ବାଲିପାଟଣା: ପାଞ୍ଚ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୧ ମସିହାରେ ପାର୍କ ନିର୍ମାଣର ମୂଳଦୁଆ ପଡ଼ିଥିଲା ଏବଂ ଦି’ଟା ବର୍ଷରେ ଅଧାରୁ ଅଧିକ କାମ ହୋଇଗଲା। ୧୮ ଲକ୍ଷ ଟଙ୍କା ଖର୍ଚ୍ଚରେ ପାଚେରି, ଫାଟକ ଓ ବହୁ ସୌନ୍ଦର୍ଯ୍ୟୀକରଣ କାମ ସରିଗଲା। ବିଦ୍ୟୁତ୍ ସଂ‌ଯୋଗ ସାଙ୍ଗକୁ ଆଉ କିଛି ମେସିନ୍‌ ଲାଗିଯାଇଥିଲେ, ପାର୍କଟି ଲୋକଙ୍କ ଚିତ୍ତବିନୋଦନ କାମରେ ଆସିପାରିଥା’ନ୍ତା। କିନ୍ତୁ ହଠାତ୍‌ କାମ ବନ୍ଦ ହୋଇଗଲା। ଦୁଇ ବର୍ଷ ହେଲା ଆଉ ପଇସାକର କାମ ହୋଇନାହିଁ। ଏଣେ ଯେତିକି କାମ ହୋଇଥିଲା, ସେଥିରୁ ରଙ୍ଗ ଉଡ଼ିଗଲାଣି। ହାତୀ, ବାଘ, ଭାଲୁ, ହରିଣ, ଜେବ୍ରା ଓ ଜିରାଫ ଆଦି ବନ୍ୟପ୍ରାଣୀଙ୍କ ପ୍ରତିମୂର୍ତ୍ତିର ରଙ୍ଗ ଫିକା ପଡ଼ିଗଲାଣି। ସୌନ୍ଦର୍ଯ୍ୟ ବଢ଼ାଇବାକୁ ପାର୍କ ଭିତରେ ଲାଗିଥିବା ସୁନ୍ଦର ଗଛସବୁ ବଣୁଆ ଗଛ ଭିତରେ ଲୁଚିଗଲାଣି। ଫାଟକରେ ଲାଗିଥିବା ତାଲାରେ ବି କଳଙ୍କି ଲାଗିଗଲାଣି। ଆଉ ସରକାରୀ ଅନୁଦାନ ମିଳୁ ନଥିବାରୁ ସୁନ୍ଦର ପାର୍କଟି ଜନ୍ମ ନେବା ପୂର୍ବରୁ ମରିବାକୁ ବସିଛି ବୋଲି ଆଲୋଚନା ହେଉଛି। ଏହା ହେଉଛି ବାଲିପାଟଣା ଗାରେଡ଼ିପାଞ୍ଚଣ ବୁଦ୍ଧନାଥ ମନ୍ଦିର ପାଖ ମାଣିକ ସାଗର ପାର୍କର ଅବସ୍ଥା।

Advertisment

Ward office : ୱାର୍ଡ କାର୍ଯ୍ୟାଳୟ ନିର୍ମାଣ ପ୍ରସଙ୍ଗ, ଟଙ୍କା ଅଛି, ଜମି ମିଳୁନି

  
୨0୨୧/୨୨ ଆର୍ଥିକ ବର୍ଷରେ ମାଣିକ ସାଗର ରୁରାଲ୍‌ ପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ପଡ଼ିଲା। ମନରେଗା ଯୋଜନାରେ ୧୦ଲକ୍ଷ ଟଙ୍କା, ବିପି/ଡିପି ପାଣ୍ଠିରୁ ୫ ଲକ୍ଷ ଏବଂ ତତ୍କାଳୀନ ବିଧାୟକଙ୍କ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଏମିତି ୧୮ ଲକ୍ଷ ଟଙ୍କାର ଅନୁଦାନରେ ଏହି ପାର୍କ ନିର୍ମାଣ କରାଗଲା। ଗାରେଡ଼ିପାଞ୍ଚଣ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀବୁଦ୍ଧନାଥ ମହାଦେବଙ୍କ ମନ୍ଦିର ଠାରୁ କିଛି ଦୂରରେ ମାଣିକ ସାଗର ପୋଖରୀ କୂଳରେ ଏହି ପାର୍କ ନିର୍ମାଣ କରାଗଲା। କଂକ୍ରିଟ ପାଚେରି ଓ ତା ଉପରେ ଲୁହା ଗ୍ରିଲ୍‌(କଣ୍ଟାବାଡ଼ା) କରାଗଲା। ବିଶାଳ ମୁଖ୍ୟଫାଟକରେ ଲୁହା ଗେଟ୍‌ ଲଗାଗଲା। ଭିତରେ ପାଣି କୁଣ୍ଡ, ସିମେଣ୍ଟରେ ତିଆରି ବାଘ, ଜିରାଫ, ଭାଲୁ, ବଣ ମଣିଷ, ହାତୀ, ଜେବ୍ରା, ହରିଣ ଭଳି ବନ୍ୟପ୍ରାଣୀଙ୍କ ମୂର୍ତ୍ତି ରଖାଗଲା। ପାର୍କ ବୁଲିଯାଉଥିବା ଲୋକଙ୍କ ବସାଉଠା ପାଇଁ କଟେଜ୍‌ ତିଆରି ହେଲା ଏବଂ ବସିବା ପାଇଁ ସିମେଣ୍ଟ ଚେୟାର ତିଆରି ହେଲା। ଚାଲିବା ପାଇଁ ପେଭର୍‌ ବ୍ଲକ୍‌ ଖଞ୍ଜି ବଢ଼ିଆ ପାଦଚଲା ରାସ୍ତା କରାଗଲା। ସେହି ରାସ୍ତାର କଡ଼େକଡ଼େ ଫୁଲ ଗଛ ଓ ଅନ୍ୟାନ୍ୟ ଗଛ ଲଗାଗଲା।

