡ଼କୁ ଟାଣିବାରେ ସକ୍ଷମ ହେଉଛି। ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ ଥିବାରୁ ଲୋକଙ୍କ ରୁଚିକୁ ଦେଖି ଖାଦ୍ୟରେ ପରୀକ୍ଷାନିରୀକ୍ଷା କରିବାକୁ ବି ଭୁଲିନାହାନ୍ତି ରାନ୍ଧୁଣିଆ।
Liora Foundation: ଲିଓରା ଫାଉଣ୍ଡେସନ୍୍ର ନିଆରା ପ୍ରୟାସ, ସଞ୍ଜ ନଇଁଲେ ମହିଳା ଯାଆନ୍ତି ପାଠଶାଳା
ଆରମ୍ଭ ହେଲା ଓଡ଼ିଆ ଖାଦ୍ୟ ମହୋତ୍ସବ
ଓଡ଼ିଆ ଖାଦ୍ୟ କେବଳ ଖାଇବା ପାଇଁ ନୁହେଁ ବରଂ ଏହା ଓଡ଼ିଆ ସଂସ୍କୃତି ଓ ସମୃଦ୍ଧିର ପରିଚୟ ଦିଏ। ଆଜି ପ୍ରଦର୍ଶନୀ ପଡ଼ିଆଠାରେ ‘ବିଶ୍ୱ ଓଡ଼ିଆ ପରିବାର’ ପକ୍ଷରୁ ଆୟୋଜିତ ୭ ଦିନିଆ ‘ଓଡ଼ିଆ ଖାଦ୍ୟ ମହୋତ୍ସବ’ର ଉଦ୍ଘାଟନୀ ଦିବସରେ ମତ୍ସ୍ୟ, ପଶୁପାଳନ, ଲଘୁ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। କାର୍ଯ୍ୟକ୍ରମରେ ଅନୁଷ୍ଠାନ ଅଧ୍ୟକ୍ଷ ସଜ୍ଜନ ଶର୍ମା ‘ବିଶ୍ୱ ଓଡ଼ିଆ ପରିବାର’ ପକ୍ଷରୁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ବିଧାୟକ ବାବୁ ସିଂ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ପୂର୍ବତନ ସାଂସଦ ଅମର ପଟ୍ଟନାୟକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଓ ସମାଜସେବୀ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ଖାଦ୍ୟର ସ୍ବାତନ୍ତ୍ରୢ ଓ ନିଆରାପଣ ସମ୍ପର୍କରେ କହିଥିଲେ। ‘ସହାୟ’ ତରଫରୁ ଦିବ୍ୟାଙ୍ଗ କଳାକାରମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ । ସୂଚନାଯୋଗ୍ୟ ଏହି ପ୍ରଦର୍ଶନୀରେ ଖେଚୁଡ଼ି ଡାଲମା, ପୁରୀର ବିବିଧ ମିଠା, କଟକ ଦହିବରା, କୋରାପୁଟ୍ କଫି, ଦେଶୀ କୁକୁଡ଼ା ପତ୍ରପୋଡ଼ା, ବାରିପଦା ମାଂସମୁଢ଼ି, ଘିଅ ଅନ୍ନ-ମାଂସ ତରକାରୀ, ରସଗୋଲା, ଛେନାପୋଡ଼ା, କ୍ଷୀର ପୋଡ଼ପିଠା, ଜିଆଇ ଟ୍ୟାଗ୍ ପାଇଥିବା ଓଡ଼ିଆ ଖାଦ୍ୟ, ଜୈବିକ ଚାଉଳ, ହଳଦୀ ଓ ଅଦା ଆଦି ଅନେକ ଓଡ଼ିଆ ଖାଦ୍ୟ ଦ୍ରବ୍ୟର ସ୍ୱାଦ ଚାଖିବା ପାଇଁ ଶତାଧିକ ଷ୍ଟଲ୍ରେ ବହୁ ସଂଖ୍ୟକ ଭିଡ଼ ଦେଖିବାକୁ ମିଳୁଛି। ଏହି ପ୍ରଦର୍ଶନୀ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। କବୟିତ୍ରୀ ପ୍ରୀତିପ୍ରତିଭା ଭୋଳ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।
