ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୬୮ତମ ପ୍ରତିଷ୍ଠା ଦିବସ ଆଜି ସଂଗ୍ରହାଳୟ ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ଅଭିଭାଷଣରେ କହିଥିଲେ, ‘ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ହେଉଛି ଆମ ଓଡ଼ିଆ ଅସ୍ମିତାର ବାର୍ତ୍ତାବାହକ। ସଂଗ୍ରହାଳୟରେ ଓଡ଼ିଶାର ଇତିହାସକୁ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଉଛି। ଏଥିସହ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ଗାଥାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଏହାର ପ୍ରଚାର ଓ ପ୍ରସାର କରିବା ଦିଗରେ ଏହି ସଂଗ୍ରହାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସଂଗ୍ରହାଳୟରେ ରହିଥିବା ସମସ୍ତ ଗ୍ୟାଲେରୀ ଦର୍ଶକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସାଜିଛି, ଯାହାକି ଯୁବପିଢ଼ିଙ୍କୁ ଆମ ଗୌରବମୟ ଇତିହାସ, ସଂସ୍କୃତି ସମ୍ପର୍କରେ ଅବଗତ କରାଉଛି ବୋଲି ସେ କହିଥିଲେ।
Dhum dance: ଧୁମ୍ ନାଚ, ଗୀତ ସହ ଛବିଶ ସ୍ବାଗତୋତ୍ସବ
Congress: ବେନିୟମ ସୁରକ୍ଷା ରାଶି ଓ ମାଗଣା ବିଦ୍ୟୁତ୍ ଯୋଗାଣକୁ ନେଇ କଂଗ୍ରେସର ବିକ୍ଷୋଭ
ସଂଗ୍ରହାଳୟ ପରିସରରେ ଭକ୍ତକବି ମଧୁସୂଦନ ରାଓଙ୍କ ବ୍ୟବହୃତ ସାମଗ୍ରୀକୁ ନେଇ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଶ୍ରୀ ସିଂ ଉଦ୍ଘାଟନ କରିଥିଲେ। ପ୍ରଦର୍ଶନୀ କକ୍ଷରେ ଭକ୍ତିକବିଙ୍କ ହାତଲେଖା ଦସ୍ତାବିଜ, ଭକ୍ତକବି ରାୟ ବାହାଦୂର ପ୍ରମାଣପତ୍ର, ଭକ୍ତକବିଙ୍କ ବ୍ୟବହୃତ ଆସନ, କାଠମାଣ, ବାଉଁଶିଆ, ପିତ୍ତଳ ବାକ୍ସ, ଦୁଆତ, ପରିବାରବର୍ଗଙ୍କ ଫଟୋଚିତ୍ର, ସୁଖବୋଧ ଅଭିଧାନ ଚୁକ୍ତି ସ୍ମାରକୀ, ବିଦ୍ୟାଳୟ ପରିଚାଳନା ବାବଦରେ ମଧୁବାବୁଙ୍କ ହାତଲେଖା ଆଦିକୁ ସ୍ଥାନିତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ‘ଓଡ଼ିଶା ହିଷ୍ଟୋରିକାଲ୍ ରିସର୍ଚ୍ଚ ଜର୍ଣ୍ଣାଲ୍’ ଏବଂ ‘ଓଡ଼ିଆ ଅଭିଲେଖ ସଂକଳନ’ ଉନ୍ମୋଚିତ ହୋଇଥିଲା। ଏଥିସହ ବିଶିଷ୍ଟ ଶିଳ୍ପୀ ସୁରେନ୍ଦ୍ର ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା। ଆଜି ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ଦର୍ଶକଙ୍କ ପ୍ରବେଶ ଦେୟକୁ ଛାଡ଼ କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗର ପୂର୍ବତନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଜାତୀୟ ସ୍ମାରକୀ ସଂସ୍ଥାର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାରତୀ ପାଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Follow Us