ଭୁବନେଶ୍ବର: ରାମୁ। ମୃତ୍ୟୁ ପରେ ବି ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ଏହି ଚର୍ଚ୍ଚିତ ଗଜରାଜଙ୍କୁ ଜନମାନସରେ ଚିରକାଳ ଜୀବନ୍ତ ରଖିବାକୁ ଯୋଜନା ଆରମ୍ଭ କରିଛି ବନ୍ୟପ୍ରାଣୀ ବିଭାଗ। ଆଖପାଖ ଅଞ୍ଚଳରେ ବେଶ୍ ପରିଚିତ ଏହି ‘ରାମୁ ହାତୀ’ ଅସ୍ଥି ଅବଶେଷକୁ ସଂରକ୍ଷଣ ଯୋଜନା କରାଯାଇଛି। ଗୋଡ଼ିବାରି ପ୍ରକୃତିନିବାସ ଏହାର ନୂଆ ଠିକଣା ହେବାକୁ ଯାଉଛି। ଯେଉଁଠି ପର୍ଯ୍ୟଟକ ‘ରାମୁ’ର କଙ୍କାଳକୁ ପ୍ରତ୍ୟକ୍ଷ ଦେଖିବା ସହ ତା’ର ଇତିହାସ ସଂପର୍କରେ ଜାଣିପାରିବେ।
ଏଥିପାଇଁ ଆସନ୍ତା ସୋମବାର (୮ ତାରିଖ)ରୁ ଅସ୍ଥି ଅବଶେଷକୁ ସୁରକ୍ଷିତ ଉଦ୍ଧାର ପାଇଁ ଖନନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଅସ୍ଥି ଅବଶେଷର ଉଦ୍ଧାର ଓ ପରବର୍ତ୍ତୀ ସଂରକ୍ଷଣ ପାଇଁ ଜଟଣୀସ୍ଥିତ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟର ପ୍ରାଣୀ ବିଭାଗ ପ୍ରଫେସର ଡ. ଶିବପ୍ରସାଦ ପରିଡ଼ାଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ ଦଳ ଗଠନ କରାଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅନୁମୋଦନକ୍ରମେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଯାହାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।
Four robbers: ପୁଲିସ ପଞ୍ଝାରେ ୪ ଡକାୟତ
‘ରାମୁ’ ଥିଲା ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ସବୁଠୁ ବୟସ୍କ ଓ ବଡ଼ ଅଣ୍ଡିରା ହାତୀ। ଏହାର ଶାନ୍ତ ସ୍ବଭାବ କେବଳ ଓଡ଼ିଶା ନୁହେଁ, ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚାର ଶିରୋନାମା ପାଲଟିଥିଲା। ୪୦ ବର୍ଷୀୟ ଏହି ହାତୀ ଜନବସତିକୁ ଆସୁଥିଲେ ବି କାହାରି କିଛି କ୍ଷତି କରୁ ନଥିଲା। ନା ଘର ଭାଙ୍ଗୁଥିଲା, ନା କୌଣସି ଲୋକଙ୍କୁ ଆକ୍ରମଣ କରୁଥିଲା। ରାମୁର ଏହି ସ୍ବଭାବ ଆଖପାଖ ଅଞ୍ଚଳବାସୀଙ୍କ ମନ ଜିଣିଥିଲା। ଏଣୁ ଚନ୍ଦକା ଓ ଆଖପାଖ ଅଞ୍ଚଳରେ ‘ରାମୁ’ର ଚଳପ୍ରଚଳ ବେଳେ ବି ଲୋକେ ନିର୍ଭୟରେ ରହୁଥିଲେ। କିନ୍ତୁ ୨୦୨୪ ଅଗଷ୍ଟ ୧୯ ତାରିଖରେ ବିଦ୍ୟୁତ୍ ଆଘାତରେ ‘ରାମୁ’ର ମୃତ୍ୟୁ ହୋଇଥିଲା। ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଅଧୀନ ଭରତପୁର ଜଙ୍ଗଲରୁ ‘ରାମୁ’ର କ୍ଷତାକ୍ତ ମୃତଦେହ ବନବିଭାଗ ପାଇଥିଲା। ତନାଘନା ପରେ ‘ରାମୁ’ର ମୃତ୍ୟୁ ମନୁଷ୍ୟକୃତ ବୋଲି ଜଣାପଡ଼ିଥିଲା। ଲୋକେ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ‘ରାମୁ’ର ମୃତ୍ୟୁ ହୋଇଥିଲା ବୋଲି ବନବିଭାଗ ସ୍ପଷ୍ଟ କରିଥିଲା।