Karnataka: ‘କିଟ୍ ନହ୍ନିପରୀ’ ମୁକୁଟ ପିନ୍ଧିଲେ କର୍ଣ୍ଣାଟକର ସମୃଦ୍ଧି
ଦେଶୀ ସୁସି ସାଙ୍ଗକୁ ଚିତଉ ପେଷ୍ଟ୍ରି... ଦେଶୀରେ ବିଦେଶୀ ଛୁଙ୍କ
ସୁସି ଏକ ଜାପାନୀ ଖାଦ୍ୟ। ହେଲେ ଏ ଦେଶୀ ସୁସି ପୁଣି କ’ଣ? ପାରମ୍ପରିକ ଖାଦ୍ୟରେ ଦେଶୀ ଛୁଙ୍କ ଦେବାକୁ ‘ଓଡ଼ିଆ ପସରା’ ପକ୍ଷରୁ ଏଥର ପ୍ରସ୍ତୁତ ହୋଇଛି ଦେଶୀ ସୁସି। ମାଛ ପତ୍ରପୋଡ଼ା ଓ ଭାତ ଭିତରେ ପରସ୍ତ ପରସ୍ତ ଦେଇ ସେଥିରେ ସି-ୱିଡ୍କୁ ଗୁଡ଼ାଇ ପ୍ରସ୍ତୁତ ହେଉଛି ସୁସି। ଯାହାକୁ ଖାଇବାକୁ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଏଥିସହ ମୟୂରଭଞ୍ଜ ଜଗନ୍ନାଥ ମନ୍ଦିରର ସ୍ବତନ୍ତ୍ର ରାମ ରୋଚକକୁ ଖେଚୁଡ଼ି ଖାଇବାକୁ ଭିଡ଼ କିଛି କମ୍ ନାହିଁ। ଏଥିସହ ଚିତଉ ପିଠାରେ ତିଆରି କେକ୍, କାଇଚଟଣି, ମାଣ୍ଡିଆ ଲସି, ମହୁଲଫୁଲ ଗଇଁଠା ଲୋକଙ୍କୁ ଓଡ଼ିଆ ପସରା ଷ୍ଟଲ୍ ଆଗକୁ ଟାଣି ଆଣୁଛି। କେକ୍ରେ ଚିତଉ ପିଠା ଦେଇ ଉପରେ ଛେନା ତିଆରି କ୍ରିମ୍ ପରସ୍ତ ଦେଇ ପ୍ରସ୍ତୁତ ଏହି କେକ୍ ବି ସ୍ବାଦରେ ବେଶ୍ ନିଆରା। ଏଥିସହ ମାଣ୍ଡିଆ ଜାଉରେ ଦହି ଗୋଳାଇ, ସେଥିରେ କଞ୍ଚାଲଙ୍କା, ଧଣିଆପତ୍ର ଦଳି ଖଟା, ରାଗମିଶା ଲସିର ସ୍ବାଦ କୌଣସି ମିଠା ଲସିକୁ କାଟିବାରେ ବେଶ ସଫଳ ହେଉଛି। ଏଥିସହ ଷ୍ଟଲ୍ର ଆକର୍ଷଣ ସାଜିଛି କାଇଚଟଣିକୁ ମହୁଲ ଗଇଁଠା। ଯାହାକି ମୟୂରଭଞ୍ଜର ଦେଶୀପଣକୁ ସହରିଆଙ୍କ ମଧ୍ୟରେ ଉଜ୍ଜୀବିତ କରୁଛି। ‘ଓଡ଼ିଆ ପସରା’ ନିର୍ଦ୍ଦେଶିକା ତଥା ଚିଫ୍ ସେଫ୍ ରୋଜିସ୍ମିତା ବାରିକ କହିଛନ୍ତି, ଦେଶୀ ଖାଦ୍ୟ ପ୍ରତି ଲୋକଙ୍କ ଆକର୍ଷଣ ଅଛି। କିନ୍ତୁ ଅଧିକରୁ ଅଧିକ ଖାଦ୍ୟରସିକଙ୍କୁ ଆମ ସହ ଯୋଡ଼ିବାକୁ ଆମେ ଖାଦ୍ୟକୁ ଟିକେ ବିଦେଶୀ ସ୍ପର୍ଶ ଦେଉଛୁ।
