ଭୁବନେଶ୍ୱର: ମାଟିମାଫିଆଙ୍କ କବଳରେକୁଶଭଦ୍ରା ନଦୀ। ପ୍ରତିଦିନ ଜେସିବି, ଟ୍ରାକ୍ଟର ଲଗାଇ ଏମାନେ ପ୍ରକୃତିକୁ ଖିନ୍ଭିନ୍ କରିବାରେ ଲାଗିଛନ୍ତି। ମାଟି ତାଡ଼ି ନଦୀବନ୍ଧକୁ ତ ଦୁର୍ବଳ କରୁଛନ୍ତି, ଇଟାପୋଡ଼ି ପ୍ରଦୂଷଣ ମାତ୍ରାକୁ ବଢ଼ାଇବାରେ ଲାଗିଛନ୍ତି। ରାଜଧାନୀ ଉପକଣ୍ଠରେ ପ୍ରକୃତି ଉପରେ ପ୍ରତିଦିନ ଏପରି ପ୍ରହାର ଚାଲିଥିବା ବେଳେ ନା ରାଜସ୍ବ ବିଭାଗର ନିଦ ଭାଙ୍ଗୁଛି ନା ସରକାରଙ୍କର। ଏଣୁ ମାଟିମାଫିଆଙ୍କ ଏହି ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏମାନେ ନଦୀ ଭିତରେ ନିଜର କାୟା ମେଲାଇବାରେ ଲାଗିଛନ୍ତି। ବେଧଡ଼କ ମାଟିପୋଡ଼ି ଇଟା ବେପାର କରୁଛନ୍ତି ।
ଆଇନ ବ୍ୟବସ୍ଥାରେ ମାଟିଇଟାରେ କଟକଣା ଲଗାଯାଇଛି। ଏହା ପ୍ରଦୂଷଣ ବଢ଼ାଉଥିବାରୁ ଓ ପ୍ରକୃତିର ବିରଳ ସୃଷ୍ଟି ମାଟିକୁ ନଷ୍ଟ କରୁଥିବାରୁ ମାଟିଇଟା ବଦଳରେ ଶିଳ୍ପସଂସ୍ଥା ବଜ୍ୟରୁ ପ୍ରସ୍ତୁତ ପାଉଁଶ ଇଟା ବ୍ୟବହାରକୁ ସରକାର ବ୍ୟାପକ କରୁଛନ୍ତି। ଆଇନ ବ୍ୟବସ୍ଥା କହୁଛି, ପ୍ରାକୃତିକ ନଦୀନାଳ ପାଖରେ ଇଟାଭାଟି ହୋଇପାରିବନି। ସ୍କୁଲ୍, କଲେଜ, ଆବାସିକ ଅଞ୍ଚଳରେ ଏଭଳି ଇଟାଭାଟି ହୋଇପାରିବନି। ଜାତୀୟ ଗ୍ରିନ୍ ଟ୍ରିବୁନାଲ୍ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବି ଏଥିରେ କଟକଣା ଲଗାଇଛନ୍ତି। କିନ୍ତୁ ଭୁବନେଶ୍ବର ଉପକଣ୍ଠରେ ଏହି ଆଇନକୁ ଦଳି ଦିଆଯାଇଛି।
protecting nature: ପ୍ରକୃତି ରକ୍ଷା ଅପେକ୍ଷା ନଷ୍ଟରେ ଖର୍ଚ୍ଚ ଅଧିକ!