Robbery attempt: ରାଜଧାନୀରେ ପଣ୍ଡହେଲା ଡକାୟତି ଉଦ୍ୟମ

 ବାହାରୁ କାମ ଦେଖି ଲୋକେ ବହୁତ ଖୁସି ହୋଇଥିଲେ। ସହରର ପାର୍କ ଠାରୁ କୌଣସି ଗୁଣରେ କମ୍‌ ନଥିବା ଏହି ପାର୍କଟି ବାଲିପାଟଣା ପାଇଁ ଏକ ଖୁସିର କଥା ହେବ ବୋଲି ସମସ୍ତେ ଆଶାବାନ୍ଧି କାମ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଲେ। ମାତ୍ର ହଠାତ୍ ୨୦୨୩ ମସିହାରୁ ନିର୍ମାଣ କାମ ବନ୍ଦ ହୋଇଗଲା। ସେବେଠୁ ଆଉ କାମ ହେଉନାହିଁ। ନିର୍ମାଣ ଅଧାରେ ପାର୍କଟି ପରିତ୍ୟକ୍ତ ଅବସ୍ଥାରେ ରହିଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିଦ୍ୟୁତ୍ ଲାଇନ୍‌ ସଂଯୋଗ ହୋଇ ନଥିବାରୁ ପାଣି ମଟର ଚାଲିବା ସମ୍ଭବ ହେଉନାହିଁ। ପାଣି ବିନା ସୌନ୍ଦର୍ଯ୍ୟ ବଢ଼ାଇବାକୁ ଲଗାଯାଇଥିବା ଗଛଗୁଡ଼ିକ ରୋଗିଣା ହୋଇଗଲାଣି। ରେଷ୍ଟ ହାଉସ୍‌ ଅଧାରେ ରହିଛି, ପିଲାଙ୍କ ଖେଳ ଉପରକରଣ ନାହିଁ। ଘାସ, ଲତା ଓ ଅନାବନା ଗଛରେ ଫୁଟ୍‌ପାଥ୍‌ ଲୁଚିଗଲାଣି। ବଣ ଭିତରେ ରଙ୍ଗ ଉଡ଼ିଯାଇଥିବା ବାଘ, ଭାଲୁ, ହାତୀ, ହରିଣଙ୍କ ମୂର୍ତ୍ତି ସବୁ ମଲା ଜୀବ ଭଳି କଦର୍ଯ୍ୟ ଦେଖାଯାଉଛନ୍ତି। ସେହିଭଳି ପାର୍କକୁ ଲାଗିରହିଥିବା ବିଶାଳ ମାଣିକ ସାଗର ପୋଖରୀର ନବୀକରଣ ପାଇଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ତାହା ପୁଣି ଦଳରେ ଭର୍ତ୍ତି ହୋଇଗଲାଣି। ବାଲିପାଟଣା ବିଡିଓ ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କ ସୂଚନାନୁସାରେ ସେ କମ୍‌ ଦିନ ହେଲା ବାଲିପାଟଣା ବ୍ଲକ୍‌ରେ ଯୋଗଦେଇଛନ୍ତି। ପାର୍କ ବାବଦରେ ତାଙ୍କ ନିକଟରେ ବିଶେଷ ସୂଚନା ନାହିଁ। ଖୁବ୍‌ଶୀଘ୍ର ସେ ପାର୍କ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ ଏବଂ କାମ ପୂରା କରିବାକୁ ବିହିତ ପଦକ୍ଷେପ ନେବେ।