ଭୁବନେଶ୍ୱର: ଆସନ୍ତା ୨୧ ତାରିଖ କଥାସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କର ୩୬ତମ ପୁଣ୍ୟତିଥି। ଏହି ଅବସରରେ ‘ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବ’ର ପାଠକ ପାଠିକାଙ୍କୁ  ‘ଆମ ଓଡ଼ିଶା’ ଉପହାର ଦେଇଛି ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସ ସମଗ୍ରର ଶେଷଖଣ୍ଡ। ଏହି ଉପଲକ୍ଷେ ପୁସ୍ତକ ମେଳାର ‘ଆମ ଓଡ଼ିଶା’ ଷ୍ଟଲ୍‌ରେ ଆୟୋଜିତ ହୋଇଥିଲା ଏକ ଅନୌପଚାରିକ ପୁସ୍ତକ ପାଠକାର୍ପଣ ଆସର। 
କାର୍ଯ୍ୟକ୍ରମରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସ ସମଗ୍ରର ଶେଷଖଣ୍ଡ ପାଠକାର୍ପିତ କରିଥିଲେ। ସାମ୍ୱାଦିକତା, ସାହିତ୍ୟ ଓ ରାଜନୀତିର ତ୍ରିବେଣୀ ସଙ୍ଗମ ସୁରେନ୍ଦ୍ର ମହାନ୍ତିଙ୍କଠାରେ ଘଟିଥିଲା ଏବଂ ସାହିତ୍ୟ ସୃଷ୍ଟି ଦୃଷ୍ଟିରୁ ତାଙ୍କ ଅବଦାନର ତୁଳନା ନାହିଁ ବୋଲି ସେ କହିଥିଲେ। ଶ୍ରୀ ମହାନ୍ତି ଥିଲେ ‘ସମ୍ବାଦ’ର ପ୍ରଥମ ସଂପାଦକ ଏବଂ ସେ ଦୃଷ୍ଟିରୁ ‘ସମ୍ୱାଦ’ ସବୁବେଳେ ତାଙ୍କ ନିକଟରେ କୃତଜ୍ଞ ବୋଲି କହିବା ସହିତ ତାଙ୍କ ରଚନାବଳୀ ପାଠକଙ୍କ ନିକଟରେ ପହଞ୍ଚାଇ ଆମେ ତାଙ୍କ ଋଣ ପରିଶୋଧ କରୁଛୁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

Advertisment

Lower PMG: ଲୋୟର ପିଏମ୍‌ଜି ସକାଳୁ ରାତି ଯାଏଁ...

