ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳ ନିଜ ସୃଜନଶୀଳତାକୁ ଆହୁରି ଶାଣିତ କରିଛି। ସାରସ୍ବତ ସାଧକମାନେ ଜାତୀୟସ୍ତରରେ ଅଧିକ ଚର୍ଚ୍ଚିତ ଓ ପୁରସ୍କୃତ ହେଉଛନ୍ତି। ଅପବାଦ ମୁଣ୍ଡାଉଥିବା ଚଳଚ୍ଚିତ୍ର ଜଗତ କମ୍‌ ବଜେଟ୍‌ରେ ମୌଳିକ କାହାଣୀ ଦମ୍‌ରେ ଆଗକୁ ବଢ଼ିଛି। ଜାତୀୟ ସ୍ତରୀୟ ସମୀକ୍ଷକଙ୍କ ଦ୍ବାରା ପ୍ରଶଂସିତ ବି ହୋଇଛି। ସରକାରୀ ସ୍ତରରେ ଚଳଚ୍ଚିତ୍ର ଜଗତ ଓ ସାରସ୍ବତ ସାଧକଙ୍କୁ ଅନେକ ଅବହେଳାର ଶିକାର ହେବାକୁ ପଡ଼ିଛି। ରାଜ୍ୟ ସିନା ସାରସ୍ବତ ସାଧନା ଓ କଳାକୁ ସମ୍ମାନିତ କରିପାରୁନି, କିନ୍ତୁ ପଦ୍ମ ପୁରସ୍କାରଠାରୁ ଆରମ୍ଭ କରି ଜାତୀୟ ପୁରସ୍କାର ପର୍ଯ୍ୟନ୍ତ; ସବୁଠି ନିଜର ସଫଳତାର ଧ୍ବଜା ଉଡ଼ାଇଛନ୍ତି ଆମ କଳା ଓ ସାରସ୍ବତ ସାଧକ। ସେପଟେ, କିଛି କଳାକାର ଓ ସାଧକ ଅଦିନରେ ଝଡ଼ିଯାଇ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛନ୍ତି।

Advertisment

Foreigners took away 1.6 lakh crores: ବିଦେଶୀ ନେଇଗଲେ ୧.୬ ଲକ୍ଷ କୋଟି: ୨୦୨୨ ପରେ ୨୦୨୫ ସବୁଠୁ ଖରାପ ବର୍ଷ