Four robbers: ପୁଲିସ ପଞ୍ଝାରେ ୪ ଡକାୟତ
ଓୟୁଏଟି ଡାକ୍ତରୀ ଦଳ ‘ରାମୁ’ର ମୃତଦେହ ବ୍ୟବଚ୍ଛେଦ କରିବା ପରେ ଏହାକୁ ଚନ୍ଦକା ଜଙ୍ଗଲରେ ପୋତି ଦିଆଯାଇଥିଲା। ଏବେ ସେହି ସ୍ଥାନକୁ ଖନନ କରି ଅସ୍ଥି ଅବଶେଷ ଉଦ୍ଧାର ଓ ସଂରକ୍ଷଣ ପାଇଁ ଯୋଜନା ହୋଇଛି। ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ କହିଛନ୍ତି, ‘ରାମୁ’ର ଅସ୍ଥି ଅବଶେଷର ସଂରକ୍ଷଣ ପାଇଁ ବହୁଦିନରୁ ଦାବି ହୋଇ ଆସୁଥିଲା। ଯାହାକୁ ସ୍ବୀକୃତି ମିଳିଛି। ସୋମବାରଠାରୁ ଅସ୍ଥି ଅବଶେଷ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହେବ। କେତେଦିନ ଖନନ, ଅସ୍ଥି ଉଦ୍ଧାର ଓ ସଂରକ୍ଷଣ ପ୍ରକ୍ରିୟା ଚାଲିବ ଠିକ୍ ଭାବେ କହିହେବନି। ଯେଭଳି ପୁରୀ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ସାତପଡ଼ାରେ ବଡ଼ ତିମିର ଅସ୍ଥି ଅବଶେଷକୁ ସଂରକ୍ଷିତ ରଖାଯାଇଛି, ସେଭଳି ଗୋଡ଼ିବାରି ପ୍ରକୃତି ନିବାସଠାରେ ‘ରାମୁ’ର କଙ୍କାଳ ସଂରକ୍ଷିତ ରଖାଯିବ। ସଂରକ୍ଷଣ ସ୍ଥାନରେ ‘ରାମୁ’ ଉପରେ ବିସ୍ତୃତ ବିବରଣୀ ଉଲ୍ଲେଖ କରାଯିବ। ଫଳରେ ପର୍ଯ୍ୟଟକମାନେ ‘ରାମୁ’ ସଂପର୍କରେ ଜାଣିପାରିବେ। ଅସ୍ଥି ଅବଶେଷ ସୁରକ୍ଷିତ ଉଦ୍ଧାର ପାଇଁ ବୈଜ୍ଞାନିକ ଡ. ଶିବପ୍ରସାଦ ପରିଡ଼ା, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ, ବନ ବିଭାଗର ଅଭିଜ୍ଞ ଅଧିକାରୀ ପ୍ରମୁଖଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରାଯାଇଛି। ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶ୍ରୀ ମଲ୍ଲିକ କହିଛନ୍ତି, ‘ରାମୁ’ ମୃତଦେହ ମାଟି ତଳେ ପୋତିବା ବର୍ଷେରୁ ଅଧିକ ହୋଇଗଲାଣି। ଏଣୁ ଅସ୍ଥି ଅବଶେଷକୁ ସତର୍କତାର ସହ ଉଦ୍ଧାର କରିବାକୁ ପଡ଼ିବ। ରାସାୟନିକ ପଦାର୍ଥରେ ସଫା ଓ ସଂରକ୍ଷଣ କରିବାକୁ ପଡ଼ିବ। ଚନ୍ଦକା ଓ ଆଖପାଖ ଅଞ୍ଚଳରେ ରହୁଥିବା ଅଞ୍ଚଳବାସୀ ‘ରାମୁ’ର ଅସ୍ଥି ଅବଶେଷକୁ ସଂରକ୍ଷଣ ପାଇଁ ବହୁଦିନରୁ ଦାବି କରି ଆସୁଥିଲେ। ମୁଁ ନିଜେ ବି ବ୍ୟକ୍ତିଗତ ଭାବେ ଲିଖିତ ପତ୍ର ଦେଇଥିଲି। ବହୁତ ଖୁସି ଲାଗୁଛି, ଏହାକୁ ସରକାର ସ୍ବୀକୃତି ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟରେ ‘ହାତୀ’ ଶଙ୍କରର କଙ୍କାଳ ରହିଛି, ଯାହା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/05/untitled-11-2025-12-05-05-04-31.jpg)