 ଆସରରେ ଉପସ୍ଥିତ ଥିବା ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ସୁରେନ୍ଦ୍ର ମହାନ୍ତିଙ୍କ ଏହି ରଚନା ସମଗ୍ର ସାହିତ୍ୟର ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ବେଶ୍‌ ସହାୟକ ହେବ ବୋଲି କହିଥିଲେ। କବି ସଂଗ୍ରାମ ଜେନା  କହିଥିଲେ, ସୁରେନ୍ଦ୍ର ମହାନ୍ତି ସବୁ ପିଢିର ସାହିତ୍ୟିକଙ୍କର ଆଦର୍ଶ। କବି ପବିତ୍ର ମୋହନ କର ଏହି ପ୍ରକାଶନ କଥାସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ପାଇଁ ଏକ ଯଥାର୍ଥ ସମ୍ମାନ ବୋଲି କହିଥିଲେ। 
ଏହି ଅବସରରେ ପ୍ରକାଶନ ସଂପାଦକ ଅସିତ ମହାନ୍ତି ସୂଚନା ଦେଇଥିଲେ ଯେ ପୂର୍ବରୁ ‘ଆମ ଓଡ଼ିଶା’ ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସକୁ ନେଇ ଚାରିଖଣ୍ଡ ପୁସ୍ତକ ପ୍ରକାଶ କରି ସାରିଛି। ପ୍ରଥମେ ଶ୍ରୀଜଗନ୍ନାଥଙ୍କୁ ନେଇ ଲିଖିତ ତାଙ୍କର ତିନିଟି ଉପନ୍ୟାସ- ‘ନୀଳଶୈଳ’, ‘ନୀଳାଦ୍ରି ବିଜୟ’ ଓ ‘କୃଷ୍ଣାବେଣୀରେ ସନ୍ଧ୍ୟା’ର ଏକତ୍ର ସଂକଳନ ପ୍ରକାଶ ପାଇଥିଲା। ସେହିପରି, ଉପନ୍ୟାସ ସମଗ୍ରର ଅନ୍ୟ ଏକ ଖଣ୍ଡ ଭାବରେ  ‘ପ୍ରଜାପତି’, ‘ବଧୂ ଓ ପ୍ରିୟା’, ‘ସହସ୍ର ଶଯ୍ୟାର ନାୟିକା’, ‘ଅନ୍ଧ ଦିଗନ୍ତ’ ଓ ‘ହଂସଗୀତି’ ଏକତ୍ର ପ୍ରକାଶ ପାଇଥିଲା। ଆଜି ତାଙ୍କର ଅନ୍ୟ ପାଞ୍ଚଟି ଉପନ୍ୟାସ ‘ଅଚଳାୟତନ’, ‘କାଳାନ୍ତର’, ‘ନେତିନେତି’, ‘ଆଜୀବକର ଅଟ୍ଟହାସ’ ଓ ‘ଫଟାମାଟି’କୁ ନେଇ ତୃତୀୟ ତଥା ଶେଷଖଣ୍ଡ ପ୍ରକାଶ ପାଇଛି। ଏହା ପୂର୍ବରୁ ତାଙ୍କର ଦୁଇ ଚରିତ ଉପନ୍ୟାସ- ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ ମଧ୍ୟ ଏକତ୍ର ପ୍ରକାଶ ପାଇ ଆଦୃତି ଲାଭ କରିଛି। ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସ ସମଗ୍ରର ପ୍ରକାଶନ ସଂପୂର୍ଣ୍ଣ କରି ‘ଆମ ଓଡିଶା’ ଆନନ୍ଦ ପ୍ରକାଶ କରୁଛି ବୋଲି ସେ କହିଥିଲେ।

S I R Debate: ଲୋକସଭାରେ ଏସ୍‌ଆଇଆର୍‌ ତାତି


ଏହିଅବସରରେ ‘ରତ୍ନଚିରା’ର ସମ୍ପାଦିକା ସ୍ନେହଲତା ପୃଷ୍ଟି, ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ସାହିତ୍ୟ ସଂଗଠକ ସଞ୍ଜିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସୁରେନ୍ଦ୍ର ମହାନ୍ତିଙ୍କ ସାହିତ୍ୟିକ ଅବଦାନ ଏବଂ ‘ଆମ ଓଡ଼ିଶା’ର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହା ପରେ ପରେ ଏହାର ପ୍ରଥମ ପାଠକ ଓ ପାଠିକା ଭାବେ ହିମାଂଶୁ ପରିଡ଼ା ଓ ସ୍ନେହଲତା ପୃଷ୍ଟି ପୁସ୍ତକ କିଣିଥିଲେ। ସୁରେନ୍ଦ୍ର ମହାନ୍ତିଙ୍କ ଏହି ରଚନା ସମଗ୍ର  ପୁସ୍ତକ ମେଳାର ଶେଷଦିନ ପର୍ଯ୍ୟନ୍ତ ‘ଆମ ଓଡ଼ିଶା’ ଷ୍ଟଲ୍ ରେ ବିଶେଷ ରିହାତିରେ ଉପଲବ୍ଧ ହେବ ବୋଲି ‘ଆମ ଓଡିଶା’ ପକ୍ଷରୁ କୁହାଯାଇଛି।