ରେକର୍ଡ କଲା ବୋଉ ବୁଟୁ ଭୂତ

୨୦୨୫ ଜୁନ୍ ୧୨ରେ ମୁକ୍ତିଲାଭ କରିଥିବା ‘ବୋଉ ବୁଟୁ ଭୂତ’ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ପରିବର୍ତ୍ତନ ଆଣିଥିଲା। ବଲିଉଡ ଫିଲ୍ମ ‘ହାଉସଫୁଲ୍-୫’ ଓ ‘ସିତାରେ ଜମିନ୍ ପର୍’ ଭଳି ବଡ଼ ଫିଲ୍ମ ସହ ପ୍ରତିଯୋଗିତା କରିବା ସତ୍ତ୍ୱେ ଏହି ହରର୍-ଥ୍ରିଲର୍-କମେଡି ଫିଲ୍ମ ସର୍ବାଧିକ ଆୟକାରୀ ଓଡ଼ିଆ ଚଳଚ୍ଚିତ୍ର ହୋଇପାରିଥିଲା। ବୋଉ ବୁଟୁ ଭୂତ ୨୫ ଦିନରେ ୧୫.୧୦ କୋଟିର ନେଟ୍ କଲେକ୍ସନ କରିଥିଲା। ଏହି ଫିଲ୍ମଟି ଓଡ଼ିଆ ସିନେମାରେ ଅନେକ ନୂତନ ରେକର୍ଡ ସ୍ଥାପନ କରିଛି। ଏହା ୧୦ କୋଟି ଅତିକ୍ରମ କରିଥିବା ପ୍ରଥମ ଓଡ଼ିଆ ଫିଲ୍ମ ଥିଲା। ଏହି ଫିଲ୍ମଟି ୨-୩ କୋଟି ବଜେଟ୍‌ରେ ନିର୍ମିତ ହୋଇଥିବା ବେଳେ ନିର୍ମାତାମାନେ ୨୫ ଦିନରେ ୧୨-୧୩ କୋଟି ଟଙ୍କାର ରିଟର୍ଣ୍ଣ ପାଇଛନ୍ତି। ନିବେଶ ଉପରେ ରିଟର୍ଣ୍ଣ ୪୦୩.୩୩% ରେ ପହଞ୍ଚିଥିଲା। ଫିଲ୍ମରେ ବାବୁଶାନଙ୍କ ବ୍ୟତୀତ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଅପରାଜିତା ମହାନ୍ତି ଓ ଅର୍ଚ୍ଚିତା ସାହୁ। ଜଗଦୀଶ ମିଶ୍ର ‘ବୋଉ ବୁଟୁ ଭୂତ’ର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ମହମ୍ମଦ ଇମ୍ରାନ୍। ପ୍ରଣବ ପ୍ରସନ୍ନ ରଥ ଏହାର ସଂଳାପ ରଚନା କରିଥିବା ବେଳେ ପ୍ରଯୋଜନା କରିଥିଲେ ତୃପ୍ତି ଶତପଥୀ। ବାବୁସାନ୍ ଫିଲ୍ମସ୍‌ ବ୍ୟାନର୍‌ରେ ନିର୍ମିତ ଏହି ଛବିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌରବ ଆନନ୍ଦ। ଏହି ଆଞ୍ଚଳିକ ଚଳଚ୍ଚିତ୍ର ଏତେ ସଫଳ ହୋଇଛି ଯେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏହାର ରିମେକ୍‌ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

Untitled-8

Maa Bhagwati Vikas Parishad: ମା’ ଭଗବତୀ ବିକାଶ ପରିଷଦର ବାର୍ଷିକ ଉତ୍ସବ: ‘ବିକାଶ ପରିଷଦ ଜନ୍ମଭୂମି ଉନ୍ନତିର ନକ୍ସା ପ୍ରସ୍ତୁତ କରନ୍ତୁ’

ଚର୍ଚ୍ଚା ସାଉଁଟିଲା ‘ଅନନ୍ତା’

ରଜରେ ପରଦାକୁ ଆସିଥିଲା ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓ ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ବହୁଚର୍ଚ୍ଚିିତ ଓଡ଼ିଆ ଚଳଚ୍ଚିତ୍ର ‘ଅନନ୍ତା’। ଓଡ଼ିଆ ସାହିତ୍ୟର କଥାସମ୍ରାଟ ଫକୀରମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡୀପୁଅ ଅନନ୍ତା’ର ଅବଲମ୍ବନରେ  ପ୍ରସ୍ତୁତ ଏହି ଚଳଚ୍ଚିତ୍ର ୨୦୨୫ ମସିହାର ପ୍ରଥମାର୍ଦ୍ଧରେ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ଦୁଇ ସପ୍ତାହରୁ ଅଧିକ ସମୟ ଧରି ହାଉସଫୁଲ ଚାଲିଥିବା ବେଳେ ଚଳଚ୍ଚିତ୍ର ଓ ଏହାର ଗୀତକୁ ଓଡ଼ିଆ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏଥିସହ ଓଡ଼ିଆ ମୌଳିକ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣର ଧାରା ପୁଣି ଥରେ ଆରମ୍ଭ ହୋଇଥିଲା। ତେବେ ଚଳଚ୍ଚିତ୍ରଟି ମୁକ୍ତିଲାଭ ପୂର୍ବରୁ ଏହାର ନାମକରଣକୁ ନେଇ ବି ସମାଲୋଚନାକୁ ଟାଣି ହୋଇଥିଲା। ‘ରାଣ୍ଡୀପୁଅ ଅନନ୍ତା’ ନାମକରଣ ନାରୀଜାତି ପ୍ରତି ଅସମ୍ମାନ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଚଳଚ୍ଚିତ୍ରର ନାମ ବଦଳି ‘ଅନନ୍ତା’ ରଖାଯାଇଥିଲା।