କୁଆଖାଇରୁ ଶାଖା ନଦୀ ଭାବେ ଜନ୍ମ ନେଇଛି କୁଶଭଦ୍ରା। କୁଶଭଦ୍ରାର ଉତ୍ପତି ସ୍ଥଳରେ ଏଭଳି ପ୍ରକୃତି ଉପରେ ନିୟମିତ ପ୍ରହାର ଚାଲିଛି। ମହାତ୍ମାଗାନ୍ଧୀ ବ୍ରିଜ୍ ନିକଟରେ ଓ ପୁରୀ କେନାଲ୍କୁ ଲାଗି ଉଭୟ ପାର୍ଶ୍ବରେ ୫ରୁ ଅଧିକ ଇଟାଭାଟି ଚାଲିଛି। ଯେଉଁଠି ନଦୀପଠାକୁ ନିୟମିତ ଖୋଳା ଚାଲିଛି। ଏଥିପାଇଁ ବଡ଼ ବଡ଼ ଜେସିବି ସାଙ୍ଗକୁ ଟ୍ରାକ୍ଟର ନିୟୋଜିତ କରାଯାଇଛି। ମାଟିଇଟା ପ୍ରସ୍ତୁତି ପାଇଁ କୁଶଭଦ୍ରା ନଦୀ ଭିତରେ ବଡ଼ ବଡ଼ ଅଞ୍ଚଳକୁ ଟ୍ରାକ୍ଟର ଜରିଆରେ ଖୋଳି ଏଥିରେ ପାଣି ସହ କଳାରଙ୍ଗର କିଛି ମିଶ୍ରଣ ମିଶାଇ କାଦୁଅ କରିବା ପରେ ଏହାକୁ ଆଣି ଇଟା ପ୍ରସ୍ତୁତ କରାଯାଉଛି। ପରେ ଭାଟିରେ ଏହାକୁ ପୋଡ଼ାଯାଉଛି। କିଛିସ୍ଥାନରେ ଦିନରେ ଅବାଧ ଏଭଳି ଇଟାପୋଡ଼ି ହେଉଛି। କିନ୍ତୁ ଅଧିକାଂଶ ସମୟରେ ରାତିରେ ଏଭଳି ଇଟାପୋଡ଼ା ଯାଉଛି। ଆଜି ବି ସ୍ଥିତି ଅନୁଧ୍ୟାନ ବେଳେ ଦୁଇଟି ଇଟାଭାଟିରେ ମାଟି ଇଟା ପୋଡ଼ା ଯାଉଥିବା ଓ ଏହାର ପ୍ରଦୂଷଣକୁ ସିଧାସଳଖ ବାୟୁମଣ୍ଡଳକୁ ଛଡ଼ା ଯାଉଥିବା ଦେଖିବାକୁ ମିଳିଥିଲା। ବଡ଼କଥା ହେଉଛି, ଏହି ମାଟିମାଫିଆମାନେ ଅଞ୍ଚଳବାସୀଙ୍କୁ ଭୟଭୀତ କରାଇ ଏଭଳି କାମ କରୁଛନ୍ତି। ଯଦି କେହି ପାଟି ଖୋଲିଲା, ସିଧାସଳଖ ଧମକଚମକ ଦିଆଯାଉଛି। ଏଣୁ ଅଞ୍ଚଳବାସୀ ଏମାନଙ୍କ ବିରୋଧରେ ମୁହଁ ଖୋଲୁନାହାନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ମୁତାବକ, ପୂର୍ବରୁ ଏମାନେ ନଦୀ ଭିତରେ ଅଳ୍ପ କିଛି ଜାଗାରେ ଇଟା ପୋଡ଼ୁଥିଲେ। ଏବେ ନଦୀ ଭିତରେ ଏକର ଏକର ଜାଗାକୁ ନିଜ ଦଖଲକୁ ନେଇ ଇଟାଭାଟି କରିଛନ୍ତି। ଏହି ସ୍ଥାନରୁ ଲକ୍ଷ ଲକ୍ଷ ଇଟା ବିକ୍ରି ହେଉଛି। ଏହାର ଲାଭାଂଶ ରାଜସ୍ବ ବିଭାଗ, ପୁଲିସ ଓ ଅନ୍ୟ ବଡ଼ ବଡ଼ ଅଧିକାରୀଙ୍କ ପକେଟ୍କୁ ଯାଉଥିବା ଅଭିଯୋଗ ହୋଇଛି। ଯେଉଁ କାରଣରୁ ଆଖି ଆଖରେ ଏଭଳି ବେଆଇନ କାର୍ଯ୍ୟକଳାପ ଦେଖି ବି ସମସ୍ତେ ନିରବ ରହିଛନ୍ତି।
Follow Us