ଭୁବନେଶ୍ୱର: ରାଜଧାନୀର ଅଧିକାଂଶ ଵାର୍ଡରେ ପିଲାଙ୍କ ଖେଳିବା ପାଇଁ ସ୍ଥାନ ନାହିଁ। କଲୋନିରେ ଥିବା ପାର୍କଗୁଡ଼ିକରେ ସ୍ବଳ୍ପ ଖେଳନା ସରଞ୍ଜାମ ରହୁଛି। ପୁଣି କଂକ୍ରିଟମୟ ରାଜଧାନୀରେ ଦିନକୁ ଦିନ ପଡ଼ିଆ ସଂଖ୍ୟା କମି କମି ଯାଉଛି। ଯେଉଁଠି ବି ଖେଳପଡ଼ିଆ ରହିଛି, ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ତାହା ଜବରଦଖଲ ହୋଇଯାଉଛି। ଏପରିକି କିଛି ପଡ଼ିଆରେ ବିକାଶମୂଳକ କାର୍ଯ୍ୟ ଗତ ଦୁଇବର୍ଷ ହେଲାଣି ସରୁ ନାହିଁ। ପଡ଼ିଆଗୁଡ଼ିକ ସବୁବେଳେ ଖୋଲା ରହୁଥିବାରୁ ଏହା ନିଶାଡ଼ିମାନଙ୍କ ଆଡ଼ାସ୍ଥଳୀ ପାଲଟିଛି। ରାଜଧାନୀର ବହୁ ପ୍ରମୁଖ ପଡ଼ିଆରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ବହୁବିଧ କାର୍ଯ୍ୟକ୍ରମ କରୁଥିବା ବେଳେ ତୃଣମୂଳସ୍ତରର ସ୍ଥିତି ଭିନ୍ନ କଥା ବଖାଣୁଛି।
Hydrogen fuel: କେତେ ପରିବେଶ ଅନୁକୂଳ ଉଦ୍ଜାନ ଇନ୍ଧନ?
ସହିଦନଗର ହାଟ ସମ୍ମୁଖ ପଡ଼ିଆ ଏହାର ଜ୍ବଳନ୍ତ ଉଦାହରଣ। ପଡ଼ିଆର ପାଚେରି ଓ ଗେଟ୍ ଭାଙ୍ଗି ଯାଇଥିବାରୁ ଏହା ଭିତରେ ଦୋକାନ ଗଢ଼ି ଉଠିଥିବା ବେଳେ କିଛି ଅଂଶ ଜବରଦଖଲ ହୋଇଗଲାଣି। ସେହିପରି ଆଉ କିଛି ଅଂଶରେ ହାଟର କୁଢ଼କୁଢ଼ ଆବର୍ଜନା ଗଦା ହୋଇରହିଛି। ସେଠାରେ ପୁରୁଣା ବହି, ପେପର୍, ପ୍ଲାଷ୍ଟିକ୍ ଆଦି ସାମଗ୍ରୀ ବେପାର ହେଉଛି। ସହିଦନଗର ହାଟ ସମ୍ମୁଖରେ ପାଖାପାଖି ୨.୬୮୮ ଡେସିମାଲ୍ର ପଡ଼ିଆ ବର୍ତ୍ତମାନ ପରିତ୍ୟକ୍ତ ହୋଇ ପଡ଼ିରହିଛି। ବର୍ତ୍ତମାନ ଏହା ଅଞ୍ଚଳବାସୀଙ୍କ ପାଇଁ ଶୌଚାଳୟ ପାଲଟିଛି। ପୁଣି କିଛି ବେସରକାରୀ ସଂସ୍ଥା ପଡ଼ିଆକୁ ମାଡ଼ି ବସିଛନ୍ତି। ଏ ସମ୍ପର୍କରେ କର୍ପୋରେଟର ରାଜକିଶୋର ଦାସ କହିଛନ୍ତ କର୍ପୋରେସନ ବୈଠକରେ ପଡ଼ିଆରେ ଏକ ପାଠାଗାର ଓ ଅଡିଟୋରିୟମ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଏଥିପାଇଁ ଚାରି କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମଧ୍ୟ ଘୋଷଣା ହୋଇଛି। ଖୁବ୍ଶୀଘ୍ର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସେହିପରି ଜବରଦଖଲ ଓ ଆବର୍ଜନା ହଟାଇବା ପାଇଁ ସେ ଵାର୍ଡ ଅଫିସର ଓ ସାନିଟାରି ଇନସ୍ପେକ୍ଟରଙ୍କ ସହ କଥା ହୋଇଛନ୍ତି ବୋଲି କହିଛନ୍ତି।
Police: ନିୟମ ନମାନିଲେ ଥାନାରେ କଟିବ ରାତି
ସେହିପରି ବହୁ ଆଞ୍ଚଳିକ ତଥା ଜାତୀୟ ଖେଳ ହେଉଥିବା ୟୁନିଟ୍ ୬ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପଡ଼ିଆ ମଧ୍ୟ ପରିତ୍ୟକ୍ତ ସ୍ଥିତିରେ ରହିଛି। ପଡ଼ିଆର ମଦ ବୋତଲ, ଥଣ୍ଡା ବୋତଲ, ଗୁଟକା, ପାନମସଲା ଜରିଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆବର୍ଜନା ପଡ଼ିରହିଛି। କେବଳ ସେତିକି ନୁହେଁ, ପଡ଼ିଆରେ ଥିବା ଜିମ୍ ଯନ୍ତ୍ରାଶଗୁଡ଼ିକରେ କଳଙ୍କି ଲାଗିଲାଣି। ଏପରିକି ପଡ଼ିଆର ପାଚେରିର ସ୍ଥିତି ମଧ୍ୟ ଭଲ ନାହିଁ। ପଡ଼ିଆ କଡ଼ରେ ପଡ଼ିଥିବା ପେଭର୍ ବ୍ଲକ୍ ମଧ୍ୟ ଦବିଗଲାଣି। ଏନେଇ କର୍ପୋରେଟର୍ ପୁଷ୍ପା ରାଉତ କହିଛନ୍ତି ପଡ଼ିଆର ବିକାଶ ଦାୟିତ୍ୱ ବିଡିଏ ହାତରେ ରହିଛି। ଖୁବ୍ ଶୀଘ୍ର କାମ ସରିବ ବୋଲି ଆଶା ରହିଛି।
ସେହିପରି ୟୁନିଟ୍ ୨ ସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ନିକଟସ୍ଥ ପଡ଼ିଆର କାମ ମଧ୍ୟ ଦେଢ଼ ବର୍ଷ ହେଲାଣି ସରୁନାହିଁ। ଏହି ପଡ଼ିଆକୁ ବହୁବିଧ କରିବା ପାଇଁ କବାଡ଼ି, ଫୁଟବଲ, ଖୋ ଖୋ, କ୍ରିକେଟ ଖେଳ ପାଇଁ ବ୍ୟବସ୍ଥା କରିବା ପାଇଁ କାମ ଚାଲିଛି। ହେଲେ ପଡ଼ିଆର ଖାଲି ପଡ଼ିଥିବା କିଛି ଅଂଶ ବର୍ତ୍ତମାନ ଆବର୍ଜନା କୁଣ୍ଡ ଓ ଶୌଚାଳୟ ପାଲଟିଛି। ଏନେଇ କର୍ପୋରେଟର ଆସିଆ ବେଗମ୍ଙ୍କ କହିଛନ୍ତି ପଡ଼ିଆର ବିକାଶ ବିଡିଏ ଦ୍ୱାରା ହେଉଛି।
Follow Us