Untitled-9

ସୁବ୍ରତ, ରାଜ‌କିଶୋର ଓ ଫାଗୁ ବାସ୍କେଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର

୨୦୨୫ ବର୍ଷ ନିମନ୍ତେ ଓଡ଼ିଆ ଭାଷାରେ କେନ୍ଦ୍ର ସାହିତ୍ୟ ଅକାଦେମିର ଯୁବ ପୁରସ୍କାର ପାଇଛନ୍ତି ଲେଖକ ସୁବ୍ରତ କୁମାର ସେନାପତି। ଗଳ୍ପ ସଂକଳନ ‘କଦମ୍ବବନ’ ପାଇଁ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ। ସେହିପରି ‘ବାଲ୍ ସାହିତ୍ୟ ପୁରସ୍କାର-୨୦୨୫’ ପାଇଛନ୍ତି ଜଣାଶୁଣା ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀ। କବିତା ସଙ୍କଳନ ‘କେତେ ଫୁଲ ଫୁଟିଚି’ ପାଇଁ ସେ ଏହି ପୁରସ୍କାର ପାଇଛନ୍ତି। ସାନ୍ତାଳୀ କବିତା ସଂକଳନ ‘ଆଳା ସାଅଁ ଇଞ୍’ ପାଇଁ ଫାଗୁ ବାସ୍କେଙ୍କୁ ‘କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର- ୨୦୨୫’ ପ୍ରଦାନ କରାଯାଇଛି।

Untitled-10

‘ପୁଷ୍କରା’ ଓ ‘ସି ଆଣ୍ଡ୍‌ ସେଭେନ୍ ଭିଲେଜେସ୍’କୁ ଜାତୀୟ ପୁରସ୍କାର

ଚଳିତ ବର୍ଷ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଥିବା ବେଳେ ବାଜିମାତ୍‌ କରିଥିଲା ଓଡ଼ିଆ ସିନେମା ‘ପୁଷ୍କରା’। ୨୦୨୩ ମସିହାର ଶ୍ରେଷ୍ଠ ଓଡ଼ିଆ ଫିଚର୍‌ ସିନେମା ଭାବେ ‘ପୁଷ୍କରା’ ମନୋନୀତ ହୋଇଥିଲା। ତରଙ୍ଗ ସିନେ ପ୍ରଡକ୍‌ସନ୍ସ ବ୍ୟାନର୍‌ରେ ପ୍ରସ୍ତୁତ ‘ପୁଷ୍କରା’ର ନିର୍ଦ୍ଦେଶନା ଶୁଭ୍ରାଂଶୁ ଦାଶ ଦେଇଥିଲେ ଓ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର। ଚଳଚ୍ଚିତ୍ରର କାହାଣୀ ଲେଖକ ଶଙ୍କର ତ୍ରିପାଠୀଙ୍କ ଦ୍ୱାରା ୨୦୦୪ ମସିହାରେ ରଚିତ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ। ଏଥିରେ ‘ପୁଷ୍କରା’ ପରମ୍ପରାକୁ ବଡ଼ ପରଦାରେ ପ୍ରଦର୍ଶିତ କରାଯାଇଥିଲା। ଏଥିସହ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ‘ସି ଆଣ୍ଡ୍‌ ସେଭେନ୍ ଭିଲେଜେସ୍’ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ୨୦୨୩ ବର୍ଷ ପାଇଁ ‘ଅଣଫିଚର ଫିଲ୍ମ ବର୍ଗ’ରେ ପୁରସ୍କାର ହାସଲ କରିଛି। କାଦମ୍ବିନୀ ମିଡିଆ ପ୍ରଯୋଜିତ ଏହି ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ଜଳବାୟୁ ପରିବର୍ତ୍ତନ ଓ ସାତଭାୟା ଉପରେ ପର୍ଯ୍ୟବେସିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ‘ପୁଷ୍କରା’ର ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାଶ ଏବଂ ‘ସି ଆଣ୍ଡ ସେଭେନ୍ ଭିଲେଜେସ୍’ ର ପ୍ରଯୋଜିକ‌ା ଇତିରାଣୀ ସାମନ୍ତ ପୁରସ୍କାର ଗ୍ରହଣ କରିଥିଲେ।

