ଖଣ୍ଡଗିରି: ତମାଣ୍ଡୋ ଥାନା ଅଞ୍ଚଳରେ ଗତକାଲି ଅଳଙ୍କାର ଦୋକାନ କର୍ମଚାରୀଙ୍କ ମୁହଁରେ ଗୋଲମରିଚ ସ୍ପ୍ରେ ମାରି ଅଳଙ୍କାର ଲୁଟ୍ ମାମଲାରେ ପୁଲିସ ଅଟକ ରଖିଥିବା ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ଼ (ଜେଜେବି)ରେ ହାଜର କରାଇଛି। ନାବାଳକ ଜଣକ କରଜରେ ବୁଡ଼ି ଏଭଳି କାଣ୍ଡ ଭିଆଇଥିବା ପ୍ରକାଶ କରିଛି। ଲୁଟ୍ ପରେ ଏହି ଅଳଙ୍କାରକୁ ନିଜର ଦୁଇଜଣ ସହଯୋଗୀଙ୍କ ସହିତ ମିଶି ବରମୁଣ୍ଡାସ୍ଥିତ ଏକ ସୁନାଋଣ ପ୍ରଦାନକାରୀ ସଂସ୍ଥା ନିକଟରେ ବନ୍ଧକ ରଖି ୨ଲକ୍ଷ ୨୦ହଜାର ଟଙ୍କା ନେଇଥିଲା।
Three accused arrested: ଫାଷ୍ଟଫୁଡ୍ ଦୋକାନରେ ପଶି ହଣାକଟା, ୩ ଅଭିଯୁକ୍ତ ଗିରଫ
ବିନା ଛାନ୍ଭିନ୍ରେ ଋଣ ପ୍ରଦାନ କରିଥିବାରୁ ସଂସ୍ଥାର ମ୍ୟାନେଜର୍ଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ପୁଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି। ପୁଲିସ ସୂଚନା ଅନୁଯାୟୀ, ନାବାଳକ ଜଣକ ଏକ ସ୍କୁଟିରେ ଗତକାଲି ଅପରାହ୍ଣ ଗୋଟାଏରେ ତମାଣ୍ଡୋସ୍ଥିତ ଶୁଭଲକ୍ଷ୍ମୀ ଜୁଏଲାରିରେ ପହଞ୍ଚିଥିଲା। ଏହି ସମୟରେ ଦୋକାନରେ ଉପସ୍ଥିତ କର୍ମଚାରୀଙ୍କୁ ଅଳଙ୍କାର ଦେଖାଇବାକୁ କହିଥିଲା। କର୍ମଚାରୀ ଜଣକ ଅଳଙ୍କାର ଦେଖାଉଥିବା ସମୟରେ ନାବାଳକ ପାଖରେ ରଖିଥିବା ଗୋଲମରିଚ ସ୍ପ୍ରେ କର୍ମଚାରୀଙ୍କ ମୁହଁରେ ସ୍ପ୍ରେ କରି ଅଳଙ୍କାର ନେଇ ଚମ୍ପଟ ମାରିଥିଲା। ନାବାଳକ ମାସ୍କ ପିନ୍ଧିଥିବାରୁ ଦୋକାନ କର୍ମଚାରୀ ଚିହ୍ନି ପାରି ନଥିଲେ। ଲୁଟ୍ ସମୟର ସମସ୍ତ ଭିଡ଼ିଓ ଦୋକାନର ସିସି କ୍ୟାମେରାରେ କଏଦ ହୋଇଥିବା ବେଳେ ଏନେଇ ଦୋକାନ ମାଲିକ ବିଜୟ କୁମାର ବାରିକ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ।
680 new startups: ୨ ବର୍ଷରେ ୬୮୦ ନୂଆ ଷ୍ଟାର୍ଟଅପ୍: ପଛୁଆ ଜିଲ୍ଲାରେ କାଁ ଭାଁ
ପୁଲିସ ତଦନ୍ତ କରି ନାବାଳକକୁ କାବୁ କରିବା ପରେ ସେ ଶୁଭମ୍ ପ୍ରଧାନ ନାମକ ଜଣେ ଯୁବକଙ୍କ ଠାରୁ ଧାର ନେଇଥିବା ଏକ ଲକ୍ଷ ଟଙ୍କା ସୁଝିବା ଲାଗି ଏହି ଲୁଟ୍ କରିଥିବା ସ୍ବୀକାର କରିଥିଲା। ଧାର ଟଙ୍କା ଫେରାଇବାକୁ ଶୁଭମ୍ ନାବାଳକ ଉପରେ ଚାପ ପକାଇ ଆସୁଥିଲା। ଜୁଏଲାରିରୁ ଅଳଙ୍କାର ଲୁଟ୍ କରିବା ପରେ ନାବାଳକ ଜଣକ ଶୁଭମ୍ ଓ ଅନ୍ୟଜଣେ ସହଯୋଗୀ ଆଶୁତୋଷ ସ୍ବାଇଁଙ୍କ ସହିତ ମିଶି ବରମୁଣ୍ଡାସ୍ଥିତ ସୁନାଋଣ ପ୍ରଦାନକାରୀ ସଂସ୍ଥାକୁ ଯାଇଥିଲା। ସେଠାରେ ସେମାନେ ଏହି ଅଳଙ୍କାର ବନ୍ଧକ ରଖିବା ଲାଗି ଆବେଦନ କରିଥିଲେ। ସଂସ୍ଥାର ଶାଖା ପରିଚାଳକ ଏହି ଅଳଙ୍କାରକୁ ଯାଞ୍ଚ ନକରି ୨ଲକ୍ଷ ୨୦ହଜାର ଟଙ୍କାର ଋଣ ପ୍ରଦାନ କରିଥିଲେ। ପୁଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି।
Follow Us