ମାଂସପିଠାକୁ ଦେଶୀ ବରେହିପାଣି
ଚାଉଳ ଅଥବା ବିରି ତିଆରି ମିଠା ପୋଡ଼ପିଠା ଆପଣ ଖାଇଥିବେ ନିଶ୍ଚୟ। ହେଲେ ଏଥର ଖାଦ୍ୟ ମେଳାକୁ ଆସିଛି ଚିକେନ୍ ପୋଡ଼ପିଠା। ମୟୂରଭଞ୍ଜର ‘ଟେଷ୍ଟ ଅଫ୍ ଶିମିଳିପାଳ’ ନେଇଆସିଛି ରାଗ, ଲୁଣି ସ୍ବାଦଯୁକ୍ତ ଏହି ପୋଡ଼ପିଠା। ଏହା ଯେତିକି ସ୍ବାଦିଷ୍ଟ ସେତିକି ସ୍ବାସ୍ଥ୍ୟକର ମଧ୍ୟ। ଦେଶୀ ଚାଉଳଚୂନା ସହ ଚିକେନ୍କୁ ଗୋଳାଇ, ଅଳ୍ପ କିଛି ମସଲା ସହ ପ୍ରସ୍ତୁତ ହୁଏ ଏହି ପୋଡ଼ପିଠା। ପିଠାକୁ ପୋଡ଼ା ଯାଉଥିବାରୁ ଏହା ତେଲମୁକ୍ତ। ଏଣୁ ସ୍ବାସ୍ଥ୍ୟ ସଚେତନ ସହରିଆଙ୍କ ପାଇଁ ସ୍ବାସ୍ଥ୍ୟକର ମଧ୍ୟ। ଏଥିସହ ରହିଛି ଚିକେନ ପୁରଦିଆ ମଣ୍ଡାପିଠା। ଚାଉଳ ଚୂନାର ଉପର ପରସ୍ତ ସହ ମଣ୍ଡା ଭଳି ଏହାକୁ ବାମ୍ଫ ଦେଇ ସିଝାଯାଏ। ଏହାକୁ କୁହାଯାଉଛି ‘ମାଂସପିଠା’। ଏଥିସହ ରହିଛି ମୁଗେଇ ଦେଶୀ ନାଲି ଚାଉଳର ବଟା ସହ ଦହି, କଞ୍ଚାଲଙ୍କା, ଧନିଆ ଓ କିଛି ଗୁଣ୍ଡ ମସଲା ଦେଇ ପ୍ରସ୍ତୁତ ଟଙ୍କପାଣି ଭଳି ଦେଶୀ ପାନୀୟ ‘ବରେହିପାଣି’। ଶୀତ ଦିନ ହୋଇଥିବାରୁ ଅଧିକ ଦହି ନ ପକାଇ ଦେଶୀ ଚାଉଳ ବଟା ପକାଇ ଏହି ପାନୀୟ ତିଆରି ହେଉଛି। ମୁଢ଼ି ମାଂସ ସହ ଏହି ପାନୀୟ ଲୋକଙ୍କର ବେଶ୍ ପସନ୍ଦ ହେଉଛି। ଏହା ମାଂସର ଗରମପଣକୁ କାଟି ପେଟକୁ ଥଣ୍ଡା କରିବାରେ ସାହାଯ୍ୟ କରିଥାଏ। ଏହି ବରେହିପାଣିର ଦାମ୍ ୨୦ ଟଙ୍କା ରହିଥିବା ବେଳେ ମାଂସପିଠା, ମାଂସ ପୋଡ଼ପିଠାର ଦାମ ୍ରହିଛି ୧୦୦ ଟଙ୍କା। ଏଥିସହ ରହିଛି ମାଂସ ଓ ମାଛ ପତୁଆ। ଶାଳପତ୍ରରେ ମାଂସକୁ ଛୋଟ ଛୋଟ ଖଣ୍ଡ କରି ବାମ୍ଫ ଦିଆଯାଉଥିବା ବେଳେ ମାଛ ପାଇଁ କିନ୍ତୁ କଦଳୀପତ୍ର ବ୍ୟବହାର କରାଯାଉଛି। ‘ଟେଷ୍ଟ ଅଫ୍ ଶିମିଳିପାଳ’ର ଚିଫ୍ ସେଫ୍ ଦେବଶ୍ରୀ ଭୋଇ କହିଛନ୍ତି, ଲୋକମାନଙ୍କ ସ୍ବାସ୍ଥ୍ୟକୁ ଦେଖି ଆମେ ବିଭିନ୍ନ ବ୍ୟଞ୍ଜନରେ ପରୀକ୍ଷାନିରୀକ୍ଷା କରିବା ସହ ବିନାତେଲ ଓ ମସଲାରେ ଆମେ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ କରୁଛୁ। ଏହା ଲୋକଙ୍କୁ ପସନ୍ଦ ବି ଆସୁଛି।
Follow Us