Untitled-11

୪ ଓଡ଼ିଆ ପାଇଲେ ପଦ୍ମ ପୁରସ୍କାର

ଚଳିତ ବର୍ଷ ଦେଶର ପ୍ରତିଷ୍ଠିତ ନାଗରିକ ସମ୍ମାନ ‘ପଦ୍ମ’ ପୁରସ୍କାର ୪ ଓଡ଼ିଆ ଗ୍ରହଣ କରିଛନ୍ତି। ଏମ୍‌ସ ଭୁବନେଶ୍ବରର ପୂର୍ବତନ ନିର୍ଦ୍ଦେଶକ ତଥା ନ୍ୟୁରୋ ସର୍ଜନ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କୁ ଚିକିତ୍ସା କ୍ଷେତ୍ରରେ ଉତ୍କର୍ଷ ପାଇଁ,  ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, କଳା କ୍ଷେତ୍ରକୁ ଅବଦାନ ପାଇଁ ଢେଙ୍କାନାଳର ସ୍ଥପତି ଅଦ୍ବୈତ ଗଡ଼ନାୟକ ଏବଂ ସାହିତ୍ୟ କ୍ଷେତ୍ରକୁ ଅବଦାନ ପାଇଁ ବିଶିଷ୍ଟ ସାହିତ୍ୟିକା ପ୍ରତିଭା ଶତପଥୀଙ୍କୁ ଚଳିତବର୍ଷ ଏହି ସମ୍ମାନଜନକ ‘ପଦ୍ମଶ୍ରୀ ପୁରସ୍କାର’ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।

ବିଦାୟ ନେଲେ ଦଣ୍ଡାବାଳୁଙ୍ଗା

ବର୍ଷ ଆରମ୍ଭରୁ ହିଁ ଓଲିଉଡ୍‌ର ପ୍ରଶଂସକଙ୍କୁ ମିଳିଥିଲା ଦୁଃଖଦ ଖବର। କାରଣ ଓଡ଼ିଆ ଚଳଚ୍ଚିତ୍ର ଜଗତର ମଉଡ଼ମଣି ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କର ଫେବ୍ରୁଆରି ୨୭ରେ ଦେହାନ୍ତ ହୋଇଥିଲା। ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ଗୁରୁଗ୍ରାମ ‌ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ‌ରଲୋକ ଘଟିଥିଲା। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଫେବ୍ରୁଆରି ୬ରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍‌ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ୮ ତାରିଖ ବେଳକୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ‌ସେଠାରେ ତାଙ୍କର ଲିଭର ସିରୋସିସ୍‌ ସହ ନିମୋନିଆର ଚିକିତ୍ସା ଚାଲିଥିଲା। ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ‌ଶେଷରେ ଚିରବିଦାୟ ନେଇଥିଲେ ଉତ୍ତମ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। 
ଶୋକ ସାଗରରେ ବୁଡ଼ାଇଗଲେ ହ୍ୟୁମାନ
ନିରବି ଯାଇଛି ଓଡ଼ିଶାର ଉଦୀୟମାନ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବର। ମାତ୍ର ୩୬ ବର୍ଷ ବୟସରେ ନଭେମ୍ବର ୧୭ରେ ଦୁନିଆକୁ ପର କରି ହ୍ୟୁମାନ ଚାଲିଯାଇଛନ୍ତି ଆରପାରିକୁ। ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।  ପ୍ରାୟ ଏକ ମାସ ଧରି ହ୍ୟୁମାନ ସାଗର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ନଭେମ୍ବର ୧୪ରେ ତାଙ୍କୁ ଜଟିଳ ଅବସ୍ଥାରେ ଏମ୍‌ସ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା। ସେ ଶ୍ବାସକ୍ରିୟାଜନିତ ବାଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ। ହ୍ୟୁମାନଙ୍କର ଯକୃତ ଓ ବୃକକ୍‌ ଅକାମୀ ହେବା ସହିତ ବହୁ ଅଙ୍ଗ ପ୍ରଭାବିତ ହୋଇଥିଲା। ତାଙ୍କୁ ଆଇସିୟୁ ଭେଣ୍ଟିଲେଟର୍‌ରେ ଭର୍ତ୍ତି କରାଯାଇଥିଲା। ବହୁ ଚେଷ୍ଟା ସତ୍ତ୍ବେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ। ହ୍ୟୁମାନଙ୍କ ମୃତ୍ୟୁ ପରେ ବିବାଦ ବଢୁଥିବା ବେଳେ ଥାନାରେ ମାମଲା ପହଞ୍ଚିଛି। ହ୍ୟୁମାନଙ୍କ ଇଭେଣ୍ଟ ମ୍ୟାନେଜର ଦୀନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଥାନାେର ଅଭିଯୋଗ ହେବା ପରେ ବିବାଦ ତେଜୁଛି। କାହିଁକି ଅସୁସ୍ଥତା ସତ୍ତ୍ବେ ବିଭିନ୍ନ ଷ୍ଟେଜ୍‌ ସୋ’ରେ ହ୍ୟୁମାନଙ୍କୁ ନିଆଯାଉଥିଲା ବୋଲି ଅଭିଯୋଗ ଉଠିବା ସହ ହ୍ୟୁମାନଙ୍କ ମା’ ତାଙ୍କ ମୃତ୍ୟୁର ତଦନ୍ତ ନେଇ ଥାନାରେ ଏତଲା ଦେଇଛନ୍ତି।

