ଭୁବନେଶ୍ବର: ଖ୍ରୀଷ୍ଟମାସଠାରୁ ଆରମ୍ଭ କରି ଜିରୋ ନାଇଟ୍‌ ଓ ନୂଆବର୍ଷ ପାଳନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦେଇ ପଦକ୍ଷେପ ଗ୍ରହଣ କରିଛି କମିସନରେଟ୍‌ ପୁଲିସ। ଉତ୍ସବ ପାଳନ ନେଇ ହୋଟେଲ୍‌ଠାରୁ ଆରମ୍ଭ କରି ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ପାର୍କ, ମନ୍ଦିର, ଅନୁଷ୍ଠାନ, କ୍ଲବ୍‌ ସବୁଠି ଭିଡ଼ ରହିବ। ତେଣୁ ପୁଲିସ ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ଚେକିଂ, ବ୍ଲକିଂକୁ କଡ଼ାକଡ଼ି କରିବ। ଏଥିପାଇଁ ରାଜଧାନୀର ୩୦ଟି ପ୍ରମୁଖ ସ୍ଥାନ ଚିହ୍ନଟ କରାଯାଇଛି। ୧୭ଟି ସ୍ଥାନରେ ଚେକ୍‌ପୋଷ୍ଟ ଲଗାଯାଇ ଯାଞ୍ଚ କରାଯିବ। ଏନେଇ ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ଦେବଦତ୍ତ ସିଂ କହିଛନ୍ତି ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି।

Advertisment

Exhibition grounds: ଖାଦ୍ୟ ରସିକଙ୍କୁ ଟାଣୁଛି ପ୍ରଦର୍ଶନୀ ପଡ଼ିଆ

 
ସୁରକ୍ଷା ଦୃଷ୍ଟିରୁ ମାଷ୍ଟର୍‌କ୍ୟାଣ୍ଟିନ୍‌, କଳ୍ପନା ଛକ, ଖଣ୍ଡଗିରି ଓ ରସୁଲଗଡ଼ ଭଳି ସମ୍ବେଦନଶୀଳ ସ୍ଥାନରେ ୫ରୁ ଅଧିକ କୁଇକ୍‌ ରେସ୍‌ପନ୍ସ ଟିମ୍‌(କ୍ୟୁଆର୍‌ଟି) ମୁତୟନ ରହିବେ। ବାଣୀବିହାର, ମାଷ୍ଟରକ୍ୟାଣ୍ଟିନ୍‌ ଏବଂ ନାଲ୍‌କୋ ଛକରେ ୩ଟି ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ନିୟୋଜିତ ହେବେ। ଏହାଛଡ଼ା ୧୫ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ମୋବାଇଲ୍‌ ପାଟ୍ରୋଲିଂ ଏବଂ ପିସିଆର୍‌ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଏମାନେ ୨୪ଘଣ୍ଟିଆ ପଇଁତରା ମାରିବେ। ଖୋଲା ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନକୁ ରାତି ୧୦ଟା ପର୍ଯ୍ୟନ୍ତ, ହୋଟେଲ ଓ ଇନ୍‌ଡୋର୍‌ରେ ରାତି ୧୨ଟା ପର୍ଯ୍ୟନ୍ତ ଅନୁମତି ଦିଆଯିବ। ଏହାଛଡ଼ା ଅଗ୍ନି ନିରାପତ୍ତା ଉପରେ ଆୟୋଜକମାନେ ଗୁରୁତ୍ବ ଦେବେ।  ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Cultural pavilion: ସାଂସ୍କୃତିକ ମଣ୍ଡପରେ ଗ୍ରାମବାସୀଙ୍କ ଧାରଣା


ସେହିପରି ନୂଆବର୍ଷ ପାଳନ ସମୟରେ ନନ୍ଦନକାନନ, ଡେରାସ, ଝୁମୁକା, ଧଉଳି, ଖଣ୍ଡଗିରି ଆଦି ପର୍ଯ୍ୟଟନସ୍ଥଳ ସମେତ ମନ୍ଦିର, ମଲ୍‌ ଓ ଜନଗହଳି ସ୍ଥାନ ଉପରେ ନଜର ରଖାଯିବ। ଏଥିପାଇଁ ୧୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ରହିବେ। ନୂଆବର୍ଷ ଦିନ ପର୍ଯ୍ୟଟନସ୍ଥଳୀରେ ସ୍ବତନ୍ତ୍ର ଅଫିସର୍‌ ନଜର ରଖିବେ। ଡିସିପି ଜଗମୋହନ ମୀନାଙ୍କ ନେତୃତ୍ବରେ ୪ ଅତିରିକ୍ତ ଡିସିପି, ୭ ଏସିପି ଏବଂ ୨୩ ଆଇଆଇସି ଏହି ଦାୟିତ୍ବରେ ରହିବେ ବୋଲି ଶ୍ରୀ ସିଂହ ସୂଚନା ଦେଇଥିଲେ। ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପୁଲିସ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସମସ୍ତ ଥାନାକୁ ହାଇଆଲର୍ଟରେ ରଖାଯାଇଛି। ସେମାନେ ନିଜ ନିଜ ଅଞ୍ଚଳରେ ନଜର ରଖିବା ସହ ପା‌ଟ୍ରୋଲିଂକୁ କଡ଼ାକଡ଼ି କରିବେ। ଏହାଛଡ଼ା ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଆପଣା ଯାଇଛି। ସହର ଭିତରେ ଓ ବାହାରେ ଟ୍ରାଫିକ୍‌ ଟିମ୍‌ ପୂରା ନଜର ରଖିବେ। କେଉଁଠି ବି ଟ୍ରାଫିକ୍‌ ଜାମ୍‌ ନେଇ ଖବର ମିଳିବା ପରେ ଟିମ୍‌ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ କମ୍‌ ସମୟ ମଧ୍ୟରେ ଟ୍ରାଫିକ୍‌ ପରିଚାଳନାକୁ ସ୍ବାଭାବିକ କରିବେ। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମୀନା ଉପସ୍ଥିତ ଥିଲେ।