Untitled-7

ରାଜ୍ୟ ଚଳଚ୍ଚିତ୍ର ଅଭିଲେଖାଗାର ପାଇଁ ଏମ୍‌ଓୟୁ ସ୍ବାକ୍ଷରିତ
ଓଡ଼ିଆ ସିନେମାର ସୁବର୍ଣ୍ଣ ଐତିହ୍ୟକୁ ସାଇତି ରଖିବା ଓ ପୁରୁଣା ଚଳଚ୍ଚିତ୍ରଗୁଡ଼ିକୁ ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର। ନଭେମ୍ବରରେ କଳାଭୂମିଠାରେ ଆୟୋଜିତ ‘୧୦ମ ଚଳଚ୍ଚିତ୍ର ସଂରକ୍ଷଣ ଓ ପୁନରୁଦ୍ଧାର କର୍ମଶାଳା’ ଅବସରରେ ଓଡ଼ିଶା ସରକାର ଓ ‘ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌’ ମଧ୍ୟରେ ‘ରାଜ୍ୟ ଚଳଚ୍ଚିତ୍ର ଅଭିଲେଖାଗାର’ ସ୍ଥାପନା ନେଇ ଏକ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସଚିବ ଗୁହା ପୁନମ ତାପସ କୁମାର ଏବଂ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ଶିବେନ୍ଦ୍ର ସିଂ ଡୁଙ୍ଗରପୁର ଏହି ବୁଝାମଣାରେ ସ୍ୱାକ୍ଷର କରିଥିଲେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକର ପୁନରୁଦ୍ଧାର କରି ସେଗୁଡ଼ିକ ସଂରକ୍ଷିତ କରି ରଖିବା ଉଦ୍ଦେଶ୍ୟରେ ଏହି ଅଭିଲେଖାଗାର ସ୍ଥାପିତ ହେବ। ଏନେଇ ରାଜ୍ୟ ସରକାର ଫାଉଣ୍ଡେସନ୍‌କୁ ସ୍ଥାନ ଯୋଗାଇଦେବେ। 
ଏ ବର୍ଷ ବି ଦିଆଗଲାନି ସାହିତ୍ୟ ଏକାଡେମୀ ଓ ଫକୀରମୋହନ ସେନାପତି ଭାଷା ସମ୍ମାନ    
ସାରସ୍ବତ ସାଧନାକୁ ସ୍ବୀକୃତି ସ୍ବରୂପ ସାଧକଙ୍କୁ ପ୍ରଦାନ କରାଯାଏ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ହେଲେ ୨୦୧୭ ମସିହାରୁ ବାକି ପଡ଼ିଥିବା ସାହିତ୍ୟ ଏକ‌ାଡେମୀ ପୁରସ୍କାର ଏ ବର୍ଷ ବି ଦିଆଯାଇପାରିଲା ନାହିଁ। ଫଳରେ ଏକାଡେମୀ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଚଳିତ ବର୍ଷ ବଦନାମ ହେବାକୁ ପଡ଼ିଛି। ସେହିଭଳି ବ୍ୟାସକବି ଫକୀରମୋହନ ସେନାପତିଙ୍କ ନାମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ‘ବ୍ୟାସକବି ଫକୀରମୋହନ ଭାଷା ସମ୍ମାନ’ ବି ଗତ ୪ ବର୍ଷ ହେଲା ପ୍ରଦାନ କରାଯାଇନାହିଁ। ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ୨୦୧୮ରେ ଆରମ୍ଭ ହେଲା ଏହି ଭାଷା ସମ୍ମାନ।
ଓଡ଼ିଆରେ ନାମଫଳକ ନ ଲେଖିଲେ ଦିନକୁ ୫୦୦ ଟଙ୍କା ଜରିମାନା
ଓଡ଼ିଆ ଭାଷା ଲିପିର ବ୍ୟବହାର ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଓଡ଼ିଆରେ ନାମଫଳକ ନଲେଖିଲେ ଦିନକୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯିବ ବୋଲି ବିଜ୍ଞପ୍ତି ଜାରି ହୋଇଥିଲା। ମହାନଗର ନିଗମ, ପୌରପାଳିକା ଓ ଏନ୍‌ଏସି ଗୁଡ଼ିକର ଅଧୀନରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ନିଜନିଜ ଫଳକରେ ଓଡ଼ିଆ ଭାଷା ଲିପିକୁ ପ୍ରାଧାନ୍ୟ ‌ଦେବାକୁ ନିଶ୍ଚିତ କରିବା ନିମନ୍ତେ ଚିଠି ଲେଖାଯାଇଥିଲା। 
ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ
‘ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍‌ ଜୀବନ’, ‘ଏ ନନୀ ସୁଲୋଚନା...’ ଭଳି ଲୋକପ୍ରିୟ ସମ୍ବଲପୁରୀ ଗୀତର ଗୀତିକାର ପଦ୍ମଶ୍ରୀ ବିନୋଦ ପଶାୟତଙ୍କର ବି ଗତ ଅଗଷ୍ଟରେ ଦେହାନ୍ତ ହୋଇଛି। ୯୦ ବର୍ଷ ବୟସରେ ସେନ୍‌ପାର୍କସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ଜିଲ୍ଲା ପ୍ରଶାସନ ଓ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ରାଜଘାଟରେ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ସମ୍ବଲପୁରୀ ଗୀତ ଓ ନାଟକ ରଚନା କରି ସେ ନିଜର ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି।
ଛାଡ଼ି ଚାଲିଗଲେ ପ୍ରେମ ଓ ବିଦ୍ରୋହର କବି ରାଜେନ୍ଦ୍ର ପଣ୍ଡା
ପ୍ରଖ୍ୟାତ ଓଡ଼ିଆ କବି, ଔପନ୍ୟାସିକ ଓ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା ବି ଏବର୍ଷ ଛାଡ଼ି ଚାଲିଯାଇଛନ୍ତି। ଅକ୍ଟୋବର ୨୪ ତାରିଖରେ ଭୁବନେଶ୍ବର ୟୁନିଟ୍‌-୬ସ୍ଥିତ ବନଜା ଆପାର୍ଟମେଣ୍ଟର ତାଙ୍କ ବାସଭବନରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ପଣ୍ଡା ଜୀବିତାବସ୍ଥାରେ ନିଜର ସମସ୍ତ ଅଙ୍ଗଦାନ କରିଥିଲେ। ଏଣୁ ଡାକ୍ତରମାନେ ତାଙ୍କ ବାସଭବନରେ ପହଞ୍ଚି ଚକ୍ଷୁ ସମେତ ଅନ୍ୟାନ୍ୟ ଅଙ୍ଗ ସଂଗ୍ରହ କରିନେଇଥ‌ିଲେ। ପରେ ତାଙ୍କ ଶରୀରକୁ ଏମ୍‌ସ୍‌କୁ ହସ୍ତାନ୍ତର କରାଯାଇଥିଲା। ରାଜେନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି। ୧୯୪୪ ମସିହାରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଜନ୍ମିତ ସ୍ବର୍ଗତ ପଣ୍ଡାଙ୍କର ୧୬ଟି କବିତା ସଂକଳନ ଓ ୨ଟି ଉପନ୍ୟାସ ପ୍ରକାଶ ପାଇଛି। ୧୯୮୫ ମସିହାରେ କବିତା ସଂକଳ୍ପ ‘ଶୈଳକଳ୍ପ’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପ୍ରଦାନ କରାଯାଇଥିଲା।
ଚାଲିଗଲେ କୃଷ୍ଣଲୀଳା ଗୁରୁ ଗୋପୀନାଥ ସ୍ୱାଇଁ
କୃଷ୍ଣଲୀଳା ଗୁରୁ ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁଙ୍କର ୧୦୮ ବର୍ଷ ବୟସରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ସେ ଅସୁସ୍ଥ ଥିଲେ।  ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଗୋବିନ୍ଦପୁରସ୍ଥିତ ବାସଭବନରେ ଗତ ଅକ୍ଟୋବରରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସାରା ରାଜ୍ୟରେ କୃଷ୍ଣଲୀଳାର ବିକାଶ କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୨୪ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।
ପଦ୍ମଶ୍ରୀ ମାୟାଧର ରାଉତଙ୍କ ପରଲୋକ
ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ମାୟାଧର ରାଉତ ଆଉ ନାହାନ୍ତି। ଦିଲ୍ଲୀସ୍ଥିତ ବାସଭବନରେ ଗତ ଫେବ୍ରୁଆରିରେ ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଓଡ଼ିଶୀ ନୃତ୍ୟ ପ୍ରତି ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥି ସହିତ ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ। ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦିଗରେ ମାୟାଧର ଅନେକ ପ୍ରୟାସ କରିଥିଲେ।
ଗୀତିକାର ସଂଗ୍ରାମ ମହାନ୍ତିଙ୍କ ପରଲୋକ
ଆଉ ନାହାନ୍ତି ‘ଏଇ ଝୁମା ଝୁମା ଗୋଲାପି ବେଳାରେ.. ଓ ‘କହନା ଏ ଫୁଲ କହନା... ଭଳି  ଶ୍ରୁତିମଧୁର ଗୀତର ଗୀତିକାର ସଂଗ୍ରାମ ମହାନ୍ତି। ଗତ ଫେବ୍ରୁଆରିରେ ସେ ନିଜର ଭଞ୍ଜପୁରସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ବାରୁଣୀଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ବର୍ଗତ ମହାନ୍ତି ବହୁଦିନ ଧରି ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ।
ସ୍ମୃତିରେ ‘ଶ୍ରୀରାଧା’ର ସ୍ରଷ୍ଟା
୨୦୨୫ ମସିହାରେ ସାରସ୍ବତ ଜଗତ ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ହରାଇଥିଲା। ‘ଶ୍ରୀରାଧା’ର ସ୍ରଷ୍ଟା ତଥା ଓଡ଼ିଶାର ଖ୍ୟାତନାମା କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କର ମାର୍ଚ୍ଚ ୧୬ ତାରିଖରେ ପରଲୋକ ହୋଇଯାଇଥିଲା। ତାଙ୍କୁ ୯୧ ବର୍ଷ ହୋଇଥିଲା। ସ୍ବର୍ଗତ ରଥଙ୍କ  କବିତାଗୁଡ଼ିକ ପାଠକଙ୍କ ମହଲରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ସେ ପ୍ରଥମ ଓ ଏକମାତ୍ର ଓଡ଼ିଆ ଭାବେ କେନ୍ଦ୍ର ସାହିତ୍ୟ ଅକାଦେମିର  ସଭାପତି ଦାୟିତ୍ବ ତୁଲାଇଥିଲେ।  ୨୦୦୬ ମସିହାରେ ସେ  ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ ଗ୍ରହଣ କରିଥିଲେ।